Unknown

 

 

 

 

 

 

 

 

 

 

 

ବିଦାୟ ବେଳା

ବିଭୂତି ପଟ୍ଟନାୟକ

 

ସୂଚନା

 

ଏ ଉପନ୍ୟାସର କିଛି ଅଂଶ ‘ଶୀତ ବସନ୍ତ’ ନାମରେ ରାଜଶ୍ରୀ ପକେଟ୍‍ବୁକ୍‍ର ୨୮ ନମ୍ବର ସଂକଳନରେ ୧୯୬୯ ମସିହାରେ ପ୍ରକାଶ ପାଇଥିଲା । ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ସ୍ୱନାମରେ ପ୍ରକାଶ ପାଉଛି ।

 

ଲେଖକ

☆☆☆

 

।। ୧ ।।

 

କୂଳ ଆଉ ଜଳକୁ ନେଇ ଯେପରି ନଦୀ, ସ୍ୱାମୀ ଆଉ ସନ୍ତାନକୁ ନେଇ ସେପରି ନାରୀ-। ଯେଉଁ ନଦୀରେ ଜଳ ନାହିଁ, କୂଳ ନାହିଁ ସେ ନଦୀ ନଦୀ ନୁହେଁ । କିନ୍ତୁ ଯେଉଁ ନାରୀର ସ୍ୱାମୀ ନାହିଁ; (ସ୍ୱାମୀ ନ ଥିଲେ ସନ୍ତାନ କଥାଟା ତ ଅବାନ୍ତର !) ସେ କ’ଣ ନାରୀ ନୁହେଁ ?

 

ନିଜକୁ ଦିନେ ନିଜେ ଏହି ପ୍ରଶ୍ନ କରିଥିଲା ମୌସୁମୀ । କିନ୍ତୁ ନିଜ ପ୍ରଶ୍ନର ଉତ୍ତର ନିଜେ କିଛି ପାଇବା ଆଗରୁ ତା’ର ଦୁଇ ଆଖି ଲୁଣି ଲହୁର ସ୍ରୋତରେ ଭାସିଯାଇଥିଲା । ଏକ ନିଃସଙ୍ଗ, ନିଃସହାୟବୋଧରେ ତା’ର ଏକୋଇଶି ବର୍ଷର ଶ୍ୟାମତନୁ ଥର ଥର ହୋଇ ପ୍ରକମ୍ପିତ ହୋଇ ଉଠିଥିଲା । ସେ ଅବରୁଦ୍ଧ ଆବେଗରେ ଶିହରି ଉଠି ମନେ ମନେ ସ୍ୱଗତୋକ୍ତି କରି ଉଠିଥିଲା, ମୁଁ ପାରିଲି ନାହିଁ...ପାରିଲି ନାହିଁ...ବାବା ! ମତେ କ୍ଷମାକର ।

 

ଜାନକୀ ବାବୁ ଝିଅର ଅବାଧ୍ୟତାକୁ କ୍ଷମା କରିଥିଲେ କି ନାହିଁ, ସେ କଥା ଜାଣେ ନାହିଁ ମୌସୁମୀ । କିନ୍ତୁ ସେ ତାକୁ ଆଉ ବିବାହ ପାଇଁ ବାଧ୍ୟ କରି ନ ଥିଲେ । ତାଙ୍କର ପାରିବାରିକ ଜୀବନରେ କିପରି ଏକ ଶୋକାଚ୍ଛନ୍ନ ପରିବେଶ ଆଚ୍ଛନ୍ନ ହୋଇ ଆସିଥିଲା । ବୋଉ ଶ୍ୟାମାମଣି ନିଜ ଦୁଇ ଆଖିପତାକୁ ପଣତକାନିରେ ପୋଛି ନେଇ ଗୁଣୁ ଗୁଣୁ ହୋଇ କଅଣ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଜଣାଇଥିଲେ । ତା’ପରେ ଆହତ କଣ୍ଠରେ ପ୍ରଶ୍ନ କରିଥିଲେ : ବାହା ହେବୁ ନାହିଁ ବୋଲି ପାଠ ପଢ଼ୁଥିଲୁ । ଏବେ ପାଠପଢ଼ା ମଧ୍ୟ ଶେଷ ହୋଇଗଲା । ତୁ ଏଣିକି ପୁଣି କଅଣ କରିବୁ-?

 

ନିଜକୁ ସଂଯତ କରି ମୌସୁମୀ ଉତ୍ତର ଦେଇଥିଲା : ମୁଁ ଶିକ୍ଷୟିତ୍ରୀ ଚାକିରି ପାଇଁ ଦରଖାସ୍ତ କରିଥିଲି । ନିଯୁକ୍ତିପତ୍ର ଆସିଯାଇଛି ବୋଉ ! ମୁଁ ଏଣିକି ଶିକ୍ଷୟିତ୍ରୀର ଜୀବନ ବରଣ କରିନେବି ।

 

କେହି ବାଧା ଦେଇ ନ ଥିଲେ । ବାଧା ଦେବାର କିଛି ମାନେ ହୁଏ ନାହିଁ । ଝିଅ ଯଦି ବିବାହ ନ କରିବ, ଚାକିରି ନ କରି ଘରେ ବସି ରହି ଆଉ କଅଣ କରିବ ? ଅପେକ୍ଷା ସମୟ କଟାଇବା ପାଇଁ ଶିକ୍ଷୟିତ୍ରୀ ହେବା ଭଲ ।

 

ଏକ ମଫସଲ–ପ୍ରାୟ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବରେ ଯୋଗ ଦେଇଥିଲା ମୌସୁମୀ । ପୌଢ଼ା ପ୍ରଧାନ ଶିକ୍ଷୟିତ୍ରୀ ଚଷମା ତଳୁ ମୌସୁମୀକୁ କିଛି ସମୟ ଏକ ଏୟରେ ଚାହିଁ ରହିବା ପରେ ଢୋକ ଗିଳିଥିଲେ । ତା’ପରେ ମାତୃ–ସୁଲଭ, ସ୍ନେହସଜଳ କଣ୍ଠରେ ମନ୍ତବ୍ୟ କରିଥିଲେ : ଦେହରେ ଏତେ ରୂପ, ଏତେ ଯୌବନ ନେଇ ଆଜୀବନ କେହି କେବଳ ଶିକ୍ଷୟିତ୍ରୀ ହୁଏ ନାହିଁ ମୌସୁମୀ !

 

ମୁଁ ଜାଣେ, ବେଶୀଦିନ ତୁମେ ସ୍ଥାୟୀ ଭାବରେ କେବେହେଲେ ଏ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଗଣିତ ପଢ଼ାଇବ ନାହିଁ । ଅଙ୍କ ପଢ଼ାଇବା ପାଇଁ ଆଉ କିଛିଦିନ ପରେ ହୁଏତ ଆମକୁ ଆଉ ଜଣେ ଶିକ୍ଷୟିତ୍ରୀ ଖୋଜିବାକୁ ପଡ଼ିବ । ତଥାପି ଯେତେଦିନ ତମେ ଏ ବିଦ୍ୟାଳୟରେ ରହିଛ, ଛାତ୍ରୀମାନଙ୍କୁ ମନଦେଇ ପାଠ ପଢ଼ାଅ ।

 

ମୌସୁମୀ ଧକ୍‌କା ଖାଇଲା ଭଳି ଚମକି ଉଠିଥିଲା ।

 

ସେ ବୁଝାଇବାକୁ ଚେଷ୍ଟା କରିଥିଲା, ସେ ଆଜୀବନ ଶିକ୍ଷୟିତ୍ରୀ ହୋଇ ରହିବ । ଏ ବିଦ୍ୟାଳୟ ଖୁବ୍‌ ଶୀଘ୍ର ଛାଡ଼ିବାର ତା’ର କୌଣସି ଇଚ୍ଛା ନାହିଁ । ଅବଶ୍ୟ ତାକୁ ଯହି ଏଠାରୁ ତଡ଼ିଦିଆଯାଏ, ତାହା ଭିନ୍ନ କଥା...

 

ପ୍ରଧାନ ଶିକ୍ଷୟିତ୍ରୀ ମିସ୍‌ ନାୟକ ଆଖିରୁ ଚଷମା କାଢ଼ି ଟେବୁଲ ଉପରେ ଥୋଇ ଦେଇଥିଲେ । ତା’ପରେ ବିସ୍ମୟ–ଚକିତ କଣ୍ଠରେ ପ୍ରଶ୍ନ କରିଥିଲେ, ତମେ ଯାହା କହୁଛ, ତାହା ସବୁ ଭାବିଚିନ୍ତି କହୁଛ ତ ? ଆଜୀବନ ଅବିବାହିତା ରହିବା କଥା ସବୁ ଝିଅ ପ୍ରଥମେ ପ୍ରଥମେ କହିବାର ମୁଁ ଶୁଣିଛି । ତା’ପରେ ଦିନ କେତୋଟି ପରେ ଦେଖିଛି, ସେମାନେ ସମସ୍ତେ ନୀଡ଼କୁ ଫେରି ଯାଇଛନ୍ତି । ବନ କପୋତୀ ସବୁ ବନ୍ଦିନୀ ହୋଇଛନ୍ତି, ଘର–ସଂସାରର ମାୟା ପଞ୍ଜୁରୀରେ । ଶିକ୍ଷୟିତ୍ରୀ ଚାକିରି ଉପରୁ ଲୋଭ ତୁଟିଛି । ସୁବିଧା ହେଲେ ଚାକିରି କରିଛନ୍ତି, ନ ହେଲେ ମୋ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି... ।

 

ନିଜର ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ମୌସୁମୀ ନିଜ ପରିବାରର ଲୋକଙ୍କ ସହ ମଧ୍ୟ ବିଶେଷ ଆଲୋଚନା କରିବାକୁ ଚାହେଁ ନାହିଁ । ବାପା, ବୋଉ କେବେ ଏପରି ଆଲୋଚନାର ସୂତ୍ରପାତ କଲେ, ସେ ସେଭଳି ଆଲୋଚନାକୁ ଏଡ଼ାଇ ଯିବାକୁ ଚେଷ୍ଟାକରେ । ବାହାର ଲୋକଙ୍କ ସହିତ ଏଭଳି ଆଲୋଚନାକୁ ସେ କେବେହେଲେ ପ୍ରଶ୍ରୟ ଦିଏ ନାହିଁ । କିନ୍ତୁ ସେଦିନ ଇଚ୍ଛା କରି ସୁଦ୍ଧା ସେ ପ୍ରଧାନ ଶିକ୍ଷୟିତ୍ରୀ ମିସ୍‌ ନାୟକଙ୍କୁ ତା’ର ଭବିଷ୍ୟତ ଆଲୋଚନା ସମ୍ପର୍କରେ ବାଧା ଦେଇପାରି ନ ଥିଲା । ବରଂ ତାଙ୍କ ଆଲୋଚନା ଭିତରୁ ସେ ଆବିଷ୍କାର କରିଥିଲା, ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଭାବରେ ଯୋଗଦେବା ଆଗରୁ ପ୍ରଧାନ ଶିକ୍ଷୟିତ୍ରୀ ସମ୍ପର୍କରେ ତାକୁ ଯେଉଁ ଅଦ୍ଭୁତ ଧାରଣା ଦିଆଯାଇଥିଲା, ସେ ଧାରଣା ତା’ର ଆପେ ଆପେ ବଦଳି ଯାଉଛି । ବାହାରକୁ ରୁକ୍ଷ, ଦୁର୍ଦ୍ଦାନ୍ତ, ଅସହିଷ୍ଣୁ ଭଳି ମନେ ହେଉଥିଲେ ସୁଦ୍ଧା ମିସ୍‌ ନାୟକଙ୍କ ମନର ଅଭ୍ୟନ୍ତର ଯେ ନାରୀସୁଲଭ କୋମଳତାରେ ଛଳଛଳ ହେଉଛି, ତାଙ୍କର ସେଦିନ ସେଇ କେତେପଦ କଥାରୁ ସେ ବେଶ୍‌ ବୁଝିପାରିଥିଲା ।

 

ମିସ୍‌ ନାୟକ ତାକୁ ବେଶୀ ସମୟ ନିଜ ଅଫିସ ରୁମ୍‌ରେ ଅଟକାଇ ରଖି ନ ଥିଲେ । ତାକୁ ବିଦାୟ ଦେବା ଆଗରୁ କେବଳ ଶେଷ କଥା ଶୁଣାଇଥିଲେ; ଶିକ୍ଷୟିତ୍ରୀ ଚାକିରି ଆଜିସୁଦ୍ଧା ଅତି କଠୋର ତପସ୍ୟାର କଥା ମୌସୁମୀ ! ଦିନକୁ ଦିନ ଅଧିକ ସଂଖ୍ୟକ ବାଳିକା ବିଦ୍ୟାଳୟ, ମହିଳା କଲେଜ ଖୋଲୁଥିଲେ ସୁଦ୍ଧା, ଝିଅମାନେ ପାଠପଢ଼ି ନିଜ ଗୋଡ଼ରେ ଠିଆ ହୁଅନ୍ତୁ, ଏକଥା କୌଣସି ପୁରୁଷ ଭଲ ଦୃଷ୍ଟିରେ ଦେଖେ ନାହିଁ । ଆଉ ଯେହେତୁ ଆଜି ସୁଦ୍ଧା ଏ ସମାଜ, ପୁରୁଷ–ପ୍ରଧାନ ସମାଜ ହୋଇ ରହିଛି, ଏ ସମାଜରେ ଶିକ୍ଷୟିତ୍ରୀର ସମ୍ମାନ ତେଣୁ ତା’ର ସ୍ୱାମୀ କିମ୍ବା ପିତୃ ପରିବାରର ପ୍ରଭାବ ଓ ପ୍ରତିପତ୍ତି ଉପରେ ନିର୍ଭର କରେ । ଅବିବାହିତା ଶିକ୍ଷୟିତ୍ରୀ ଆଜି ସୁଦ୍ଧା ସମସ୍ତଙ୍କ ଦୟା ଓ ସହାନୁଭୂତିର ପାତ୍ରୀ !

 

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଫିସ କୋଠରୀରୁ ବାହାରକୁ ଆସିଲା ପରେ ମୌସୁମୀ ଅନୁଭବ କରିଥିଲା, ସେ ଶିକ୍ଷୟିତ୍ରୀ ଚାକିରି ଗ୍ରହଣ କରିବ ବୋଲି ସ୍ଥିର କଲାବେଳେ ତା’ଛାତି ଭିତରେ ଯେଉଁ ଅଜ୍ଞାତ ଆତଙ୍କର ପ୍ରକମ୍ପନ ସୃଷ୍ଟି ହୋଇଥିଲା, ସେଇ କମ୍ପନ, ସେହି ଦୁରୁଦୁରୁ ଶବ୍ଦ ତା’ଛାତି ଭିତରେ କ୍ରମେ ଦ୍ରୁତରୁ ଦ୍ରୁତତର ହେବାକୁ ଲାଗିଛି !

 

ମୌସୁମୀ ସେଦିନ ଆଉ କ୍ଲାସ୍‌ ନ ଦେଇ ଶିକ୍ଷୟିତ୍ରୀ–ନିବାସରେ ନିଜର ନିର୍ଦ୍ଦିଷ୍ଟ କୋଠରୀକୁ ଫେରିଆସି ମୁହଁମାଡ଼ି ଶୋଇ କାନ୍ଦିଥିଲା । ତାକୁ କେମିତି ସାରା ସଂସାର ବିବର୍ଣ୍ଣ, ଧୁସର ଆଉ ନୃଶଂସ ମନେ ହୋଇଥିଲା । ସମ୍ମାନଜନକ ଭାବେ ବଞ୍ଚି ରହିବା ପାଇଁ ସେ ଯେଉଁ ଆଡ଼କୁ ହାତ ବଢ଼ାଉଛି, ସେ ପଥ ତା’ ପାଇଁ ରୁଦ୍ଧ ହୋଇଯାଉଛି । ଯେଉଁ କୋଠରୀରେ ଆଶ୍ରୟ ନେବା ପାଇଁ ସେ ପାଦ ବଢ଼ାଉଛି, ସେ କୋଠରୀର ଦରଜା ତା’ ଆଖି ଆଗରେ ସଶବ୍ଦରେ ବନ୍ଦ ହୋଇଯାଉଛି !

 

ଶିକ୍ଷୟିତ୍ରୀ ଚାକିରି ଗ୍ରହଣ କରିବା ପାଇଁ ଘରୁ ଗୋଡ଼ କାଢ଼ି ବାହାରିଲାବେଳେ ବାପା କହିଥିଲେ : ମାଆ ମୌସୁମୀ ! ଏ ସଂସାରର ପଥ ବଡ଼ ପିଚ୍ଛିଳ, ଚାଲିଲାବେଳେ ପାଦ ଟିପି ଟିପି ଚାଲିବୁ ।

 

ବୋଉ କହିଥିଲା : ସୁମୀ ! ନାରୀର ସଂସାର ଶିକ୍ଷାଳୟ ନୁହେଁ, ଏ ଶିକ୍ଷା ଶିକ୍ଷୟିତ୍ରୀ ହେଲାପରେ ତୁ ଯେତେ ଶୀଘ୍ର ବୁଝିବୁ, ସେତେ ମଙ୍ଗଳ । ମୁଁ ସେଇ ଦିନକୁ ଚାହିଁ ରହୁଛି । ସୁନାଟି ପରା ! ନିଜ ଉପରେ ଅଭିମାନ କରି ନିଜ ସ୍ୱାସ୍ଥ୍ୟ ନଷ୍ଟ କରିବୁ ନାହିଁ । ଖାଇବା ପିଇବା ପ୍ରତି ଧ୍ୟାନ ଦେବୁ । ମୋ ରାଣ ରହିଲା !

 

ଆଉ ଆଜି ପ୍ରଧାନ ଶିକ୍ଷୟିତ୍ରୀ ଯାହା କହିଲେ !

 

ନା ତାକୁ ଆଉ କିଛି ଭଲ ଲାଗୁନି । ମନ ହେଉଛି, ଏ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ସେ ପୁଣି ତା’ର ବାପା, ବୋଉଙ୍କ ପାଖକୁ ଫେରିଯିବ । ବାପାଙ୍କୁ ବୁଝାଇଦେବ, ସଂସାରର ଖସଡ଼ା ବାଟରେ ଆଙ୍ଗୁଠି ଟିପି ଚାଲିବାକୁ ମୋର ଜୋର ନାହିଁ । ଗୋଡ଼ ଖସାଇ ପଡ଼ିବା ଆଗରୁ ସେଥିପାଇଁ ଆପଣଙ୍କ କୋଳକୁ ପୁଣି ଫେରିଆସିଲି । ବୋଉକୁ କହିବ, ନାରୀର ସଂସାର ଯେ ସ୍ୱାମୀଗୃହ, ଏକଥା ବୁଝିବା ପାଇଁ ଶିକ୍ଷୟିତ୍ରୀ ହେବା କିଛି ଦରକାର ହେଲା ନାହିଁ । ହେତୁ ପାଇଲା ଦିନୁ ସେ କଥା ମୁଁ ନିତି ତୋଠାରୁ ସିଖିଛି । ସେଥିପାଇଁ ପୁଣି ତୋ କୋଳକୁ ଲେଉଟି ଆସିଲି ।

 

କିନ୍ତୁ ତା’ପରେ... ?

 

ପୁଣି ସେଇ ବିବାହ ପ୍ରସ୍ତାବ । ବୋହୂ ଦେଖା । ଯୌତୁକ ଦାବି । ବାପାଙ୍କ ମୁହଁ ଶୁଖା । ବୋଉର ଲୁଚେଇ କାନ୍ଦଣା । ନା–ନା–ନା ।

 

ମୌସୁମୀ ମନକୁ ଟାଣ କଲା ।

 

ଆଖି ଲୁହକୁ ଶାଢ଼ି କାନିରେ ଭଲ କରି ପୋଛିନେଲା ।

 

ତା’ପରେ ଝରକା ଫାଙ୍କ ବାଟେ ଆକାଶକୁ ଚାହିଁଲା । ଆକାଶରେ କେତୋଟି ଶଙ୍ଖଚିଲ ଉଡ଼ୁଛନ୍ତି । ପାଚେରୀ କାନ୍ଥ ଆରପଟେ ପାଚେରୀ ଡେଇଁ ଦେଖା ଯାଉଥିବା କନିଅର ଗଛରେ କେତୋଟି ଫୁଲ ଫୁଟିଛି । ଆକାଶ ନୀଳ । ଆଉ କନିଅର ଫୁଲ ହଳଦିଆ ଦେଖାଯାଉଛି । ମୌସୁମୀର ମୁହଁ ହସ ହସ ଦେଖାଗଲା ।

 

।। ୨ ।।

 

ସେମାନେ ସମସ୍ତେ ଚାଲିଗଲେଣି ।

 

ସେମାନେ ମାନେ ଇତିହାସ–ଭୂଗୋଳ ଶିକ୍ଷୟିତ୍ରୀ ପ୍ରତିମା ଇଂରାଜୀ ଶିକ୍ଷୟିତ୍ରୀ ମଞ୍ଜୁଳା ଏବଂ ଶରୀରତତ୍ତ୍ୱ–ସ୍ୱାସ୍ଥ୍ୟରକ୍ଷା ଶିକ୍ଷୟିତ୍ରୀ କମଳିନୀ–ତା’ର ଶିକ୍ଷୟିତ୍ରୀ ନିବାସର ଅନ୍ୟ ସହକର୍ମୀ କ୍ରୟୀ । ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରଭା ଅପାଙ୍କ ଶାଶୁଘର ଏଇ ସ୍କୁଲ ନିକଟରେ । ବଡ଼ ଝିଆରୀକୁ ସାଙ୍ଗରେ ନେଇ ସେ ପ୍ରତିଦିନ ଘରୁ ସ୍କୁଲକୁ ଆସନ୍ତି । ସଂସ୍କୃତ ଶିକ୍ଷୟିତ୍ରୀ ମାଧବ ପଣ୍ଡିତେ ମଧ୍ୟ ପ୍ରତିଦିନ ଆସନ୍ତି ଦେଢ଼ମାଇଲ ଦୂରରୁ, ନିଜ ଗ୍ରାମରୁ । ହାତରେ ଛତା, ପକେଟରେ ପାନବଟା । କମଳିନୀ ତାଙ୍କୁ ପଣ୍ଡିତଜୀ ନ ଡାକି ଡାକେ ଛତା–ପାନବଟା ସାର୍‌ ! ଆଉ ପଣ୍ଡିତଜୀ ସେ ଆକ୍ଷେପରେ କେବେ ଆହତ ହୋଇଥିବା ସେ ଦିନେ ହେଲେ ସୁଦ୍ଧା ଦେଖି ନାହିଁ !

 

ପ୍ରଧାନ ଶିକ୍ଷୟିତ୍ରୀ ମିସ୍‌ ନାୟକ ରହନ୍ତି ଏକ ସ୍ୱତନ୍ତ୍ର କ୍ୱାଟରରେ, ପ୍ରତିମା ସେ କ୍ୱାଟରର ନାମ ରଖିଛି ‘ରହସ୍ୟ ପୁରୀ’ !

 

ମୌସୁମୀ ଯେଉଁଦିନ ପ୍ରଥମେ ଆସି ଏହି ଶିକ୍ଷୟିତ୍ରୀ–ନିବାସରେ ବେଡ଼ିଂ ରଖିଲା, ମଞ୍ଜୁଳା ଅପା ତାକୁ ସାବଧାନ କରି ଦେଇଥିଲେ, ଆଗ ଯାଇ ‘ରହସ୍ୟପୁରୀ’ରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଦଧୂଳି ନେଇ ଆସ ମୌସୁମୀ ! ତା’ ନ ହେଲେ ‘ଉଦ୍ଧତ–ଅହଙ୍କାରୀ’ ବୋଲି ତମ ଉପରେ ସବୁଦିନ ପାଇଁ ମିସ ନାୟକଙ୍କର ଭୁଲ୍‌ ଧାରଣା ରହିଯିବ ।

 

ବିନୀତ, ବଶମ୍ବଦ ହେବା ପାଇ ଯେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଦଧୂଳି ନେବାକୁ ହୁଏ, ସେକଥା ଶୁଣି ବେଶ୍‌ ଆମୋଦ ଅନୁଭବ କରିଥିଲା ମୌସୁମୀ । ବୟସ, ଅଭିଜ୍ଞତା ଦୃଷ୍ଟିରୁ ପ୍ରଧାନ ଶିକ୍ଷୟିତ୍ରୀ ତା’ର ବୋଉ ଭଳି ।

 

ତାଙ୍କ ପାଦ ତଳେ ମୁଣ୍ଡ ଲଗାଇବାରେ ତା’ର କିଛି ସଲଜ୍ଜ କୁଣ୍ଠା ନ ଥିଲା । ସେଥିପାଇଁ ବେଡ଼ିଂ ଖୋଲିବା ଆଗରୁ ସେ ପ୍ରଧାନ ଶିକ୍ଷୟିତ୍ରୀଙ୍କ କୋଠରୀକୁ ଆପେ ଆପେ ବାହାରି ଯାଇଥିଲା-। ଆଉ ସେ ଯେତେବେଳେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଡ଼୍ରଇଂ ରୁମ୍‌ରେ ପ୍ରବେଶ କରିବାକୁ ଚେଷ୍ଟା କଲା, ସେତେବେଳେ... !

 

ଆପଣ ଅପେକ୍ଷା କରନ୍ତୁ । ମେମ୍‌ସାହେବ କାହାରିକୁ ବିନା ଅନୁମତିରେ ଭିତରକୁ ପଠାଇବାକୁ ମନା କରିଛନ୍ତି । ମୁଁ ବେଲ୍‌ ଦିଏଁ... । ଗୁର୍ଖା ଦରଓ୍ୱାନ ବେଶ୍‌ ପରିଷ୍କାର ଓଡ଼ିଆ ଭାଷାରେ କଥାଗୁଡ଼ାକ ଉଚ୍ଚାରଣ କଲା ।

 

ମୌସୁମୀ କାଠ କଣ୍ଡେଇଟି ଭଳି ଅଳ୍ପ କିଛି ସମୟ ଠିଆ ହେବା ପରେ ଲକ୍ଷ୍ୟ କଲା, ଇଲେକ୍‌ଟ୍ରିକ୍‌ କଲିଂବେଲ୍‌ର ଆବାଜ୍‌ ଶୁଣି ଜଣେ କିଶୋରୀ ଝିଅ ଡ୍ରଇଂ ରୁମ୍‌ର ପରଦା ଆଡ଼େଇ ଚାହିଁଲା । ତା’ପରେ ଚେଁ ଚେଁ ହୋଇ ଚଢ଼େଇ ଭଳି କଣ୍ଠସ୍ୱରରେ ଝିଅଟି ପଚାରିଲା : ଆପଣ ମୌସୁମୀ ମହାପାତ୍ର !

 

ପ୍ରଶ୍ନଟା ଦରଓ୍ୱାନ୍‌ ପ୍ରତି ଦୁହେଁ, ତା’ ନିଜ ପ୍ରତି । ମୌସୁମୀ ଚୁମକି ଉଠିଲା । ତା’ପରେ ଖୁବ୍‌ ଅପ୍ରତିଭ ହେବାଭଳି ମୁଖଭଙ୍ଗୀ କରି କହିଲା : ହଁ ହଁ, ମୁଁ ମୌସୁମୀ...

 

କିଶୋରି ଝିଅଟିର ଶେତାଳିଆ ରକ୍ତହୀନ ମୁହଁରେ କିଞ୍ଚିତ୍‌ ହସର ପ୍ରଗଳ୍‌ଭତା ଦେଖାଗଲା । ତା’ପରେ ସେ ହାତ ଠାରି ଡ଼ାକିଲା : ଆସନ୍ତୁ...ଆପଣଙ୍କ ପାଇଁ ମାମି ଅପେକ୍ଷା କରି ବସିଛନ୍ତି... !

 

ଝିଅଟିର କଥା ଶୁଣି ସତରେ ଅବାକ୍‌ ହୋଇଥିଲା ମୌସୁମୀ । ଆଜି ତା’ର ଶିକ୍ଷୟିତ୍ରୀ ନିବାସରେ ପହଞ୍ଚିବା କଥା । ତା’ ଆରଦିନ ସେ ସ୍କୁଲ୍‌ରେ ଯୋଗ ଦେବ । ଅଥଚ ଆଜି ରାତିରେ ଶିକ୍ଷୟିତ୍ରୀ ନିବାସରେ ପାଦ ଦେବା ସଙ୍ଗେ ସଙ୍ଗେ ସେ’ ଯେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହିତ ନିଶ୍ଚୟ ଦେଖାକରିବ, ଏକଥା ଆଶା ମିସ୍‌ ନାୟକ ତା’ପାଇଁ ଅପେକ୍ଷା କରୁଛନ୍ତି ।

 

ମଞ୍ଜୁଳା ଅପାଙ୍କ ଅନୁମାନ ତାହା ହେଲେ ଅଭ୍ରାନ୍ତ !

 

ପାଦ ଚିପି ଚିପି, ଶଙ୍କିତ ହୃଦୟରେ ସେ ମିସ୍‌ ନାୟକଙ୍କ ଡ୍ରଇଂ ରୁମ୍‌ରେ ପ୍ରବେଶ କରିଥିଲା । କିନ୍ତୁ ତାକୁ ଦେଖି ମିସ୍‌ ନାୟକ ଚେୟାର ଛାଡ଼ି ଉଠି ଆସିଥିଲେ । ସେ ନଇଁପଡ଼ି ତାଙ୍କ ପାଦଧୂଳି ନେବା ଆଗରୁ ମିସ୍‌ ନାୟକ ତାକୁ ଧରିପକାଇ ସ୍ନେହରେ ମୁଣ୍ଡର ଅସଜଡ଼ା କେଶଗୁଡ଼ିକୁ ସଜାଡ଼ି ଦେଇଥିଲେ । ତା’ପରେ ଗଭୀର ଆନ୍ତରିକତାରେ କଣ୍ଠ ସ୍ୱରକୁ କୋମଳ କରି ପଚାରିଥିଲେ-: ଶିକ୍ଷୟିତ୍ରୀ ନିବାସରେ କିଛି ଅସୁବିଧା ହେଉ ନାହିଁ ତ ! ଯଦି କିଛି ଅସୁବିଧା ହୁଏ, ମତେ ଖବର ଦେବ ମୌସୁମୀ ! ତମେ ସଙ୍କୋଚ କର ନାହିଁ । ତମେ ମୋର କନ୍ୟା ଭଳି । ତମେ ମୋ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିପାର ।

 

ନା, ଆଜି ଆଉ ସେ ସବୁ କଥା ଗୋଟି ଗୋଟି ହୋଇ ମନେ ପଡ଼ୁ ନାହିଁ । କଫି ଖୁଆଇବା ଅବସରରେ ତାକୁ ଅନେକ ଏଣୁ ତେଣୁ କଥା ଶୁଣାଇଥିଲେ ମିସ୍‌ ନାୟକ । ତା’ର ବ୍ୟକ୍ତିଗତ ଓ ପାରିବାରିକ ଜୀବନ ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ । ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସବୁ ପ୍ରଶ୍ନ ସେ ଏଡ଼ାଇ ଯାଇଥିଲା, କିନ୍ତୁ ପାରିବାରିକ ଜୀବନ ସମ୍ପର୍କରେ କୌଣସି କଥା ଚେଷ୍ଟା କରି ମଧ୍ୟ ସେ ଗୋପନ କରିପାରି ନ ଥିଲା । ସେ ବିଦାୟ ନେଇ ଆସିଲାବେଳେ ତାକୁ ଚମକାଇ ଦେଇ ଏକ ଅଯଥା ଉପଦେଶ ଦେଇଥିଲେ । ମିସ୍‌ ନାୟକ । କହିଥିଲେ : ମୌସୁମୀ ! ତମେ ନୂତନ ଶିକ୍ଷୟିତ୍ରୀ...ଶିକ୍ଷୟିତ୍ରୀ ନିବାସର ଅନ୍ୟ ସହକର୍ମୀମାନଙ୍କୁ ସହଜରେ ବିଶ୍ୱାସ କରିବ ନାହିଁ । କାରଣ ସେମାନେ ଅର୍ଥ ଉପାର୍ଜ୍ଜନ ପାଇଁ ଶିକ୍ଷୟିତ୍ରୀ ହୋଇଛନ୍ତି; ଶିକ୍ଷାଦାନ ପାଇଁ ନୁହେଁ ।

 

ସେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବସା ଛାଡ଼ି ଶିକ୍ଷୟତ୍ରୀ–ନିବାସରେ ପାଦ ଦେବା ମାତ୍ରେ କମଳିନୀ, ପ୍ରତିମା ଆଉ ମଞ୍ଜୁଳା ଅପା ତାକୁ ପଚା ଜିନିଷରେ ମାଛ ବେଢ଼ିଲା ଭଳି ଘେରିଗଲା । ଏକ ସ୍ୱରରେ ପ୍ରଶ୍ନ କଲେ : ମିସ୍‌ ନାୟକ କଅଣ କହିଛନ୍ତି, କହ । ଆମ ସହିତ ବେଶି ମିଳାମିଶା କରିବାକୁ ମିସ୍‌ ନାୟକ ମନା କରିଛନ୍ତି ନା ! ବୋଉ ରାଣ, କୁହନା–କଅଣ କହିଛନ୍ତି...!

 

ସେମାନଙ୍କ କଥାକୁ ହସି ହସି ସେଦିନ ଉଡ଼ାଇ ଦେଇଥିଲା ମୌସୁମୀ । କହିଥିଲା : ମନ ଦେଇ ପାଠ ପଢ଼ାଇବାକୁ ଉପଦେଶ ଦେଇଛନ୍ତି । ଶିକ୍ଷାଦାନ ପବିତ୍ର କର୍ତ୍ତବ୍ୟ ବୋଲି ବୁଝାଇଛନ୍ତି । ସେ ହେଲେ ଗୁରୁଜନ । ଉପଦେଶ ଦେବା ତାଙ୍କର ଧର୍ମ । ଉପଦେଶ ଦେବା ଛଡ଼ା ସେ ଆଉ ମତେ କଅଣ କହିଥାଆନ୍ତେ !

 

ତା’କଥା ଶୁଣି ସେଦିନ ତା’ର ତିନି ସଖି ନୀରବ ହୋଇ ଯାଇଥିଲେ, କିନ୍ତୁ ମିସ୍‌ ନାୟକଙ୍କ ପ୍ରତି ସନ୍ଦେହ, ଅବିଶ୍ୱାସ ଯେ ଊଣା ନ ହୋଇ ବଢ଼ିବାରେ ଲାଗିଥିଲା, ସେ କଥା ସେଦିନ ସେ ବେଶ୍‌ ଭଲ କରି ବୁଝିପାରିଥିଲା ।

 

ଅଦ୍ଭୁତ, ବିଚିତ୍ର ଏକ ନାରୀ ମିସ୍‌ ନାୟକ ।

 

ତାଙ୍କ ହସରୁ ତାଙ୍କ ମନର ପ୍ରଫୁଲ୍ଲତା କଥା ବୁଝାଯାଏ ନାହିଁ; ତାଙ୍କ ରାଗରୁ ତାଙ୍କ ବିରକ୍ତି ଭାବର ସୂଚନା ମିଳେ ନାହିଁ । ଅଥଚ ସେ କାନ୍ଦିବା କେହି କେବେ ଦେଖି ନାହାନ୍ତି !

 

ପ୍ରତିମା କହେ : ଯେଉଁମାନେ ଶିକ୍ଷୟିତ୍ରୀ ଚାକିରି ନେଇ ପ୍ରଥମେ ଏ ମିଶନ୍‌ ବାଳିକା ବିଦ୍ୟାଳୟକୁ ଆସନ୍ତି, ସେ ସମସ୍ତଙ୍କୁ ମିସ୍‌ ନାୟକ ଏମିତି ସ୍ନେହ ଦେଖାନ୍ତି, ଆଦର କରନ୍ତି, ଘରକୁ ଖାଇବାକୁ ଡାକି ବାଇବେଲ୍‌ ଉପହାର ଦିଅନ୍ତି, ଖ୍ରୀଷ୍ଟ ଧର୍ମର ତତ୍ତ୍ୱ ବୁଝାନ୍ତି । ସ୍ନେହ ଦେଇ ଧର୍ମ ବିକ୍ରି କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଯେତେବେଳେ ଦେଖନ୍ତି, ଧର୍ମ କ୍ରୟ–ବିକ୍ରୟର ବସ୍ତୁ ନୁହେଁ, ବାଧ୍ୟ କରି କାହାରିକୁ ଧର୍ମାନ୍ତରିତ କରାଯାଇପାରେ ନାହିଁ, ସେତେବେଳେ ସେ ଶିକ୍ଷୟିତ୍ରୀମାନଙ୍କ ଉପରେ ବିରକ୍ତ ହୁଅନ୍ତି । ‘ପାଠ ପଢ଼ାଇବାରେ ମନ ନାହିଁ, ଟଙ୍କା ରୋଜଗାର ପାଇଁ ଶିକ୍ଷୟିତ୍ରୀ ହେଇଛ’ ବୋଲି ଆକ୍ଷେପ କରନ୍ତି ।

 

ମୌସୁମୀ ପ୍ରଥମେ ପ୍ରତିମା କଥାକୁ ଅବିଶ୍ୱାସ କରୁଥିଲା । ଆଜିକାଲି ସେ ଅବିଶ୍ୱାସ ଭାବ ଆସ୍ତେ ଆସ୍ତେ ତା’ ମନରୁ କଟିଯାଉଛି । ମିସ୍‌ ନାୟକ ତାକୁ କେବେ ବାଇବେଲ୍‌ ଉପହାର ଦେଇ ନାହାନ୍ତି, ଖ୍ରୀଷ୍ଟ ଧର୍ମର ତତ୍ତ୍ୱ ବୁଝାଇ ନାହାନ୍ତି । କିନ୍ତୁ ସ୍କୁଲରେ ଅଳ୍ପ କେତେଜଣ ଖ୍ରୀଷ୍ଟିୟାନ ଛାତ୍ରୀଙ୍କୁ ବହୁ ସଂଖ୍ୟକ ଅନ୍ୟ ଧର୍ମର ଛାତ୍ରୀମାନଙ୍କ ଅପେକ୍ଷା ଯେପରି ଅତିରିକ୍ତ ଆଦର ଦେଖାଇଛନ୍ତି, ସୁବିଧା ସୁଯୋଗ ଦେଇଛନ୍ତି, ସେଥିରୁ ତା’ର ସନ୍ଦେହ ହୋଇଛି ପ୍ରତିମାର କଥା ବୋଧହୁଏ ସମ୍ପୂର୍ଣ୍ଣ ଭୁଲ ନୁହେଁ ।

 

ସେମାନେ ସମସ୍ତେ ଚାଲିଗଲେଣି ।

 

ଏକାକିନୀ ମୌସୁମୀ ଶିକ୍ଷୟିତ୍ରୀ–ନିବାସର ସେ ନିର୍ଜନ କକ୍ଷରେ ବସି ପ୍ରଧାନ ଶିକ୍ଷୟିତ୍ରୀଙ୍କ କଥା ମନେ ମନେ ଭାବୁଛି । କାରଣ ଆଜି ତାକୁ ପୁଣି ରାତିରେ ଡକାଇଛନ୍ତି ମିସ୍‌ ନାୟକ । ଏବେ ହଠାତ୍‌ ଆମନ୍ତ୍ରଣର କାରଣ ସେ କିଛି ଅନୁମାନ କରିପାରୁ ନାହିଁ ।

 

ତାକୁ କଅଣ ଆଜି ବାଇବେଲ୍‌ ଉପହାର ଦେବେ ମିସ୍‌ ନାୟକ !

 

।। ୩ ।।

 

ରାତ୍ରି ଧୀରେ ଧୀରେ ଗଭୀର ହୋଇଛି । ମଫସଲ । ପ୍ରାୟ ଏହି ଅଞ୍ଚଳରେ ନଅଟା ରାତି ପରେ ରାସ୍ତା ଘାଟ ଶୂନ୍‌ଶାନ ହୋଇଯାଏ । ଦଶଟା ବେଳକୁ ଦୋକାନ ବସାଘର ଆଲୁଅ ମଧ୍ୟ ଆଉ ଦେଖାଯାଏ ନାହିଁ । ପ୍ରତିମା ଆଖିକୁ ନିଦ ଆସିଯାଏ ଠିକ୍‌ ରାତି ଦଶଟା ପରେ । ଅଦ୍ଭୁତ ଝିଅ ପ୍ରତିମା । ଦୁର୍ବଳ ସ୍ୱାସ୍ଥ୍ୟ । ଶ୍ରେଣୀରେ ବଡ଼ ପାଟି କରି ବେଶୀ ସମୟ ପଢ଼ାଇଲେ ତା’ର ତଣ୍ଟି ଶୁଖି ଅଠା ଅଠା ହୋଇଯାଏ । ଖାଇବା ବିଷୟରେ ବି ଅନେକ ବାଛ ବିଚାର । ଗୁରୁବାର, ରବିବାର ଆମିଷ ଖାଇବ ନାହିଁ । ସୋମବାର ଦିନସାରା ଉପବାସ । ସାରୁ, କଖାରୁ, କଲରା ପୁଣି ତା’ର ତରକାରୀ ‘ମେନୁ’ରେ ନିଷିଦ୍ଧ । ଅଳ୍ପ ଖାଏ, ଅଳ୍ପ ମସୟ ପଢ଼ାଏ, ଅଳ୍ପ ଖଥା କୁହେ, କିନ୍ତୁ ଶୁଏ ସମସ୍ତଙ୍କଠାରୁ ବେଶୀ ସମୟ । ଶୋଇବା ତା’ ଜୀବନର ପ୍ରଧାନ ଶିଳ୍ପ । ଆଉ ଯଦି କେବେ ସେ ରାତିରେ ଖାଇବା ଆଗରୁ ଶୋଇଯାଇଛି, ତାହାହେଲେ ତାକୁ ନିଦରୁ ଉଠାଇ ଖୁଆଇବା ଦୁଃସାଧ୍ୟ ବ୍ୟାପାର...

 

ପ୍ରତିମାର ଠିକ୍‌ ବିପରୀତ ଚରିତ୍ର କମଳିନୀ ।

 

ଶିକ୍ଷୟିତ୍ରୀ ନିବାସର ଚାରି ସଖୀଙ୍କ ମଧ୍ୟରେ ସେ ସମସ୍ତଙ୍କ ଠାରୁ ସ୍ଥୂଳକାୟା । ଚାରିଚଜଣଙ୍କ ମଧ୍ୟରେ ତା’ର ରଙ୍ଗ ବେଶୀ ମଳିନ । କାଳୀ କହିଲେ କମଳିନୀ ମନ ଦୁଃଖ କରିବ ବୋଲି ସମସ୍ତେ ତାକୁ ଶ୍ୟାମଳୀ ବୋଲି କହନ୍ତି । ସେମାନେ ଲକ୍ଷ୍ୟ କରିଛନ୍ତି, ରଙ୍ଗ କଳା ବୋଲି କେବେ ମନ ଦୁଃଖ କରିନାହିଁ କମଳିନୀ । ସବୁବେଳେ ମୁହଁରେ ତା’ର କେତେ ପାଖୁଡ଼ା ହସ ଲାଗିରହିଥାଏ । କାରଣ ଅକାରଣରେ ଅନର୍ଗଳ ଗପ କରିବା ତା’ର ଅଭ୍ୟାସ । ସେ ଗଳ୍ପ କରୁଥିବା ବେଳେ ତା’ କଥା କେହି ଶୁଣୁଛି କି ନାହିଁ ସେଥିପ୍ରତି ତା’ର ଧ୍ୟାନ ନ ଥାଏ । ପାଟି ଘୋଳି ନ ହେବା ପର୍ଯ୍ୟନ୍ତ ସେ କେବେ କଥା ବନ୍ଦ କରେ ନାହିଁ ।

 

ଆଉ ମୌସୁମୀ !

 

ମଞ୍ଜୁଳାର ମୁହଁ ଝାଳେଇ ଆସିଲା ।

 

ମୌସୁମୀ ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ ଯୋଗଦେବା ପରଠାରୁ ସବୁ ଛାତ୍ରୀମାନଙ୍କ ଅଭିଭାବକମାନଙ୍କ ଦୃଷ୍ଟି ତା’ ଉପରୁ ଘୁଞ୍ଚିଯାଇ ମୌସୁମୀ ଉପରେ ଠୁଳ ହୋଇଛି । ଇଂରେଜୀ ଶିକ୍ଷୟିତ୍ରୀ ଭାବରେ ତା’ର ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଯେତିକି ସୁଖ୍ୟାତି ଥିଲା, ତା’ଠାରୁ ବେଶି ଖ୍ୟାତି ଥିଲା ତା’ର ରୂପ ପାଇଁ । ସେ ପ୍ରଥମେ ଯେତେବେଳେ ଏହି ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ ଯୋଗ ଦେଲା, ତା’ର ରୂପ ସମ୍ପର୍କରେ ପ୍ରଶଂସା କରି ‘ବିଉଟି କୁଇନ୍‌’ ‘ରୂପସୀ ଉର୍ବସୀ’ ଇତ୍ୟାଦି ବିଶେଷଣ ଲଗାଇ କେହି କେହି ସ୍କୁଲ ପ୍ରାଚୀରରେ ପୋଷ୍ଟର ଲଗାଇଥିଲେ । ଏଥିପାଇଁ ବାହାରେ କପଟ କ୍ରୋଧ ପ୍ରକାଶ କରିଥିଲେ ବି ମନେ ମନେ ଖୁସି ହୋଇଥିଲା ମଞ୍ଜୁଳା । କିନ୍ତୁ ମୌସୁମୀ ଆସିଲା ପରେ ସେ ଲକ୍ଷ୍ୟ କରିଛି, ରୂପଲୋଭୀ ସକଳ କ୍ଷୁଧିତ ଦୃଷ୍ଟି ତା’ ଉପରୁ ଲେଉଟି ମୌସୁମୀ ଉପରେ କେନ୍ଦ୍ରୀଭୂତ ହେଉଛି ।

 

ପ୍ରଥମେ ମଞ୍ଜୁଳା ନିଜେ ଭାବିଥିଲା, ନୂଆ ମୁହଁ ଦେଖିଲେ ସାଧାରଣତଃ ଲୋକଙ୍କ ଦୃଷ୍ଟି ପୁରୁଣା ମୁହଁ ଉପରୁ ଘୁଞ୍ଚିଯାଏ । ସେ ଦୃଷ୍ଟିରୁ ମୌସୁମୀ ଠାରୁ ତା’ର ରୂପ ଲାବଣ୍ୟ କୌଣସି ଗୁଣରେ ଊଣା ନୁହେଁ । କିନ୍ତୁ ଦିନ କେତୋଟି ବିତିଯିବା ପରେ ସେ ନିଜେ ଲକ୍ଷ୍ୟ କରିଛି, ମୌସୁମୀ ସତରେ ଭାରି ସୁନ୍ଦରୀ । ତା’ ତୁଳନାରେ ମୌସୁମୀର ବୟସ ମଧ୍ୟ ଚାରି ପାଞ୍ଚ ବର୍ଷ ଅଳ୍ପ ହେବ । ଅଳ୍ପ ସୟସର ମଧ୍ୟ ନିଜର ଏକ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ ରହିଛି । ଇଚ୍ଛା କଲେ ବି ସେହି ନବ କିଶଳୟର ଲାବଣ୍ୟ ନିଜ ଦେହରେ ଧରି ରଖି ପାରିନାହିଁ ମଞ୍ଜୁଳା । ଅବଲୀଳାକ୍ରମେ କେବେ ଯେ ଅଠେଇଶଟି ଶୀତ ବସନ୍ତର ସ୍ପର୍ଶ ସେ ନିଜ ଦେହରେ ଅନୁଭବ କରି ବର୍ଷୀୟସୀ ହୋଇ ଉଠିଛି, ସେ କଥା ତା’ର ନିଜର ଖିଆଲ ନାହିଁ ।

 

କ୍ଲାସକୁ ବାହାରିବା ଆଗରୁ ଅଧଘଣ୍ଟାକରୁ ବେଶି ମସୟ ସେ ପ୍ରସାଧନରେ ବ୍ୟୟ କରେ । ଏଥିପାଇଁ କମଳିନୀ, ପ୍ରତିମା ତାକୁ ଅନେକ ଥର ଲଘୁ ଆକ୍ଷେପରେ ବିବ୍ରତ କରିଛନ୍ତି । କମଳିନୀ ଆକ୍ଷେପ କରିଛି, ଆଜି କଅଣ କନ୍ୟା ଦେଖିବାକୁ କେହି ସ୍କୁଲକୁ ଆସିବେ କି ମଞ୍ଜୁଳା ଅପା ? ରାଜକନ୍ୟା ଭଳି ଏମିତି ଅପରୂପ ସାଜରେ ସାଜିଛ ଯେ !

 

କାଳି କମଳିନୀର କଥା ଶୁଣି ମନେ ମନେ ମଞ୍ଜୁଳା ହସେ । କିଛି ଉତ୍ତର ଦିଏ ନାହିଁ ।

 

ପ୍ରତିମା କହେ : ମଞ୍ଜୁ, ତମେ ଏମିତି ସାଜିଲେ, ପଥଯାତ୍ରୀ ବହୁ ପଥିକ ଦୁର୍ଘଟଣାର ସମ୍ମୁଖୀନ ହେବେ । ଈଶ୍ୱର ତ ତମକୁ କମ୍‌ ରୂପ ଦେଇ ନାହାନ୍ତି, ତା’ ସାଙ୍ଗକୁ ତମର ଲାଞ୍ଜଟଣା ଆଖିର କଜ୍ଜଳ, ଓଠ ତଳେ ଏ ବିଉଟି ସ୍ପଟ୍‌...!

 

କୃତ୍ରିମ କ୍ରୋଧରେ ମୁଖ ବିକୃତ କରି ମଞ୍ଜୁଳା ଉତ୍ତର ଦିଏ : ବଡ଼ମାନଙ୍କୁ କିପରି ମାନ୍ୟ କରିବାକୁ ହୁଏ, ସେକଥା ଆଜିଯାଏ ତମେ ଶିଖିଲ ନାହିଁ । ଛାତ୍ରୀମାନେ ତମଠାରୁ ଆଉ କଅଣ ଶିଖିବେ ?

 

ଚୁପ ହୋଇଯାଏ ପ୍ରତିମା । ସେ ବୟସରେ ମଞ୍ଜୁଳାଠାରୁ ସାତ ମାସ ଛୋଟ ।

 

ସମସ୍ତଙ୍କୁ ଚୁପ୍‌ କରିଦେଇ ମଞ୍ଜୁଳା ଦିନେ ଗୋପନ ଆନନ୍ଦର କଳରୋଳରେ ମନେ ମନେ ହିଲ୍ଲୋଳିତ ହୋଇଥିଲା । କିନ୍ତୁ ମୌସୁମୀ ଶିକ୍ଷୟିତ୍ରୀ ନିବାସକୁ ଆସିଯିବା ପରେ ତା’ର ସେ ହିଲ୍ଲୋଳ ହଠାତ୍‌ ସ୍ତବ୍‌ଧ ହୋଇଯାଇଛି । ଆଜିକାଲି ଅଧଘଣ୍ଟାଏ ବଦଳରେ ଘଣ୍ଟାଏ ଲେଖାଏଁ ପ୍ରସାଧନରେ ସମୟ ବ୍ୟୟ କରୁଛି ମଞ୍ଜୁଳା; କିନ୍ତୁ ଲକ୍ଷ୍ୟ କରୁଛି, କେବଳ ଛାତ୍ରୀମାନଙ୍କ ଅଭିଭାବକମାନେ ନୁହନ୍ତି; ଛାତ୍ରୀମାନେ ମଧ୍ୟ ମୌସୁମୀର ରୂପକୁ ନେଇ ଆଲୋଚନା କରୁଛନ୍ତି; ସେ ସାହି ଆଲୋଚନାରୁ ବାଦ୍‌ ପଡ଼ିଯାଇଛି । ଅଥଚ ପାଞ୍ଚମିନିଟ୍‌ ସୁଦ୍ଧା ମୌସୁମୀ ନିଜ ପ୍ରସାଧନରେ ସମୟ ଖର୍ଚ୍ଚ କରୁନାହିଁ !

 

ରାତି ବାରଟା ପାଖାପାଖି ହେଇଗଲାଣି ।

 

ପ୍ରତିମା, ମୌସୁମୀ ଶୋଇଗଲେଣି ଆର ଘରେ । ଏ ଘରେ ଏ ପର୍ଯ୍ୟନ୍ତ ସୁଦ୍ଧା କମଳିନୀ ଟେବୁଲ ଲ୍ୟାମ୍ପ ଜାଳି କଅଣ ବହି ପଢ଼ୁଛି । ବାହାରେ ଚାରିଆଡ଼େ ଶୂନଶାନ୍‌, ଏପରିକି କୌଣସି ସାଇକେଲ ଆରୋହୀର ବେଲ୍‌ ଟିଣ୍‌ ଟିଣ୍‌ ଶବ୍ଦ କାନ ପାରିଲେ ଶୁଣାଯାଉ ନାହିଁ ।

 

ମଞ୍ଜୁଳାକୁ ନିଦ ଆସିଲାଣି, କିନ୍ତୁ ସେ ଶୋଇପାରୁ ନାହିଁ । ମୃଣାଳକୁ ଆଜି ଚିଠି ଲେଖିବାକୁ ହେବ । ସମସ୍ତେ ଶୋଇଗଲେ ସେ ନିର୍ଜ୍ଜନରେ ଚିଠି ଲେଖେ । କିନ୍ତୁ ପ୍ରତିମା, ମୌସୁମୀ ଶୋଇଯାଇଥିଲେ ବି ଏ ପର୍ଯ୍ୟନ୍ତ କମଳିନୀ ଆଖିକୁ ନିଦ ନାହିଁ !

 

ମନେ ମନେ କମଳିନୀ ଉପରେ ଖୁବ୍‌ ବିରକ୍ତ ହେଲା ମଞ୍ଜୁଳା । କିନ୍ତୁ ଏ ବିରକ୍ତିକୁ କମଳିନୀ ପାଖରେ ପ୍ରକାଶ କରିବାକୁ ସେ ସାହସ କଲା ନାହିଁ । ଥରେ ଥରେ ସେ ଚିନ୍ତା କରିଛି, ପ୍ରତିମାକୁ ତା’ ରୁମ୍‌କୁ ଆଣି କମଳିନୀକୁ ଅନ୍ୟ ରୁମ୍‌କୁ ସେ ବିଦାୟ କରିଦେବ; କିନ୍ତୁ ପରେ ଓଠ କାମୁଡ଼ି ସେ ରହିଯାଇଛି । ବହୁ ବିଳମ୍ବରେ ଶୋଇଲେ ସୁଦ୍ଧା କମଳିନୀ କେବେ ତା’ର ତକିଆ ତଳ କିମ୍ବା ଖୋଲା ଟ୍ରଙ୍କ୍‌ ପ୍ରତିମା ଭଳି ଅଣ୍ଡାଳେ ନାହିଁ । ମୃଣାଳର ଚିଠି ଗୁଡ଼ାକ ଅନେକ ସମୟରେ ସେ ତକିଆ ତଳେ ନ ହେଲେ ଟ୍ରଙ୍କ୍‌ରେ ରଖିଦିଏ । ଥରେ ଅଧେ ଗୋଟିଏ ଦୁଇଟି ଚିଠି ସେ ରଖି ମଧ୍ୟ ପରେ ଖୋଜି ପାଇ ନାହିଁ । ତା’ର ସନ୍ଦେହ ପ୍ରତିମା ତା’ର ସେ ଚିଠି ହାତକରି ନେଇଛି । ଶହେ ଟଙ୍କା ଚୋରି ହୋଇଗଲେ ସେ ବିଷୟରେ ମୁଣ୍ଡ ନ ଖେଳାଇ ଚୁପ୍‌ ରହିଯାଇ ପାରେ ମଞ୍ଜୁଳା; କିନ୍ତୁ ମୃଣାଳର ଖଣ୍ଡେ ଚିଠି ହଜିଗଲେ ତା’ ଦେହରୁ ଦୁଇ ପାଉଣ୍ଡ ରକ୍ତ ଶୁଖିଯାଏ । ତା’ର ଅନୁପସ୍ଥିତିରେ ପ୍ରତିମା ଯେପରି ତା’ ଶୟନ କକ୍ଷରେ ପ୍ରବେଶ ନ କରିପାରେ, ସେଥିପାଇଁ ସେ ତୀକ୍ଷଣ ଦୃଷ୍ଟି ରଖିଥାଏ । ଠିକ୍‌ ସେହି କାରଣରୁ କମଳିନୀକୁ ଆର ରୁମକୁ ପଠାଇ ନିଜ ରୁମ୍‌କୁ ପ୍ରତିମାକୁ ଆଣିବା ପାଇଁ ସେ ଚାହେଁ ନାହିଁ ।

 

କିନ୍ତୁ ଏ ପର୍ଯ୍ୟନ୍ତ ଆଲୁଅ ଲିଭାଇ ଶୋଇ ନାହିଁ କାହିଁକି କମଳିନୀ ?

 

ମୃଣାଳକୁ ଦୁଇଦିନ ହେବ ଚିଠି ଦେବ ଦେବ ବୋଲି ଚିଠି ଲେଖି ପାରି ନାହିଁ ମଞ୍ଜୁଳା । ଆଉ ଗୋଟିଏ ଦିନ ବିଳମ୍ବ ହେଲେ, ସେ ହୁଏ ତ ତା’ ସହିତ ଦେଖା କରିବାକୁ ତା’ ପାଖକୁ ଚାଲିଆସି ପାରେ । ଚିଠି ଦେବାର ଗୋଟିଏ ଦିନ ବିଳମ୍ବ ହେଲେ ମୃଣାଳ ଯେପରି ଛୋଟ ପିଲାଙ୍କ ଭଳି ଅସ୍ଥିର ହୁଏ; ସେ କଥା ଭଲ କରି ଜାଣେ ମଞ୍ଜୁଳା । ପ୍ରଥମେ ପ୍ରଥମେ ଚିଠି ପାଇଲେ ସୁଦ୍ଧା ସେ ତା’ ପାଖକୁ ପଳାଇ ଆସୁଥିଲା । ଛାତ୍ରୀ ନିବାସର ଅପେକ୍ଷା ଗୃହରେ ତା’ ସହିତ ଘଣ୍ଟା ଘଣ୍ଟା ଧରି ଏଣୁ ତେଣୁ ଗଳ୍ପ କରୁଥିଲା । ଏ ଭଳି ଦୀର୍ଘ ସମୟ ଧରି ଶିକ୍ଷୟିତ୍ରୀଙ୍କ ସହ ତାଙ୍କର ଜଣେ ଅନାତ୍ମୀୟ ପୁରୁଷ ବନ୍ଧୁ ଗଳ୍ପ କରୁଥିବାରୁ ଛାତ୍ରୀମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ । ଫଳରେ ମୃଣାଳ ଆସିଲେ ଏବେ ସେମାନେ ସ୍କୁଲ ଖେଳ ପଡ଼ିଆ ପାଖ ଝଙ୍କା ବରଗଛ ମୂଳେ ଠିଆ ଗପ କରନ୍ତି । ଗପ କରୁଥିବା ବେଳେ ସେଇ ବାଟ ଦେଇ ଯାଉଥିବା କୌଣସି କୌଣସି ଯାତ୍ରୀଙ୍କର ଅଶ୍ଳୀଳ ଇଙ୍ଗିତ ମଧ୍ୟ ସେମାନଙ୍କୁ ନୀରବରେ ସହ୍ୟ କରିବାକୁ ହୁଏ । ସେଥିପାଇଁ ତା’ ପାଖକୁ ବେଶି ନ ଆସିବାକୁ ସେ ମୃଣାଳକୁ କହି ଦେଇଥିଲା ।

 

ତା’ର ସେଇ କଥାକୁ ଭୁଲ ବୁଝିଥିଲା ମୃଣାଳ ।

 

ଚିଠି ଲେଖିଥିଲା, ତମେ ମତେ ଆଉ ଆଗ ଭଳି ଭଲ ପାଅ ନାହିଁ । ସେଥିପାଇଁ ତମ ପାଖକୁ ଯିବାପାଇଁ ମନା କରୁଛ ।

 

ଚିଠି ପଢ଼ି ଅବରୁଦ୍ଧ ଆବେଗରେ ମଞ୍ଜୁଳାର ବୁକୁ ବିଦୀର୍ଣ୍ଣ ହୋଇଯାଇଥିଲା ।

 

ଗତଥର ଯେତେବେଳେ ତା’ ପାଖକୁ ଆସିଥିଲା ମୃଣାଳ, ସେ ତାକୁ ବୁଝାଇଥିଲା, ବିଶ୍ୱାସ କର, ତମକୁ ବାଦ ଦେଲେ ମୋ ଜୀବନରେ ବଞ୍ଚି ରହିବାର ଅନ୍ୟ କୌଣସି ଅର୍ଥ ନାହିଁ । କେବଳ ଲୋକ ନିନ୍ଦାକୁ ଭୟ କରି ମୁଁ ତମକୁ ବାରମ୍ବାର ଆସିବାକୁ ମନା କରୁଛି । ତମେ ମୋ ସହିତ ଏତେ ସମୟ ଧରି କଥାବାର୍ତ୍ତା କରୁଛ ବୋଲି ଶିକ୍ଷୟିତ୍ରୀ, ଛାତ୍ରୀ ଓ ବାହାର ଲୋକେ ଅନେକ ବାଜେ କଥା କହୁଛନ୍ତି... !

 

ମୃଣାଳ ହସିଥିଲା । କହିଥିଲା, ଶ୍ରୀକୃଷ୍ଣଙ୍କ ପାଇଁ ରାଧା କେତେ ନିନ୍ଦା ସହିଥିଲେ, ତମେ ଭାଙ୍ଗି ପଡ଼ୁଛ କାହିଁକି ?

 

ତା’ର କଥାର କିଛି ଉତ୍ତର ଦେଇ ପାରି ନ ଥିଲା ମଞ୍ଜୁଳା ।

 

ଏଇ ସମୟରେ ମୌସୁମୀ ସେଇ ବାଟ ଦେଇ କ୍ଳାସକୁ ଚାଲି ଯାଉଥିଲା । ତା’ ଆଡ଼କୁ ଅପଲକ ଆଖିରେ ଚାହିଁ ମୃଣାଳ ପ୍ରଶ୍ନ କରିଥିଲା, ତମର ଚିଡ଼ିଆଖାନାରେ ଏ ନୂଆ ଚଢ଼େଇଟି କିଏ-? ହଳଦୀବସନ୍ତ ଭଳି ବେଶ୍‌ ତ ଆଖି ଝଲସାଇ ଏ ଡାଳରୁ ସେ ଡାଳ ଉଡ଼ିବୁଲୁଛି ।

 

ମୌସୁମୀ ଯେ ତା’ଠାରୁ ପ୍ରକୃତରେ ଅଧିକ ସୁନ୍ଦରୀ ମଞ୍ଜୁଳା, ସେ ଦିନ ସେତେବେଳେ ମୃଣାଳର ଆଖିର ଅପଲକ ଦୃଷ୍ଟି ଏବଂ କହିବା କଥାର ଭଙ୍ଗୀରୁ ବୁଝିପାରିଥିଲା । ତାପରେ ତା’ ନିଜ କଣ୍ଠନଳୀ ଶୁଷ୍କ ହୋଇ ଆସିଥିଲା । ସେ ଅନ୍ୟମନସ୍କ ଭାବରେ ଉତ୍ତର ଦେଇଥିଲା, ଆମ ସ୍କୁଲର ନୂଆ ଗଣିତ ଶିକ୍ଷୟିତ୍ରୀ ମୌସୁମୀ ମହାପାତ୍ର ।

 

ମୃଣାଳ କଟକ ଫେରିଗଲା ପରେ ମଧ୍ୟ ମୌସୁମୀ ସମ୍ପର୍କରେ ତା’ର ମନ୍ତବ୍ୟକୁ ସେ ସହଜରେ ଭୁଲିପାରି ନ ଥିଲା । ମୃଣାଳ କଟକରୁ ଦେଇଥିବା ଚିଠିରେ ମଧ୍ୟ ମୌସୁମୀ କଥା ଉଲ୍ଲେଖ କରିଛି । ଆଉ କେବେ ଆସିଲେ ତା’ ସହ ପରିଚୟ କରାଇ ଦେବାକୁ ଅନୁରୋଧ କରିଛି ।

 

ମୃଣାଳର ମନର ଶାଖାରେ ମୌସୁମୀ ହଳଦୀବସନ୍ତ ଭଳି ବସି ଝଲସୁଛି । ସେଥିପାଇଁ ମୃଣାଳର ଆସିବା କଥାକୁ ସେ ସହଜ ଭାବରେ ଗ୍ରହଣ କରିପାରୁ ନାହିଁ । ଚିଠି ନ ଲେଖିଲେ ସେ ହୁଏତ ଅଧୈର୍ଯ୍ୟ ହୋଇ ତା’ ସହିତ ଦାଖା କରିବାକୁ ପଳାଇ ଆସିବ ।

 

କିନ୍ତୁ ଏତେବେଳ ପର୍ଯ୍ୟନ୍ତ ଆଲୁଅ ଜାଳି କଅଣ ପଢ଼ୁଛି କମଳିନୀ ?

 

ମଞ୍ଜୁଳା ବିରକ୍ତିରେ ମୁହଁ ବୁଲାଇ ଶୋଇବାକୁ ଚେଷ୍ଟା କଲା ।

 

ମୌସୁମୀର କଅଣ କେହି ପ୍ରେମିକ ନାହାନ୍ତି ?

 

କଥାଟା ଭାବିବା ମାତ୍ରେ ମଞ୍ଜୁଳାର ଦେହ ଏକ ଅଜ୍ଞାତ ଯନ୍ତ୍ରଣାରେ ଶିହରି ଉଠିଲା । ମୌସୁମୀର ମନ କଥା ଜାଣିବା ପାଇଁ ସେମାନେ ଅନେକ ଚେଷ୍ଟା କରିଛନ୍ତି । ମୌସୁମୀ ଭାରି ଚାଲାକ ଝିଅ । ଖୁବ୍‌ କମ୍‌ କଥାବାର୍ତ୍ତା କରେ । ପ୍ରେମ ଓ ପ୍ରଣୟ କଥା ଆଲୋଚନା ହେଲେ ହଠାତ୍‌ ଗମ୍ଭୀର ହୋଇଯାଏ ।

 

ମଞ୍ଜୁଳାର ମନେ ହେଲା, ମିଶନ ବାଳିକା ବିଦ୍ୟାଳୟରେ ମୌସୁମୀ ଏକ ରହସ୍ୟମୟୀ ଦ୍ୱୀପ । ସେ ଆସିବା ପରଠାରୁ ତା’ ବିଷୟରେ ଶିକ୍ଷୟିତ୍ରୀ ଓ ଛାତ୍ରୀ ମହଲରେ ତା’ର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଯେତେ ଅଧିକ ଚୁପ୍‌ଚାପ୍‌ ହୋଇ ରହୁଛି ।

 

।। ୪ ।।

 

ମୌସୁମୀ ଚୁପ୍‍ ହୋଇ ଠିଆ ହୋଇଥିଲା ।

 

ବାହାରେ ରୌଦ୍ର–ଦଗ୍‌ଧ ଅପରାହ୍ନ କେଉଁ କ୍ରୋଧୀ ତପସ୍ୱୀର ପିଙ୍ଗଳ ଜଟା ଭଳି ଝରକାର ପରଦାବାଟେ କେତେକାଂଶରେ ଦେଖାଯାଉଥିଲା ଏବଂ କକ୍ଷ ଭିତରର ଶୀତଳ ପରିବେଶକୁ ହଠାତ୍‌ ଦଲକାଏ ପବନ ପଶିଆସି ଉଷ୍ମ କରି ଦେଉଥିଲା । ମିସ୍‌ ନାୟକ ଲିଭିଲା ଦୀପର ଶିଖାଭଳି ମିଞ୍ଜି ମିଞ୍ଜି ହୋଇ ଆଖି କୋଣରେ ହସୁଥିଲେ । ଟିପୟ ଉପରେ ଦୁଇଟି ଶୂନ୍ୟ କଫି କପ୍‌ ଥୁଆ ହୋଇ ରହିଥିଲା । କକ୍ଷର ଦିଆଲରେ ଝୁଲୁଥିବା କ୍ରୁଶବିଦ୍ଧ ଯୀଶୁଙ୍କ କାଚ–ବନ୍ଧା ଫଟୋ ଉପରେ ଅପରାହ୍ନର ମାନ ଆଲୋକ ତୀର୍ଯ୍ୟକ ଭାବରେ ପଡ଼ିଥିଲା । କ୍ରୁଶବିଦ୍ଧ ଅବସ୍ଥାରେ ସୁଦ୍ଧା ଯୀଶୁଙ୍କ ଆନନ୍ଦ ମୁଖରେ ଯେଉଁ ବିଲୋକ ହାସ୍ୟରେଖା ଫୁଟି ଉଠୁଥିଲା, ତାକୁ ହିଁ ଠିଆ ହୋଇ ଲକ୍ଷ୍ୟ କରୁଥିଲା ମୌସୁମୀ ।

 

କିଛି ସମୟର ନୀରବତା ପରେ ମିସ୍‌ ନାୟକ ପୁଣି କହିଲେ, ଅନେକ ଭାବିଚିନ୍ତି ତମକୁ ସ୍କୁଲ ବାର୍ଷିକ ଉତ୍ସବରେ ଅଂଶ ଗ୍ରହଣ କରିବାକୁ ମୁଁ କହୁଛି । ତମେ ଯେ ଭଲ ନାଚିପାର, ଏ ସମ୍ବାଦ ମୁଁ ସଂଗ୍ରହ କରି ନାହିଁ । ସ୍ୱୟଂ ଉଦୟନାଥ ବାବୁ ପରିଚାଳନା କମିଟି ବୈଠକରେ ଏ ପରାମର୍ଶ ଦେଇଛନ୍ତି । କଲେଜର ଛାତ୍ରୀ ଥିବାବେଳେ ସହରର କେଉଁ ନୃତ୍ୟ ନାଟକ ଉତ୍ସବରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ତମେ ଦର୍ଶକମାନଙ୍କୁ ମୁଗ୍‌ଧ କରି ଦେଇଥିଲ । ତମ ଶିକ୍ଷୟିତ୍ରୀ ଚାକିରି ପାଇଁ ଆବେଦନ ପତ୍ର ବିଚାର କରାଜଲାବେଳେ ତୁମ ନୃତ୍ୟ–ପାରଦର୍ଶିତାକୁ ମଧ୍ୟ ଏକ ଅତିରିକ୍ତ ଯୋଗ୍ୟତା ରୂପେ ବିଚାର କରାଯାଇଥିଲା । ତେଣୁ ସ୍କୁଲ ବାର୍ଷିକ ଉତ୍ସବରେ ଗୋଟିଏ ନୃତ୍ୟ ପରିବେଷଣ କରିବା ପାଇଁ ତମେ ଅସମ୍ମତ ହେବା ସୁନ୍ଦର ହେବ ନାହିଁ । ପୁଣି ସ୍ୱୟଂ ଶିକ୍ଷାମନ୍ତ୍ରୀ ଯେତେବେଳେ ଉତ୍ସବର ପ୍ରଧାନ ଅତିଥି ହେବେ !

 

ମୌସୁମୀ ଏକ କାଠ କଣ୍ଢେଇ ଭଳି ଠିଆ ହୋଇ ରହିଥିଲା; ସବୁ କଥା ଶୁଣିଲା ପରେ ମଧ୍ୟ ମିସ୍‌ ନାୟକଙ୍କ ପ୍ରସ୍ତାବରେ ସେ ହଠାତ୍‌ ସମ୍ମତି ଦେଇ ପାରୁ ନ ଥିଲା ।

 

ଅପରାହ୍ନର ଆଲୋକ ଧୀରେ ଧୀରେ ମଳିନ ହୋଇ ଆସୁଥିଲା ।

 

ଯେଉଁଦିନ ମିସନ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବରେ ଯୋଗ ଦେବାପାଇଁ ଘରୁ ଗୋଡ଼କାଢ଼ି ବାହାରି ଆସିଥିଲା, ସେଦିନ ସେ ଜାଣିଥିଲା, ତାକୁ ଛାତ୍ରୀମାନଙ୍କୁ ଗଣିତ ପଢ଼ାଇବାକୁ ହେବ । କିନ୍ତୁ ଶିକ୍ଷୟିତ୍ରୀ ଚାକିରି କଲେ ତାକୁ ଯେ ସ୍କୁଲ ପରିଚାଳନା କମିଟିର ସଭ୍ୟ ଓ ସ୍କୁଲ ବାର୍ଷିକ ଉତ୍ସବର ପ୍ରଧାନ ଅତିଥି ଶିକ୍ଷାମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନାଚିବାକୁ ହେବ, ଏକଥା ତା’ର କଳ୍ପନା ଶକ୍ତିକୁ କୌଣସି ଦିନ ହେଲେ ସ୍ପର୍ଶ କରି ନ ଥିଲା ।

 

କୌଣସି ଦିନ ଜଣେ ପୁରୁଷ ହାତରେ କଣ୍ଢେଇ ହୋଇ ନାଚିବ ନାହିଁ ବୋଲି ତ ସେ ସେଦିନ ବାପା, ବୋଉଙ୍କୁ ମନା କରି ଦେଇଥିଲା ଯେ ସେ ବିବାହ କରିପାରିବ ନାହିଁ !

 

ମୌସୁମୀ ମନର ଅଭ୍ୟନ୍ତରରେ ଝଡ଼ ବହିଗଲା । କାଳ ବୈଶାଖୀର ଝଡ଼ । ତା’ ମନର ସୁକୁମାର ଫୁଲବନ ବିପର୍ଯ୍ୟସ୍ତ ହୋଇଗଲା ସେହି ଝଡ଼ର ଆଘାତରେ । ସେ ଅନୁଭବ କଲା ତା’ ମନର ରଙ୍ଗମଞ୍ଚରେ ଗୋଟାଏ ନାଟକ ଅଭିନୀତ ହୋଇଯାଉଛି । ସେହି ରଙ୍ଗମଞ୍ଚରେ ଦେଖାଯାଉଛି ଗୋଟିଏ ଶାନ୍ତ–ଗମ୍ଭୀର ପୁରୁଷ ମୁହଁ । କାହାର, କାହାର ସେ ମୁହଁ ? ଅତନୁ ? ଆଉ ପଦ ମଞ୍ଜିର ଧ୍ୱନି ! କେଉଁ ନର୍ତ୍ତକୀର ଶ୍ଳଥ–ଚରଣର ବିଳମ୍ବିତ ପଦକ୍ଷେପରେ ଅତନୁର ରକ୍ତକୋଷରେ ବାଜି ଉଠୁଛି ରୁଣୁ ଝୁଣୁ ନୂପୁରର ସ୍ୱନ !

 

(ପୁରୁଷ କଣ୍ଠର ସଂଳାପ ଶୁଭୁଛି; ଯୁଦ୍ଧ କ୍ଷେତ୍ରରେ ମୁଁ ଦୀର୍ଘବେଳା ଏକା...ହାତରେ ତୀର ନାହିଁ, ସ୍କନ୍ଧରେ ତୁଣୀର ନାହିଁ । ଅୟୁତ ପଦ୍ମଗନ୍ଧା ରମଣୀଙ୍କ କୁଟିଳର କଟାକ୍ଷର ତୀରରେ ମୋର ସର୍ବାଙ୍ଗ ତୀର–ବିଦ୍ଧ । ଅଥଚ କାହାର ଭଲ ପାଇବାର ଶରଯ୍ୟାରେ ଶୋଇ ରହି ପ୍ରଣୟର ସାଧନା କରିବାକୁ ତମେ ମତେ କହୁଛ ନର୍ତ୍ତକୀ ?)

 

ମୁଣ୍ଡ ଉପରେ ଫ୍ୟାନ୍‌ଟା ଘୁରୁଥିଲେ ମଧ୍ୟ ମୌସୁମୀ ଅନୁଭବ କଲା ବିନ୍ଦୁ ବିନ୍ଦୁ ସ୍ୱେଦ କଣିକାରେ ତା’ର ବକ୍ଷ–ବନ୍ଧନୀ ଭିଜି ସମ୍ପୂର୍ଣ୍ଣ ଓଦା ହୋଇଗଲାଣି । ଅନେକ ଦିନ ପରେ ଗୋଟାଏ ଭୁଲି ହୋଇଯାଇଥିବା ଦୁଃସ୍ୱପ୍ନକୁ ପୁଣି ଯେପରି ସେ ଆଜି ନିଜ ଆଖି ଆଗରେ ଏ ନିହତ ଅପରାହ୍ନରେ ଚେଇଁଥିବା ବେଳେ ଦେଖିଯାଉଛି !

 

ସେଦିନ ସେ ନର୍ତ୍ତକୀର ପୋଷାକ, ନୂପୁର, ଅଳଙ୍କାର ଓ ଅନ୍ୟାନ୍ୟ ଅଙ୍ଗାଭରଣ ଖରସୋତା ନଦୀର ଜଳରେ ଭସାଇ ଦେଇଥିଲା । ମନେ ମନେ ପ୍ରତିଜ୍ଞା କରିଥିଲା, ନା, କୌଣସି ଦିନ ହେଲେ ସେ ଆଉ ଏ ନର୍ତ୍ତକୀର ପୋଷାକ ପିନ୍ଧିବ ନାହିଁ । ପାଦ ପ୍ରଦୀପର ଆଲୋକରେ ଦର୍ଶକ ଆଖିରେ ସ୍ୱପ୍ନର ଅଞ୍ଜନ ଲଗାଇ ସେ ନୂପୁର ନିକ୍ୱଣ ତୋଳିବ ନାହିଁ ।

 

ସେଥିପାଇଁ ସେଦିନ ସେ ବିବାହ କରିବାକୁ ମନାକରି ଦେଇଥିଲା ।

 

ସମାଜରେ ସମ୍ମାନର ସହିତ ବଞ୍ଚି ରହିବା ପାଇଁ ଏ ଶିକ୍ଷୟିତ୍ରୀ ଚାକିରି ଗ୍ରହଣ କରି ନେଇଥିଲା । କିନ୍ତୁ ହଠାତ୍‌ ପୁଣି ଆଜି ତାକୁ ନର୍ତ୍ତକୀର ପୋଷାକ ପିନ୍ଧିବାକୁ ବାଧ୍ୟବାଧକତା କାହିଁକି-? ପୁଣି ତା’ର ଇଚ୍ଛା ବିରୁଦ୍ଧରେ !

 

ମିସ୍‌ ନାୟକ ପୁଣି ଥରେ କହିଲେ, ତେମେ ମୋ କଥାରେ ରାଜିହେବ, ଏଇ ବିଶ୍ୱାସରେ ଉଦୟନାଥ ବାବୁଙ୍କୁ ମୁଁ ଯଧ୍ୟ କହିଦେଇଛି, ତମେ ନିଶ୍ଚୟ ନାଚିବ । ମୌସୁମୀ ! ନୃତ୍ୟ ପରିବେଷଣ କୌଣସି ଲଜ୍ଜାର କଥା ନୁହେଁ, ଏଥିରେ ଆତ୍ମସମ୍ମାନକୁ ବାଧିଲା ଭଳି କୌଣସି ଆଶଙ୍କା ଥିଲେ ମୁଁ ତମକୁ ଏଥିପାଇଁ କେବେହେଲେ ଏ କଥା କହନ୍ତି ନାହିଁ, ତମେ ମୋର କନ୍ୟା ଭଳି !

 

ମିସ୍‌ ନାୟକଙ୍କ ପ୍ରସ୍ତାବରେ ଅସମ୍ମତି ଜଣାଇବା ଏସବୁ କଥା ଶୁଣି ସାରିବା ପରେ ମୌସୁମୀ ପକ୍ଷରେ ଆଉ ସହଜ ହେଲା ନାହିଁ । ପ୍ରତିବାଦର ଯେଉଁ ସ୍ୱର ତା’ର ପେଟ ଭିତରୁ ଉଠି ଆସୁଥିଲା, ତାହା ତା’ର ତଣ୍ଟି ପାଖରେ ଅଟକି ଗଲା । ସେ ନିଜର ଅଭିମତକୁ ଭିନ୍ନଭାବରେ ପ୍ରକାଶ କରିବା ପାଇଁ କହିଲା, ମଞ୍ଜୁଳା ଅପାତ ଭଲ ନାଚନ୍ତି ବୋଲି ଶୁଣିଛି । ସେ ଥାଉଁ ଥାଉଁ ମୋ ଉପରେ ଏ ଦାୟିତ୍ୱ ଦେବା କଅଣ ଭଲ ହେବ ?

 

ମଞ୍ଜୁଳାର ନାମ ଶୁଣି ମିସ୍‌ ନାୟକଙ୍କ ଆଖିକୋଣରେ କିପରି ଏକ ବିରକ୍ତି ଓ ଅସନ୍ତୋଷର ଭାବ ଫୁଟି ଉଠିଲା । ସେ ବଡ଼ ନିର୍ଲିପ୍ତ ଭାବରେ କହିଲେ, ଗତ ଚାରିବର୍ଷ ହେଲା ବାର୍ଷିକ ଉତ୍ସବରେ ମଞ୍ଜୁଳା ନୃତ୍ୟ ଦେଖାଉଛି । ଏ ବର୍ଷ ତା’ର ପୁନରାବୃତ୍ତି କଲେ ଆଉ ଦର୍ଶକମାନେ ତାହା ହୁଏତ ସହ୍ୟ କରିବେ ନାହିଁ ।

 

କଥା ଅଧା ରଖି ସେତିକିରେ ଚୁପ୍‌ ହୋଇଗଲେ ମିସ୍‌ ନାୟକ ।

 

ତା’ପରେ ବଡ଼ ଉତ୍ତେଜିତ ଭାବରେ ସେ କହିଲେ; ମୌସୁମୀ ! କେବଳ ଛାତି ଉପରୁ ବାରମ୍ବାର ଲୁଗା ଖସାଇ, ନାଭି ଉପର ଅଂଶକୁ ଅନାବୃତ୍ତ କରି ଦେହ ଦେଖାଇବା ପାଇଁ ଥେଇ ଥେଇ ହୋଇ ନାଚିଲେ ତାହା ଉଚ୍ଚକୋଟୀର ନୃତ୍ୟ ହୋଇଯାଏ ନାହିଁ । ନୃତ୍ୟ ଏକ ସାଧନା-ସାପେକ୍ଷ କଳା । ଗୋଟିଏ ନାରୀ ଦେହର କିଛି–ଗୋପନୀୟ ଅଂଶକୁ ଥରେ ଅଧେ ଦର୍ଶକମାନେ ଦେଖି ମଧ୍ୟ ଆମୋଦ ଲାଭ କରିପାରନ୍ତି; କିନ୍ତୁ ସେହି ଦୃଶ୍ୟ ବାରମ୍ବାର ଦେଖିବାକୁ ପୁରୁଷ ଦର୍ଶକମାନଙ୍କ ରୁଚିକୁ ମଧ୍ୟ ବାଧିବ ।

 

କଥା ଶେଷ କଲାବେଳକୁ ମିସ ନାୟକଙ୍କ ମୁହଁରେ ଘୃଣାର ବ୍ୟଞ୍ଜନା ସ୍ପଷ୍ଟ ହୋଇ ଉଠୁଥିଲା । ମଞ୍ଜୁଳାର ନୃତ୍ୟକୁ ସେ କିପରି ଦୃଷ୍ଟିରେ ଦେଖନ୍ତି ଏବଂ ତା’ଠାରୁ ସେ କିପରି ତଙ୍ଗର ନୃତ୍ୟ ଦେଖିବାକୁ ଚାହାନ୍ତି, ସେକଥା ମଧ୍ୟ ତାଙ୍କ କଥାରୁ ବୁଝିପାରୁଥିଲା ମୌସୁମୀ ।

 

ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରସ୍ତାବ ସେ–ବିଚାର କରି ଦେଖିବ, ଏହି ପ୍ରତିଶ୍ରୁତି ଦେଇ ସେ ମିସ୍‌ ନାୟକଙ୍କ କ୍ୱାଟରକୁ ଲଘୁ ପଦକ୍ଷେପରେ ପ୍ରସ୍ଥାନ କରି ଆସିଲା ।

 

ମିସ୍‌ ନାୟକ ତାକୁ କଅଣ ପାଇଁ ଡକାଇଥିଲେ, କଅଣ କହିଲେ, ସେକଥା ସେ କାହାରିକୁ କହିବା ଆଗରୁ; ସେ ଯେ ସ୍କୁଲର ଆଗାମୀ ବାର୍ଷିକ ଉତ୍ସବରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମୁଗଧ୍‌ କରିଦେବ, ସେ ସମ୍ବାଦ ଛାତ୍ରୀ ନିବାସର ପ୍ରତି କୋଠରୀରେ ହେନା ଫୁଲର ସୁରଭି ଭଳି ଭାସି ବୁଲୁଥିଲା ।

 

ପ୍ରତିମା ପଚାରିଲା : ମିସ୍‌ ନାୟକ କଅଣ ପାଇଁ ଡକାଇଥିଲେ ? ସ୍କୁଲ ବାର୍ଷିକ ଉତ୍ସବ କଥା କହିଥିଲେ କି ?

 

କିଛି ଉତ୍ତର ଦେଲା ନାହିଁ ମୌସୁମୀ ।

 

କମଳିନୀ କହିଲା, ତମେ ପରା ଏଥର ଓଡ଼ିଶୀ ନୃତ୍ୟ ପରିବେଷଣ କରିବ ?

 

ଏଥର ମଧ୍ୟ କିଛି ଉତ୍ତର ଦେଲା ନାହିଁ ମୌସୁମୀ । କିନ୍ତୁ ତା’ର ଦୁଇ ପାତଳ ଓଠ ଉପରେ ହସର ଏକ ବିକ୍ଷୁବ୍‌ଧ ତରଙ୍ଗ ଉଚ୍ଛ୍ୱସିତ ହୋଇ ଉଠିଲା । ସେ ଲକ୍ଷ୍ୟ କଲା ତା’ ଓଠର ସେ ହସ ଦେଖି ମଞ୍ଜୁଳାର ମୁହଁ ଶୁଖିଗଲା । ଆଖିର ଜ୍ୟୋତି ଫିକା ପଡ଼ିଗଲା ।

 

।। ୫ ।।

 

ମୃଣାଳର ଚିଠିକୁ ଆଉଥରେ ପଢ଼ିବା ପାଇଁ ମଞ୍ଜୁଳା ମନରେ ଏକ ଅସ୍ଥିର ଆବେଗ ଉଦ୍‌ବେଳିତ ହୋଇ ଉଠିଛି । ଠିକ୍‌ ସ୍କୁଲକୁ ବାହାରିଲା ବେଳେ ପୋଷ୍ଟପିଅନ୍‌ ଚିଠିଟା ଦେଇଗଲା । କ୍ଳାସ ଥିବା ଯୋଗୁ ଚେଷ୍ଟାକରି ମଧ୍ୟ ସେ ଚିଠିକୁ ଭଲ କରି ପଢ଼ିପାରି ନାହିଁ । ସ୍କୁଲରେ ଟିକିଏ ନିରୋଳା ସ୍ଥାନ, ନିର୍ଜ୍ଜନ ସମୟ ମଧ୍ୟ ସେ ପାଇନାହିଁ ଚିଠି ପଢ଼ିବାକୁ । ବ୍ଳାଉଜ୍‌ ଭିତରେ ସଯତ୍ନରେ ଭଙ୍ଗାଭଙ୍ଗି ହୋଇଥିବା ଚିଠି ଖଣ୍ଡକ ଖସ୍‌ ଖସ୍‌ ହେଲେ ସେ କ୍ଳାସରେ ପାଠ ପଢ଼ାଉଥିବାବେଳେ ମଧ୍ୟ ଚମକି ଉଠିଚି । ହଠାତ୍‌ ଅନ୍ୟମନସ୍କ ହୋଇ ଯାଇଛି । ଆଃ, ଚିଠିଟା ସେ କେତେବେଳେ ଆଉ ପଢ଼ିବ ?

 

ମନେ ମନେ ମୃଣାଳ ଉପରେ ମଧ୍ୟ ରାଗ କଲା ମଞ୍ଜୁଳା । ସେ ତାକୁ ଅନେକ ଥର ମନା କରିଛି ରଙ୍ଗୀନ୍‌ କାଗଜରେ ଚିଠି ନ ଲେଖିବାକୁ । ଧଳା କାଗଜରେ ଚିଠି ଲେଖିଲେ ସେଥିରେ ପ୍ରଣୟର ଆବେଦନ କମିଯାଏ ନାହିଁ; ଅଥଚ ଅନ୍ୟମାନଙ୍କ ଆଗରେ ସେ ଚିଠି ଖୋଲିଲେ କେହି ସନ୍ଦେହ କରନ୍ତି ନାହିଁ । କିନ୍ତୁ ଯେତେ ବୁଝାଇଲେ ବି ମୃଣାଳ ଅବୁଝା । ଆଜି ମଧ୍ୟ ଗୋଲାପି କାଗଜରେ ସେ ଚିଠି ଲେଖିଛି । ଚିଠି ଲେଖା କାଗଜର ଉପରେ ପୁଣି ସେଇ ମୁଦ୍ରିତ ଆଲେଖ୍ୟ, Forget me not ! ମତେ ଭୁଲିଯାଅ ନାହିଁ ।

 

ଚିଠିର ସେଇ ଅଂଶ ଉପରେ ଆଖି ପଡ଼ିଯିବା ମାତ୍ରେ ହାସ୍ୟ ସମ୍ବରଣ କରି ପାରି ନ ଥିଲା ମଞ୍ଜୁଳା । ‘ଫରଗେଟ୍‌ ମି ନଟ୍‌’ ମାନେ କଅଣ ? ମୃଣାଳ କଅଣ ସତରେ ସନ୍ଦେହ କରେ ସେ ତାକୁ ଭୁଲିଯିବ !

 

ମୁହଁରେ ରୁମାଲ୍‌ ଦେଇ ହସ ଗୋପନ କରିବାକୁ ଚେଷ୍ଟାକଲା ମଞ୍ଜୁଳା ।

 

ଏଇ ‘ଫରଗେଟ୍‌ ମି ନଟ୍‌’ ଛାପା ଚିଠି ଉପରେ ଦେଖିଲେ ତା’ର ସାନ ଭଉଣୀ ଅନୀଳା କଥା ମନେ ପଡ଼ିଯାଏ । ବୋଧହୁଏ ନବମ ଶ୍ରେଣୀରେ ସେତେବେଳେ ପଢ଼ୁଥାଏ ଅନୀଳା । ଶାଢ଼ି ପିନ୍ଧିବା ବୟସ ହୋଇ ଯାଇଥିଲେ ବି ଜିଦ୍‌ କରି ଫ୍ରକ୍‌ ପିନ୍ଧୁଥାଏ । ବୟସ ତୁଳନାରେ ସାଂସାରିକ ଜ୍ଞାନ ପୁଣି ସେତେବେଳେ ତା’ର ଥାଏ ଅନେକ ଊଣା । ମୁହଁରେ ସବୁବେଳେ ଏକ କିଛି ବୁଝି ନ ପାରିଲା ଭଳି ବୋକା ବୋକା ଭାବ । ଦିନେ ଆସି ତାକୁ ସେ କହିଲା : ଅପା ! ଶ୍ରୀକାନ୍ତ ସାର ଗୋଟାଏ ପଦ୍ୟାଂଶ ଦେଇଛନ୍ତି ସରଳାର୍ଥ ଲେଖିବାକୁ । କିନ୍ତୁ ପଦ୍ୟାଂଶଟି ତ ବହିର କେଉଁ ପଦ୍ୟରୁ ଆସିଛି ମୁଁ ଖୋଜି ପାଉନି !

 

ଶ୍ରୀକାନ୍ତବାବୁ ସେତେବେଳେ ତା’ର ଟିଉସନ ମାଷ୍ଟର । କଲେଜରେ ପଢ଼ୁଥିଲେ, ଆଉ କଲେଜ ଖର୍ଚ୍ଚ ଯୋଗାଡ଼ କରିବାକୁ ଅନୀଳାକୁ ଅଙ୍କ, ସାହିତ୍ୟ ପଢ଼ାଉଥିଲେ । କିନ୍ତୁ ମଞ୍ଜୁଳାର ମନେହୁଏ, ସେ ତାଙ୍କ ଘରୁ ଯେତିକି ଟଙ୍କା ଟିଉସନ୍‌ରୁ ପାଆନ୍ତି, ତା’ଠାରୁ ବେଶୀ ଟଙ୍କାର ଉପହାର କିଣି ତାଙ୍କ ଘରକୁ ଆଣନ୍ତି । ସେଥିପାଇଁ ବୋଉ ଯେତେଥର ଅନୁଯୋଗ କରିଛି ଯେ, ଅନୀଳାର ବୟସ ହୋଇଛି–ତରୁଣ ଶିକ୍ଷକ ବଦଳରେ ଜଣେ ଶିକ୍ଷୟିତ୍ରୀ ତାକୁ ପଢ଼ାଇବା ପାଇଁ ସ୍ଥିର କର, ସେତେଥର ବାପା, ‘‘ଦେଖିବା’’ ଶିକ୍ଷୟତ୍ରୀ ଏତେ ଅଳ୍ପ ଟଙ୍କାରେ ମିଳିବା କଷ୍ଟ’’ ଇତ୍ୟାଦି କହି ସେ ପ୍ରସଙ୍ଗ ଏଡ଼ାଇ ଯାଇଛନ୍ତି । ଆଉ ଉପହାର ଜିନିଷ ଫେରାଇ ନେବା ପାଇଁ ବୋଉ ତାଙ୍କୁ ଯେତେଥର କହିଛି, ଶ୍ରୀକାନ୍ତ ସାର୍‌ ସେତେଥର ଏଣୁ ତେଣୁ ତାନା କଥା କହି ମୂଲ୍ୟବାନ୍‌ ଶାଢ଼ି, ଫାଉଣ୍ଟେନ, ଉଲନ୍‌ ସୂତା ଡବା ଇତ୍ୟାଦି ଉପହାର ଦେଇଛନ୍ତି ।

 

ଅନୀଳା ମୁହଁରୁ ପାଠ୍ୟ ବହିର୍ଭୂତ ସରଳାର୍ଥ ଲେଖା କଥା ଶୁଣି ସେଦିନ ତା’ ମନରେ ସନ୍ଦେହ ହୋଇଗଲା । ସେ କହିଥିଲା : ଆଣିଲୁ ଦେଖି କି ସରଳାର୍ଥ ।

 

ଅନୀଳା ସାହିତ୍ୟ ଖାତା ଆଣିଥିଲା ।

 

ମଞ୍ଜୁଳା ଲକ୍ଷ୍ୟ କରିଥିଲା, ଶ୍ରୀକାନ୍ତ ସାର୍‌ଙ୍କ ନିଜ ହାତ ଲେଖା ଦୁଇଧାଡ଼ି କବିତା ।

 

‘‘ଆକାଶେ ଚନ୍ଦ୍ର, ସଲିଳେ କଇଁ

ମନେ ରଖିଥିବ, ଭୁଲିବ ନାହିଁ ।’’

 

ସେହି କବିତା ଉପରୁ ମଞ୍ଜୁଳା ଦୃଷ୍ଟି ଉତ୍ତୋଳନ କରିବା ଆଗରୁ ଅନୀଳା ପ୍ରଶ୍ନ କରିଥିଲା : ଆକାଶରେ ଚନ୍ଦ୍ର, ଜଳରେ କଇଁ ଫୁଟିଛି ବୋଲି ତ ଉପର ଧାଡ଼ିଟା ବୁଝି ହେଉଛି; କିନ୍ତୁ ଅପା ! ମନେ ରଖିଥିବ, ଭୁଲିଯିବ ନାହିଁ ବୋଲି କିଏ କାହାକୁ କହୁଛି ମୁଁ ତ ଆଦୌ ବୁଝିପାରୁ ନାହିଁ ?

 

ସାନ ଭଉଣୀର ଅପାପ-ବିଦ୍ଧା କିଶୋରୀ ମନର ଈର୍ଷଣୀୟ ସରଳତା ଲକ୍ଷ୍ୟକରି ମଞ୍ଜୁଳା ସେଦିନ ହାସ୍ୟ ସମ୍ବରଣ କରିପାରି ନ ଥିଲା । କିନ୍ତୁ ଶ୍ରୀକାନ୍ତ ସାର୍‌ଙ୍କ କୁତ୍ସିତ ମନର ସେ ଅଶ୍ଳୀଳ ଇଙ୍ଗିତକୁ ଅନୀଳା ଆଗରେ ପ୍ରକାଶ କରିବାକୁ ତା’ର ଜିହ୍ୱାଗ୍ର ଜଡ଼ ହୋଇ ଯାଇଥିଲା ।

 

ତା’ ଆରଦିନ ଅନୀଳା ବଦଳରେ ନିଜେ ଯେତେବେଳେ ସେ ସାହିତ୍ୟ ଖାତା ନେଇ ଶ୍ରୀକାନ୍ତ ସାର୍‌ଙ୍କ ପାଖରେ ପହଞ୍ଚିଲା, କଅଣ ଗୋଟାଏ ଅଘଟଣ ଘଟିବ ବୋଲି ଆଶଙ୍କା କରି ଦ୍ୱାରମୁହଁ ଆରପଟେ ଅନୀଳା ରୁଦ୍ଧଶାସରେ ଅପେକ୍ଷା କରୁଥିଲା । ଅନୀଳା ବଦଳରେ ତା’ ହାତରେ ସେ ସାହିତ୍ୟ ଖାତା ଦେଖି ଶ୍ରୀକାନ୍ତ ସାର୍‌ଙ୍କ ମୁହଁ ମଧ୍ୟ ମଳିନ ପଡ଼ିଯାଇଥିଲା । ମଞ୍ଜୁଳା ନିଜେ କିଛି କହିବା ଆଗରୁ ସେ କହିଥିଲେ : ଅନୀଳା କଅଣ ଆଜି ପଢ଼ିବାକୁ ଆସିବ ନାହିଁ ?

 

ମଞ୍ଜୁଳା ଉତ୍ତର ଦେଇଥିଲା : ନା ଆପଣ ଆଉ ଆଜିଠାରୁ ତାକୁ ପଢ଼ାଇବାକୁ ଆସିବେ ନାହିଁ ।

 

ଅନୀଳା ତାଙ୍କର ସେ ଅଶ୍ଳୀଳ ପଦ୍ୟାଂଶ ଅନ୍ୟ କାହାକୁ ଦେଖାଇଥିବ ବୋଲି ସେ ହୁଏତ ବିଶ୍ୱାସ କରୁ ନ ଥିଲେ । କିନ୍ତୁ ସେଇ ଖାତାର ସେ ଅଂଶକୁ ଉନ୍ମୁକ୍ତ କରି ମଞ୍ଜୁଳା ଯେତେବେଳେ ଟେବୁଲ ଉପରେ ଫୋପାଡ଼ି ଦେଲା, ଶ୍ରୀକାନ୍ତ ସାର୍‌ଙ୍କ ଆଖିରେ ହଠାତ୍‌ ଜଳ ଆସିଗଲା । କୌଣସି ପୁରୁଷକୁ ଏପରି ଅସହାୟ, ଦୟନୀୟ ଅବସ୍ଥାରେ ମଞ୍ଜୁଳା ଆଗରୁ କେବେ ଦେଖି ନଥିବା ଭଳି ସ୍ମରଣ କରି ନ ଥିଲା । ସେ କେବଳ କ୍ରୁଦ୍ଧ କଣ୍ଠରେ କହିଥିଲା, ଅନୀଳା ଆପଣଙ୍କଠାରୁ କେତେ ସାନ...ଆପଣ ତାକୁ ଏଭଳି ବାଜେ କଥା ଲେଖିବାକୁ ଲଜ୍ଜାବୋଧ କଲେ ନାହିଁ ?

 

ନା, ତାକୁ ଆଉ ଅଧିକ ଗୋଟିଏ ଶବ୍ଦ ବ୍ୟୟ କରିବାକୁ ପଡ଼ି ନ ଥିଲା । ମୁଣ୍ଡ ତଳକୁ ପୋତି ଶ୍ରୀକାନ୍ତ ସାର୍‌ ପଛକୁ ନ ଅନାଇ ଦ୍ରୂତ ପଦକ୍ଷେପରେ ତାଙ୍କ ଗୃହ ସୀମା ଅତିକ୍ରମ କରି ଚାଲିଯାଇଥିଲେ ।

 

ଚାଲିଯିବା ପରେ ଅନୀଳା ବିସ୍ମୟ ଚକିତ କଣ୍ଠରେ ଆସି ତାକୁ ପ୍ରଶ୍ନ କରିଥିଲା : ଅପା ! ସାର୍‌ଙ୍କୁ ତୁ ଏମିତି ଗାଳି ଦେଲୁ ଯେ, ସେ କଅଣ ଲେଖିଥିଲେ ମୁଁ ଏ ପର୍ଯ୍ୟନ୍ତ ବୁଝିପାରୁନାହିଁ ! ସେ ପଦ୍ୟାଂଶରେ କଅଣ ଖରାପ ଇଙ୍ଗିତ ଅଛି !

ଆଖି ଡୋଳା ବଡ଼ ବଡ଼ କରି ତାକୁ ଚୁପ୍‌ କରି ଦେଇଥିଲା ମଞ୍ଜୁଳା । ଧମକ ଦେଇଥିଲା, ସେସବୁ କଥା ବୁଝି ତୋର କିଛି ଲାଭ ନାହିଁ । ତୋର ଟିଉସନ ମାଷ୍ଟର ଆଉ ଦରକାର ନାହିଁ । ଯାହା ବୁଝି ନ ପାରିବୁ, ମତେ ପଚାରିଲେ ମୁଁ ବୁଝାଇଦେବି ।

ସେତେବେଳେ କଲେଜରେ ପଢ଼ୁଥିଲା ମଞ୍ଜୁଳା । ଦୃଶ୍ୟମାନ ଜଗତର ଅନ୍ତରାଳରେ ଆଉ ଏକ ପାପ, ପ୍ରତାରଣା, ପ୍ରବଞ୍ଚନାର ଅଦୃଶ୍ୟ ଜଗତ ଯେ ଗୋପନ ରହିଛି ସେକଥା ସେ ସେତେବେଳେ ଧୀରେ ଧୀରେ ଆବିଷ୍କାର କରି ରୋମାଞ୍ଚିତ, ଶଙ୍କିତ ହୋଇଥିଲା । କଲେଜର ଶିକ୍ଷା ତାକୁ ଏ ନୂତନ ଜଗତକୁ ଚିହ୍ନିବାରେ ସାହାଯ୍ୟ କରି ନ ଥିଲା, ନିଜେ ବୟସ ଅଭିଜ୍ଞତା ତାକୁ ଏଥିପାଇଁ ଦେଇଥିଲା ପର୍ଯ୍ୟାପ୍ତ ଶିକ୍ଷା ।

ନାରୀର ଶିକ୍ଷୟିତ୍ରୀ ତା’ର ବୟସ, ତା’ର ଅଭିଜ୍ଞତା !

ମୃଣାଳ ଚିଠି ଉପରେ ‘forget me not’ ଲେଖା ଦେଖିଲେ ଆଜି ତା’ର ସେହି ଶ୍ରୀକାନ୍ତ ସାର୍‌ଙ୍କ ‘‘ଆକାଶେ ଚନ୍ଦ୍ର ସଲିଳେ କଇଁ; ମନେ ରଖିଥିବ ଭୁଲିବ ନାହିଁ’’ ଲେଖା କଥାଟା ଚଟ୍‌କିନି ମନେ ପଡ଼ି ଯାଉଥିଲା । ତା’ ସହିତ ଶ୍ରୀକାନ୍ତ ସାର୍‌ଙ୍କ ଲାଞ୍ଛନା ଲାଞ୍ଛିତ ସେହି ମଳିନ କୃଷ୍ଣକାୟ ମୁଖମଣ୍ଡଳ ସହିତ ମୃଣାଳର ହାସ୍ୟ ଉଜ୍ଜଳ ମୁହଁଟି ମଧ୍ୟ ଆଖି ଆଗରେ ନାଚି ଯାଉଥିଲା-

ବି.ଏ. ପାସ୍‌ କଲା ପର୍ଯ୍ୟନ୍ତ ସେ କୌଣସି ପୁରୁଷକୁ ତା’ କୁମାରୀ ମନରେ ସୀମା ସ୍ପର୍ଶ କରିବାକୁ ଦେଇ ନ ଥିଲା । କିନ୍ତୁ ଡି.ଇ.ଡ଼ି ପଢ଼ିଲାବେଳେ, ହଠାତ୍‌ କେମିତି ତା’ର ରୁକ୍ଷ ଧୂସର ଉଷର ମନର ବାଲୁକା ପ୍ରନ୍ତକୁ ଦଲକାଏ ବର୍ଷାଜଳ ସିକ୍ତ ଶୀତଳ ପବନ ଭଳି ସ୍ପର୍ଶ କରିଗଲା ।

 

ଏଥି ଭିତରେ ନିଃଶବ୍ଦରେ ଅନେକ ଗୁଡ଼ାକ ଦିନ ଅତୀତ ହୋଇଯାଇଥିଲେ ବି ମୃଣାଳ ସହିତ ସେ ପ୍ରଥମ ପ୍ରଣୟ କଥା ମନେ ପଡ଼ିଗଲେ ଆଜି ମଧ୍ୟ ମଞ୍ଜୁଳା ଆଞ୍ଜୁଳା ଆଞ୍ଜୁଳା ଆନନ୍ଦରେ ଉଲ୍ଲସିତ ହୋଇଉଠେ ।

 

ଅଥଚ ମୃଣାଳ ଚିଠିରେ କଅଣ ଲେଖିଛି, ଇଚ୍ଛାକରି ମଧ୍ୟ ସେକଥା ଏ ପର୍ଯ୍ୟନ୍ତ ସେ ପଢ଼ିପାରିଲା ନାହିଁ । କଥାଟା ଚିନ୍ତା କରିବା ମାତ୍ରେ ସେ ନିଜ ବ୍ଳାଉଜ ତଳେ ଥିବା ଗୋଲାପି ରଙ୍ଗର ଚିଠି ବିଷୟରେ ସଚେତନ ହୋଇ ଉଠିଲା ଏବଂ ତା’ର ସଂଯତ ସ୍ଥିର ମନ ହଠାତ୍‌ ବନ–ବିହଙ୍ଗ ଭଳି ପକ୍ଷ ତୋଳି ସ୍ମୃତିର ଆକାଶରେ ଚକ୍‌କର କାଟିବାକୁ ଲାଗିଲା ।

 

ସେ ଧୀରେ ଧୀରେ ବାଥ୍‌ରୁମରେ ପ୍ରବେଶ କରି ଭିତରପଟ ଦରଜା ଦେଇ ପ୍ରାଣଭରି ନିଃଶ୍ୱାସ ନେଲା । ତା’ପରେ ସେ ଚିଠିକୁ ବାହାର କରି ମନଭରି ଗେଲକଲା । ମୃଣାଳ ଚିଠିରେ ନିଶ୍ଚୟ କିଛି ବିଦେଶୀ ଫୁଲର ନିର୍ଯ୍ୟାସ ବ୍ୟବହାର କରିଛି । ତା’ ନ ହେଲେ ତା’ର ଘ୍ରାଣେନ୍ଦ୍ରିୟ ଏପରି ମଧୁର ସୁରଭିରେ ଉତ୍ତେଜିତ ହୋଇଉଠିଲା କାହିଁକି ?

 

ମୃଣାଳ ଚିଠିର ଭାଷା କାବ୍ୟମୟ ନୁହେଁ; ସେଥିରେ ଫୁଲ; ଚନ୍ଦ୍ର, ପ୍ରଶ୍ନ–ଏସବୁ କ୍ୱଚିତ ଉଲ୍ଲେଖ ଥାଏ । ତା’ର ଭାଷା ସ୍ପଷ୍ଟ ଏବଂ ଅନେକ ସମୟରେ ନିର୍ମମ । ସେ ଯାହା କହିବାକୁ ଚାହେଁ ସେଥିରେ କୌଣସି ଅସ୍ପଷ୍ଟତା ସେ ରଖିବାକୁ ଚାହେଁ ନାହିଁ । ଚିଠିର ଏଇ ସ୍ପଷ୍ଟ ଭାଷା ଓ ଭାବରୁ ମଞ୍ଜୁଳା ମୃଣାଳର ବ୍ୟକ୍ତିତ୍ୱର ଗନ୍ଧ ପାଏ । ମୃଣାଳର ବ୍ୟକ୍ତିତ୍ୱରେ କୌଣସି ଜଟିଳତା, ଅସ୍ପଷ୍ଟତା ନ ଥିବା ଲକ୍ଷ୍ୟ କରି ସେ ଉଲ୍ଲସିତ ହୁଏ । ମୃଣାଳ ଚରିତ୍ରର ଏଇ ସରଳ ସୁବୋଧ୍ୟତା ତାକୁ ତା’ ପ୍ରତି ବେଶି ଆକୃଷ୍ଟ କରେ ।

 

ମୃଣାଳ ଲେଖିଛି, ଛବିର ନାମଟା ପ୍ରାୟ ଠିକ୍‌ ହୋଇଯାଇଛି । ‘‘ଇନ୍ଦ୍ରଧନୁ’’ । କାହାଣୀ ବେଶ୍‌ ଚମତ୍କାର । ଛବି ମୁକ୍ତିଲାଭ କରିବା ନିଶ୍ଚୟ ଓଡ଼ିଶାର ଦର୍ଶକମାନଙ୍କ ମଧ୍ୟରେ ‘ଧନ୍ୟ ଧନ୍ୟ’ ବାଣୀ ଶୁଣାଯିବ । ତମ ଫଟୋ ଆମ ଫିଲିମ ଅଂଶୀଦାରମାନଙ୍କ ମନକୁ ବେଶ୍‌ ଆସିଛି । ତେବେ ତମକୁ ଗୋଟାଏ ମାମୁଲି ଇଣ୍ଟରଭିଉରେ ଯୋଗ ଦେବାକୁ ପଡ଼ିବ । ମଞ୍ଜୁ ! ଛଅଟା ମୁକ୍ତି ପାଇଗଲା ପରେ ତମେ ମୁହୂର୍ତ୍ତକ ମଧ୍ୟରେ ହଜାର ହଜାର ଦର୍ଶକଙ୍କ ହୃଦୟରେ ହଠାତ୍‌ ରାଣୀ ହୋଇଯିବ । ମୋର ଭୟ ହେଉଛି, ତା’ପରେ ତମ ହୃଦୟ ସିଂହାସନରୁ ତଡ଼ା ଖାଇ ମୁଁ ରାସ୍ତାର ଫକୀର ହୋଇଯିବି ନାହିଁ ତ !

 

ମୃଣାଳ ସବୁ ଚିଠିରେ ଏମିତି ଶେଷ ଆଡ଼କୁ ଗୋଟାଏ ଦୁଇଟା ବାଜେ କଥା ଲେଖି ତାକୁ ଆହତ କରେ, ଆଗେ ଏପରି କିଛି ପଢ଼ିଲେ ସେ ବିରକ୍ତ ହେଉଥିଲା, ଏପରି ନ ଲେଖିବାକୁ ପରାମର୍ଶ ଦେଉଥିଲା । କିନ୍ତୁ ଆଜିକାଲି ମୃଣାଳର ଏପରି ଲେଖା ତାକୁ ଭୀଷଣ ଭାବରେ ଆହତ କରୁଛି । ସ୍ୱାମୀ ହେଲେ ପୁରୁଷ ଯେପରି ଅନୁଗତ ହୁଏ, ପ୍ରେମିକ ଥିବାବେଳେ ସେହିପରି ହୁଏ ନିର୍ମମ । ମୃଣାଳର ପ୍ରେମିକ ସୁଲଭ ଏହି ସବୁ ଆଘାତକୁ ସେ ନୀରବରେ ସହ୍ୟ କରୁଛି ଏଇ ଭରସାରେ ଯେ, ସେ ଦିନେ ତା’ର ସ୍ୱାମୀ ହେବ, ଅନୁଗତ ହେବ ।

 

ମୃଣାଳ କି ନିର୍ବୋଧ !

 

ସେ କିପରି ଭାବିପାରିଲା ଯେ ଚଳଚ୍ଚିତ୍ର ଅଭିନେତ୍ରୀ ଭାବରେ ସହସ୍ର ଦର୍ଶକଙ୍କ ହୃଦୟ ଜୟକରି ସାରିଲା ପରେ, ସେ ତାକୁ ହୃଦୟରୁ ସିଂହାସନଚ୍ୟୁତ କରିପାରିବ ? ସେ ନିଜେ ତ କେବେ ଅଭିନେତ୍ରୀ ହେବାକୁ ଚାହିଁ ନ ଥିଲା । ମୃଣାଳ, ମୃଣାଳ ହିଁ ତାକୁ ଏ ସ୍ୱର୍ଣ୍ଣ ମୃଗର ଲୋଭ ଦେଖାଇଛି-

 

ମୃଣାଳ ଉପରେ ତା’ର ଭୀଷଣ କ୍ରୋଧ ହେଉଥିଲା ।

 

ଭାବୁଥିଲା, ମୃଣାଳକୁ ସେ ମନା କରିଦେବ କି ଚଳଚ୍ଚିତ୍ର ଅଭିନେତ୍ରୀ ହେବାକୁ ସେ ଚାହେଁ ନାହିଁ ।

 

କଥାଟି ଭାବି ମନେ ମନେ ହସିଲା ମଞ୍ଜୁଳା ।

 

ନିମ୍ନ କଣ୍ଠରେ ସେ ସ୍ୱଗତୋକ୍ତି କରି ଉଠିଲା, ପୁରୁଷ ଚିରଦିନ ସନ୍ଦେହୀ । ଚଳଚ୍ଚିତ୍ର ଅଭିନେତ୍ରୀ ଭାବରେ ଖ୍ୟାତିଲାଭ କଲେ, ମୁଁ କାଳେ ଅନ୍ୟ କେଉଁ ପୁରୁଷର ଦୃଷ୍ଟିର ଶୀକାର ହେବି, ସେହି ସନ୍ଦେହରେ ତମେ ବି ପୀଡ଼ିତ ହେଉଛ ମୃଣାଳ ।

 

ନିଜ ମୁହଁର ଭାବାନ୍ତର ନିଜେ ଦେଖି ପାରୁ ନ ଥିଲେ ବି ମଞ୍ଜୁଳା ବୁଝିପାରୁଥିଲା, କଥା ଶେଷ କରିବା ପରେ ତା’ ମୁହଁର ରେଖାଗୁଡ଼ିକ ଆପେ ଆପେ କଠିନ ହୋଇ ଉଠୁଥିଲା ।

 

।। ୬ ।।

 

ବାପାଙ୍କ ଆସିବା ଖବର ପାଇ ସେ ଯେତିକି ଖୁସି ହୋଇଥିଲା, ତାଙ୍କୁ ସମ୍ମୁଖରେ ଦେଖି ସେତିକି ବିବ୍ରତ ବୋଧ କଲା ମୌସୁମୀ । ମିଶନ ବାଳିକା ବିଦ୍ୟାଳୟକୁ ଶିକ୍ଷୟିତ୍ରୀ ହୋଇ ଆସିବାର ପ୍ରାୟ ଚାରିମାସ ପରେ ବାପା ତା’ ପାଖକୁ ଏଇ ପ୍ରଥମ ଦେଖା କରିବାକୁ ଆସିଲେ ।

 

ବାପା ପଚାରିଲେ, ଭଲ ଅଛୁ ତ ମାଆ ! ତୁ ଏମିତି ଝଡ଼ିଯାଇଛୁ କାହିଁକି ?

 

ମୌସୁମୀ ଏଣୁ ତେଣୁ କଥା କହି ବାପାଙ୍କୁ ଭୁଲାଇବାକୁ ଚେଷ୍ଟା କରିଥିଲା । କହିଥିଲା, ମୁଁ ଝଡ଼ିଯାଇନି, ଅନେକ ଦିନ ପରେ ଆପଣ ମତେ ଦେଖୁଛନ୍ତି ବୋଲି ମୁଁ ସେମିତି ଦେଖାଯାଉଛି । ବରଂ ଆପଣ ବଡ଼ ଶୁଖିଲା ଦେଖା ଯାଉଛନ୍ତି ।

 

ତା’ର କଥା ଶୁଣି ଜାନକୀବାବୁ ସଶବ୍ଦରେ ହସିଥିଲେ । ହସି ହସି ପ୍ରଶ୍ନ କରିଥିଲେ, ଏ ଶିକ୍ଷୟିତ୍ରୀ ଚାକିରି କେମିତି ଲାଗୁଛି ।

 

ଭଲ କି ମନ୍ଦ କିଛି ଉତ୍ତର ଦେଇ ପାରି ନ ଥିଲା ମୌସୁମୀ । ସେ କେବଳ ମୃଦୁ ହସି ଚୁପ୍‌ ହୋଇ ଯାଇଥିଲା । ବାପା କିନ୍ତୁ ତା’ର ମାନସିକ ଅବସ୍ଥା ବୁଝି ପାରିଥିଲେ । କହିଥିଲେ, ସବୁ କାମ ପ୍ରଥମେ ପ୍ରଥମେ ଅଡ଼ୁଆ ଅଡ଼ୁଆ ଲାଗେ । ତା’ପରେ ସବୁ ଠିକ୍‌ ହୋଇଯାଏ । ମାଆ, ନାରୀ କିନ୍ତୁ ସବୁଦିନେ କେବଳ ଚାକିରି ଉପରେ ଆଶ୍ରୟ କରି ରହିପାରେ ନାହିଁ । ତା’ର ଭିନ୍ନ ଆଶ୍ରୟ ଲୋଡ଼ା । ତୋର ବୋଉ ଭାରି ବ୍ୟସ୍ତ ହେଉଛନ୍ତି । ମୁଁ ସତ୍‌ପାତ୍ରର ସନ୍ଧାନରେ ଅଛି । ଯାହା ଯୌତୁକ ଦାବି ହେଲେ ବି ମୁଁ ତାହା ଦେବି...

 

ବାପାଙ୍କ ମୁହଁରୁ ଯୌତୁକ ଦାବି କଥା ଶୁଣି ମୌସୁମୀ ଛାତି ଭିତରେ ପବନ ଅଟକି ଗଲା ଭଳି ସେ ଅନୁଭବ କଲା । ତା’ର ମୁହଁ କଳା ପଡ଼ିଗଲା ।

 

ମୌସୁମୀ ମନର ସେଇ ଭାବାନ୍ତର ମଧ୍ୟ ଲକ୍ଷ୍ୟ କଲେ ଜାନକୀ ବାବୁ । ତାଙ୍କ ନିଜ ମନ ମଧ୍ୟ ବିଷର୍ଣ୍ଣତାରେ ଭରିଗଲା । ସେ ଯୌତୁକ ଦେବାକୁ ସକ୍ଷମ ହେଲେ ନାହିଁ ବୋଲି ଆଇ.ଏ.ଏସ. ଅତନୁ ଦାସ ସହିତ ଝିଅର ବିବାହ ଶେଷ ମୁହୂର୍ତ୍ତରେ ଭାଙ୍ଗିଗଲା । ସେଇଦିନୁ ଏକ ଶୋକ ସଙ୍ଗୀତର ସ୍ୱର ମୂର୍ଚ୍ଛନା ଝିଅର ମନକୁ ଆଚ୍ଛନ୍ନ କରି ରଖିଥିବା ଭଳି ସେ ଅନୁଭବ କରୁଛନ୍ତି । ବିବାହ କଥା ପଡ଼ିଲେ ସେ ହଠାତ ଅନ୍ୟମନସ୍କ ହୋଇଥାଏ । ଯୌତୁକ ପ୍ରସଙ୍ଗ ଉଠିଲେ ତା’ର ମୁହଁ ସକରୁଣ ବେଦନାରେ ଛଳ ଛଳ ହୋଇ ଉଠେ ।

 

ଝିଅ ବାଡ଼ୁଅ ଥିଲେ ଅନେକ ସ୍ଥାନରେ ବିବାହ ପ୍ରସ୍ତାବ ପଡ଼େ । ସବୁଠାରେ ବରପକ୍ଷ ରାଜି ହୁଅନ୍ତି ନାହିଁ, କିମ୍ବା ସବୁ କ୍ଷେତ୍ରରେ ଝିଅ ପକ୍ଷ ବିବାହ ପାଇଁ ସମ୍ମତି ଦିଅନ୍ତି ନାହିଁ । ବିବାହ ପ୍ରଜାପତି ଘଟସୂତ୍ର ନ କରିବାକୁ ଏମିତି ଜିଦ୍‌ ଧରି ବସିଛି କାହିଁକି ?

 

ଜାନକୀବାବୁ କଣ୍ଠ କୋମଳ କରି ବୁଝାଇଥିଲେ, ପୁଅ ଝିଅ ଯେତେ ପାଠ ପଢ଼ିଲେ ବି ଯୌତୁକ ଦାବୀ ନକମି ସବୁଠାରେ ବଢ଼ିବାରେ ଲାଗିଛି । କାରଣ ସମସ୍ତେ ଝିଅ ବିବାହ ଦେବାବେଳେ ‘ସତ୍‌ ପାତ୍ର’ ଖୋଜନ୍ତି ଏବଂ ସତ୍‌ ପାତ୍ରଙ୍କ ସଂଖ୍ୟା କୌଣସି ଦେଶରେ କୌଣସି କାଳରେ ବେଶୀ ନ ଥିଲା କିମ୍ବା ବର୍ତ୍ତମାନ ନାହିଁ । ତେଣୁ ସୁନ୍ଦରୀ ଅସୁନ୍ଦରୀ, ଭଲ ମନ୍ଦ ସବୁ ଝିଅର ଅଭିଭାବକମାନେ ଯଦି ସଚ୍ଚରିତ୍ର ଉପାର୍ଜ୍ଜନକ୍ଷମ ଓ ସୁନ୍ଦର ଶିକ୍ଷିତ ସତ୍‌ପାତ୍ର ଖୋଜନ୍ତି, ତାହାହେଲେ ସତ୍‌ପାତ୍ରମାନେ ଯେ ବିବାହ ବାଜାରରେ ନିଜର ମୂଲ୍ୟବୃଦ୍ଧି କରିବେ, ଏଥିରେ ଚିନ୍ତିତ ହେବାର କଅଣ ଅଛି ?

 

ବାପାଙ୍କ ମୁହଁକୁ ଅର୍ଦ୍ଧ-ଆନତ ଦୃଷ୍ଟି ତୋଳି ଚାହିଁଲା ମୌସୁମୀ ତାଙ୍କର କହିବା କଥାର; ଆନ୍ତର୍ନିହିତ ଅର୍ଥକୁ ବୁଝିବାକୁ ସେ ଚେଷ୍ଟାକଲା ।

 

ଜାନକୀବାବୁ ତାକୁ ପୁଣି ବୁଝାଇଲେ, ଆମର ଯୌତୁକ ଦେବାର କ୍ଷମତା ନାହିଁ ବୋଲି, ଯୌତୁକ ଦାବି କରୁଥିବା ସତ୍‍ପାତ୍ରଙ୍କୁ ନିନ୍ଦାକରି ଲାଭ ନାହିଁ । ଯେଉଁମାନେ ଯୌତୁକ ଦାବି କରନ୍ତି, ସେମାନଙ୍କ ପ୍ରତି ତୋ ଭଳି ଶିକ୍ଷିତା ଝିଅଙ୍କର ଘୃଣାଭାବ କଥା ଜାଣେ । କିନ୍ତୁ ମାଆ ! ବିବାହ ଜୀବନ ସଉଦା କଥା । ଏଥିରେ ଘୃଣା, ନିନ୍ଦା, ଆଦର, ପ୍ରଶଂସାର କିଛି ଅର୍ଥ ନାହିଁ । ଏ ସମାଜ ଏକ ଅର୍ଥ ସର୍ବସ୍ୱ, ପୁଞ୍ଜିବାଦୀ ସମାଜ । ଏ ସମାଜ ଅବସ୍ଥା ନ ବଦଳିବା ଯାଏ ଏ ସମାଜର ସବୁ ଲୋକଙ୍କଠାରୁ ମାନବିକତା ଆଶା କରିବା ଅନ୍ୟାୟ । ତୁ ଅକାରଣରେ ନିଜ ଉପରେ ଅଭିମାନ କରି ବିବାହ ନ କରିବାକୁ ଜିଦ୍‌ ଧରି ନାହିଁ । ମୁଁ ଯୌତୁକ ଅଭିମାନ କରି ବିବାହ ନ କରିବାକୁ ଜିଦ୍‌ ଧର ନାହିଁ । ମୁଁ ଯୌତୁକ ଟଙ୍କା ଯେପରି ହେଉ ଯୋଗାଡ଼ କରିବି । ଭଗବାନ ଯେତେବେଳେ ତୋ’ ଭଳି ଲକ୍ଷ୍ମୀକୁ ଜନ୍ମ ଦେଇଛନ୍ତି, ସେ ନିଶ୍ଚୟ ତୋ ବିବାହ ପାଇଁ ପାଥେୟ ସଂଗ୍ରହ କରିବାକୁ ଶକ୍ତି ଦେବେ ।

 

ଯୁକ୍ତି ଯେତେବେଳେ ହାର୍‍ ମାନେ, ଈଶ୍ୱରଙ୍କ ଉପରେ ଭକ୍ତି ସେତେବେଳେ ଠୁଳ ହୁଏ । ଯୁକ୍ତି କଲେ ଈଶ୍ୱରଙ୍କୁ ଭକ୍ତି କରି ହୁଏ ନାହିଁ; ଆଉ ମଣିଷର ସବୁ ଯୁକ୍ତି ଯେତେବେଳେ ଏକ ଶ୍ୱାସରୋଧୀ ନିଃସହାୟତା ମଧ୍ୟରେ ବିଲୀନ ହୋଇଯାଏ, ମଣିଷ ଈଶ୍ୱର ନାମକ ଏକ ଅଦୃଶ୍ୟ ଶକ୍ତି ଉପରେ ହାତଭରା ଦେଇ ଠିଆ ହେବାକୁ ଚେଷ୍ଟା କରେ ।

 

ମୌସୁମୀ ନୀରବରେ, ବାପାଙ୍କର ଯୌତୁକ ଦେଇ ନ ପାରିବାର ଅସହାୟ ଭାବ ଈଶ୍ୱରଙ୍କ ଉପରେ ଅଚଳାଚଳ ବିଶ୍ୱାସକୁ ଲକ୍ଷ୍ୟ କଲା । ସାମାନ୍ୟ ସ୍କୁଲ ଶିକ୍ଷକ ବାପା । ପୈତୃକ ସମ୍ପତ୍ତି ସେପରି କିଛି ବିଶେଷ ସଞ୍ଚିତ ନାହିଁ । ଛୋଟ ଛୋଟ ଦୁଇ ଭାଇ ଓ ସେ ନିଜେ ବାପାଙ୍କ ଉପରେ ବୋଝ ହୋଇ ରହିଛନ୍ତି । ତାକୁ ପାଠ ପଢ଼ାଇଲେ ହୁଏତ ବିନା ଯୌତୁକରେ ବିବାହ କରିବାକୁ ସହଜରେ ସତ୍‌ପାତ୍ର ମିଳିଯିବେ, ଏଇ ଭରସାରେ ବହୁ ଅଭାବ ଅସୁବିଧା ମଧ୍ୟରେ ସୁଦ୍ଧା ସେ ତାକୁ ଉଚ୍ଚଶିକ୍ଷା ଦେଇଥିଲେ, କିନ୍ତୁ ସବୁ କେମିତି ହଠାତ୍‌ ଗୋଳମାଳ ହୋଇଗଲା । ସବୁ ହିସାବ ପତ୍ର ଭୁଲ୍‌ ବୋଲି ପ୍ରମାଣିତ ହୋଇଗଲା । ବାପା ଏଥିପାଇଁ ପୁଞ୍ଜିବାଦୀ ସମାଜ ବ୍ୟବସ୍ଥାକୁ ଦାୟୀ କରୁଛନ୍ତି; କିନ୍ତୁ ମୌସୁମୀ ଜାଣେ ସେ ନିଜେ ଏଥିପାଇଁ ଦାୟୀ । ତା’ ନିଜର ଏକ ନିର୍ବୋଧ ଖିଆଲ ପାଇଁ ଅତନୁ ତାଙ୍କ ପାରିବାରିକ ଜୀବନର ସବୁ ସୁଖ ଶାନ୍ତିକୁ ବିପର୍ଯ୍ୟସ୍ତ କରି ଦେଇଗଲା ।

 

ନିଜ ଭ୍ରମରେ ସେ ନିଜେ ହିଁ ପ୍ରାୟଶ୍ଚିତ କରିବ ।

 

ସେଥିପାଇଁ ସେ ସ୍ଥିର କରିଛି, ସେ ବିବାହ କରିବ ନାହିଁ ।

 

କିନ୍ତୁ ବାପାଙ୍କ କଥାରେ ପ୍ରତିବାଦ କରିବାକୁ ତା’ର ସାହସ ହେଲା ନାହିଁ । କାରଣ ସେ ଜାଣେ, ଯୌତୁକ ଟଙ୍କା ଯୋଗାଡ଼ କରି ଝିଅକୁ ବିବାହ ଦେବେ ବୋଲି ଏଇ କେତେଦିନ ହେଲା ସେ ମନେ ମନେ ଯେଉଁ ଅସମ୍ଭବ ମଧୁର ସ୍ୱପ୍ନକୁ ଲାଳନ ପାଳନ କରୁଛନ୍ତି, ତା’ର ସାମାନ୍ୟ ପ୍ରତିବାଦରେ ସୁଦ୍ଧା ସେ ସ୍ୱପ୍ନ ତାଙ୍କର ଭାଙ୍ଗିଯିବ ।

 

ନିଃସହାୟ ଲୋକ ସ୍ୱପ୍ନକୁ ପୁଞ୍ଜି କରି ବଞ୍ଚିବାର ସ୍ୱପ୍ନ ଦେଖେ ।

 

ସେ ସ୍ୱପ୍ନକୁ ଭାଙ୍ଗି ଦେବା ହିଁ ପାପ । ମୌସୁମୀ ନିଜ ମନର ଆବେଗକୁ ବହୁ କଷ୍ଟରେ ସଂଯତ କରିନେଲା । ବାପାଙ୍କ ମୁହଁକୁ ନ ଚାହିଁ ତଳକୁ ଚାହିଁଲା ଏବଂ ଗୋଡ଼ ନଖରେ ସିମେଣ୍ଟ ଚଟାଣ ଉପରେ ଗାର କାଟିବାକୁ ବୃଥା ଚେଷ୍ଟା କଲା ।

 

ବାପା ବିଦାୟ ନେଇ ଉଠିବାକୁ ବସୁଥିଲେ । ତାଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ କହି ନିଜ ଶୟନ କକ୍ଷକୁ ଛୁଟିଗଲା ମୌସୁମୀ । ତା’ପରେ ଚାରିଶହ ଟଙ୍କାର କାଗଜ ନୋଟ୍ ଆଣି ବାପାଙ୍କ ହାତକୁ ବଢ଼ାଇ ଦେଲା । ଏ ତା’ର ଚାରିମାସର ସଞ୍ଚିତ ଅର୍ଥ–ନିଜ ଖର୍ଚ୍ଚ ପରେ ଦରମା ଟଙ୍କାର ଅବଶିଷ୍ଟାଂଶ ।

 

ଜାନକୀବାବୁ ଟଙ୍କା ନେବା ପାଇଁ ପ୍ରଥମେ ହାତ ବଢ଼ାଉଥିଲେ, ତା’ପରେ ତାଙ୍କ ହାତ ପଛକୁ ଫେରି ଆସିଲା । ସେ ସ୍ନେହ–ସଜଳ କଣ୍ଠରେ କହିଲେ, ଏ ଟଙ୍କା ତୁ ପାଶ୍‌ବୁକ୍‌ରେ ପୋଷ୍ଟ ଅଫିସରେ ରଖିଦେବୁ ମାଆ ! ମୁଁ ତ ଆଉ ଦୁଇଟା ଟିଉସନ କରୁଛି–ଘରେ କିଛି ଟଙ୍କା ପଇସା ଦରକାର ନାହିଁ... !

 

ବାପା ଏ ବୟସରେ ଆଉ ଦୁଇଟା ଟିଉସନ୍‌ କରୁଛନ୍ତି !

 

ସେ ଟଙ୍କା ପୋଷ୍ଟ ଅଫିସରେ ସେଭିଙ୍ଗ୍‌ ଆକାଉଣ୍ଟରେ ରଖିଦେବ !

 

ବାପାଙ୍କ ଇଙ୍ଗିତ ବେଶ୍‌ ବୁଝି ପାରିଲା ମୌସୁମୀ । ବିନ୍ଦୁ ବିନ୍ଦୁ ଲୁଣି ଲୁହରେ ତା’ର ଆଖି ଦୁଇଟି ଓଦା ହୋଇଗଲା ।

 

ଜାନକୀବାବୁ ପାଖକୁ ଆସି ତା’ ମୁଣ୍ଡର କେଶକୁ ସାଉଁଳି ଦେଲେ । ତା’ ମୁଣ୍ଡକୁ ଛାତିରେ ଚାପି ଧରି କହିଲେ; ସବୁ ଠିକ୍‌ ହୋଇଯିବ ମାଆ ! ଉପରେ ଈଶ୍ୱର ଅଛନ୍ତି ।

 

ଉପରେ ଈଶ୍ୱର ଅଛନ୍ତି କି ନାହିଁ ସେ କଥା ଦେଖିବା ପାଇଁ ମୌସୁମୀ ମୁଣ୍ଡଟେକି ଚାହିଁଲା ନାହିଁ । କଥା କହିବା ପାଇଁ କୋହରେ ତା’ର କଣ୍ଠରୁଦ୍ଧ ହୋଇ ଆସୁଥିଲା । ସେ ଅନେକ ସମୟ ବାପାଙ୍କ ଛାତିରେ ମୁହଁ ଜାକି ଠିଆ ହୋଇ ରହିଲା । ମନେ ହେଲା, ବାପାହିଁ ତା’ର ଈଶ୍ୱର ।

 

ଜାନକୀ ବାବୁ ଚାଲି ଆସୁଥିଲେ ।

 

ମୌସୁମୀ କହିଲା : ବାବା !

 

ଆଉ କିଛି କହିବୁ ? ଜାନକୀବାବୁ ପଛକୁ ଫେରି ଚାହିଁଲେ ।

 

ମୌସୁମୀ ସାମାନ୍ୟ ଇତସ୍ତତଃ ହେଲା । ତା’ପରେ ସାହସ ସଞ୍ଚୟ କରି କହିଲା, ଆମ ସ୍କୁଲର ବାର୍ଷିକ ଉତ୍ସବ ହେଉଛି । ଉତ୍ସବରେ ମତେ ଗୋଟିଏ ନୃତ୍ୟ ପରିବେଷଣ କରିବା ପାଇଁ ମିସ୍‌ ନାୟକ ଜିଦ୍‌ ଧରିଛନ୍ତି ।

 

ଜାନକୀବାବୁ ହସି ହସି ଉତ୍ତର ଦେଲେ, ଏଥିରେ ଭାବିବାର କଅଣ ଅଛି ? ତମ ସ୍କୁଲର ଉତ୍ସବ । ସେ ଉତ୍ସବକୁ ସଫଳ କରିବା ତ ତମର କର୍ତ୍ତବ୍ୟ ! ଆଉ ତୁ ଯେତେବେଳେ ଭଲ ନାଚ ଶିଖିଛୁ...

 

ଜାନକୀବାବୁ କଥା ଶେଷ ନ କରି ହସିଲେ । ଖୁବ୍‌ ଉଚ୍ଚ ଆଶା ରଖି ସେ ଝିଅକୁ ନାଚ ଶିଖାଇଥିଲେ । ସେ ଆଶା ବର୍ତ୍ତମାନ ସ୍କୁଲ ବାର୍ଷିକ ଉତ୍ସବର ନୃତ୍ୟ ପରିବେଷଣ ମଧ୍ୟରେ ସୀମିତ ହୋଇ ରହିଯାଇଛି । ହୁଏତ ସୁଯୋଗ ମିଳିଲେ ମୌସୁମୀ ରାଜ୍ୟ ସାରା ନାମ କରିବ... ।

 

ସେ ଚାଲିଗଲେ । ବସ୍‌ଷ୍ଟାଣ୍ଡରେ ପହଞ୍ଚିବାକୁ ଅଧଘଣ୍ଟାଏ ଲାଗିବ ବସ ଛାଡ଼ିବା ସମୟ ହୋଇଗଲାଣି ।

 

ବାପା ଚାଲିଗଲା ପରେ ପୁଣି ନିଜ ଶୟନକକ୍ଷକୁ ଫେରି ଆସିଲା ମୌସୁମୀ । କମଳିନୀ ପଛରୁ ଡାକୁଥିଲା, ଏ ପର୍ଯ୍ୟନ୍ତ ଗାଧୋଇଲ ନାହିଁ ଯେ ମୌସୁମୀ !

 

ଆଜି ତ ରବିବାର ! ଟିକିଏ ଡେରିରେ ଗାଧୋଇବ । ଉତ୍ତର ଦେଇ ସେ ନିଜ ବିଛଣା ଉପରେ ଆସି ଲୋଟି ପଡ଼ିଥିଲା ।

 

ଆଖି ବୁଜି ଶୋଇବାକୁ ଚେଷ୍ଟା କରିଥିଲା । ପୂର୍ବାହ୍ନର ଆଲୋକ ସମାରୋହ ମଧ୍ୟରେ ସେ ନିଜ ମନରେ ଅନ୍ଧକାରର ଭ୍ରାନ୍ତି ସୃଷ୍ଟି କରିବାକୁ ଜୋର କରି ଆଖି ବନ୍ଦ କରିଦେଲା । କାରଣ ବାପାଙ୍କ ପାଖରୁ ଫେରିଲା ପରେ ତା’ର କିପରି ଧାରଣା ହେଉଥିଲା, ଯେଉଁ କଥାକୁ ଭୁଲିଯିବା ପାଇଁ ସେ ଏଠାରେ ନିର୍ବାସିତା ଜୀବନ ବରଣ କରି ନେଇଥିଲା, ସେ କଥା ଏଣିକି ବେଶି ବେଶି ତା’ର ମନେପଡ଼ିବ । ଚେଷ୍ଟା କରି ମଧ୍ୟ ସେ ଅତନୁର ଆଘାତକୁ ଭୁଲି ପାରିବ ନାହିଁ ।

 

ଅତନୁ ସେଦିନ କହିଥିଲା, ପାହାଡ଼ର ସବୁ ନଦୀ ସମୁଦ୍ର–ସଙ୍ଗମ କରନ୍ତି ନାହିଁ ମୌସୁମୀ ! ଅନେକ ଶୀର୍ଣ୍ଣ–ସ୍ରୋତା ନଦୀ ସମୁଦ୍ର ପାଖରେ ପହଞ୍ଚିବା ଆଗରୁ ମରୁଭୂମିର ଦିଗହୀନ ବାଲୁକା ଶଯ୍ୟାରେ ପଥ ହରାଇ ମୃତ ନଦୀରେ ପରିଣତ ହୁଅନ୍ତି ।

 

ମଲା ନଈରେ ବଢ଼ି ଆସେନା, ବଢ଼ି ଆସେନା !

 

।। ୭ ।।

 

ପ୍ରସଙ୍ଗଟା ପ୍ରଥମେ ଉତ୍‌ଥାପନ କରିଥିଲା ପ୍ରତିମା ।

 

ଜାଣୁନା ! ମଞ୍ଜୁଳା ହିରୋଇନ୍‌ ହେଉଛି !

 

କମଳିନୀ ମୁହଁରେ କୌଣସି ଚାଞ୍ଚଲ୍ୟ ସୃଷ୍ଟି ନ କରି ଉତ୍ତର ଦେଇଥିଲା, ଆଜି ନୁହେଁ, ଏ କଥା ମୁଁ ଅନେକ ଦିନୁ ଜାଣିଛି ।

 

ଏଥର ସତରେ ଭୀଷଣ ଚମକିଗଲା ପ୍ରତିମା । ଆଖି ମିଟି ମିଟି କରି କହିଲା, ଦେଖୁଛି ତୁ ଗୋଟାଏ ଚୁପ୍‌ ସଇତାନ୍‌ ଅଛୁ । ଏତେଦିନ ହେଲା ଜାଣିଲୁଣି, ଅଥଚ ମୋତେ କହିନୁ !

 

ତମେ କଅଣ ଆଜି ଜାଣିଲ ! ସ୍କୁଲ କଥା ଛାଡ଼, ଏ ଅଞ୍ଚଳରେ କିଏ ସେ କଥା ନ ଜାଣେ ଯେ ! ହିରୋ ତ ଆସିଲେ ସେ ତୋଟା ଗଛମୂଳେ ଠିଆ ହୋଇ ଗଳ୍ପ କରୁଥିବେ ଯେ ଅସରନ୍ତି ଗଳ୍ପ... !

 

ପ୍ରତିମାର ସନ୍ଦେହ ହେଲା ।

 

ସେ ପଚାରିଲା, ତୁ କଅଣ ମୃଣାଳ ବାବୁଙ୍କ କଥା କହୁଛୁ !

 

ନା, ମୁଁ ତାଙ୍କ ହିରୋଇନ୍‌ ହେବା କଥା କହୁନି । ମଞ୍ଜୁଳା ଫିଲ୍ମର ହିରୋଇନ୍‌ ହେଉଛି...-

 

ପ୍ରତିମାର କଥା ଶୁଣି ଅନେକ ସେକେଣ୍ଡ ପର୍ଯ୍ୟନ୍ତ କମଳିନୀ ଆଖିରେ ପଲକ ପଡ଼ିଲା ନାହିଁ । ଖୁବ୍‌ ସମ୍ଭବତଃ ସେ ପ୍ରତିମା କଥାକୁ ଅବିଶ୍ୱାସ କରୁଥିଲା ।

 

ସତ କହୁଛୁ ?

 

ଆଖି ଛୁଇଁବି ?

 

ନା । ତତେ କିଏ କହିଲା ?

 

ସ୍ୱୟଂ ଚିତ୍ର ତାରକା । ମୋ ରାଣ, ତାକୁ ମୁଁ କହୁଥିଲି ବୋଲି କହିବୁ ନାହିଁ । ଏ କଥା କାହାକୁ ନ କହିବାକୁ ସେ ବାରମ୍ବାର କହିଥିଲା । ତୁ ଜାଣୁନା ଯେଉଁ କେତେ ଜଣ ମିଶି ଏ ଫିଲ୍ମ ତିଆରି କରିବେ, ସେମାନଙ୍କ ମଧ୍ୟରେ ମୃଣାଳ ବାବୁ ହେଉଛନ୍ତି ପ୍ରଧାନ... ।

 

ପ୍ରତିମା କଥା କହିଲା ବେଳେ ମନେ ହେଉଥିଲା, ମଞ୍ଜୁଳାର ଚଳଚ୍ଚିତ୍ର ଅଭିନେତ୍ରୀ ହେବା ସମ୍ବାଦରେ ସେ ଖୁବ୍‌ ଉତ୍ତେଜିତ ଓ ଈର୍ଷାତୁର ହୋଇପଡ଼ିଛି । କିନ୍ତୁ ସବୁ କଥା ଶୁଣି ସାରିଲା ପରେ ମଧ୍ୟ କମଳିନୀଠାରେ କୌଣସି ବିଶେଷ ଭାବାନ୍ତର ଲକ୍ଷ୍ୟ କରାଗଲା ନାହିଁ ।

 

ସେ ନିର୍ଲିପ୍ତ ଭାବରେ କହିଲା, ଫିଲ୍ମ ନିର୍ମାଣରେ ମୃଣାଳବାବୁଙ୍କ ବଡ଼ ଅଂଶ ଅଛି ବୋଲି ଯେ ମଞ୍ଜୁଳା ହିରୋଇନ୍‌ ହେଉଛି, ଏ ଧାରଣା ହୁଏତ ଠିକ୍‌ ନୁହେଁ । ସେଥିପାଇଁ ତା’ର ମଧ୍ୟ ଚମତ୍କାର ଚେହେରା ଅଛି । ସତ କହିବି ? ପ୍ରଥମେ ଯେଉଁଦିନ ସ୍କୁଲରେ ମୁଁ ମଞ୍ଜୁଳାକୁ ଦେଖିଲି, ସେଦିନ ମୋର ଜଣେ ଫିଲ୍‌ମ ଷ୍ଟାରକୁ ଦେଖିଲା ଭଳି ମନେ ହୋଇଥିଲା ।

 

କମଳିନୀର ଉତ୍ତର ହୁଏତ ପ୍ରତିମାକୁ ଭଲ ଲାଗିଲା ନାହିଁ । ସେ ଜାଣେ, ସେ ଦୁଇଜଣଙ୍କ ଠାରୁ ମଞ୍ଜୁଳା ସୁନ୍ଦରୀ; କିନ୍ତୁ ସେ କଥା ବାରମ୍ବାର ଅନ୍ୟମାନଙ୍କ ଠାରୁ ଶୁଣିଲେ, ତାକୁ ସେ କଥା ଶ୍ରୁତିକଟୁ ମନେ ହୁଏ ।

 

ସେ ଇଷତ୍‌ ବିଦ୍ରୂପ କରି କହିଲା, ତୁ କଅଣ ମଞ୍ଜୁଳାଠାରୁ ଦେଖିବାକୁ ଏତେ ଅସୁନ୍ଦରୀ-? ତତେ କାହିଁକି ଅଭିନେତ୍ରୀ ହେବାକୁ କେହି ଡାକୁ ନାହାନ୍ତି !

 

କମଳିନୀ ଜାଣେ ତା’ର ରୂପକୁ ବିଦ୍ରୂପ କରି ପ୍ରତିମା ତାକୁ ଆଘାତ ଦେବାପାଇଁ ସେ କଥା କହୁଥିଲା । କିନ୍ତୁ ସେଥିଲେ ସେ ଆଦୌ ଆହତ ହେଲା ନାହିଁ । ଅଭିଜ୍ଞତା ଅନେକ ପରିମାଣରେ ତାକୁ ସହନଶୀଳତା ଶିକ୍ଷା ଦେଇଛି । ପ୍ରତିମାର କଥା ଶୁଣି ସେଥିପାଇଁ ହସିବାକୁ ଚେଷ୍ଟାକଲା ଏବଂ ନିଜ ଚେହେରା ସମ୍ପର୍କରେ ପ୍ରତିମାକୁ ଏକ ସ୍ପଷ୍ଟ ଧାରଣା ଦେବାପାଇଁ କହିଲା : ମୁଁ ହେଉଛି ମାଟି କୁଣ୍ଡର କ୍ରୋଧନ ଗଛ...ମୋର ଫୁଲ ନାହିଁ କି ସୁବାସ ମଧ୍ୟ ନାହିଁ । ମୋ ଆଡ଼କୁ ଚଲାପଥର ପଥିକ ପଛକୁ ଫେରି ଚାହିଁବ କାହିଁକି ?

 

ପ୍ରତିମା ନିଜ ତୀରରେ ନିଜେ ହିଁ ଆହତ ହେଲା । ନିଜକୁ ସାମାନ୍ୟ ବୋଲି ସ୍ୱୀକାର କରି ଦେଇ ପ୍ରତିମା ଆଖିରେ ସେ ହଠାତ୍ ବଡ଼ ହୋଇଗଲା । ସଂସାରରେ ଅନେକ ଅସୁନ୍ଦରୀ ଝିଅ ସେ ଦେଖିଛି; କିନ୍ତୁ କମଳିନୀ ଭଳି ଏତେ ସ୍ପଷ୍ଟବାଦିନୀ ସେ କାହାକୁ ହେଲେ ଲକ୍ଷ୍ୟ କରି ନାହିଁ । ସ୍କୁଲର ସବୁ ଶିକ୍ଷୟିତ୍ରୀଙ୍କ ମଧ୍ୟରେ କମଳିନୀ ହେଉଛି ତା’ର ଅନ୍ତରଙ୍ଗ । ମଞ୍ଜୁଳା ଆଉ ମୌସୁମୀ ସହିତ ମିଶିବାକୁ ଚେଷ୍ଟାକରି ସୁଦ୍ଧା ସେ କେବେ ମିଶିପାରି ନାହିଁ । ଅଥଚ ସେ ଆପେ ଟାଣି ହୋଇଯାଇଛି କମଳିନୀ ପାଖକୁ । ସେ ରୋଗରେ ପୀଡ଼ିତ ହେଲେ, ଆହାର–ନିଦ୍ରା ଭୁଲି କମଳିନୀ ତା’ର ସେବା କରିଛି । ତା’ର ସାୟା, ବ୍ଳାଉଜ କିମ୍ବା ଶାଢ଼ି ମଇଳା ହେଲେ ସେ ତାକୁ ସଫା କରି ଇସ୍ତ୍ରୀ ଦେଇଛି । ଶୋଇଲାବେଳେ ମଶାରି ପକାଇବାକୁ ସେ କେବେ ଭୁଲି ନାହିଁ । ଆଉ ଦୁଃଖ କିମ୍ବା ଶୋକରେ କେବେ ଯଦି ତା’ର ଆଖିପତା ଓଦା ହୋଇଛି, ସେ ଆର୍ଦ୍ରତା ଆପେ ଆପେ ସଂକ୍ରମିତ ହୋଇଯାଇଛି କମଳିନୀର ଦୁଇ ଆଖିକୁ !

 

ତଥାପି ବେଳେ ବେଳେ କମଳିନୀକୁ କଥାରେ କଥାରେ ଆହତ ନ କଲେ ତାକୁ କିଛି ଭଲ ଲାଗେ ନାହିଁ । ସେ କମଳିନୀର ରୂପକୁ ବିଦ୍ରୁପ କରେ, ଯଦିଓ ତା’ ନିଜ ରୂପ କିଛି ଉର୍ବଶୀ ଭଳି ନୁହେଁ ! ଆଉ ଆଶ୍ଚର୍ଯ୍ୟ ! କମଳିନୀ କେବେହେଲେ ତା’ ରୂପକୁ ନିନ୍ଦାକରି ନାହିଁ !

 

ପ୍ରତିମା ଆକସ୍ମିକ ଭାବରେ କମଳିନୀ ପାଇଁ ନିଜ ମନ ଭିତରେ ଗଭୀର ସମବେଦନା ଅନୁଭବ କଲା । ଶିକ୍ଷୟିତ୍ରୀ ଭାବରେ ଏହି ଶିକ୍ଷୟିତ୍ରୀ ନିବାସରେ ରହିଲାଦିନୁ କମଳିନୀର ରୂପକୁ ସେ ଯେତିକି ଯେତିକି ନିନ୍ଦା କରିଛି, କମଳିନୀ ତା’ର ସେତିକି ପାଖକୁ ଘୁଞ୍ଚି ଆସିଛି । ସେମାନଙ୍କ ଘନିଷ୍ଠତା ଏପରି ଏକ ସ୍ତରରେ ପହଞ୍ଚିଛି ଯେ ବିଚ୍ଛିନ୍ନତା କଥା ଚିନ୍ତାକଲେ ସେମାନଙ୍କୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଯାଉଛି !

 

ପ୍ରତିମା କମଳିନୀର ଶଯ୍ୟା ପାଖକୁ ଘୁଞ୍ଚି ଆସିଲା ।

 

କହିଲା : ଝରକା ବନ୍ଦ କରିଛୁ କାହିଁକି ? ବାହାରେ ଜହ୍ନ ପଡ଼ିଛି ।

 

କମଳିନୀ କହିଲା; ଝରକା ଖୋଲା ରଖିଥିଲି ଯେ, ସେ ଲୋକଟା ବେଶୀ ସମୟ ଖୋଲା ରଖେଇ ଦେଲାନାହିଁ–

 

ପ୍ରତିମା ଛାତିରୁ ଗୋଟାଏ ଅତଡ଼ା ଖସି ପଡ଼ିଲା ଭଳି ତାକୁ ଜଣାଗଲା । ସେ ଶଙ୍କିତ କଣ୍ଠରେ ପଚାରିଲା; କେଉଁ ଲୋକ ?

 

ଚମକି ପଡ଼ିଲୁ ଯେ ? ସେ ଲୋକକୁ ଜାଣୁନା କଅଣ ? ସେଇ ଲୋକଟାକୁ ମୁଁ ଜାଣିବି କେମିତି ? କିନ୍ତୁ ଲାଇଟ୍‌ପୋଷ୍ଟ ପାଖରେ ଏଇ ଝରକା ଆଡ଼କୁ ପାଟି ଆଁ କରି ଅନେଇ ଅନେଇ ଠିଆ ହୋଇଥିଲା ସଞ୍ଜବେଳଠାରୁ । ମତେ ଭୟ ଲାଗିଲା । ଝରକା ଦେଇ ଦେଇଛି । କମଳିନୀ କଥା ଶେଷକରି ଝରକା ଖୋଲିଲା ଏବଂ ଝରକାବାଟେ ତଳକୁ ଚାହିଁ କହିଲା; ନା ସେ ଲୋକ ଆଉ ନାହିଁ । ଚାଲି ଗଲାଣି । ବୋଧହୁଏ ପାଗଳାଟାଏ !

 

କମଳିନୀ କଥାକୁ ବିଶ୍ୱାସ କଲା ପ୍ରତିମା ।

 

କହିଲା : ନା, ପାଗଳ ନୁହେଁ, ପ୍ରେମିକ । ଅନେକ ପୁରୁଷ ଅଛନ୍ତି ଅବିବାହିତା ଝିଅ ଦେଖିବା ମାତ୍ରେ ସେମାନେ ନିଜକୁ ତା’ର ପ୍ରେମିକ ବୋଲି ମନେ କରନ୍ତି, ଆଉ ରାସ୍ତା ଘାଟରେ ପାଟି ଆଁ କରି ଅନାନ୍ତି । ମୁଁ ଥରେ କଟକ ବସ୍‌ଷ୍ଟାଣ୍ଡରେ ଏମିତି ଗୋଟିଏ ଲୋକ ଦେଖିଥିଲି । ବୋଧହୁଏ ମାରଓ୍ୱାଡ଼ି କିମ୍ବା ସିନ୍ଧି ଲୋକ ହେବ । ମତେ ଦେଖି ପାଟି ଆଁ କରି ଅନେକ ସମୟ ଅନେଇ ରହିଲା । ତୁ ସିନା ଏ ଲୋକକୁ ଝରକା ବାଟେ ଦେଖି ଡରିଗଲୁ; ମୁଁ କିନ୍ତୁ ବସ୍‌ଷ୍ଟାଣ୍ଡରେ ଏକାକିନୀ ଅବସ୍ଥାରେ ତାକୁ ଦେଖି ସୁଦ୍ଧା ହସି ପକାଇଲି । ତା’ ପାଖକୁ ଯାଇ ପଚାରିଲି, ଆଁ କରି ଅନେଇଛନ୍ତି କାହିଁକି ? ମତେ କଅଣ ଗୋଟିସୁଦ୍ଧା ଗିଳିଦେବେ ? ମୋ କଥା ଶୁଣି ତା’ ଦୁଇ ମେଲା ପାଟି ସାଙ୍ଗେ ସାଙ୍ଗେ ବନ୍ଦ ହୋଇଗଲା ଆଉ ସେ ମୋ ମୁହଁକୁ ନ ଚାହିଁ ଚୋରଙ୍କ ଭଳି ଏମିତି ପଳାଇଲା ଯେ...

 

ତା’ କଥା ଶୁଣି କମଳିନୀ ହସି ପକାଇଲା । କହିଲା,; ଆଜିକାଲି ପୁଅଗୁଡ଼ାକ କେମିତି କାଙ୍ଗାଳିଆ ହୋଇ ଗଲେଣି । ରାସ୍ତାଘାଟରେ ଏକାକିନୀ ଗୋଟିଏ ଝିଅ ଦେଖିଲେ, ଚାଲିଲା ଆଖିମରା, ହିନ୍ଦି ଫିଲିମ୍‌ ଗୀତ ବୋଲା ନ ହେଲେ ଗଳା ଖଙ୍କାରିବା, ଫୁଙ୍କିଦେଲେ ପଛେ ଉଡ଼ିଯିବେ–

 

ବାହାରେ ସତରେ ଭାରି ଚମତ୍କାର ଜହ୍ନ ପଡ଼ିଥିଲା ।

 

ଜହ୍ନ ଆଲୁଅରେ ରାସ୍ତା ସେପଟ କେନାଲ ବନ୍ଧ, ଖୋଲା କଡ଼ିଆ, କିଆଗୋହରି ଏବଂ ଦୃଷ୍ଟି ଲମ୍ବାଇଲେ ଆହୁରି ଦୂରକୁ ଧାନ କିଆରୀ ବହିର ଛବି ଭଳି ଦେଖାଯାଉଥିଲା । ପ୍ରତିମା କହିଲା : ମୌସୁମୀ ଆଉ ମଞ୍ଜୁଳା ବୋଧହୁଏ ରିହରସାଲ୍‌ରୁ ଫେରୁ ଫେରୁ ବାରଟା ବାଜିଯିବ । ଆଲୁଅ ଲିଭାଇଦେ, ଶୋଇ ପଡ଼ିବା ତୋ ବିଛଣାରେ, ତୋ ପାଖରେ କେଉଁଦିନୁ ଶୋଇନି–

 

ପ୍ରତିମା ଡାହାଣ ହାତ ଅଙ୍ଗୁଳିଗୁଡ଼ାକ ଫୁଟାଇ ଦେଉ ଦେଉ କମଳିନୀ କହିଲା : ଜାଣିଛୁ ନା ସେ ପାଦ୍ରୀ ଆସିଥିଲା ମିସ୍‌ ନାୟକଙ୍କ କୋଠିକୁ ? ମୁଁ ମିସ୍‌ ନାୟକଙ୍କ ସହିତ ତାଙ୍କ ଡ଼୍ରଇଂ ରୁମ୍‌ରେ ବସି କଥାବାର୍ତ୍ତା ହେଉଥିଲି । ପାଦ୍ରୀଙ୍କ ପାଟି ଯେମିତି ଶୁଭିଛି, ଆଃ, ଆଉ ବୁଢ଼ୀ ମୁହଁରେ ଯେମିତି ଦଶଟା ଶହେ ପାଓ୍ୱାର ହସର ବିଜୁଳିବତୀ ହଠାତ୍‌ ଜଳି ଉଠିଲା !

 

: କିଏ ? ସେଇ ସାଇମନ୍‌ ସାହେବ ତ ? ବୟସ ଗଡ଼ିଗଲେ କଅଣ ହେଲା, ବୁଢ଼ୀ ଏବେସୁଦ୍ଧା ତ କୁମାରୀ ହୋଇ ରହିଛି ! ପ୍ରତିମା ଓଠ ଟିପି ଟିପି ହସିଲା ।

 

ମିଶନ୍‌ ସ୍କୁଲରେ ସମସ୍ତଙ୍କର ଧାରଣା, ପାଦ୍ରୀ ସାଇମନ୍‌ ସାହେବ ହେଉଛନ୍ତି ମିସ୍‌ ନାୟକଙ୍କର ମନର ମଣିଷ । କପାଳିତାକନ୍ୟା ବୋଲି ମିସ୍‌ ନାୟକ ଯେଉଁ ଝିଅଟିକୁ ପାଖରେ ରଖିଛନ୍ତି ସେ ହେଉଛି ପ୍ରକୃତରେ ତାଙ୍କର କନ୍ୟା ଆଉ ସାଇମନ୍‌ ହେଉଛନ୍ତି ସେ ଝିଅର ଜନକ !

 

ସାଇମନ୍‌ ସାହେବଙ୍କୁ ନେଇ ଅନେକ ଶ୍ରୁତି–ମଧୁର କାହାଣୀ ଏ ଅଞ୍ଚଳରେ ପ୍ରଚଳିତ । ପ୍ରତିମା, କମଳିନୀ ପ୍ରଭୃତି ଏ ସ୍କୁଲକୁ ଶିକ୍ଷୟିତ୍ରୀ ହୋଇ ଆସିବାର ବହୁ ଆଗରୁ ସାଇମନ୍‌ ସାହେବଙ୍କୁ କେନ୍ଦ୍ରକରି ରହସ୍ୟର ଅନ୍ଧକାର ପ୍ରଧାନ ଶିକ୍ଷୟିତ୍ରୀ ମିସ୍‌ ନାୟକଙ୍କ କୋଠିରେ ନୀଡ଼ ରଚନା କରିଥିଲା । ପାଦ୍ରୀ ସାଇମନ୍‌ ସାହେବ ଧର୍ମ ପ୍ରଚାର ସାରି ଗସ୍ତରୁ ଫେରିଲେ କାହିଁକି ଚର୍ଚ୍ଚର ଅନ୍ୟ ସ୍ଥାନରେ ନ ରହି ମିସ୍‌ ନାୟକଙ୍କ କ୍ୱାଟରରେ ରହନ୍ତି, ସେ ପ୍ରଶ୍ନ ଉତ୍‌ଥାପନ କରି ପ୍ରାଚୀର ପତ୍ରମାନ ବହୁବାର ସ୍ଥାନୀୟ ବଜାରରେ ମରା ହୋଇଥିବା ଲକ୍ଷ୍ୟ କରାଯାଇଛି । ଅନ୍ୟ କେହି ନ ଜାଣିଲେ ବି ମିଶନ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଜାଣନ୍ତି, ଏଥିପାଇଁ ଅନେକ ବେନାମୀ ଚିଠି ମିସ୍‌ ନାୟକଙ୍କ ପାଖକୁ ଆସିଛି । କିନ୍ତୁ ସାଇସନ୍‌ ସାହେବ, ମିସ୍‌ ନାୟକ ଓ ତାଙ୍କର ପାଳିତା କନ୍ୟା ମେରୀକୁ ନେଇ ରହସ୍ୟର ଯେଉଁ ପ୍ରସ୍ତରିଭୂତ ଅନ୍ଧକାର ପ୍ରଧାନ ଶିକ୍ଷୟିତ୍ରୀଙ୍କ କୋଠରୀ ମଧ୍ୟରେ ଜମି ରହିଛି; ସତ୍ୟର ଆଲୋକ ସେ ଅନ୍ଧକାରକୁ ସାମାନ୍ୟ ଫର୍ଚ୍ଚା ସୁଦ୍ଧା କରିପାରି ନାହିଁ !

 

ସେଥିପାଇଁ ସାଇମନ୍‌ ସାହେବ ମିସ୍‌ ନାୟକଙ୍କ କ୍ୱାଟରକୁ ଆଜି ଆସିଛନ୍ତି ଜାଣି ପ୍ରତିମା ଦାନ୍ତ ଚିପି ଚିପି ହସିଲା ।

 

କିଛି ସମୟର ନୀରବତା ପରେ କମଳିନୀ କହିଲା, ଆଚ୍ଛା ପ୍ରତିମା ! ମୁ ସିନା ଅସୁନ୍ଦରୀ ବୋଲି ମତେ କେହି ପାତ୍ର ମିଳୁ ନାହିଁ । କେଉଁ ଦୁଃଖରେ ତୁ ଆଜି ପର୍ଯ୍ୟନ୍ତ ଅବିବାହିତା ରହିଛୁ ? ତୁ କଅଣ ମିସ୍‌ ନାୟକଙ୍କ ଭଳି... ।

 

ତାକୁ କଥା ଶେଷ କରିବାକୁ ଦେଲାନାହିଁ ପ୍ରତିମା ।

 

ତା’ ପାଟି ଚାପିଧରି କହିଲା, ତୋ ଦେହର ରଙ୍ଗ ସିନା ଭଲ ନୁହେଁ, ତୋ ଦେହର ଗଢ଼ଣ ? ପୁରୁଷକୁ ଦେହର ରଙ୍ଗ, ମୁହଁର ଗଢ଼ଣ ଦେଖାଇ ବାହାହେବା ପାଇଁ ପ୍ରଲୁବ୍‌ଧ କରାଯାଇ ପାରେ; କିନ୍ତୁ ପତ୍ନୀ ଭାବରେ ତାକୁ ଶାନ୍ତି ଓ ସନ୍ତୋଷ ଦେବାକୁ ହେଲେ ଲୋଡ଼ା ସୁଗଠିତ ଦେହ । ଆଉ ମୋର ଯେଉଁ ଦୁର୍ବଳ ସ୍ୱାସ୍ଥ୍ୟ !

 

କମଳିନୀ ଚୁପ୍‌ ହୋଇଗଲା । ଆଗେ ବାହାଘର କଥା ପଡ଼ିଲେ ସେ ପ୍ରଗଳ୍‌ଭା ହୋଇ ଉଠୁଥିଲା, ଏବେ ସେ ହଠାତ୍‌ ଗମ୍ଭୀର ହୋଇଯାଏ । ନିଜ ବାହାଘର ପ୍ରସଙ୍ଗ ଆଲୋଚନା ଶୁଣିବାକୁ ତାକୁ ଭଲଲାଗେ ନାହିଁ । ତା’ର ଛାତିଥରେ । ଦେହର ତ୍ସ୍ନାୟୁଗ୍ରନ୍ଥି ସବୁ ହଠାତ୍‌ ପୀଡ଼ିତ ହୋଇ ପଡ଼ନ୍ତି । ତାକୁ କେମିତି ସବୁଥାଇ କିଛି ନ ଥିଲା ଭଳି ବୋଧହୁଏ । ପ୍ରତିମା ଆଗରୁ ସେ ନିଜର ମନୋଭାବ ଗୋପନ କରିବାକୁ ଝରକା ବାଟେ ଆସୁଥିବା ଜହ୍ନ ଆଲୁଅକୁ ଚାହିଁଲା ।

 

ବାମ ବାହୁରେ କମଳିନୀର ଗଳାବେଷ୍ଟନ କରି ପ୍ରତିମା କହିଲା, ତୋର ରୂପ ନାହିଁ, ମୋର ସ୍ୱାସ୍ଥ୍ୟ ନାହିଁ । ଆମେ ଦୁଇଜଣ ବୋଧହୁଏ ବାହାହୋଇ ପାରିବା ନାହିଁ ।

 

ପ୍ରତିମାର ହୃତ୍‌ସ୍ପନ୍ଦନ ନିଜ ଭିତରେ କଲା କମଳିନୀ । କିଛି ଉତ୍ତର ନ ଦେଇ ମୃତ ଅଜଗର ଭଲି ସେ ପଡ଼ି ରହିଲା ।

 

ପ୍ରତିମା ତା’ କାନରେ ଫିସ୍‌ ଫିସ୍‌ କରି କହିଲା, ତୁ ମୋ ପାଖରେ ଥିଲେ ମୁଁ ବାହାଘର କଥା ଭୁଲିଯାଏ । ତୁ ମତେ ଏକାକିନୀ ଛାଡ଼ି କୁଆଡ଼େ ଚାଲିଯିବୁ ନାହିଁ ତ ?

 

କମଳିନୀ କହିଲା, ମତେ ସଲ ସଲ ଲାଗୁଛି । ତୁ ହାତଟା କାଢ଼ି ନେ ।

 

ହାତ କାଢ଼ିଦେବା ଆଗରୁ ପ୍ରତିମା ଭାବିଲା, ହାତ ବାଜିଲେ କଅଣ ମୃତ–ସ୍ନାୟୁଗ୍ରନ୍ଥିରେ ଶିହରଣର ବିଦ୍ୟୁତ୍‌–ସଞ୍ଚାରିତ ହୁଏ ?

 

କମଳିନୀକୁ ଜହ୍ନ ଆଲୁଅ ଫିକା ଦେଖା ଯାଉଥିଲା ।

 

।। ୮ ।।

 

ନୃତ୍ୟ ପରିବେଷଣ ଶେଷ ହେବା ସଙ୍ଗେ ସଙ୍ଗେ ସମବେତ ଦର୍ଶକମାନଙ୍କ କରତାଳି ଧ୍ୱନିରେ ଉତ୍ସବ ମଞ୍ଚ ଯେତେବେଳେ ମୁଖରିତ ହୋଇ ଉଠୁଥିଲା, ବ୍ୟକ୍ତିଗତ ଭାବରେ ଦେଖା କରି ଏଭଳି ଉଚ୍ଚାଙ୍ଗ ନୃତ୍ୟ ପ୍ରଦର୍ଶନ ଯୋଗୁ ଆନ୍ତରିକ ଅଭିନନ୍ଦନ ଜଣାଇବା ପାଇଁ ବିଶିଷ୍ଟ ଅତିଥିମାନେ ଯେତେବେଳେ ଉଦ୍‌ଗ୍ରୀବ ହୋଇ ଉଠିଥିଲେ, ମୌସୁମୀ ସେତିକିବେଳେ ମଞ୍ଚ ତ୍ୟାଗ କରି ସିଧା ସଳଖ ନିଜ ଶୟନ କକ୍ଷକୁ ଫେରି ଆସିଥିଲା ।

 

ମିସ୍‌ ନାୟକ ତା’ର ଗତିରୋଧ କରିବାକୁ ଚେଷ୍ଟା କରିଥିଲେ ।

 

କହୁଥିଲେ; ଶିକ୍ଷାମନ୍ତ୍ରୀ ଟିକିଏ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି । ସେ ତମ ନୃତ୍ୟରେ ମୁଗ୍‌ଧ...

 

ମୌସୁମୀ ଉତ୍ତର ଦେଇଥିଲା; ମୁଁ ଅସୁସ୍ଥ ବୋଧ କରୁଛି, ମୋର ବିଶ୍ରାମ ଦରକାର । ଆଜି ଆଉ ମତେ କେହି ବିଭକ୍ତ ନ କରିବାକୁ ଅନୁରୋଧ ।

 

ପ୍ରଥମ ନୃତ୍ୟ ପରେ ଗୋଟିଏ ଛୋଟ ନାଟକ ଅଭିନୀତ ହେବାର କଥା । ସେ ନାଟକର ପ୍ରଧାନ ନାୟିକା ମଞ୍ଜୁଳା । ସେ ମୁହଁରେ ପେଣ୍ଟ୍‌ ଲଗାଇ ଗ୍ରୀନ୍‌ ରୁମ୍‌ରେ ମିସ୍‌ ନାୟକ ଓ ମୌସୁମୀର କଥୋପକଥନ ଶୁଣୁଥିଲା ! ମୌସୁମୀ ଶେଷ କଥା ପଦକ ଶୁଣି ତା’ ମୁହଁ ମଧ୍ୟ ଅପମାନରେ ମଳିନ ହୋଇଗଲା ।

 

ପଛରେ ତା’ର ମନ୍ତବ୍ୟ ପାଇଁ କିଏ କଅଣ କହିଲେ, ସେକଥା ଶୁଣିବାକୁ କାନ ଡେରି ନ ଥିଲା ମୌସୁମୀ । ବ୍ୟାଧଭୀତା ହରିଣୀ ଭଳି ପକାଇ ଶିକ୍ଷୟିତ୍ରୀ ନିବାସକୁ ପଳାଇ ଆସିଥିଲା ।

 

ତା’ ମୁହଁରୁ ପେଣ୍ଟ୍‌ ମଧ୍ୟ ଲିଭି ନ ଥିଲା । କପାଳରେ ବିନ୍ଦୁ ବିନ୍ଦୁ ଚନ୍ଦନର ଟିପା, କପୋଳରେ ରୁଜ୍‌ର ରକ୍ତାଭା, ଆଖିରେ ଆକର୍ଣ୍ଣ ବିସ୍ତାରୀ କଜ୍ୱଳ ରେଖା, ଆବିକଳ ସେମିତି ଲାଗି ରହିଥିଲା । ସେସବୁ ଭଲ କରି ଛଡ଼ାଇବାକୁ ସେ ସମୟ ପାଇ ନ ଥିଲା ।

 

ଅସଜଡ଼ା ବିଛଣା ଉପରେ ସେ ଲୋଟି ପଡ଼ି ମୁହଁ ମାଡ଼ି କାନ୍ଦିଲା ।

 

ଅନେକଦିନ ପରେ ପୁଣି ତା’ର ସେଇ ଉର୍ବଶୀ ନୃତ୍ୟ !

 

ମୌସୁମୀ ମନେ ହେଲା ବହୁ ପଛରେ ଛାଡ଼ି ଆସିଥିବା ମର୍ମଦାହୀ ଗ୍ଳାନି, ଶେଷହୀନ ହାହାକାର ପୁଣି ଯେପରି ପକ୍ଷ ବିସ୍ତାର କରି ତା’ର ଶାନ୍ତ, ସରଳ ଜୀବନକୁ ଅନ୍ଧକାର କରି ଦେବାକୁ ଆରମ୍ଭ କରିଛି !

 

ଏହିଭଳି ଏକ ନୃତ୍ୟ ଶେଷରେ ଅତନୁ ଆସିଥିଲା ତାକୁ ଅଭିନନ୍ଦନ ଜଣାଇବାକୁ ।

 

ଅଧ୍ୟାପକ ଅତନୁ ଦାସ !

 

ଯୁବ ଉଚ୍ଛବରେ ନୃତ୍ୟ ପରିବେଷଣ କରିବା ପାଇଁ କଲେଜ ତରଫରୁ ମନୋନୀତ ହୋଇ ସେ ଯାଇଥିଲା ଦିଲ୍ଲୀ । ତାଙ୍କ କଲେଜର ଅନ୍ୟାନ୍ୟ ଛାତ୍ର ଛାତ୍ରୀଙ୍କ ସହ ଅତନୁ ମଧ୍ୟ ଯାଇଥିଲା । ବିଶ୍ୱବିଦ୍ୟାଳର କୃତି ଛାତ୍ର ଅତନୁ । ସଦ୍ୟ ଅଧ୍ୟାପକ ଚାକିରି ଗ୍ରହଣ କରିଥିଲେ ମଧ୍ୟ ଅଧ୍ୟାପକ ସୁଲଭ ଗାମ୍ଭୀର୍ଯ୍ୟ, ଅହଙ୍କାର, ସ୍ୱାତନ୍ତ୍ର୍ୟ–କିଛି ହେଲେ ତା’ଠାରେ ନ ଥିଲା । ଛାତ୍ର ଛାତ୍ରୀଙ୍କ ଗହଣରେ ଟ୍ରେନରେ ଗଲାବେଳେ, ଦିଲ୍ଲୀରେ ରହିଥିବା ବେଳେ ଅଧ୍ୟାପକ ବୋଲି ତାକୁ ଚିହ୍ନିବା ଦୁଃସାଧ୍ୟ ହୋଇ ପଡ଼ୁଥିଲା । ସେ ସମସ୍ତଙ୍କ ସାଙ୍ଗରେ ଅନ୍ତରଙ୍ଗ ବନ୍ଧୁ ଭଳି ମିଶୁ ଥିଲା । ଥଟ୍ଟା, ପରିହାସ କରୁଥିଲା । ଏପରିକି ବେଳେ ବେଳେ ଟ୍ରେନ କମ୍ପାଟମେଣ୍ଟରେ ଛାତ୍ର ଛାତ୍ରୀମାନେ ସମ୍ମିଳିତ କଣ୍ଠରେ ମିଳିତ ସଙ୍ଗୀତର ରିହରସାଲ୍‌ କଲାବେଳେ ସେମାନଙ୍କ ସହିତ ଚମତ୍କାର କଣ୍ଠରେ ମିଳିତ ସଙ୍ଗୀତର ରିହରସାଲ୍‌ କଲାବେଳେ ସେମାନଙ୍କ ସହିତ ଚମତ୍କାର କଣ୍ଠ ମିଳାଇ ଗୀତ ବୋଲୁଥିଲା ଅତନୁ !

 

ନୂତନ ଅଧ୍ୟାପକ ଭାବରେ ଯୋଗଦେବା ପରେ ଅତନୁ ସହ ତା’ର ପ୍ରାଥମିକ ପରିଚୟ ମଧ୍ୟ ନ ଥିଲା । ଟ୍ରେନରେ ଗଲାବେଳେ ସବୁ ଛାତ୍ରୀଙ୍କ ସହ ଲଘୁ ପରିହାସ କରୁଥିଲେ ସୁଦ୍ଧା ତା’ ମୁହଁକୁ କେବେ ଦୃଷ୍ଟି ଉଠାଇ ଚାହିଁ ନ ଥିଲା ଅତନୁ ।

 

ଅସ୍ୱୀକାର କଲେ ମିଥ୍ୟା କହିବା ହେବ, ଅତନୁର ସେ ବ୍ୟବହାର, ଚାଲିଚଳନ ତାକୁ ବେଶ୍‌ ଭଲ ଲାଗିଥିଲା ! ଅକାରଣରେ ହେଲେ ବି ଅତନୁ ତା’ର ମନଯୋଗ ଆକର୍ଷଣ କରିଥିଲା । ଅତନୁ ତା’ର ଅନ୍ୟାନ୍ୟ ସହପାଠିନୀମାନଙ୍କ ସହ କଥାବାର୍ତ୍ତା କଲାବେଳେ ସେ ସତର୍କତାର ସହିତ କଥା କହିବାର ଭଙ୍ଗୀକୁ ଲକ୍ଷ୍ୟ କରୁଥିଲା ।

 

ସାରା ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ସେହି ଯୁବ–ଉତ୍ସବରେ ଯୋଗ ଦେଇଥିଲେ । ସେମାନଙ୍କ ଅଭିନୟ, ନୃତ୍ୟ, ସଙ୍ଗୀତର ବିପୁଳ ସମାରୋହରେ ଦିଲ୍ଲୀ ଉତ୍ସବ ମୁଖରିତ ହୋଇଉଠିଥିଲା । ସମ୍ବାଦପତ୍ରର ଉଚ୍ଛ୍ୱସିତ ପ୍ରଶଂସା, ମହାଭାରତୀୟ ନେତୃବୃନ୍ଦଙ୍କ ଉତ୍ସାହ ଉଦ୍ଦୀପନାରେ ପ୍ରତି ବିଶ୍ୱବିଦ୍ୟାଳୟ ପ୍ରତିଯୋଗୀ ଶିବିରରେ ଆନନ୍ଦର କଳରୋଳ ଉଠୁଥିଲା ।

 

କିନ୍ତୁ ସେ ଯେଉଁଦିନ ଉର୍ବଶୀ ନୃତ୍ୟ ପରିବେଷଣ କରି ସାରିଲା...!

 

ସେ ନିଜେ ବିଶ୍ୱାସ କରିନାହିଁ; ତା’ର ଜଣେ ସହପାଠିନୀ ଅରୁନ୍ଧତୀ ତାକୁ ସକାଳୁ ସକାଳୁ ନିଦରୁ ଉଠାଇ କହିଲା; ଏ ସୁମୀ ! ଦେଖ, ଖବରକାଗଜରେ ତୋର ଫଟୋ...!

 

ତନ୍ଦ୍ରାଚ୍ଛନ୍ନ ଆଖିପତା ମେଲି ବିସ୍ମୟ–ବିମୂଢ଼ ଦୃଷ୍ଟିରେ ମୌସୁମୀ ଦେଖିଥିଲା, ଗୋଟିଏ କାଗଜରେ ନୁହେଁ, ରାଜଧାନୀର ଚାରି ପାଞ୍ଚୋଟି ଇଂରେଜୀ, ହିନ୍ଦି କାଗଜରେ ସେ ନୃତ୍ୟ–ପରିବେଷଣ କରୁଥିବା ବେଳର ଫଟୋ ପ୍ରକାଶ ପାଇଛି...ଫଟୋତଳେ ତା’ ନୃତ୍ୟର ଦୁଇ କଲମ ଅଢ଼େଇ କଲମ ବ୍ୟାପୀ ପ୍ରଶଂସା...

 

ପ୍ରାୟ ଅପରାହ୍ନରେ ଅତନୁ ତା’ ପାଖକୁ ଆସିଲା ।

 

କହିଲା; ମିସ୍‌ ମହାପାତ୍ର ! ଟେଲିଗ୍ରାମ୍‌...ଗ୍ରିଟିଂ ଟେଲିଗ୍ରାମ୍‌ । ରେଡ଼ିଓରେ ତମ ନୃତ୍ୟର ପ୍ରଶସ୍ତି–ବାଣୀ ପ୍ରଚାରିତ ହେବା ପରେ ସାଂସ୍କୃତିକ ବିଭାଗ ମନ୍ତ୍ରୀ, ବିଶ୍ୱବିଦ୍ୟାଳୟ କୁଳପତି ତମକୁ ଅଭିନନ୍ଦନ ଜଣାଇ ଟେଲିଗ୍ରାମ ପଠାଇଛନ୍ତି...ରିଅଲି ଆନ୍‌ ଆଚିଭ୍‌ମେଣ୍ଟ୍‌ ଏ ସମ୍ମାନ କ୍ୱଚିତ୍‌ କୌଣସି ନୃତ୍ୟଶିଳ୍ପୀଙ୍କୁ ଓଡ଼ିଶାରେ ଏ ପର୍ଯ୍ୟନ୍ତ ମିଳିଛି...ତମଠାରେ ଏତେ ପ୍ରତିଭା ରହିଥିଲା ବୋଲି ମୁଁ ଜାଣି ନ ଥିଲି... ।

 

ଅବ୍ୟକ୍ତ ଆନନ୍ଦ ଓ ଅପ୍ରକାଶ୍ୟ ଲଜ୍ଜାରେ ମୌସୁମୀର କଣ୍ଠରୁଦ୍ଧ ହୋଇ ଯାଇଥିଲା । ଚେଷ୍ଟା କରି ମଧ୍ୟ ଅଧ୍ୟାପକ ଅତନୁ ଦାସକୁ ସେ କୌଣସି ଉତ୍ତର ଦେଇ ପାରି ନ ଥିଲା । କେବଳ ତା’ର ଦୁଇ ଘନନୀଳ ଆଖି ଦୁଇଟି ଗଭୀର କୃତଜ୍ଞତାରେ ଆନତ ହୋଇ ଆସିଥିଲା ।

 

ଯୁବ ଉତ୍ସବର ତା’ର ନୃତ୍ୟ ପରିବେଷଣ ଏବଂ ତାକୁ କେନ୍ଦ୍ରକରି ସେ ଲାଭ କରିଥିବା ଅଯାଚିତ ପ୍ରଶଂସା ମୌସୁମୀ ଆଖି ଆଗରେ ସେଦିନ ନୂତନ ଏକ ଜଗତର ଦରଜା ଖୋଲି ଦେଇଥିଲା ।

 

ସେ ବୁଝି ପାରିଥିଲା, ତା’ର ପ୍ରଶସ୍ତି ମୂଳରେ ନିଜର ନୃତ୍ୟ ନିପୁଣତା ଯେତେ ନାହିଁ; ସେତେ ଅଛି ଦିଲ୍ଳୀର ନୃତ୍ୟ–ରସିକ ଦର୍ଶକ, ସମାଲୋଚକମାନଙ୍କ ଗୁଣ–ଗ୍ରାହୀତା । ଓଡ଼ିଶାରେ ତା’ର ସେହି ନୃତ୍ୟ ଦେଖି ଯେଉଁମାନେ କରତାଳି ଦେବାକୁ ପକେଟରୁ ହାତ ବାହାର କରନ୍ତି ନାହିଁ; ଦିଲ୍ଲୀ ସମ୍ବାଦପତ୍ରର ପ୍ରଶସ୍ତି ପଢ଼ି ସେମାନେ ଆଜି ଓଡ଼ିଶାରେ ତା’ର ପ୍ରଶଂସାରେ ମୁଖର ହୋଇ ଉଠିଛନ୍ତି !

 

ଯୁବ-ଉତ୍ସବ ଶେଷରେ ସେମାନେ ରାଜଧାନୀର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିଥିଲେ । ମୌସୁମୀ ଲକ୍ଷ୍ୟ କରିଥିଲା, ତା’ର ଅଧିକାଂଶ ସହଯାତ୍ରୀ, ସହଯାତ୍ରୀଣୀମାନଙ୍କ ପାଇଁ ଯୁବ ଉତ୍ସବର କାର୍ଯ୍ୟକ୍ରମ ଅପେକ୍ଷା ଏଇ ରାଜଧାନୀ ଭ୍ରମଣ ହିଁ ଥିଲା ପ୍ରଧାନ ଆକର୍ଷଣ । ସେ ନିଜେ କିନ୍ତୁ ସେଥି ପାଇଁ ଖୁବ୍‌ ବେଶୀ ଉତ୍ସାହ ଅନୁଭବ କରିପାରି ନ ଥିଲା । ସେଥିପାଇଁ ଯୁବ ଉତ୍ସବ ଶେଷରେ ଜିନିଷ ବନ୍ଧାବନ୍ଧି କରି ସେ ଟ୍ରେନ୍‌ ଟିକେଟ କିଣିବାକୁ ବାହାରି ଯାଇଥିଲା ।

 

ଅନ୍ୟମାନେ ଦିଲ୍ଲୀ ଦେଖା ଶେଷ କରି ଆଗ୍ରାର ତାଜମହଲ ଦେଖି ଦୁଇଦିନ ପରେ ଓଡ଼ିଶା ଫେରିବା କଥା । ତେଣୁ ସେ ଧରି ନେଇଥିଲା ତାକୁ ଏକାକିନୀ ଓଡ଼ିଶା ଫେରିବାକୁ ପଡ଼ିବ । କିନ୍ତୁ ଷ୍ଟେସନରେ ଦେଖିଲା ସେ ପ୍ରକୃତରେ ନିଃସଙ୍ଗ ନୁହେଁ, ଅଧ୍ୟାପକ ଅତନୁ ଦାସ ମଧ୍ୟ ବେଡ଼ିଂ ଧରି ଟ୍ରେନର ଅପେକ୍ଷାରେ ଠିଆ ହୋଇଛି ।

 

ଅଗତ୍ୟା ପ୍ରଶ୍ନ କରିଥିଲା ମୌସୁମୀ, ଆପଣ କ’ଣ ଆଜି ଫେରିବେ ?

 

ଅତନୁ ହଁ ଭରିଥିଲା । ଉତ୍ତର ଦେଇଥିଲା, ମୁଁ ହଠାତ୍‌ ଅସୁସ୍ଥବୋଧ କରୁଛି । ସେଥିପାଇଁ ଆଗ୍ରା ଯିବା କାର୍ଯ୍ୟକ୍ରମ ବାତିଲ କରି କଟକ ଫେରିଯାଉଛି । ତମେ ଯିବ ନା କ’ଣ ? ମୁଁ ତ ଆଗରୁ ଅନେକ ଥର ତାଜମହଲ ଦେଖିଛି । କିନ୍ତୁ ତମେ ଆସିଥିଲ ଯେତେବେଳେ ଅନ୍ତତଃ ଥରେ ଆଗ୍ରା ଯିବା ଉଚିତ ଥିଲା–

 

ବୋଉର ଦେହ ଆସିଲାବେଳେ ଭଲ ନ ଥିଲା । ମୁଁ ଆସିଲା ବେଳେ ସେ ଭୀଷଣ କାନ୍ଦୁଥିଲା, ମନ ଛଟପଟ ଯେଉଛି । ତାଜମହଲ ଦେଖିବାର ମାନସିକ ଅବସ୍ଥା ମୋର ନାହିଁ । ମୌସୁମୀ ବଡ଼ ବିଷର୍ଣ୍ଣ ଭାବରେ ତରତର ହୋଇ ନିଜ ଘରକୁ ଫେରିବାର କାରଣ ଦେଖାଇଥିଲା ।

 

ସେମାନେ ଗୋଟିଏ କମ୍ପାଟମେଣ୍ଟରେ ଓଡ଼ିଶା ଫେରିଥିଲେ । ଅସୁସ୍ଥ ଅଧ୍ୟାପକଙ୍କୁ ଏକାକୀ ଛାଡ଼ି ମହିଳା କମ୍ପାଣ୍ଟମେଣ୍ଟରେ ଯିବା ପାଇଁ ତାକୁ କେମିତି ମାଡ଼ି ମାଡ଼ି ପଡ଼ିଥିଲା ।

 

ଦିଲ୍ଲୀ ଆସିଲାବେଳେ ସେମାନେ ଗୋଟିଏ କମ୍ପାଟମେଣ୍ଟରେ ଆସିଥିଲେ । କିନ୍ତୁ କେହି କାହାକୁ ପଦେ ହେଲେ କଥା କହି ନ ଥିଲେ । ସେମାନେ ବସିବା ସ୍ଥାନ ମଧ୍ୟରେ ଖୁବ୍‌ ଅଳ୍ପ ବ୍ୟବଧାନ ଥିଲେ ସୁଦ୍ଧା ସେଦିନ ଦୁହେଁ ଥିଲେ ଦୁହିଁଙ୍କଠାରୁ ଅନେକ ଦୂରବର୍ତ୍ତୀ । କିନ୍ତୁ ଫେରିଲାବେଳେ ଅଣଓଡ଼ିଆ ଯାତ୍ରୀ ଗହଣରେ ସେ ଦୁହିଁଙ୍କର ହୋଇ ପଡ଼ିଥିଲେ ଏକାନ୍ତ ନିକଟତମ-

 

ଫେରିବା ବାଟରେ ଦୁଇଥର ବାନ୍ତି କରିଥିଲା ଅତନୁ, ତା’ର ଶୁଶ୍ରୂଷା କରିଥିଲା ମୌସୁମୀ । ସେଇ ପରିସ୍ଥିତିରେ ତା’ କାନ୍ଧରେ ଥରେ ଅତନୁ ହାତ ରଖିଥିଲା, ସେ ଥରେ ଅତନୁର ପିଠି ଆଉଁସି ଦେଇଥିଲା । ରାତିରେ ଶୋଇଲାବେଳେ ଅତନୁ ଆଖି ବୁଜୁଥିଲେ, ଅତନ୍ଦ୍ର ଆଖିରେ ଚାହିଁ ରହୁଥିଲା ମୌସୁମୀ । ମୌସୁମୀର ଆଖିପତା କେତେବେଳେ ଯୋଡ଼ି ହୋଇଗଲେ, ଜିନିଷପତ୍ରକୁ ଚୋର ଉପଦ୍ରବରୁ ରକ୍ଷା କରିବା ପାଇଁ ଅତନୁ ଉଜାଗର ରହୁଥିଲା । ମୋଗଲ ସରାଇରେ ଗାଡ଼ି ରହିଲାବେଳେ ପ୍ଳାଟ୍‌ଫର୍ମକୁ ମାଗାଜିନ୍‌ କିଣିବାକୁ ଯାଇଥିଲା ଅତନୁ । ଗାଡ଼ି ଛାଡ଼ିଦେଲା ପରେ ମଧ୍ୟ ସେ ଯେତେବେଳେ କମ୍ପାଣ୍ଟମେଣ୍ଟକୁ ନ ଆସିଲା, ଗଭୀର ଉଦ୍‌ବେଗରେ ମୌସୁମୀ ଆଖିରେ ଜଳ ଆସି ଯାଇଥିଲା । ତା’ର ପରବର୍ତ୍ତୀ ଷ୍ଟେସନରେ ଗାଡ଼ି ରହିଲା ବେଳେ ଅନ୍ୟ ଏକ କମ୍ପାଣ୍ଟମେଣ୍ଟରୁ ଓହ୍ଲାଇ ଅତନୁ ସେ କମ୍ପାଣ୍ଟମେଣ୍ଟରେ ଉଠିଲାବେଳେ ମୌସୁମୀ ତାକୁ ଧମକ ଦେଇଥିଲା, ଟ୍ରେନ୍‌ରେ ଗଲାବେଳେ ମଧ୍ୟ ଆପଣଙ୍କର ସମୟଜ୍ଞାନ ରହୁନାହିଁ ! ଗାଡ଼ି ଏତେ ସମୟ ରହିଲା, ଅଥଚ ଆପଣ କମ୍ପାଣ୍ଟମେଣ୍ଟରେ ଉଠି ପାରିଲେ ନାହିଁ !

 

ଅତନୁ ଉତ୍ତର ଦେଇଥିଲା, ସଂଯତ ଭାବରେ ହସି, ତମେ ଭାରି ଡରି ଯାଇଥିଲ ନା ! ମୁଁ କଅଣ ହଜିଗଲା ଭଳି ଛୋଟ ପିଲା ହୋଇଛି ?

 

ଲଜ୍ଜାରେ ପାଟଳ ହୋଇ ଉଠିଥିଲା ମୌସୁମୀର ମୁହଁ ।

 

ସେ ଦୁହେଁ ଯେତେବେଳେ ଭୋଅରର ଆଲୁଅରେ ସେଦିନ କଟକ ଷ୍ଟେସନରେ ଓହ୍ଲାଇଲେ, ଅତନୁ ପ୍ରସ୍ତାବ କରିଥିଲ; ଆସ ରେଲଓ୍ୱେ କାଣ୍ଟିନରେ କପେ ଲେଖାଏ କଫି ଖାଇଯିବା...ଅନ୍ତତଃ ଶେଷଥର ପାଇଁ ଏକତ୍ର ଆହାର କରିବା...

 

ମୌସୁମୀ ଜାଣିଥିଲା, ତାହା କଦାପି ସେମାନଙ୍କର ଶେଷଥର ପାଇଁ ଏକତ୍ର ଆହାର ନୁହେଁ । ବରଂ ଭବିଷ୍ୟତରେ ବହୁବାର ଏକତ୍ର ପାନାହାର ପାଇଁ ତାହା ହେଉଛି ପ୍ରଥମେ ପ୍ରସ୍ତୁତି ପର୍ବ ! ସେଥିପାଇଁ ସେ ଆପତ୍ତି କରିଥିଲା, ମୁଁ ଦାନ୍ତ ଘଷିନି । କିଛି ଖାଇବି ନାହିଁ ।

 

କଫି ଖାଇବାକୁ ତାକୁ ଜୋର କରିଥିଲେ ଅତନୁ । ଯୁକ୍ତି କରିଥିଲା, କଫିକୁ ଖାଇବା କୁହାଯାଏ ନାହିଁ; ତାହା କେବଳ ଏକ ତରଳ ପାନୀୟ । ଏଥିପାଇଁ ଦାନ୍ତ ଘଷିବାର ମଧ୍ୟ କୌଣସି ବାଧ୍ୟବାଧକତା ନାହିଁ । ଆଉ ଯଦିବା ସେ ସଂସ୍କାର ତମକୁ ମୋ ପାଇଁ ଥରେ ଛାଡ଼ିବାକୁ ହେଉଥାଏ, କିଛି ମନେ କର ନାହିଁ ।

 

ସେମାନେ କଫି ଖାଇଥିଲେ । କଫି କପର କୁଣ୍ଡଳିକୃତ ଧୃମ ଆଉ ଅତନୁର ଛୋଟ ଛୋଟ କଥାର ଭଗ୍ନାଂଶ ସେଦିନ ରେଲଓ୍ୱେ କାଣ୍ଟିନ୍‌ର ଅଳସ ପ୍ରତ୍ୟୁଷକୁ କେମିତି ବିଚିତ୍ର ଏକ ସ୍ୱପ୍ନର ଆବେଶରେ ଭରି ଦେଇଥିଲା ।

 

ବିଦାୟ ନେବା ପୂର୍ବରୁ ଅତନୁ କହିଥିଲା, ମୌସୁମୀ ! ଆମର ଏକତ୍ର ଏହି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ମୋ ଜୀବନରେ ଏକ ସ୍ମରଣୀୟ ଘଟଣା ହୋଇ ରହିଲା । ଜୀବନରେ ଏଭଳି ମୁହୂର୍ତ୍ତ ଏଭଳି ଘଟଣା କ୍ୱଚିତ୍‌ ଘଟେ । ଫେରିବା ବାଟରେ ଯଦି ତମକୁ କଷ୍ଟ ଦେଇଥାଏ, ମତେ କ୍ଷମାକର-

 

ମୌସୁମୀ ସେଦିନ କେବଳ ହସିଥିଲା, କିଛି ଉତ୍ତର ଦେଇ ନ ଥିଲା । ସେ ଜାଣିଥିଲା ବହୁଦିନର ଶୁଷ୍କ ପ୍ରାନ୍ତରରେ ଏଇ ଚାଳିଶି ପଚାଶ ଘଣ୍ଟା ମଧ୍ୟରେ ଅନେକ କୋମଳ ସବୁଜ ଘାସର ଜନ୍ମ ହୋଇଛି । ଧୂସର ଦୃଷ୍ଟି ହୋଇଛି ଶସ୍ୟ–ଶ୍ୟାମଳ ।

 

ସେଇ ଆରମ୍ଭ କିନ୍ତୁ ସେଇ ଶେଷ ନାହିଁ ।

 

ସେଦିନ ସୁଖ ନାମରେ ଯେଉଁ ଯନ୍ତ୍ରଣା ତା’ ମନ ଭିତରେ ଜନ୍ମ ଦେଇଥିଲା, ଆଜି ସୁଦ୍ଧା ସେ ତା’ର ପିଛା ଛାଡ଼ି ନାହିଁ ।

 

ସେଇ ଉର୍ବଶୀ ନୃତ୍ୟ !

 

ସେଇ ଉଚ୍ଛ୍ୱସିତ ପ୍ରଶଂସା !

 

ଏଥର ଜୋରରେ କଇଁ କଇଁ ହୋଇ ଭୂତ ଦେଖି ଭୀତ ହେଲାଭଳି କାନ୍ଦି ଉଠିଲା ମୌସୁମୀ ।

 

।। ୯ ।।

 

ମଞ୍ଜୁଳା ଅବାକ୍‌ ହୋଇଥିଲା ।

 

ମୃଣାଳ ଏବଂ ତା’ର ବନ୍ଧୁମାନେ ଆଗରୁ ନ ଜଣାଇ ହଠାତ୍‌ ଯେ ଆସି ଉପସ୍ଥିତ ହେବେ ଏବଂ ତା’ର ଅଜ୍ଞାତସାରରେ ସ୍କୁଲ ବାର୍ଷିକ ଉତ୍ସବରେ ତା’ର ଅଭିନୟ ଲକ୍ଷ୍ୟ କରିବେ ସେକଥା ସେ କେବେହେଲେ କଳ୍ପନା କରି ନ ଥିଲା । ଗୋଟିଏ ଏକାଙ୍କ ନାଟିକାରେ ସେ ଥିଲା ନାୟିକା । ରଙ୍ଗମଞ୍ଚ ଉପରୁ ସାମ୍ନା ଧାଡ଼ିରେ ବସିଥିବା ମୃଣାଳକୁ ଦେଖି ମଞ୍ଚ ଉପରେ ତା’ କଣ୍ଠରୁ ହଠାତ୍‌ ସଂଳାପ ସ୍ଫୁରିତ ହୋଇ ନ ଥିଲା । ପରଦା ପଛପଟୁ ସ୍ମାରକର ବାରମ୍ବାର ସ୍ମରଣିକା ସଂଳାପ ଶୁଣି ସୁଦ୍ଧା ସେ ଯେତେବେଳେ ଅଭିନୟ ଠିକ ଭାବରେ ପ୍ରଦର୍ଶନ କରିପାରିଲା ନାହିଁ ଏବଂ ସେଥିପାଇଁ ରଙ୍ଗମଞ୍ଚରେ ତୁମୁଳ ହାହାକାର...

 

ମୃଣାଳ ତାକୁ ନ ଜଣାଇ ହଠାତ୍‌ ଆସିଲା କାହିଁକି ? ବିତେ ବର୍ଷମାନଙ୍କରେ ବାରମ୍ବାର ଚିଠି ଲେଖିଲେ ସୁଦ୍ଧା ସେ କେବେହେଲେ ସ୍କୁଲ ବାର୍ଷିକ ଉତ୍ସବରେ ଉପସ୍ଥିତ ହୁଏ ନାହିଁ । ଅଥଚ ଏଥର... ! ଅଭିନୟ ଶେଷରେ ମୃଣାଳ ସହିତ ସାକ୍ଷାତ କରିବା ପର୍ଯ୍ୟନ୍ତ ମଞ୍ଜୁଳା ନିଜ ତଣ୍ଟିରେ ଗୋଟାଏ ମାଛ କଣ୍ଟା ଅଟକି ରହିଥିଲା ଭଳି ଅନୁଭବ କରୁଥିଲା ।

 

ମତେ ଚମକାଇ ଦେବା ପାଇଁ ହଠାତ୍‌ ଦର୍ଶକମାନଙ୍କ ସାମ୍ନା ଧାଡ଼ିରେ ବସିଥିଲେ ଯେ-! ମଞ୍ଜୁଳା ଅନୁଯୋଗ କଲା ।

 

ମୃଣାଳ କହିଲା, ମୁଁ ଏକା ଆସି ନାହିଁ । ଆମ ଫିଲ୍‌ମ କମ୍ପାନିର ଅନ୍ୟାନ୍ୟ ଅଂଶୀଦାରମାନେ ମଧ୍ୟ ଆସିଛନ୍ତି । ସେଇମାନେ ହି ଜିଦ୍‌ କଲେ, ଆମ ହିରୋଇନ୍‌ଙ୍କ ଅଭିନୟ ଚାଲ ଦେଖି ଆସିବା । ଆଉ ଇଣ୍ଟରଭିଉକୁ ତାକୁ ଡାକି ଲାଭ ନାହିଁ । ନିଷ୍ପତ୍ତି ଯେତେବେଳେ ଖୁବ୍‌ ବିଳମ୍ବରେ ହେଲା, ତମକୁ ଜଣାଇବା ପାଇଁ ଆଉ ସମୟ ନ ଥିଲା । ଯାହାହେଉ ତମେ ଅକାରଣରେ ଇଣ୍ଟରଭିଉ ଦେବାକୁ ଆଉ ଦୌଡ଼ିବା ଦରକାର ନାହିଁ । ଆମ ଫିଲ୍‌ମ କମ୍ପାନୀର ସମସ୍ତ ଅଂଶୀଦାର, ନିର୍ଦ୍ଦେଶକ ମଧ୍ୟ ଆସିଛନ୍ତି ।

 

ଜଣ ଜଣ କରି ସମସ୍ତଙ୍କ ସହିତ ତା’ର ପରିଚୟ କରାଇ ଦେଇଥିଲା ମୃଣାଳ । ସେମାନେ ଟିକିଏ ଦୂରକୁ ଚାଲିଯିବା ପରେ ମଞ୍ଜୁଳା ମୃଣାଳକୁ ପାଖକୁ ଡାକି ଉଦ୍‌ବିଗ୍ନ କଣ୍ଠରେ ପ୍ରଶ୍ନ କରିଥିଲା, ତମ ନିର୍ଦ୍ଦେଶକ ଓ ପ୍ରଯୋଜକମାନଙ୍କ ମନକୁ ମୋ ଅଭିନୟ ପାଇଲା ତ ! ଆଗରୁ ଜଣାଇଥିଲେ ମୁଁ ଆଉ ଟିକିଏ ସାଜସଜ୍ଜା କରି ଆସି ଥାଆନ୍ତି । ଅଭିନୟ ମାନେ ତ ସାଜସଜ୍ଜା !

Unknown

 

ମୃଣାଳ ହସିଲା, ତମେ ବ୍ୟସ୍ତ ହୁଅ ନାହିଁ । ଏ ଫିଲ୍ମରେ ମୋର ଅଂଶ ହେଉଛି ପଚାଶ ହଜାର, ସେ ଚାରିଜଣଙ୍କର ମିଳିତ ଅଂଶ ମାତ୍ର ଏକ ଏକ୍ଷ...ତମକୁ ବୋଧହୁଏ କହିନାହିଁ ଏ ପଚାଶ ହଜାର ଟଙ୍କା ଯୋଗାଡ଼ କରିବା ପାଇଁ ଆମର କଟକ ଘରକୁ ମୁଁ ଜଣେ ମାରଓ୍ୱାଡ଼ି ପାଖରେ ବନ୍ଧା ରଖିଛି... !

 

ମଞ୍ଜୁଳା ମୁହଁରେ ପ୍ରଥମ ଆନନ୍ଦର ଯେଉଁ ଆଲୋକ ଦେଖାଯାଇଥିଲା, କଟକରେ ସେ ଦୁଇ ମାହାଲା କୋଠାଘର ବନ୍ଧା ପଡ଼ିଥିବା ଶୁଣି ତା’ ମୁହଁର ସେ ଆଲୋକ ହଠାତ୍‌ ଫିକା ପଡ଼ିଗଲା-। ସେ ଶଙ୍କିତ କଣ୍ଠରେ ପ୍ରଶ୍ନ କଲା, ଏ ଫିଲ୍ମ ଯଦି ହିଟ୍‌ ନ କରେ... !

 

ମୃଣାଳ ହୋ ହୋ ହୋଇ ହସି ଉଠିଲା ।

 

କହିଲା, ତମେ ଯେତେବେଳେ ନାୟିକା, ଫିଲ୍ମ ହିଟ୍‌ କରିବାକୁ ବାଧ୍ୟ । ମୋ ପଚାଶ ହଜାର ଟଙ୍କା ଯେ ଅନ୍ୟୁନ ଦୁଇଗୁଣ ହୋଇ ମୋ ପକେଟକୁ ଫେରି ଆସିବ, ସେ ବିଷୟରେ ତମେ ନିଃସନ୍ଦେହ ହୋଇପାର ।

 

ମଞ୍ଜୁଳାର ସନ୍ଦେହ କରିବାର ବିଶେଷ କିଛି ନ ଥିଲା । କାରଣ ତା’ ନିଜର ରୂପ ଆଉ ଅଭିନୟ କଳା କୁଶଳତା ଉପରେ ତା’ର ଗଭୀର ବିଶ୍ୱାସ ରହିଛି ।

 

ସେ ପ୍ରଶ୍ନ କଲା, ରାତିରେ କଅଣ ଆପଣମାନେ ପୁଣି କଟକ ଫେରିଯିବେ ?

 

ମୃଣାଳ ଉତ୍ତର ଦେଲା, ଆମେ ସବୁ ପି: ଡବଲୟୁ. ଡ଼ି. ବଂଲୋରେ ଉଠିଛୁ । ଯଦି ସୁବିଧା ହୁଏ କଟକ ଫେରିଯିବୁ; କାର୍‌ ତ ଅଛି । ଯଦି ଦରକାର ହୁଏ ତେବେ ରାତିରେ ରହି ଖୁବ୍‌ ସକାଳୁ ଚାଲିଯିବୁ ।

 

ମୃଣାଳର ନାମ ଧରି ତା’ର ସାଙ୍ଗମାନଙ୍କ ମଧ୍ୟରୁ କେହି ଜଣେ ଡାକିଲା ।

 

ମଞ୍ଜୁଳା ଫେରି ଆସିଲା ଶିକ୍ଷୟିତ୍ରୀ ନିବାସକୁ ।

 

କିନ୍ତୁ ରାତିରେ ତା’ର ସୁନିଦ୍ରା ହେଲା ନାହିଁ ।

 

ତା’ର ମନେ ହେଲା, ସେ ଯେମିତି ଆଜି ଆଉ ମିଶନ୍‌ ବାଳିକା ବିଦ୍ୟାଳୟର ସାମାନ୍ୟ ଜଣେ ଶିକ୍ଷୟିତ୍ରୀ ନୁହେଁ, ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନର ଆକାଶରେ ଜାଜ୍ଜଲ୍ୟମାନ ଏକ ଉଜ୍ଜ୍ୱଳ ତାରକା ! ସାମାନ୍ୟ କେତେ ଶହ ଛାତ୍ରୀଙ୍କ ହୃଦୟରେ ଆଦର୍ଶ ଶିକ୍ଷୟିତ୍ରୀ ଭାବରେ ପୂଜା ପାଇବା ଅପେକ୍ଷା ଲକ୍ଷ ଲକ୍ଷ ଚିତ୍ରପ୍ରେମୀ ଦର୍ଶକଙ୍କ ହୃଦୟରେ ତାରକା ହୋଇ ଚିକ୍‌ ଚିକ୍‌ କରିବାରେ ଅନେକ ଆନନ୍ଦ; ଅପରିସୀମ ତୃପ୍ତି ! ସେହି ତୃପ୍ତିର ନିଶାରେ ମଞ୍ଜୁଳାର ଆଖିପତା ମୁଦ୍ରିତ ହୋଇ ଆସିଲା ।

 

କିଶୋରୀ ବୟସରେ ସେ ଯେବେ ସ୍କୁଲକୁ ଯାଉଥିଲା, ପ୍ରଥମେ ଥରେ ସାଥିମାନଙ୍କ ଗହଣରେ ଗୋଟିଏ କାନ୍ଥରେ ମରା ହୋଇଥିବା ହିନ୍ଦି ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ପ୍ରାଚୀର–ଚିତ୍ର ଦେଖି ସେ ଲଜ୍ଜାରେ ମୁଣ୍ଡ ତଳକୁ କରି ଦେଇଥିଲା । ଅଭିନେତ୍ରୀଙ୍କ ସେହି ଛବିରେ ତାଙ୍କ ଦେହର ଏପରି ଅନେକ ଅଂଶ ଅନାବୃତ ଥିଲା, ଯାହା ଲକ୍ଷ୍ୟ କରି ତା’ ଦେହ ଶିହରଣରେ ଶିର୍‌ ଶିର୍‌ ହୋଇ ଉଠିଥିଲା । ସେହି ଛବି ସମ୍ପର୍କରେ ତା’ର ସାଥିମାନେ ସପକ୍ଷ, ବିପକ୍ଷରେ ଆଲୋଚନା କରିଥିଲେ । ମଞ୍ଜୁଳା ସେମାନଙ୍କୁ ପ୍ରଶ୍ନ କରିଥିଲା, ଆଚ୍ଛା, ଫିଲ୍ମ ପ୍ରଯୋଜକମାନେ ନଗ୍ନଚିତ୍ର ରୁଚି–ବିରୁଦ୍ଧ ବୋଲି ଜାଣି ସୁଦ୍ଧା ଏପରି ଛବି କାନ୍ଥ ବାଡ଼ରେ ମାରନ୍ତି କାହିଁକି ?

 

ତା’ର ନିର୍ବୋଧତା ଲକ୍ଷ୍ୟ କରି କେତେଜଣ ସହପାଠିନୀ ଉଚ୍ଚ କଣ୍ଠରେ ହସିଥିଲେ ।

 

ମନ୍ତବ୍ୟ କରିଥିଲେ, ପୁରୁଷ ଦର୍ଶକମାନଙ୍କୁ ପ୍ରଲୁବ୍‌ଧ କରିବା ପାଇଁ ଫିଲ୍ମରେ ଏପରି ନଗ୍ନ ଦୃଶ୍ୟ, ପୋଷ୍ଟରରେ ଏଭଳି ଅଭିନେତ୍ରୀଙ୍କ ନଗ୍ନ ଛବି ସେମାନେ ଜାଣି ଜାଣି ଦିଅନ୍ତି । ତା’ ନହେଲେ ଫିଲ୍ମ ହିଟ୍‌ କରିବ କିପରି ?

 

ଅଭିନେତ୍ରୀଙ୍କ ଦେହର କେତେକ ଅଂଶକୁ ଉଲଗ୍ନ କରିବା ସହିତ ଫିଲ୍ମ ହିଟ୍‌ କରିବା ଯେ ଅନେକ ଗୋପନ ଯୋଗସୂତ୍ର ଅଛି, ସେଦିନ ସହପାଠିନୀମାନଙ୍କ ମୁହଁରୁ ପ୍ରଥମେ ଶୁଣିଥିଲା ମଞ୍ଜୁଳା । ନିଜେ ସହରକୁ ଯାଇ ବାରମ୍ବାର ହିନ୍ଦୀ, ଇଂରେଜୀ ଫିଲ୍ମ ଦେଖିଲା ପରେ ଶୁଣିଥିବା କଥାର ସତ୍ୟତା ସମ୍ବର୍କରେ ସେ ନିଃସନ୍ଦେହ ହୋଇଥିଲା । ଲକ୍ଷ୍ୟ କରିଥିଲା, ଗୋଟିଏ ହେଲେ ଇଂରେଜୀ ଶବ୍ଦ ବୁଝି ପାରୁ ନ ଥିବା ବହୁ ଦର୍ଶକ କେବଳ ବିଦେଶୀ ଅଭିନେତ୍ରୀଙ୍କ ଦେହର କିଛି କିଛି ଅନାବୃତ ଅଂଶ ଦେଖି ସୁସୁରି ବଜାଇବା ପାଇଁ ଇଂରେଜୀ ଫିଲ୍ମରେ କିପରି ଗହଳି କରନ୍ତି !

 

ଇନ୍ଦ୍ରଧନୁ ଫିଲ୍ମରେ ପଚାଶ ହଜାର ଟଙ୍କାର ଅଂଶ କିଣିଛି ମୃଣାଳ ।

 

କଟକର ଦୁଇ ମାହାଲା କୋଠା ସେଥିପାଇଁ କୌଣସି ମାରଓ୍ୱାଡ଼ି ବ୍ୟବସାୟୀଙ୍କ ପାଖରେ ବନ୍ଧା ପଡ଼ିଛି । ‘ଇନ୍ଦ୍ରଧନୁ’ ଫିଲ୍ମ ବଜାରରେ ହିଟ୍‌ କରିବା ଦରକାର । ତା’ ନ ହେଲେ... !

 

ତା’ ପରେ ଆଉ କିଛି ଭାବିପାରେ ନାହିଁ ମଞ୍ଜୁଳା ।

 

‘ଇନ୍ଦ୍ରଧନୁ’ ଫିଲ୍ମ ହିଟ୍‌ କରିବା କଥା ଭାବିବା ମାତ୍ରେ ତା’ର ମନେ ହୁଏ ତା’ ଦେହରୁ ହାତ ବଢ଼ାଇ ପରିଧେୟ ଗୁଡ଼ାକ କିଏ ଯେପରି ଟାଣି ନେଉଛି । ଦେହର ଯେଉଁ ନିଷିଦ୍ଧ ଅଂଶ ମୃଣାଳର କ୍ଷୁଧିତ ଦୃଷ୍ଟି ଆଗରୁ ସୁଦ୍ଧା ସେ ଏପର୍ଯ୍ୟନ୍ତ ଗୋପନୀୟ କରି ରଖିଛି, ସେହି ଅଙ୍ଗ ତା’ର ସାଧାରଣ ଦର୍ଶକ ଆଗରେ ନଗ୍ନ ହୋଇଯାଉଛି !

 

ମଞ୍ଜୁଳା ନିଜ ମନର ଏଇ ଚିନ୍ତା ପାଖରେ ନିଜେ ବଡ଼ ମ୍ରୀୟମାଣ ହୋଇ ପଡ଼ିଲା ।

 

ଦୁଇ ହାତର ଆଞ୍ଜୁଳାରେ ନିଜ ମୁହଁକୁ ଗୋପନ କରି ସେ ଶୋଇବାକୁ ଚେଷ୍ଟା କଲା ।

 

ହଷ୍ଟେଲ ପରିଚାରିକା ମାଳତୀର କଣ୍ଠ ସ୍ୱରରେ ସକାଳୁ ନିଦ୍ରାଭଙ୍ଗ ହେଲା ମଞ୍ଜୁଳାର । ରାତିରେ ବିଳମ୍ବରେ ଶୋଇଥିବା ଯୋଗୁ ସକାଳ ହୋଇଯାଇଥିଲେ ସୁଦ୍ଧା ଚଦରଟା ମୁହଁ ଉପରକୁ ଟାଣି ସେ କର ନେଉଟାଇ ଶୋଇବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ମାଳତୀର ପାଟି ଶୁଭିଲା, ଦିଦି ! ସିନେମା କମ୍ପାନୀର ବାବୁ କିଏ ଦେଖା କରିବାକୁ ଡାକୁଛନ୍ତି ।

 

ସିନେମା କମ୍ପାନୀ ବାବୁଙ୍କ ନାମ ଶୁଣି ମଞ୍ଜୁଳା ଆଖିର ତନ୍ଦ୍ରା ତୁଟିଗଲା । ବୋଧହୁଏ ସୁଟିଂ ପାଇଁ କେବେ ସ୍କୁଲ ଛାଡ଼ିଯିବାକୁ ହେବ, ସେକଥା ମୃଣାଳ ଓ ତା’ର ବନ୍ଧୁମାନେ ଜାଣିବାକୁ ତାକୁ ଡାକୁଛନ୍ତି । ସେ ହାତ ପାପୁଲିରେ ଆଖି ମଳି ମଳି ମାଳତୀକୁ ପଚାରିଲା, ମତେ ଡାକୁଛନ୍ତି ! ସେମାନଙ୍କୁ ଅପେକ୍ଷା କରିବାକୁ କହ ।

 

ନା, ତମକୁ ନୁହେଁ । ମୌସୁମୀ ଦିଦିଙ୍କୁ ଡାକୁଛନ୍ତି । ମାଳତୀ ସଠିକ ସମ୍ବାଦଟା ଦେଇ ମଞ୍ଜୁଳାକୁ ଚମକାଇ ଦେଲା ।

 

ମତେ ଡାକୁ ନାହାନ୍ତି ? ମଞ୍ଜୁଳା ସେ ପର୍ଯ୍ୟନ୍ତ ସୁନ୍ଧା ମାଳତୀର କଥାକୁ ବିଶ୍ୱାସ କରୁ ନ ଥିଲା ।

 

ନା, ମୌସୁମୀ ଦିଦିଙ୍କୁ; ମୌସୁମୀ ଦିଦିଙ୍କୁ । ନିଜ କଥାର ପୁନରାବୃତ୍ତି କଲା ମାଳତୀ ।

 

ମୌସୁମୀ ସଦ୍ୟ ନିଦରୁ ଉଠି ସେତେବେଳେ ମୁହଁ ଧୋଇ ଫେରୁଥିଲା । ସିନେମା କମ୍ପାନୀର ବାବୁମାନେ ତା’ ସହିତ ଦେଖା କରିବାକୁ ଚାହୁଁଛନ୍ତି ଜାଣି ତା’ ଦୁଇ ଆଖିର ଭ୍ରୂଲତାରେ ବିସ୍ମୟର କୁଞ୍ଚନ ଦେଖାଗଲା ।

 

।। ୧୦ ।।

 

ସେଦିନ ସ୍କୁଲକୁ ଗଲାବେଳେ ବଡ଼ ସନ୍ତର୍ପଣରେ ମୌସୁମୀ ଚାରିଆଡ଼କୁ ଚାହୁଁଥିଲା ।

 

‘ଇନ୍ଦ୍ରଧନୁ’ ଫିଲ୍ମର ଡିରେକ୍ଟର ଅନ୍ୟାନ୍ୟମାନେ ତା’ ସହିତ କଥାବାର୍ତ୍ତା କରି ଗଲା ପରେ ମିସନ ବାଳିକା–ବିଦ୍ୟାଳୟର ଶିକ୍ଷୟିତ୍ରୀ ନିବାସ ଏକ ଶତ୍ରୁ ଶିବିରରେ ପରିଣତ ହେଲା ଭଳି ତା’ର ମନେ ହେଉଛି । ମଞ୍ଜୁଳା ତାକୁ କଥା କହୁନାହିଁ । ପ୍ରତିମା ଆଉ କମଳିନୀ ଚାରିଆଡ଼େ ପ୍ରଚାର ଆରମ୍ଭ କରି ଦେଇଛନ୍ତି ଯେ ମଞ୍ଜୁଳା ବଦଳରେ ସେ ହୁଏତ ‘ଇନ୍ଦ୍ରଧନୁ’ର ନାୟିକା ହେବ !

 

ସେ ପ୍ରତିବାଦ କରିଛି ।

 

ସେମାନେ କେବଳ ତା’ ନାଚ ପାଇଁ ଅଭିନନ୍ଦନ ଜଣାଇବାକୁ ଆସିଥିଲେ । ଫିଲ୍ମ ସଂକ୍ରାନ୍ତରେ ଅନ୍ୟ କିଛି କହି ନାହାନ୍ତି ବୋଲି ଜଣାଇଛି । ତା’ କଥା କେହି ବିଶ୍ୱାସ କରି ନାହାନ୍ତି । କାହିଁକି ଯେ ତାକୁ ସମସ୍ତେ ଅଭିନେତ୍ରୀ ବୋଲି ସନ୍ଦେହ କରୁଛନ୍ତି, ସେ ନିଜେ ଜାଣି ପାରୁ ନାହିଁ ।

 

ବାଟରେ ଗଲାବେଳେ କେହି କେହି ତାକୁ ‘ଏଇ ହିରୋଇନ୍‌’ ବୋଲି ଇଙ୍ଗିତ କରୁଥିବା ସେ ଶୁଣିଛି । ସବୁଠାରୁ ମଜାର କଥା ସ୍ଥାନୀୟ ଅଞ୍ଚଳର କେତେକ ଝିଅ–ବୋହୂ ତାକୁ ସ୍କୁଲକୁ ଦେଖିବାକୁ ଆସିଥିଲେ । କାରଣ ସେ କୁଆଡ଼େ ଖୁବ୍‌ ଶୀଘ୍ର ସ୍କୁଲ ଛାଡ଼ି ଫିଲ୍ମ ହିରୋଇନ୍‌ ହେବାକୁ ଚାଲି ଯାଉଛି ।

 

ପ୍ରଥମେ ଏ ସବୁ କଥାର ପ୍ରତିବାଦ କରୁଥିଲା ମୌସୁମୀ । ଆଜିକାଲି ତାକୁ କେହି ହିରୋଇନ୍‌ ବୋଲି କହିଲେ ସେ ନୀରବରେ ହସେ । ତା’ର ସେ ନୀରବତାକୁ ଯଦି କେହି ସମ୍ମତିର ଲକ୍ଷଣ ବୋଲି ଧରି ନେଇ ଥାଆନ୍ତି, ସେଥିପାଇଁ ସେ ନିଜକୁ ଦାୟୀ କରିବ କାହିଁକି ? ।

 

ସେମାନେ ତା’ ସହିତ ଦେଖା କରି ତା’ର ନୃତ୍ୟର ପ୍ରଶଂସା କରିଥିଲେ । ସେମାନଙ୍କ ଭିତରୁ ମୃଣାଳ ନାମକ ଭଦ୍ରଲୋକ କୁଆଡ଼େ ମଞ୍ଜୁଳାର ପ୍ରେମିକ । ସେକଥା ପରେ କମଳିନୀଠାରୁ ଶୁଣିଥିଲା ମୌସୁମୀ । ଅନ୍ୟ ଯେଉଁ ଭଦ୍ରଲୋକ ଜଣକ ତା’ ନୃତ୍ୟର ପ୍ରଶଂସା କରିଥିଲେ, ନିଜର ପ୍ରତିଭାକୁ ଏହି ମଫସଲ–ପ୍ରାୟ ଶିକ୍ଷାଳୟର ସୀମିତ ମଧ୍ୟରେ ମଉଳି ଯିବାକୁ ନ ଦେବା ଲାଗି ଅନୁରୋଧ କରିଥିଲେ; ସେ କୁଆଡ଼େ ‘ଇନ୍ଦ୍ରଧନୁ’ ଫିଲ୍ମର ନିର୍ଦ୍ଦେଶକ ।

 

ସେମାନଙ୍କ ପ୍ରଶଂସା ଲାଗି ମୌସୁମୀ କୃତଜ୍ଞତା ଜଣାଇଥିଲା ।

 

ପ୍ରଯୋଜକମାନଙ୍କ ମଧ୍ୟରୁ ଜଣେ କିଏ ମନ୍ତବ୍ୟ କରିଥିଲା ଆପଣଙ୍କ ପ୍ରତିଭାର ବିକାଶ କରିବା ଦିଗରେ ଆମକୁ ଯଦି ଆପଣ ସୁଯୋଗ ଦେବେ, ଆମେ ଖୁସି ହେବୁ ।

 

ମୁଣ୍ଡ ହଲାଇ ମନା କରିଥିଲା ମୌସୁମୀ ।

 

ମନ୍ତବ୍ୟ କରିଥିଲା; ମୁଁ ଏଠାରେ ବେଶ୍‌ ଶାନ୍ତିରେ ଅଛି । ଛାତ୍ରୀ ଜୀବନରେ କେବେ ନୃତ୍ୟ ଶିକ୍ଷା କରିଥିଲି, ସେକଥା ଆଜି ଆଉ ମୋର ନିଜର ମନେ ନାହିଁ । ମୁଁ ନାଚିବାକୁ ଚାହେଁନା, ଶିକ୍ଷୟିତ୍ରୀ ହେବାକୁ ଚାହେଁ ।

 

ସେମାନେ ଚାଲିଯାଇଥିଲେ ।

 

ଗଲାବେଳେ ମୃଣାଳ ନାମକ ସେ ଭଦ୍ରଲୋକ ତା’ ଆଡ଼କୁ ତୀର୍ଯ୍ୟକ୍‌ ଦୃଷ୍ଟିରେ ଚାହୁଁଥିଲେ । ଭଦ୍ରବ୍ୟକ୍ତିଙ୍କୁ ଅଭଦ୍ର ଅଭଦ୍ର ମନେ ହୋଇଥିଲା ମୌସୁମୀର । ସେ ମଞ୍ଜୁଳାର ପ୍ରେମିକ ବୋଲି ଜାଣିବା ପରେ ତାଙ୍କର ଅଶ୍ଳୀଳ ତୀର୍ଯ୍ୟକ୍‌ ଦୃଷ୍ଟି କଥା ସ୍ମରଣ କରି ସେ ଶିହରି ଉଠିଥିଲା ଏବଂ ହଠାତ୍‌ ଅତନୁର କଥା ତା’ର ମନେ ପଡ଼ି ଯାଇଥିଲା ।

 

କମଳିନୀଠାରୁ ସେ ଶୁଣିଥିଲା ମୃଣାଳବାବୁ ମଞ୍ଜୁଳାର ପ୍ରେବିକ । ପ୍ରଭା ଅପାଙ୍କଠାରୁ ଶୁଣିଲା, ମୃଣାଳବାବୁଙ୍କ ଚେଷ୍ଟାରେ ମଞ୍ଜୁଳା ‘ଇନ୍ଦ୍ରଧନୁ’ ଫିଲ୍ମର ନାୟିକା ହେବାକୁ ଯାଉଛି ।

 

ପ୍ରଭା ଅପା ତାକୁ ଖବରଟି ଦେଲାବେଳେ ଦାନ୍ତ ଚିପି ଚିପି ହସୁଥିଲେ । କିଛି ସମୟ ପରେ ମନ୍ତବ୍ୟ କରିଥିଲେ; ତମେ ବର୍ତ୍ତମାନ ମଞ୍ଜୁଳାର ପ୍ରତିଦ୍ୱନ୍ଦୀ । ସେଥିପାଇଁ ସେ ତମ ଉପରେ ରାଗରେ ଗର ଗର ହେଉଛି ।

 

ମୌସୁମୀ ରହସ୍ୟମୟ ଭାବରେ ହସି ଉତ୍ତର ଦେଇଥିଲା, ମୁଁ ତ ମୃଣାଳବାବୁଙ୍କ ପ୍ରେମରେ ଭାଗ ବସାଇବାକୁ ଯାଉନି, ତାଙ୍କର ପ୍ରତିଦ୍ୱନ୍ଦୀ ହେବି କାହିଁକି ?

 

ମୃଣାଳବାବୁଙ୍କ ପ୍ରେମରେ ଭାଗ ବସାଇଲେ ବୋଧହୁଏ ସେ ଏତେ ରାଗ କରନ୍ତା ନାହିଁ-। ସେ ଅନେକ ଦିନ ଧରି ମୃଣାଳବାବୁଙ୍କୁ ପ୍ରେମ କରୁଚି । ଅନେକ ଦିନ ଧରି ପ୍ରେମ ଚାଲିଲେ ପ୍ରେମିକା ପାଖରେ ପ୍ରେମିକ ପୁରୁଷ ସବୁ ଆକର୍ଷଣ ହରାଇ ବସେ । ବର୍ତ୍ତମାନ ଚଳଚ୍ଚିତ୍ରର ନାୟିକା ହେବାର ନିଶା ଲାଗିଯାଇଛି ‘ମଞ୍ଜୁଳାର ମନରେ । ମୃଣାଳବାବୁଙ୍କ ନାୟିକା ହେବା ଅପେକ୍ଷା ଚଳଚ୍ଚିତ୍ରର ନାୟିକା ହେବାରେ ତା’ର ଆଜି ବେଶି ଲୋଭ । ତା’ର ଧାରଣା ତମେ ତା’ର ଚଳଚ୍ଚିତ୍ର ନାୟିକା ହେବାର ପଥରେ ଅନ୍ତରାୟ ହୋଇ ଠିଆ ହୋଇଛ । ପ୍ରଭା ଅପା ତାକୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

 

ହେତର ଆଙ୍ଗୁଠିରେ ଆଖି ଛୁଇଁ ମୌସୁମୀ କହିଥିଲା; ଆଖି ଛୁଉଁଛି ପ୍ରଭାଅପା ! ସେମାନେ ମତେ ଆଦୌ ଅଭିନେତ୍ରୀ ହେବା କଥା କହି ନାହାନ୍ତି ।

 

ପ୍ରଭା ଅପା ତାକୁ କୁଣ୍ଢାଇ ପକାଇଲେ ।

 

ସବୁ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ ସେ ମୌସୁମୀକୁ ବେଶୀ ଭଲ ପାଆନ୍ତି ।

 

ତା’ ବେକରେ ନିଜ ଦୁଇ ହାତ ଛନ୍ଦି ଦେଇ କହିଲେ, କଳା ସଂସ୍କୃତି ପ୍ରଭୃତିରେ ଆକୃଷ୍ଟ ନ ହୋଇ ତମେ ଭଲ କରିଛ ମୌସୁମୀ । ଛାତ୍ରୀ ଜୀବନରେ ମୋର ମଧ୍ୟ ଏହି କଳା–ସଂସ୍କୃତି ପ୍ରତି ଅନ୍ଧ ଆକର୍ଷଣ ଥିଲା । ସେଥିପାଇଁ ଜୀବନରେ ମୁଁ ଅନେକ କଷ୍ଟ ସହିଛି । ତମେ ସେ ଆଡ଼କୁ ମୋଟେ ମନ ଦିଅ ନାହିଁ ।

 

ତା’ପରେ ସେ କିଛି ସମୟ ଚୁପ୍‌ ରହି କହିଲେ, ପ୍ରତ୍ୟେକ ନାରୀ ଜଣେ ଜଣେ ଅଭିନେତ୍ରୀ । ସାଂସାରିକ ଜୀବନରେ ସୁଖୀ ହେବାକୁ ହେଲେ ପ୍ରତ୍ୟେକ ନାରୀକୁ ଅଭିନୟ କରିବାକୁ ହୁଏ । କିନ୍ତୁ ଏଥିପାଇଁ ଚଳଚ୍ଚିତ୍ରରେ ଅଭିନୟ କରିବା ଦରକାର ନାହିଁ । ଅଭିନୟ ପାଇଁ ନାରୀ ପକ୍ଷରେ ପ୍ରକୃତ ରଙ୍ଗମଞ୍ଚ ହେଉଛି ତା’ର ସ୍ୱାମୀର ସଂସାର... ।

 

ମୁଗ୍‌ଧ ହରିଣୀଟି ଭଳି ଅପାଙ୍କ କଥା ମନ ଦେଇ ଶୁଣୁଥିଲା ମୌସୁମୀ । ଏ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ ସେ ପ୍ରଭା ଅପାଙ୍କୁ କେବଳ ମନେ ମନେ ଭକ୍ତି କରେ । ତାଙ୍କ ସୀମନ୍ତରେ ସେ ସିନ୍ଦୁର ଟୋପା ଦେଖିଲେ ଏକ ସ୍ୱତଃ ଭକ୍ତିଭାବ ମନରେ ସୃଷ୍ଟି ହୁଏ ।

 

ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରଭା ଅପା ବିବାହିତା । ସ୍ୱାମୀ ତାଙ୍କର ଆସିଷ୍ଟାଣ୍ଟ ଉଞ୍ଜିନିୟର । ଈର୍ଷାରେ ମଞ୍ଜୁଳା କହେ; ଆସିଷ୍ଟାଣ୍ଟ ଇଂଜିନିୟର ନୁହେଁ ମ, ଜୁନିୟର ଇଂଜିନିୟର; ଓଭରସିଅରଙ୍କ ଅଧୀନରେ କାମ କରେ । ମୌସୁମୀ କେବେ ମଞ୍ଜୁଳା କଥାରେ କାନ ଦିଏ ନାହିଁ । ପ୍ରଭା ଅପା ସ୍ୱାମୀଙ୍କ ଚାକିରି ଆଉ ଚେହେରା ଉପରେ ସେ ମନ୍ତବ୍ୟ କରୁଥିବାବେଳେ, ମୌସୁମୀ ସ୍ଥାନ ତ୍ୟାଗ କରି ଚାଲିଆସେ ।

 

ପ୍ରଭା ଅପା କେତେ ଭଲ, କେତେ ଶାନ୍ତ, ଶିଷ୍ଟ !

 

ଝିଆରୀକୁ ସାଙ୍ଗରେ ଧରି ସ୍କୁଲକୁ ଆସନ୍ତି । ଛୁଟିଘଣ୍ଟା ବାଜିବା ଆଗରୁ ହାତ ଘଣ୍ଟାକୁ ବାରମ୍ବାର ଦେଖୁଥାଆନ୍ତି । ମୌସୁମୀ ପଚାରେ, ଏମିତି ଛନ ଛନ ହେଉଛନ୍ତି କାହିଁକି ପ୍ରଭା ଅପା ?

 

ପ୍ରଭା ଅପା ଉତ୍ତର ଦିଅନ୍ତି, ଝିଅକୁ ଘରେ ଛାଡ଼ି ଆସିଛି–ସେ ବର୍ତ୍ତମାନ କାନ୍ଦୁଥିବ । ମନ କଅଣ ହୋଇ ଯାଉଛି । ତମର ଛୁଆ–ପିଲା ହୁଅନ୍ତୁ ବୁଝିବ ଯେ–!

 

ସ୍ନେହରେ ସେ ମୌସୁମୀର ଗାଲରେ ଟିପା ମାରନ୍ତି । ଗଭୀର ସ୍ନେହ, ଆନ୍ତରିକତାରେ ମୌସୁମୀର ମନ ଭରି ଉଠେ । ମନେ ମନେ ସେ ଭାବେ, ଆଃ ପ୍ରଭା ଅପା କେତେ ଭଲ, କେତେ ବଡ଼ ! ସେ କେବଳ ସ୍ୱାମୀଙ୍କ ସନ୍ତାନକୁ କୋଳରେ ଧରି ନାହାନ୍ତି, ସ୍ୱାମୀଙ୍କ ପରିବାରର ଆର୍ଥିକ ଅସ୍ୱଚ୍ଛଳତାରୁ ଭାଗ ନେବା ପାଇଁ ଶିକ୍ଷୟିତ୍ରୀ ଚାକିରି ଗ୍ରହଣ କରିଛନ୍ତି !

 

ମୌସୁମୀ ପ୍ରଭା ଅପାଙ୍କ ମୁହଁଙ୍କୁ ଚାହିଁଲା ।

 

ଆଜି ତାଙ୍କ କଥାଗୁଡ଼ାକ ତାଙ୍କୁ କିପରି ଦୁର୍ବୋଧ୍ୟ, ରହସ୍ୟମୟ ମନେ ହେଉଥିଲା ।

 

ସ୍କୁଲ ଛୁଟି ହୋଇଗଲାଣି ।

 

ପ୍ରତିମା, ମଞ୍ଜୁଳା, କମଳିନୀ ଶିକ୍ଷୟିତ୍ରୀ ନିବାସକୁ ଫେରି ଗଲେଣି । ପ୍ରଭା ଅପା ଘରକୁ ନ ଯାଇ ତା’ ସହିତ ଗପ କରୁଛନ୍ତି କିପରି ?

 

: ଆଜି କଅଣ ଝିଅ କଥା ମନେ ପଡ଼ୁନି ? ସ୍କୁଲ ଅନେକବେଳୁ ଛୁଟି ହୋଇଗଲାଣି ଯେ-! ମୌସୁମୀ ତାଙ୍କୁ ସ୍ମରଣ କରାଇ ଦେଲା ।

 

ପ୍ରଭା ଅପା ହସିଲେ । କହିଲେ : ଝିଅ ଆଜି ତା’ର ବାପାଙ୍କ ପାଖରେ ଗେହ୍ଲା ହେଉଥିବ-। ସେ କାଲିଠାରୁ ଆସିଛନ୍ତି ଯେ ।

 

ପ୍ରଭା ଅପାଙ୍କ ମୁହଁରେ ହସର ଆଲୁଅ ଝଟକି ଉଠିଲା । ସେମାନଙ୍କ ସୁଖୀ ପାରିବାରିକ ଜୀବନର ଏକ ସଂକ୍ଷିପ୍ତ ଚିତ୍ର ଭାସି ଉଠିଲା । ମୌସୁମୀର ଆଖି ଆଗରେ । ତାଙ୍କ ମୁହଁ ଦେଖି ସେ ଜାଣିଥିଲା ପ୍ରଭା ଅପା ସୁଖୀ । ତାଙ୍କ ଭଳି ସ୍ନେହମୟୀ ନାରୀ କେବେହେଲେ ଦୁଃଖିନୀ ହୋଇପାରନ୍ତି ନାହିଁ ।

 

ପ୍ରଭା ଅପା ତା’ର ହାତ ଧରି କହିଲେ, ଆଚ୍ଛା ମୌସୁମୀ ! ତମେ ବିବାହ କରିବାକୁ ରାଜି ହେଉନା କାହିଁକି ? ତମ ଭଳି ଝିଅ ବିବାହ କଲେ ସତରେ ଭାରି ସୁଖୀ ହେବେ ।

 

ମୌସୁମୀ ପ୍ରଭା ଅପାଙ୍କ ମୁହଁକୁ ଚାହିଁଲା, କିଛି ଉତ୍ତର ଦେଲା ନାହିଁ ।

 

ପ୍ରଭା ନିଜ ଦୁଇ ହାତ ଅଞ୍ଜୁଳାରେ ତା’ର ସୁନ୍ଦର ମୁହଁଟିକୁ ଚାପି ଧରି କହିଲେ : ପ୍ରେମିକଙ୍କୁ ଏ ପର୍ଯ୍ୟନ୍ତ ଭୁଲି ପାରି ନାହିଁ ? ପଛ ଜୀବନ କଥାକୁ ଝୁରି ଝୁରି ସାରା ଜୀବନ ଏମିତି ଜଳୁଥିବ ?

 

ପ୍ରଭା ଅପାଙ୍କ ମୁହଁରୁ ନିଜ ଅତୀତ ଜୀବନର ଅପ୍ରକାଶ୍ୟ ଘଟଣା ଶୁଣି ଚମକି ଉଠିଲା ମୌସୁମୀ । ମୁହଁ ତା’ର ଶୁଖି କଳା ପଡ଼ିଗଲା ।

 

ପ୍ରଭା ଅପା କହିଲେ : ମୋ ପାଖରେ ଧରା ପଡ଼ିଗଲ ବୋଲି ଭୟ କରୁଛ ? ଛି, ମୁଁ ତମକୁ ପ୍ରଥମ ଦେଖାରୁ ଚିହ୍ନି ପାରିଥିଲି । ଜାଣିଥିଲି ପ୍ରଣୟର ବ୍ୟର୍ଥତା ତମକୁ ଏ ମିଶନ ବାଳିକା ସ୍କୁଲକୁ ଶିକ୍ଷୟିତ୍ରୀ ଭାବରେ ଟାଣି ଆଣିଛି ।

 

ପ୍ରଭା ଅପାଙ୍କ ଛାତିରେ ମୁହଁ ଜାକିଲା ମୌସୁମୀ ।

 

ପ୍ରଭା ଅପା ହସି ହସି କହିଲେ : ତମ ଅତୀତ ଜୀବନ କଥା କେମିତି ଜାଣିଲି ବୋଲି ଭାବୁଛ ? ନା କେହି ମତେ କହି ନାହିଁ । ତମ ମୁହଁର କପଟ–ଗାମ୍ଭୀର୍ଯ୍ୟରୁ ମୁଁ ସେ କଥା ବୁଝିଥିଲି । ମୁଁ ବି କୁମାରୀ ଜୀବନରେ ଆଉ ଜଣକୁ ପ୍ରେମ କରୁଥିଲି ମୌସୁମୀ ! ପ୍ରଣୟର ବ୍ୟର୍ଥତା ମତେ ଡ଼ି. ଇଡ଼ି., ପଢ଼ିବାକୁ ବାଧ୍ୟ କରିଥିଲା । ତା’ ନ ହୋଇଥିଲେ–

 

ମୌସୁମୀ ଲକ୍ଷ୍ୟ କରିଥିଲା, ପ୍ରଭା ଅପାଙ୍କ କଣ୍ଠ ଅବରୁଦ୍ଧ ଆବେଗରେ ଥରି ଉଠୁଛି । ସେ ତାଙ୍କର ଯେଉଁ ଛାତିରେ ମୁହଁ ଜାକିଥିଲା, ସେ ଛାତିର ସ୍ପନ୍ଦନ ଦୃଢ଼ରୁ ଦୃଢ଼ତର ହେଉଛି । ତାଙ୍କ କଥାରୁ ଗୋଟାଏ ରୋମାଞ୍ଚକର ଗଳ୍ପର ଆଭାସ ସେ ପାଉଛି ।

 

ସେ ପ୍ରଭା ଅପାଙ୍କ ମୁହଁକୁ ଚାହିଁଲା ।

 

ଏଇ, କଳା ସଂସ୍କୃତି ପ୍ରତି ମୋର ସର୍ବନାଶ କରିଥିଲା । ଜଣେ କଳାକାରର ପ୍ରଣୟରେ ଅନେକ ଦିନ, ଅନେକ ରାତି ଜଳମଗ୍ନ ହୋଇ ରହିଲା ପରେ ଦିନେ ମୁଁ ହଠାତ୍‌ ବୁଝିଲି, ତାଙ୍କୁ ବିବାହ କଲେ ମୁଁ ସୁଖୀ ହେବି ନାହିଁ । ସେଥିପାଇଁ ବଡ଼ କୌଶଳରେ ତାଙ୍କ ବନ୍ଧନରୁ ମୁକ୍ତ ହୋଇ ମୁଁ ପୁଣି ଆଉ ଜଣକୁ ବିବାହ କରି ସୁଖୀ ହେଲି । ପ୍ରେମରେ ପ୍ରତାରିତା ହେଲେ ନାରୀର ଜୀବନ ନଷ୍ଟ ହୋଇଯାଏ । ପ୍ରେମରେ ପ୍ରତାରଣା କରି ପାରିଲେ ନାରୀ ସବୁଠୁଁ ବଳି ସୁଖୀ ହୁଏ । ତମର ଯଦି ସନ୍ଦେହ ହେଉଛି, ଚାଲ ମୋ ସ୍ୱାମୀଙ୍କୁ ଥରେ ଦେଖି ଆସିବ । ଭୁଲରେ ସୁଦ୍ଧା ସେ ମତେ ସନ୍ଦେହ କରନ୍ତି ଦାହିଁ । ତମେ ନାଚ ଦେଖାଇ ଦର୍ଶକମାନଙ୍କୁ ମୁଗ୍‌ଧ କରିଚ ମୁଁ ଅଭିନୟ କରି ସ୍ୱାମୀ ସଂସାରର ସମସ୍ତଙ୍କୁ ବଶ କରିଛି । ମୌସୁମୀ ! ତମେ ପଛକଥା ଭୁଲିଯାଅ । ମତେ ଓ ମୋର ସୁଖୀ ପାରିବାରିକ ଜୀବନକୁ ଲକ୍ଷ୍ୟ କରି ବିବାହ କର । ଜଣେ ପାଠାନୁରାଗିଣୀ ଛାତ୍ରୀକୁ ଅଭିଜ୍ଞା ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଥିବା ଭଳି ପ୍ରଭା ଅପା ତାକୁ ଉପଦେଶ ଦେଉଥିଲେ ।

 

ମୌସୁମୀ ଲକ୍ଷ୍ୟ କରୁଥିଲା, ପ୍ରଭା ଅପାଙ୍କ ଦୁଇ ଆଖିରେ ବିନ୍ଦୁ ବିନ୍ଦୁ ଲୁହ ଭରି ଆସୁଛି । ତାଙ୍କ ଛାତିରେ ସେ ସେମିତି ମୁଣ୍ଡ ରଖି କହିଲା : ପ୍ରଭା ଅପା ! ଯେତେ ଚେଷ୍ଟା କଲେ ବି ମୁଁ ପାରୁନି । ଯେତେବେଳେ ସେ ମନେ ପଡ଼ୁଛନ୍ତି, ଛାତି ଭିତର କଅଣ ହୋଇଯାଉଛି । ସେ ବିବାହ କରି ପିଲାଛୁଆଙ୍କ ବାପା ହେଲେଣି...ମୁଁ ହତଭାଗିନୀ ତାଙ୍କୁ ଭୁଲିପାରୁ ନାହିଁ...

 

ପ୍ରଭା ଅପା ମୌସୁମୀକୁ ନିଜ ଛାତିରୁ ଅଲଗା କରିଦେଇ ତା’ ମୁହଁକୁ ଚାହିଁଲେ । ମୌସୁମୀ ଆଖିର ଲୁହରେ ସେ ବୋଧହୁଏ ନିଜ ପ୍ରତାରିତ ପ୍ରେମିକଙ୍କ ମୁହଁ ଦେଖି ପାରିଲେ । ଛାତି ଭିତରେ ପୁରୁଣା ଶୁଖିଲା ଆଘାତକୁ ତାଙ୍କର ସତେ ଯେମିତି ନିଜ କଥା କହି ଉଖୁରେଇ ଦେଲା ମୌସୁମୀ ।

 

ସେ ଶାଢ଼ି କାନିରେ ନିଜ ମୁହଁକୁ ଚାପି ଧରିଲେ ।

 

ମୌସୁମୀ କହିଲା : ପ୍ରଭା ଅପା ! ଆପଣଙ୍କ ସ୍ୱାମୀ ଆସିଛନ୍ତି ! ଅପେକ୍ଷା କରିଥିବେ, ପାଞ୍ଚଟା ବାଜି ଗଲାଣି ?

 

ପ୍ରଭା ଅପା ଆଖିରୁ ଲୁହ ପୋଛି ନେଇ କହିଲେ : ସତେ ଲୋ ! ମୋର ମୋଟେ ଖିଆଲ ନାହି । ଛୁଆଛଡ଼ା ବିଲେଇ ଭଳି ସେ ବ୍ୟସ୍ତ ହେଉଥିବେ । ଉଠ୍‌ ଯିବା ।

 

ସେ ଦୁହେଁ ଉଠି ଠିଆହେଲେ । ଦୁହେଁ ଦୁହିଁଙ୍କ ଆଖିର ଲୁହ ପୋଛିଦେଇ ପରସ୍ପର ହୃଦୟର ଗୋପନ ଯନ୍ତ୍ରଣାକୁ ସ୍ପର୍ଶ କଲେ । ଦୁଇ ବାଟ ଦେଇ ଦୁହେଁଯାକ ବାଟଭାଙ୍ଗି ଚାଲିଗଲେ ।

 

।। ୧୧ ।।

 

ମୃଣାଳ ଚିଠି ଦେଇଛି ।

 

ଥରେ ନୁହେଁ ଅନେକ ଥର ପଢ଼ିଲାଣି ମଞ୍ଜୁଳା ।

 

ପ୍ରଥମେ ଚିଠିଟା ପଢ଼ି ତା’ ଆଖିରେ ଲୁହ ଭରି ଆସିଥିଲା । ଉଦ୍‌ବେଳିତ କୋହରେ ଛାତି ଫାଟିଗଲା ଭଳି ଲାଗୁଥିଲା ତାକୁ । ତା’ ଆଖିର କେଇଟୋପା ଲୁହରେ ଚିଠିର କିଛି ଅଂଶ ମଧ୍ୟ ଭିଜି ଯାଇଥିଲା । ଚେଷ୍ଟାକରି ମଧ୍ୟ ଶେଷ ପର୍ଯ୍ୟନ୍ତ ସେ ପଢ଼ିପାରି ନ ଥିଲା ଚିଠି ।

 

କିନ୍ତୁ ଦୁଇ ତିନିଥର ଚିଠିଟା ପଢ଼ି ସାରିଲା ପରେ ମଞ୍ଜୁଳା କାନ୍ଦ ଭୁଲିଗଲା । ଅଭିମାନ, ରାଗ ପାସୋରି ଦେଲା । ଓଠକୁ ଦାନ୍ତରେ କାମୁଡ଼ି ଧରି ଚିଠିର ସେଇ ଅଂଶ ଆଉ ଥରେ ପଢ଼ିନେଲା ।

 

ତମର ଅଭିନୟ ଦେଖି ସେମାନେ ମୁଗ୍‌ଧ ହୋଇଛନ୍ତି । ତମ ଚାହାଣୀର ଚଟୁଳତା, କଣ୍ଠସ୍ୱରର ମଧୁରତା ନିର୍ଦ୍ଦେଶକଙ୍କୁ ମୁଗ୍‌ଧ କରିଛି । କିନ୍ତୁ ତମ କଟିଦେଶର ସ୍ଥୂଳତା ସେମାନଙ୍କ ଦୃଷ୍ଟିକଟୁ ହୋଇଛି । ତମେ କୁଆଡ଼େ ଏଥି ଭିତରେ ଟିକିଏ ମୋଟି ହୋଇଯାଇଛ । ଫଟୋଗ୍ରାଫିରେ ତମ ସୌନ୍ଦର୍ଯ୍ୟର ଆବେଦନ ଯଥେଷ୍ଟ କମିଯାଇପାରେ ବୋଲି ସେମାନେ ଭୟ କରୁଛନ୍ତି ।

 

ମଞ୍ଜୁ ! ମୁଁ ସେମାନଙ୍କୁ ବୁଝାଇଲି ଯେ ସେମାନଙ୍କ ଦେଖିବାରେ ତ୍ରୁଟି ରହିଯାଇଛି । ମୋ କଥା ଶୁଣି ସେମାନେ ହସିଲେ । କହିଲେ ପ୍ରେମ ଯୁଗେ ଯୁଗେ ଅନ୍ଧ । ପ୍ରେମିକ ଆଖିରେ ପ୍ରେମିକା ସବୁବେଳେ ରୂପସୀ ଉର୍ବଶୀ ! କିନ୍ତୁ ଯେଉଁମାନେ ଛବି ଦେଖିବେ ସେମାନେ ଦର୍ଶକ, ପ୍ରେମିକ ନୁହନ୍ତି ।

 

ସେମାନଙ୍କୁ ମୁଁ ରାଜି କରାଇଛି, ସେମାନେ ତମକୁ ଆଉ ଥରେ ଦେଖିବାକୁ ଯିବେ । ମୋର ଧାରଣା, ସେଦିନ ଷ୍ଟେଜ୍‌ରେ ମେକ୍‌ଅପ୍‌ର ତ୍ରୁଟି ଯୋଗୁ ତମେ ସେଦିନ ସେମିତି ଦେଖା ଯାଉଥିଲ । ଏଥର ତମକୁ ସାଦା ପରିପାଟୀରେ ଦେଖିଲେ ସେମାନେ ଆଖି ଫେରାଇ ପାରିବେ ନାହିଁ ।

 

ଚିଠିରୁ ଆଖି ଫେରାଇ ଆଣିଲା ମଞ୍ଜୁଳା ।

 

ଡ୍ରେସିଂ ଟେବୁଲର ସାମ୍ନାରେ ଯାଇ ଠିଆହେଲା ।

 

ଆଇନାର ସ୍ୱଚ୍ଛ କାଚରେ ନିଜ ଦେହର ଗଢ଼ଣକୁ ନିଜେ ସେ ନିରୀକ୍ଷଣ କରି ଦେଖିଲା ।

 

ସତରେ ସେ ଏଇ କେତେଦିନ ହେଲା ମୋଟା ହୋଇ ଯାଇଛି । ବକ୍ଷ, କଟି ଓ ନିତମ୍ବର ଯେଉଁ ଆନୁପାତିକ ଭାରସାମ୍ୟ ଥିଲେ ନାରୀ ସୁନ୍ଦରୀ–ତନ୍ନୀ ଭଳି ମନେହୁଏ; ସେ ଅନୁପାତରେ ଅନେକ ବିଭ୍ରାଟ ଘଟି ଯାଇଛି ଏଥି ମଧ୍ୟରେ ।

 

ଇଚ୍ଛାକଲେ ମଧ୍ୟ ସେ ଆଜି ନିଜକୁ କ୍ଷୀଣ–ମଧ୍ୟା ବୋଲି କହିପାରିବ ନାହିଁ । ତା’ର ସିଂହକଟୀ ମାଂସ ଓ ଚର୍ବିରେ ସ୍ଥୂଳକାୟ ହୋଇ ଉଠିଛି । ଏ ଦୋଷ ତା’ର ନୁହେଁ; ଏ ତା’ର ବୟସର ବୋଷ । ତା’ର ଦେହରେ ବୟସର ଛାପ ବେଶ୍‌ ପରିସ୍ଫୁଟ ହୋଇ ଉଠିଛି ।

 

ଆଃ, ବୟସ ଛାପ !

 

କେତେ ଶୀତ ବସନ୍ତର ଉତ୍ତାପ ତା’ର ଏକଦା–ସୁନ୍ଦରୀ ଦେହ ଉପରେ ଅଲିଭା ସ୍ୱାକ୍ଷର ରଖି ଯାଇଛି ।

 

ମଞ୍ଜୁଳା କଥାଟା ଭାବି ନିଜେ ନିଜେ ହସି ଉଠିଲା ।

 

ମନେ ମନେ ଭାବିଲା ଚଳଚ୍ଚିତ୍ର ଅଭିନେତ୍ରୀଙ୍କର ବୟସ କେବେ ବଢ଼େ ନାହିଁ । ସବୁଦିନେ ସେମାନେ ରୂପସୀ ଉର୍ବଶୀ !

 

ବାହାରେ କାହାର କଥାବାର୍ତ୍ତାର କଣ୍ଠସ୍ୱର ଶୁଣା ଯାଉଛି ।

 

ପ୍ରତିମା ବୋଧହୁଏ ମୌସୁମୀ ସହିତ କଥାବାର୍ତ୍ତା ହେଉଛି । ମୌସୁମୀର କଣ୍ଠସ୍ୱର ଠିକ୍‌ ଶୁଣାଯାଏ ସୁନନ୍ଦା ପଟ୍ଟନାୟକଙ୍କ ସଙ୍ଗୀତର ସ୍ୱର ଭଳି । ସ୍ୱରଟା ଯେପରି କଣ୍ଠନଳୀରୁ ନୁହେଁ, ବୀଣାର ତାରରୁ ନିର୍ଗତ ହେଉଛି ! ଏପରି ମିଷ୍ଟଭାଷିଣୀ ଝିଅ ଣ୍ରେଣୀ ଗୃହରେ ଛାତ୍ରୀମାନଙ୍କୁ ଶିକ୍ଷା ଦେବାର କିଛି ମାନେ ହୁଏ ନାହିଁ । ପ୍ରତିଭାର ଅଯଥା ଅପବ୍ୟୟ !

 

ଆଉ ମୌସୁମୀର ରୂପ... !

 

ମୃଣାଳ ଚିଠିରେ ଲେଖିଛି, ମୌସୁମୀ ଦେବୀଙ୍କ ମୁହଁରେ ଏପରି ଏକ ସରଳ–ଲାବଣ୍ୟର ପ୍ରଲେପ ବୋଳା ହୋଇଛି; ଯାହା ଲକ୍ଷ୍ୟକଲେ ଆଖି ଫେରାଇବାକୁ ଇଚ୍ଛା ହୁଏ ନାହିଁ । ଆମ ଚଳଚ୍ଚିତ୍ର ପ୍ରଯୋଜକମାନଙ୍କ ମଧ୍ୟରୁ ଯଦି କେହି ତାକୁ ‘ଇନ୍ଦ୍ରଧନୁ’ ଚିତ୍ରର ନାୟିକା କରିବା କଥା ଭାବୁ ଥାଆନ୍ତି, ତେବେ ତାହା ସେମାନଙ୍କର ଦୋଷ ନୁହେଁ । ଦୋଷ ମୌସୁମୀ ଦେବୀଙ୍କର ଅସାମାନ୍ୟ ରୂପ । କିନ୍ତୁ ଫିଲ୍‌ମ ନିର୍ମାଣରେ ପଚାଶ ହଜାର ଟଙ୍କା ଥାଉ ଥାଉ ସେମାନେ ମୋ ଇଚ୍ଛା ବିରୁଦ୍ଧରେ କିଛି କରିପାରିବେ ନାହିଁ । ମୋର ଇଚ୍ଛା କଅଣ, ସେ କଥା ତମେ ଜାଣ । ଆଉ ଥରେ ସେ ଇଚ୍ଛାକୁ ମୁଁ ଚିଠିରେ ବର୍ଣ୍ଣନା କରିବି କି ?

 

ନା’ ନିଜ ଇଚ୍ଛାର କଥା ମୃଣାଳ ବର୍ଣ୍ଣନା କରିବା ଦରକାର ନାହିଁ । ନିଜର ପ୍ରେମ ଓ ପ୍ରଣୟ ଦେଇ ସେ ମୃଣାଳର ଇଚ୍ଛାକୁ ନିଜ ହାତମୁଠା ଭିତରେ ରଖିଛି । ଆଉ ‘ଇନ୍ଦ୍ରଧନୁ’ ଫିଲ୍‌ମ ପାଇଁ ପଚାଶ ହଜାର ଟଙ୍କା ଅଂଶ କିଣି ଚିତ୍ରର ନାୟିକା ନିର୍ବାଚନରେ ନିଜ ଇଚ୍ଛା ପୂର୍ଣ୍ଣ କରିବାର ଶକ୍ତି ସଂଗ୍ରହ କରିଛି ମୃଣାଳ ।

 

ପ୍ରତିମା ଆଉ ମୌସୁମୀ କକ୍ଷ ଭିତରକୁ ପ୍ରବେଶ କରୁଛନ୍ତି । ଡ୍ରେସିଂ ଟେବୁଲ ଆଗରୁ ଘୁଞ୍ଚିଯାଇ ଶୋଇବା ଖଟ ଉପରେ ବସିପଡ଼ିଲା ମଞ୍ଜୁଳା । ଖଟ ଉପରେ ମେଲା ହୋଇ ପଡ଼ିଥିବା ଗୋଟାଏ ଇଂରେଜୀ ଫିଲ୍‌ମ ମାଗାଜିନ୍‌ର ପୃଷ୍ଠା ଓଲଟାଇଲା ।

 

ପ୍ରତିମା କହିଲା, ମଞ୍ଜୁଳା ! ଗୋଟାଏ ମଜ୍ଜା କଥା ଶୁଣିଲଣି ?

 

ପ୍ରତିମା ଆଡ଼କୁ ଦୃଷ୍ଟି ତୋଳି ମଞ୍ଜୁଳା ଚାହିଲା ।

 

ମୌସୁମୀ ସେତେବେଳେ ଝରକା ପାଖରେ ଠିଆହୋଇ ବାହାରକୁ ଚାହିଁଛି ।

 

କଅଣ ହେଲା ? ମଞ୍ଜୁଳା ନିର୍ଲିପ୍ତ ଭାବରେ ପ୍ରଶ୍ନ କଲା ।

 

ପ୍ରତିମା ଶାଢୀ କାନିରେ ମୁହଁ ଚାପି କହିଲା, କମଳିନୀ ବିବାହ କରୁଛି ।

 

ଏକ ପରମ ଅବିଶ୍ୱାସ୍ୟ କାହାଣୀ ଶୁଣିଥିବା ଭଳି ମୁଖଭଙ୍ଗୀ କରି ମଞ୍ଜୁଳା ଉତ୍ତର ଦେଲା, ଗାଲୁଗପ କରିବାକୁ ଆଉ କେହି ମିଳିଲେ ନାହିଁ ?

 

ପ୍ରତିମା କହିଲା, ବିଦ୍ୟାରାଣ ପକାଉଛି ମଞ୍ଜୁଳା ! ମିଛ ନୁହେଁ କମଳିନୀ ସତରେ ବିବାହ କରୁଛି । ଛୁଟି ନେଇ ଗ୍ରାମକୁ ଯାଇଛି ବୋଧହୁଏ ସେ ଆଉ ଫେରିବ ନାହିଁ । ଆମେ ସବୁ ଏକାବେଳେ ବିବାହ ନିମନ୍ତ୍ରଣ କାର୍ଡ଼ ପାଇବା ।

 

ପ୍ରତିମା ବିଦ୍ୟାରାଣ ପକାଇଲେ ସୁଦ୍ଧା ମଞ୍ଜୁଳା କଥାଟା ସହଜରେ ବିଶ୍ୱାସ କରୁ ନ ଥିଲା-। ସେ କହିଲା, କମଳିନୀ ତ ପାଞ୍ଚଦିନ ହେବ ଗ୍ରାମକୁ ଯାଇଛି, ତା’ ବିବାହ ସମ୍ବାଦ ତମକୁ ଦେଲା କିଏ ?

 

ମଞ୍ଜୁଳାର ସନ୍ନିକଟମର୍ତ୍ତୀ ହୋଇ ପ୍ରତିମା କହିଲା, ଏମିତି ସେମିତି ବିବାହ ନୁହେଁ ମ ! ପୂରାପୂରି ଲଭ୍‌ ମ୍ୟାରେଜ୍‌ । ଦେଖ ଏଇ ଆମ ପାଖରେ ଥାଇ ସୁଦ୍ଧା ସେ ବୁଡ଼ି ବୁଡ଼ି ପାଣି ପିଉଥିଲା-। ଚିଠିଟା ସିନା ମୋ ହାତରେ ପଡ଼ିଲା ବୋଲି...

 

ବ୍ଲାଉଜ ଭିତରୁ ଗୋଟିଏ ରଙ୍ଗିନ ଲଫାପା କାଢ଼ି ମଞ୍ଜୁଳା ଆଖି ଆଗରେ ଦେଖାଇଲା ପ୍ରତିମା । ପତ୍ର ପ୍ରେରକର ନାମ ଦେଖି ଚମକି ଉଠିଲା ମଞ୍ଜୁଳା । ଏ ଯେ ଅଧ୍ୟାପକ ଶାନ୍ତନୁ ଦାସ !

 

ଶାନ୍ତନୁ କଲେଜରେ ତା’ଠାରୁ ଗୋଟିଏ ବର୍ଷ ସିନିଅର ଥିଲା । ରାଜକୁମାର ଭଳି ଚେହେରା । ଏମ୍‌. ଏ. ରେ ପ୍ରଥମ ଶ୍ରେଣୀ ପାଇଥିଲା । ବଲାଙ୍ଗିରରେ ଅଧ୍ୟାପକ ଅଛି ବୋଲି କିଛିଦିନ ତଳେ କହୁଥିଲା । କାଳୀ କମଳିନୀ ସହିତ ତା’ର ପ୍ରେମ କିପରି ସମ୍ଭବ ହେଲା ?

 

ମଞ୍ଜୁଳା କିଛି ଭାବିପାରୁ ନ ଥିଲା ।

 

ଆଲ୍ଲାଦିନର କୁହୁକ ଦୀପ ଭଳି ସବୁ କିଛି ତାକୁ ଭେଳିକି ଲାଗୁଥିଲା ।

 

କାଳୀ କମଳିନୀ ଶାନ୍ତନୁକୁ ବିବାହ କରୁଛି !

 

ଏ ଯେପରି ମଞ୍ଜୁଳା ପାଇଁ ଚରମ ଲଜ୍ଜା ଓ ଅପମାନର କଥା !

 

ସେ ପ୍ରତିମା ମୁହଁକୁ ଚାହିଁଲା ଏବଂ ତା’ର ଦୃଷ୍ଟି କାରୁଣ୍ୟରେ ହଠାତ୍‌ ଝାପ୍‌ସା ହୋଇଗଲା ।

 

।। ୧୨ ।।

 

ମୌସୁମୀ ବାପାଙ୍କ ମୁହଁକୁ ସ୍ପଷ୍ଟ ଭାବରେ ଚାହିଁ ପାରୁ ନ ଥିଲା । ତାଙ୍କ ପ୍ରଶ୍ନର କୌଣସି ଉତ୍ତର ଦେବାକୁ ସେ ସାହସ କରିପାରୁ ନ ଥିଲା । ଜରୁରୀ ଚିଠି ପାଇ ସେ ଯେତେବେଳେ ଘରକୁ ଆସିଥିଲା, ଆଶା କରି ନ ଥିଲା ଯେ ସେ ଏଭଳି ଏକ ବିଚିତ୍ର ପରିସ୍ଥିତିର ସମ୍ମୁଖୀନ ହେବ ।

 

ପ୍ରତିମା କହୁଥିଲା, କମଳିନୀ ଭଳି ତମର ବୋଧହୁଏ ବିବାହ ସ୍ଥିର ହୋଇଗଲା । ମଞ୍ଜୁଳା ଅପା ତ ଆଉ କିଛିଦିନ ପରେ ଆକାଶର ତାରା ହୋଇ ଝଲସିବେ, ତମେ ଦୁହେଁ ବିବାହ କରିଗଲ । ପ୍ରଭା ଅପାଙ୍କର ପରିପୂର୍ଣ୍ଣ ସଂସାର, ମୁଁ କେବଳ ଛତା–ପାନବଟା ସାର୍‌ଙ୍କ ସହିତ ଏ ସିଶନ ସ୍କୁଲରେ ପ୍ରହରୀ ହୋଇ ରହିଥିବି, ନା !

 

କଥା କହିଲାବେଳେ ପ୍ରତିମାର ସେହି ଶୀର୍ଣ୍ଣକାୟ ଦେହ ଦୋହଲି ଯାଉଥିଲା । ଶେତାଳିଆ ମୁହଁ ଶିଝିଗଲା ଭଳି ଦେଖା ଯାଉଥିଲା । କମଳିନୀର ପ୍ରେମପତ୍ର ତା’ ହାତରେ ପଡ଼ିଲା ପରେ ସେ ଲକ୍ଷ୍ୟ କରିଥିଲା, ପ୍ରତିମାର ଖାଇବା କିପରି ଦିନକୁ ଦିନ କମି ଯାଉଥିଲା । କମଳିନୀ ଥିଲା ତା’ର ଅନ୍ତରଙ୍ଗ ବାନ୍ଧବୀ । ସେ ଯେ ଅନ୍ୟଜଣେ ପୁରୁଷକୁ ବିବାହ କରି ତା’ଠାରୁ ବିଚ୍ଛିନ୍ନ ହୋଇଯିବ, ଏକଥା ସମ୍ଭବତଃ କେବେହେଲେ ସେ କଳ୍ପନା କରି ନ ଥିଲା । ସେପାଇଁ କମଳିନୀର ଶୁଭପରିଣୟ କଥା ଭାବିବା ମାତ୍ରେ ଆନନ୍ଦ ବଦଳରେ ବିଷର୍ଣ୍ଣତାରେ ମନ ତା’ର ଭରି ଯାଇଥିଲା ।

 

ବାପାଙ୍କ ପାଖରୁ ଘରକୁ ଯିବା ପାଇଁ ଜରୁରୀ ଚିଠି ଆସିଛି ବୋଲି ତା’ଠାରୁ ଶୁଣିବା ପରେ ପ୍ରତିମାର ଧାରଣା ହେଲା, ଏ ନିଶ୍ଚୟ ବିବାହ ଆୟୋଜନର ପୂର୍ବାଭାସ । ବାହାଘର ତିଥିଗୁଡ଼ାକ ଯେତେ ପାଖ ହୋଇ ଆସିଛି, ପ୍ରତିମାର ହୁଏତ ଧାରଣା ହେଉଛି, ତା’ ବ୍ୟତୀତ ଆଉ ସମସ୍ତେ ବିବାହ କରି ଯିବେ । ସେ ଏକାକିନୀ, ନିଃସଙ୍ଗ ହୋଇ ରହିଯିବ ।

 

ତା’ର ଯେ ବିବାହ ସ୍ଥିର କରି ବାପା ଘରକୁ ଯିବାକୁ ଚିଠି ଲେଖିଛନ୍ତି, ଏ କଥା ମୌସୁମୀର ବାରଣ ସତ୍ତ୍ୱେ ମଞ୍ଜୁଳାକୁ କହି ଦେଇଥିଲା ପ୍ରତିମା ।

 

ଅନେକଦିନ ପରେ ମଞ୍ଜୁଳା ତାକୁ ହସି ହସି କଥା କହିଥିଲା, ପ୍ରତିମାର ତୁଣ୍ଡ ସୁତୁଣ୍ଡ ହେଉ ମୌସୁମୀ । ତମେ ବିବାହ କରି ସୁଖରେ ଘର ସଂସାର କର । ତମ ଭଳି ଝିଅ ବିବାହ କଲେ ନିଜେ ସୁଖୀ ହେବେ, ଯାହାକୁ ବିବାହ କରିବେ, ତାକୁ ମଧ୍ୟ ସୁଖୀ କରିବେ । ଶିକ୍ଷୟିତ୍ରୀ ଚାକିରି ତମ ପାଇଁ ନୁହେଁ ।

 

ମୌସୁମୀ ଉତ୍ତର ଦେଇଥିଲା, ଆଉ ତମେ ? ଘର ସଂସାର କରିବା ଦୃଷ୍ଟିରୁ ମୋଠାରୁ କଅଣ ତମର କମ ରୂପ ଗୁଣ ଅଛି ? ପ୍ରତିମା ସିନା ଦୁର୍ବଳ ଦେହରେ ସ୍ୱାମୀ ଘରର ସାଂସାରିକ ବୋଝ ସମ୍ଭାଳି ପାରିବେ ନାହିଁ ଭୟ କରୁଛନ୍ତି, ତମେ ତା’ ଭଳି ଏତେ ରୋଗା, ଦୁର୍ବଳ ନୁହଁ !

 

ତା’ କଥା ଶୁଣି ମଞ୍ଜୁଳାର ମୁହଁ ଶୁଖି ଯାଇଥିଲା ।

 

ସେ କହିଥିଲା, ମୁଁ ମୋଟି ବୋଲି ତମେ ବି କହିଲ ମୌସୁମୀ ! ଝଡ଼ିବା ପାଇଁ ତ ଆଠଦିନ ହେଲା ରାତିରେ ମୁଁ ଭାତଖିଆ ଛାଡ଼ି ଦେଇଛି । ମହୁ ଖାଉଛି । କଅଣ କରିବି କୁହ ! ମୋର ସନ୍ଦେହ ହେଉଛି, ଖାଇବା ଜିନିଷରେ ନୁହେଁ; ପିଇବା ପାଣିରେ ବୋଧହୁଏ ମୋଟା ହେବାର ଖାଦ୍ୟସାର ଏଠାରେ ବେଶୀ ଅଛି । ତା’ ନ ହେଲେ ଏତେ ଯତ୍ନ, ଏତେ ଚେଷ୍ଟା ସତ୍ତ୍ୱେ ମୁଁ ମୋଟା ହୋଇ ଯାଉଛି କେମିତି ? ମୋଠାରୁ ପୁଣି ବେଶୀ ବୟସର ଝିଅ ତ ତନୁ ପାତେଳି ହୋଇ ରହିଛନ୍ତି-!

ମଞ୍ଜୁଳାର କଥା ଶୁଣି ଅବାକ୍‌ ହୋଇଥିଲା ମୌସୁମୀ ।

ନିଜ ଦେହର ଗଢ଼ଣ ସମ୍ପର୍କରେ ସେ ଏତେ ସଚେତନ ବୋଲି ତା’ର ଆଗରୁ ଧାରଣା ନ ଥିଲା । ସେ କେବଳ ସଂକ୍ଷେପରେ କହିଥିଲା, ବିବାହ କଲେ ତମ ଗଢ଼ଣ ଠିକ୍‌ ହୋଇଯିବ ।

ମୁହଁରେ ବିଚିତ୍ର ଏକ ଭଙ୍ଗୀ ସୃଷ୍ଟି କରି ମଞ୍ଜୁଳା ଉତ୍ତର ଦେଇଥିଲା, ସେଥିପାଇଁ ଆଉ ବୟସ ନାହିଁ । ବିବାହ କରିଥିଲେ ପାଞ୍ଚବର୍ଷ ତଳେ ବିବାହ କରି ଥାଆନ୍ତି । ଜଣେ ଇଞ୍ଜିନିୟରଙ୍କ ସାଙ୍ଗରେ ପ୍ରସ୍ତାବ ପଡ଼ିଥିଲା । ସେ ଇଞ୍ଜିନିୟର ଭଦ୍ରଲୋକଙ୍କ ବଡ଼ ପୁଅକୁ ଅଢ଼େଇ ବର୍ଷ ହେଲାଣି । ମୁଁ ବିବାହ କରିବି ନାହିଁ ବୋଲି ମନା କରିଦେବା ପରେ ଆଉ ଗୋଟାଏ ଜାଗାରେ ବିବାହ କରିଗଲେ ।

ଆତ୍ମ–ବିଜ୍ଞାପନରେ ମଞ୍ଜୁଳା ଅପ୍ରତିଦ୍ୱନ୍ଦୀ ।

ତା’ କଥାର କୌଣସି ପ୍ରତିବାଦ କରି ନ ଥିଲା ମୌସୁମୀ । ମୃଣାଳବାବୁଙ୍କ ପ୍ରସଙ୍ଗ ମଧ୍ୟ ଉତ୍‌ଥାପନ କରି ନ ଥିଲା ।

କେବଳ ନିଜ ସମ୍ପର୍କରେ ସେ ବୁଝିାଇ କହିଥିଲା, ବିବାହ ପାଇଁ ବାପା କେବେ ଡକାଇ ନାହାନ୍ତି । ଘରେ ବୋଧହୁଏ କାହାରି ଦେହମୁଣ୍ଡ ଖରାପ । ବିବାହ କରିବା କଥା ହୋଇଥିଲେ ମୁଁ କମଳିନୀ ଭଳି କୌଣସି କଥା ଲୁଚାନ୍ତି ନାହିଁ ।

 

କିନ୍ତୁ ମଞ୍ଜୁଳା, ପ୍ରତିମା ଆଗରେ ତା’ର ବିବାହ ପ୍ରସଙ୍ଗ ମିଥ୍ୟା ବୋଲି ଜୋର୍‌ ଦେଇ କହିଥିଲେ ସୁଦ୍ଧା ସେ ନିଜେ ସେ ବିଷୟରେ ନିଶ୍ଚିତ ହୋଇ ପାରି ନ ଥିଲା । ସ୍କୁଲକୁ ତା’ ସହିତ ଦେଖା କରିବାକୁ ଆସିଥିବା ବେଳେ ବାପା ତା’ର ବିବାହ ଆୟୋଜନ କରୁଥିବା କଥା ସ୍ପଷ୍ଟ ଭାବରେ କହି ଯାଇଥିଲେ । କୌଣସି କାରଣ ନ ଜଣାଇ ଶୀଘ୍ର ଅନ୍ତତଃ ଦୁଇଦିନ ପାଇଁ ଘରକୁ ଯିବାକୁ ଚିଠି ଲେଖିବା ମୂଳରେ କନ୍ୟା ଦେଖା ପ୍ରସଙ୍ଗ ଯେ ଥାଇପାରେ ସେ ବିଷୟରେ ତା’ ନିଜର ଘୋର ସନ୍ଦେହ ହୋଇଥିଲା ।

 

କିନ୍ତୁ ବାପାଙ୍କ ପ୍ରସ୍ତାବ ଶୁଣି ସେ ସ୍ତମ୍ଭୀଭୂତ ହୋଇଗଲା ।

 

‘ଇନ୍ଦ୍ରଧନୁ’ ର ନାୟିକା ହେବା ପାଇଁ ଦଶହଜାର ଟଙ୍କାର ପାରିଶ୍ରମିକ ସର୍ତ୍ତରେ ପ୍ରସ୍ତାବ ଆସିଛି । ମୃଣାଳ ବାବୁ ଓ ତାଙ୍କର ଅନ୍ୟ ପ୍ରଯୋଜକ ବନ୍ଧୁମାନେ ବାପାଙ୍କୁ ଆସି ବାରମ୍ବାର ଅନୁରୋଧ କରି ଯାଇଛନ୍ତି; ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଭବିଷ୍ୟତ କଥା ବିଚାର କରି ସେ ଯେପରି ତାକୁ ଅଭିନୟ ପାଇଁ ଅନୁମତି ଦିଅନ୍ତି ! ମାତ୍ର ୨୪ ଦିନ ସୁଟିଂ ହେବ ମାଡ଼୍ରାସରେ । ବାପା, ବୋଉଙ୍କ ତତ୍ତ୍ୱାବଧାନରେ ଷ୍ଟୁଡ଼ିଅକୁ ଯାଇ ସେ ଅଭିନୟ କରି ଆସିବ । ବାପା, ବୋଉଙ୍କର ଯିବା ଆସିବା, ରହିବା ଖର୍ଚ୍ଚ ସେମାନେ ବହନ କରିବେ ।

 

ବାପା କହୁଥିଲେ : ପିଲାଗୁଡ଼ିକ ବେଶ୍‌ ଭଦ୍ର । ତୋର ନୃତ୍ୟ ଦେଖି, ଅଭିନୟ ସମ୍ପର୍କରେ ତୋର ଅଭିଜ୍ଞତା କଥା ଶୁଣି ସେମାନେ ପ୍ରସ୍ତାବ ଆଣିଛନ୍ତି । ଟଙ୍କା ଅଗ୍ରୀମ ଦେବା ପାଇଁ ସେମାନେ ଚେକ କାଟୁଥିଲେ । ତୋର ମତାମତ ଜାଣି ନ ଥିବାରୁ ମୁଁ ସୁନାମ ଅର୍ଜନ କରିବୁ, ଏ ମୋର ଅନେକ ଦିନର ସ୍ୱପ୍ନ । ଆମ ବିନା ଚେଷ୍ଟାରେ ଏ ସୁଯୋଗ ଆପେ ଆପେ ଆସିଛି ।

 

ବିବାହ ପ୍ରସ୍ତାବ ବଦଳରେ ସିନେମାର ଅଭିନେତ୍ରୀ ହେବାର ପ୍ରସ୍ତାବ ଶୁଣି ମୌସୁମୀ ପ୍ରଥମେ ସ୍ତମ୍ଭିତ ହୋଇଥିଲା । ସ୍କୁଲରେ ସେ ଯେଉଁ ଗୁଜବରେ କାନ ଦେଇ ନ ଥିଲା, ସେହି ଗୁଜବ ସତ୍ୟ ହୋଇ ତା’ ଆଗରେ ଠିଆ ହେବ ବୋଲି ସେ ଆଶା କରୁ ନ ଥିଲା ।

 

ଜାନକୀ ବାବୁ ଝିଅର ନୀରବତାକୁ ଅନ୍ୟ ଅର୍ଥରେ ବୁଝିଲେ ।

 

କହିଲେ ମାଆ ସୁମି ! ଚଳଚ୍ଚିତ୍ରରେ ଅଭିନୟ କରିବା କଥା ଶୁଣିଲେ ଯେ କୌଣସି ସମ୍ଭ୍ରାନ୍ତ ପରିବାରର ଝିଅ ଆନନ୍ଦିତ ହେବା ବଦଳରେ କୁଣ୍ଠିତ ହେବା ସ୍ୱାଭାବିକ । ଉତ୍ସବରେ ବାଜା ବଜାଇବା ଯେପରି ସମାଜର ତଳ ଶ୍ରେଣୀର ଲୋକଙ୍କ କାମ ବୋଲି ଆମ ସମାଜରେ ଧାରଣା, ଅଭିନୟ କରି ପଇସା ରୋଜଗାର କରିବା ସେହିପରି ବାଜେ ଝିଅଙ୍କର କାମ ବୋଲି ଅନେକଙ୍କର ମତ । ଚଳଚ୍ଚିତ୍ର ଅଭିନୟରେ ପଇସା ଅଛି, ମର୍ଯ୍ୟାଦା ନାହିଁ ମୁଁ ମଧ୍ୟ ଜାଣେ । କିନ୍ତୁ ‘ଇନ୍ଦ୍ରଧନୁ’ ଫିଲ୍ମ ପ୍ରଯୋଜକ ମାନଙ୍କ ସହିତ କଥାବାର୍ତ୍ତା ହେଲା ପରେ ମୋର ସେ ଧାରଣା ବଦଳି ଗଲା । କଳାର ବିକାଶ ପାଇଁ ସେମାନଙ୍କ ମନରେ କି ବ୍ୟାକୁଳତା, ସେମାନଙ୍କ ସହିତ କଥାବାର୍ତ୍ତା ନ କଲେ ବୁଝି ହେବ ନାହିଁ । ତୁ ଯେଉଁକଥା ପାଇଁ ଭୟ କରୁଛୁ, ସେ ଭୟ ସେମାନଙ୍କର ମଧ୍ୟ ଅଛି । ସେଥିପାଇଁ ତୋ ସହିତ କଥାବାର୍ତ୍ତା ନ କରି ସେମାନେ ମୋ ପାଖକୁ ଆସିଥିଲେ । ସୁଟିଂ ବେଳେ ଆମ ତତ୍ତ୍ୱାବଧାନରେ ତୁ ରହିବୁ ବୋଲି ସେମାନେ ହିଁ ଜୋର୍‌ ଦେଲେ । ଗଲାବେଳେ କହିଗଲେ : ରୂପବତୀ ହେବା ଯେପରି ଅପରାଧ ନୁହେଁ, ଚଳଚ୍ଚିତ୍ର ଅଭିନେତ୍ରୀ ହେବା ଯେପରି ପାପ ନୁହେଁ । ମୌସୁମୀ ଦେବୀଙ୍କ ଭଳି ରୂପ ଓ ଗୁଣର ବିସ୍ମୟକର ସମାବେଷ କ୍ୱଚିତ୍‌ ଝିଅଙ୍କ ଠାରେ ଦେଖାଯାଏ-

 

ମୌସୁମୀ ନିଜର ନୀରବତା ଭଙ୍ଗ କରିଥିଲା ।

 

କହିଥିଲା : ସେମାନେ ମୋର ରୂପ ଦେଖିଛନ୍ତି; କିନ୍ତୁ ଅଭିନୟ ଦକ୍ଷତା ଦେଖି ନାହାନ୍ତି । ମୋ ସମ୍ପର୍କରେ ଏତେ ଉଚ୍ଛ୍ୱସିତ ପ୍ରଶଂସା କରିବା ସେମାନଙ୍କ ପକ୍ଷରେ ଉଚିତ ହୋଇ ନାହିଁ । ବାବା ! ଅଭିନୟର ଚରିତ୍ର ସହିତ ଏକାତ୍ମ ନ ହେଲେ ସେ ଚରିତ୍ରର ବୈଶିଷ୍ଟ୍ୟକୁ ଟିକ୍‌ ଭାବରେ ଦର୍ଶକ ଆଗରେ ଫୁଟାଇ ହୁଏ ନାହିଁ । ସେଥିପାଇଁ ଅଭିନେତ୍ରୀର ଅଭିନୟ ପ୍ରତି ଗଭୀର ଆନ୍ତରିକତା ଥିବା ଦରକାର । ମୁଁ ଅଭିନୟ କଥା କେବେ ହେଲେ ଭାବି ନାହିଁ । ନୃତ୍ୟ ପରିବେଷଣ କରିବା ଏବଂ କୌଣସି ବିଶିଷ୍ଟ ଚରିତ୍ର ଭୂମିକାରେ ଅଭିନୟ କରିବା ଏକ କଥା ନୁହେଁ । ମତେ ସବୁ କଥା ଭାବିବାକୁ ଆପଣ ସମୟ ଦିଅନ୍ତୁ ।

 

ମୌସୁମୀ ଜାନକୀ ବାବୁଙ୍କ ପାଖକୁ ଆସି ବୋଉର ଠାକୁର ଘର ଭିତରେ ପ୍ରବେଶ କରିଥିଲା ।

 

ଜୀବନରେ କୌଣସି ଦ୍ୱନ୍ଦ୍ୱର ସମ୍ମୁଖୀନ ହେଲେ ସେ ବୋଉର ଠାକୁର ଘରେ ରାଧାକୃଷ୍ଣ ମୂର୍ତ୍ତି ଆଗରେ ଠିଆ ହୁଏ । ନିଜ ଅସହାୟା ଭାବ ଦୂର କରିବା ପାଇଁ ସେ ନିଜର ଇଚ୍ଛା ଅନିଚ୍ଛାକୁ ଠାକୁରଙ୍କ ଉପରେ ଅର୍ପଣ କରିଦିଏ ।

 

ସେ କଅଣ ସତରେ ‘ଇନ୍ଦ୍ରଧନୁ’ର ନାୟିକା ହେବ ?

 

ସେ ଜାଣେ ‘ଇନ୍ଦ୍ରଧନୁ’ର ପ୍ରଯୋଜକଗଣ ତା’ର ଶାରୀରିକ ସୌନ୍ଦର୍ଯ୍ୟକୁ ବ୍ୟବହାର କରି ଚଳଚ୍ଚିତ୍ରରେ କିଛି ମୁନାଫା ଉଠାଇବା ପାଇଁ ବ୍ୟଗ୍ର । ଚଳଚ୍ଚିତ୍ର ଶିଳ୍ପର ବିକାଶ, ଉନ୍ନତ ସବୁ କେବଳ ମନ ଭୁଲାଣିଆ କଥା । ମଞ୍ଜୁଳା ତା’ ଦେହର ଆନୁପାତିକ ଭାରସାମ୍ୟ ହରାଇ ବସିଛି, ହୁଏତ ମୃଣାଳର ମନର ରୂପେଲି ପରଦାରୁ ତା’ର ଛବି ଆସ୍ତେ ଆସ୍ତେ ଲିଭି ଆସିଲାଣି । ତା’ ନ ହେଲେ ମଞ୍ଜୁଳାକୁ ଅଭିନେତ୍ରୀ ହେବାର ଆଶା ଦେଇ ବାପାଙ୍କ ପାଖକୁ ନାୟିକା କରିବାର ପ୍ରସ୍ତାବ ଦେଇ ସେ କାହିଁକି ଛୁଟି ଆସି ଥାଆନ୍ତା ?

ଆଉ ବାପା !

ମୌସୁମୀ ସନ୍ଦେହ ହେଲା, ବାପା ବୋଧ ହୁଏ ଦଶହଜାର ଟଙ୍କାର ଲୋଭରେ ପଡ଼ି ଯାଇଛନ୍ତି । ଟିଉସନ କରି ତା’ର ବିବାହ ପଣ ଟଙ୍କା ବ୍ୟବସ୍ଥା କରିବା ଯେ ସହଜ ନୁହେଁ, ଏଥି ଭିତରେ ସେ ବିଷୟରେ ବୋଧହୁଏ ସେ ସଚେତନ ହୋଇଛନ୍ତି । କନ୍ୟା ଦାୟରୁ ମୁକ୍ତି ପାଇବା ପାଇଁ ‘ଇନ୍ଦ୍ରଧନୁ’ ଫିଲ୍‌ମ ପ୍ରଯୋଜକଙ୍କ ପ୍ରସ୍ତାବ ସେଥିପାଇଁ ହାତ ପାହାନ୍ତାର ସ୍ୱର୍ଗ ଭଳି ମନେ ହେଉଛି !

ମୌସୁମୀ କମ୍ପିତ ବୁକୁ, ଅଶ୍ରୁ ଉଚ୍ଛଳ ଦୃଷ୍ଟିରେ ରାଧାକୃଷ୍ଣଙ୍କ ମୂର୍ତ୍ତି ଆଡ଼େ ଚାହିଁଲା ।

ମନେ ମନେ କହିଲା, ପ୍ରଲୋଭନର ଅଗ୍ନିଶିଖା ମତେ ହାତଠାରି ଡାକୁଛି ପ୍ରଭୁ ! ପତଙ୍ଗ ଭଳି ମୁଁ କଅଣ ସେ ଅଗ୍ନି ଭିତରକୁ ଲମ୍ପ ଦେବି ? ବାପା ନିଜେ ଯେତେବେଳେ ସେ ଅଗ୍ନି ଭିତରକୁ ଠେଲି ଦେବାକୁ ବ୍ୟଗ୍ର, ଆପଣଙ୍କ ବ୍ୟତିତ ମତେ କିଏ ଧ୍ୱଂସ ମୁଖରୁ ରକ୍ଷା କରିବ ?

ପାଷାଣ କେବେ କଥା କହେ ନାହିଁ ।

ମୌସୁମୀ କିଛି ଉତ୍ତର ପାଇଲା ନାହିଁ ।

 

।। ୧୩ ।।

 

ବାହାରେ ରାତ୍ରିର ଅନ୍ଧକାର, କିଛି ଭୀରୁ ଜ୍ୟୋତ୍ସ୍ନାର ଆଲୁଅ ପାଖଡ଼ା ହୁଏତ ଝାଉଁଗଛର ପତ୍ର ଫାଙ୍କରେ ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଛି । ବାରିରେ ବୋଧହୁଏ ହେନା ଫୁଟିଛି । ବାସ୍ନା ଆସୁଛି । ଭାରି ମିଠା ମିଠା ବାସ୍ନା ।

 

ମୌସୁମୀ ଆଲୁଅ ଳିଭାଇ ଦେଇଛି, କିନ୍ତୁ ଶୋଇନି । ଶୋଇ ପାରି ନାହିଁ । ଶୋଇବାକୁ ସେ ଚେଷ୍ଟା କରିଥିଲା । ଆଖି ବୁଜିଥିଲା । କିନ୍ତୁ ବୁଜା ଆଖି ପୁଣି ଆପେ ଆପେ ଖୋଲି ହୋଇଗଲା-। ବାପାଙ୍କ ଘୁଙ୍ଗୁଡ଼ି ଶବ୍ଦ ଶୁଭୁଛି । ବାହାରେ ଖଟିଆ ପକାଇ ସେ ଶୋଇଛନ୍ତି, ଗରମ ହେଉଛି-

 

ରାତି କେତେ ହେଲା ?

 

କାଲି ସେ ପୁଣି ତା’ର ସ୍କୁଲକୁ ଫେରିଯିବ ! କିନ୍ତୁ ଯିବା ପୂର୍ବରୁ ତାକୁ କହି ଦେଇ ଯିବାକୁ ହେବ, ସେ ‘ଇନ୍ଦ୍ରଧନୁ’ର ନାୟିକା ହେବ ନା ନାହିଁ !

 

ପ୍ରଥମେ ଚଳଚ୍ଚିତ୍ରର ନାୟିକା ହେବା କଥା ଶୁଣିଲେ ତା’ର ଦେହ ଘୃଣାରେ ଶିହରି ଉଠୁଥିଲା । କିନ୍ତୁ ସେହି ପ୍ରସ୍ତାବ ବାପାଙ୍କ ମୁହଁରୁ ଶୁଣିଲା ପରେ ତା’ର କେମିତି ସେ ଘୃଣା ଭାବ କମି ଯାଇଛି । ନାୟିକା ହେବା କଥା ଭାବିଲେ ସ୍ୱପ୍ନ ଦେଖିଲା ଭଳି ତା’ର ମନେ ହେଉଛି ।

 

ବାପାଙ୍କୁ ବୋଉ କହୁଥିଲା; ତା’ର ସେ ସିନେମା ଛବି ହେବାରେ ଆଗ୍ରହ ନାହିଁ । ଟଙ୍କା ପାଇଁ ତମେ ତାକୁ ବାଧ୍ୟ କରୁଛ କାହିଁକି ?

 

ବାପା କଅଣ ଉତ୍ତର ଦେଉଛନ୍ତି, ଶୁଣିବା ପାଇଁ ସେ କାନ ଡେରି ରହିଥିଲା ।

 

ବାପା ଗୋଟାଏ ଲମ୍ବା ନିଃଶ୍ୱାସ ପକାଇ ଉତ୍ତର ଦେଇଥିଲେ, ମୁଁ ବାଧ୍ୟ କରୁଛି ? ପୁଣି ଟଙ୍କା ପାଇଁ ? ତମେ ଏକଥା କହି ପାରିଲ ?

 

: ତାହା ହେଲେ ମାଷ୍ଟରାଣୀ ଚାକିରି ଛାଡ଼ି ସିନେମା ଛବି ହେବାକୁ ତମେ ତାକୁ କହୁଛ କାହିଁକି ? ବୋଉ ବାପାଙ୍କୁ ପ୍ରଶ୍ନ କରିଥିଲା ।

 

ବାପା ସାଙ୍ଗେ ସାଙ୍ଗେ କିଛି ଉତ୍ତର ଦେଇ ନ ଥିଲେ । ତାଙ୍କ ମନ ଭିତରେ ସମ୍ଭବତଃ ମହାଭାରତ ଯୁଦ୍ଧ ଲାଗିଥିଲା । କେଉଁଟା ଭଲ, କେଉଁଟା ମନ୍ଦ, ତାହା ସେ ନିଜେ ହୁଏତ ଠିକ୍‌ କରି ପାରୁ ନ ଥିଲେ । କିଛି ସମୟ ପରେ ସେ ବଡ଼ ହତାଶ କଣ୍ଠରେ ଉତ୍ତର ଦେଲେ : ଜୀବନରେ ବଡ଼ ହେବା ପାଇଁ ବାରମ୍ବାର ସୁଯୋଗ ଆସେ ନାହିଁ । ଶିକ୍ଷୟିତ୍ରୀ ଚାକିରି ଆଜି ଛାଡ଼ିଦେଲେ କାଲି ମିଳିଯିବ । କିନ୍ତୁ ଚଳଚ୍ଚିତ୍ରରେ ପ୍ରଧାନ ନାୟିକାର ଭୂମିକା ଏଥର ଛାଡ଼ିଦେଲେ ଆଉ କେବେହେଲେ ହୁଏତ ତା’ ଜୀବନରେ ଆସି ପାରିବ ନାହିଁ । ବଡ଼ ହେବାକୁ ହେଲେ କିଛି ପରିମାଣରେ ଝୁଙ୍କି ନେବାକୁ ହୁଏ । ବାହାଘର ତ ହୋଇପାରିଲା ନାହିଁ । ସବୁଦିନେ ପିଲାଙ୍କୁ ଗଣିତ ପଢ଼ାଉଥିବ... ?

 

ନା’ ତା’ପରେ ବୋଉ କଅଣ ଉତ୍ତର ଦେଲା, ସେ କଥା ଶୁଣିବାକୁ ଧୈର୍ଯ୍ୟ ଧରି ଅପେକ୍ଷା କରି ନ ଥିଲା ମୌସୁମୀ । ସେ ଛାଟିପିଟି ହୋଇ ପଳାଇ ଆସିଥିଲା ।

 

ବାପାଙ୍କର ସେଇ ଗୋଟିଏ ପଦ କଥା ତା’ କାନରେ ବାଜି ଯାଉଥିଲା ।

 

ବଡ଼ ହେବାକୁ ହେଲେ କିଛି ପରିମାଣରେ ଝୁଙ୍କ୍‌ ନେବାକୁ ହୁଏ । ବାହାଘର ତ ହୋଇପାରିଲା ନାହିଁ, ସବୁଦିନେ ପିଲାଙ୍କୁ ଗଣିତ ପଢ଼ାଉଥିବ ?

 

ଆଃ, କଥାଗୁଡ଼ାକ କି ନିର୍ମମ, ସେ କଥାରେ କି ଅସହ୍ୟ ଜ୍ୱାଳା !

 

ଶିକ୍ଷୟିତ୍ରୀ ଚାକିରି ଗଲେ ମଧ୍ୟ ପରେ ମିଳିବ, କିନ୍ତୁ ଚଳଚ୍ଚିତ୍ରରେ ପ୍ରଧାନ ନାୟିକା ହେବାର ଆମନ୍ତ୍ରଣ ଥରେ ଗଲେ ଆଉ ଆସିବ ନାହିଁ । ରୂପେଲି ପରଦାରେ ମୁହଁ ଦେଖାଇବାକୁ କେତେ ସମ୍ଭ୍ରାନ୍ତ ପରିବାରର ସୁନ୍ଦରୀ ଝିଅ ଗୋଡ଼ ଟେକି ବସିଛନ୍ତି; ମଞ୍ଜୁଳା ପାଦରେ ଅଳତା ପିନ୍ଧି ସୁଟିଂର ଦିନ ଗଣୁଛି, ଆଉ ସେ ସେହି ଆମନ୍ତ୍ରଣକୁ ଏଡ଼ାଇ ଯିବାକୁ ଚାହୁଁଛି ? ସେ ଏମିତି କି ଦିବ୍ୟ ସୁନ୍ଦରୀ କିନ୍ନରୀ ଯେ... ! ଆଉ ନାରୀର ସୌନ୍ଦର୍ଯ୍ୟ !

 

ମୌସୁମୀର ଅର୍ଦ୍ଧମୁଦ୍ରିତ ଆଖି ପତାରେ ବିଦ୍ରୁପର ଛାୟାପାତ ହେଲା ।

 

ସେଦିନ ଅତନୁ କହିଥିଲା ବୟସ ନାରୀକୁ ସୁନ୍ଦରୀ କରେ ପୁଣି ସେହି ବୟସ ଆଖିର ପଲକରେ ନାରୀ ଦେହରୁ ସୌନ୍ଦର୍ଯ୍ୟକୁ ପୋଛି ନିଏ । ଯେଉଁ ନାରୀ ସୌନ୍ଦର୍ଯ୍ୟକୁ ନେଇ ଗର୍ବ କରେ, ପୁରୁଷର ଆଖିକୁ ଲାଞ୍ଚଦେଇ ତା’ର ସତ୍ତା ଗ୍ରାସ କରିବାକୁ ଚେଷ୍ଟା କରେ, ସେ ନାରୀ ନିର୍ବୋଧ !

 

ସତରେ କିପରି ନିଜକୁ ବୋକା ବୋକା ମନେହେଲା ମୌସୁମୀର । ତା’ ନ ହେଲେ ଚଳଚ୍ଚିତ୍ରର ନାୟିକା ହେବା ପାଇଁ ଯେଉଁଠି ତପସ୍ୟା ଚାଲିଛି, ପ୍ରତିଯୋଗୀତାର ଶେଷ ନାହିଁ; ସେଠାରେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ଆମନ୍ତ୍ରଣ ପାଇ ଭୟରେ ସେ ସଂତ୍ରସ୍ତ ହୋଇ ଯାଉଛି କାହିଁକି ?

 

କଥାଟା ଭାବିବା ମାତ୍ରେ ମୌସୁମୀର ନିଜ ଉପରେ ଦୟା ହେଲା ।

 

ସେ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଠିଆହେଲା । ଟ୍ରଙ୍କ୍‌ ଉପରୁ ଦିଆସିଲି ଆଣି ଗୋଟାଏ କାଠି ଜାଳିଲା । ତା’ପରେ ଲଣ୍ଠନ ଲଗାଇ ସେ ଅନ୍ଧକାର କକ୍ଷକୁ ଆଲୋକିତ କରିଦେଲା । ସାନ ଭାଇ, ଭଉଣୀ ଦୁଇଟି ସେ ପଟକୁ ମୁହଁ କରି ନିଘୋଡ଼ ନିଦରେ ଶୋଇ ଯାଇଛନ୍ତି । ମୌସୁମୀ ପରି ସେମାନେ ବୟସ୍କ ହୋଇ ନାହାନ୍ତି, ତା’ପରି ସେମାନଙ୍କର କୌଣସି ଦୁଃଶ୍ଚିନ୍ତା ନାହିଁ । ସେଥିପାଇଁ ସୁନିଦ୍ରା ସେମାନଙ୍କ ପକ୍ଷରେ ଏତେ ସୁଲଭ !

 

ନିଜର ଛୋଟ ଭାଇ ଭଉଣୀଙ୍କ ଆଡ଼ୁ ଦୃଷ୍ଟି ଫେରାଇ କାନ୍ଥରେ ଝୁଲୁଥିବା ଅଇନା ଆଗରେ ନିଜ ଯାଇ ଠିଆ ହେଲା ମୌସୁମୀ । ଗାଧୋଇଲାବେଳେ, ପ୍ରସାଧାନ କଲାବେଳେ ନିଜ ଦେହକୁ ସେ ଅନେକ ଥର ଦେଖିଛି । ଦେଖି ଦେଖି ତା’ ଆଖିରେ ତା’ ନିଜ ଦେହଟା ବହୁ ପୁରୁଣା ହୋଇଯାଇଛି । କିନ୍ତୁ ଆଜି କାନ୍ଥରେ ଝୁଲୁଥିବା ଅଇନା ଆଗରେ ଠିଆହେବା ମାତ୍ରେ ସେ ନିଜକୁ ଚିହ୍ନି ପାରିଲା ନାହିଁ ।

 

ତା’ର ନିଦୁଆ ନିଦୁଆ ଆଖି ଦୁଇଟି ତା’ ଆଖିକୁ କେମିତି ସ୍ୱପ୍ନିଳ ମନେ ହୋଇଥିଲା । ପାନପତ୍ର ପରି ତା’ର ସେଇ ମୁଁହର ସୌନ୍ଦର୍ଯ୍ୟ ଲଣ୍ଠନର ସ୍ତିମିତ ଆଲୋକରେ ମଧ୍ୟ କାନ୍ଥ ଆଇନାରେ ଚିକ୍‌ ଚିକ୍‌ କରୁଥିଲା । ସେ ଜିଭ ବାହାର କରି ନିଜକୁ ନିଜେ ଖତେଇ ହେଲା ଏବଂ ଆଇନାର କାଚରେ ତା’ର ପ୍ରତିଫଳନ ଦେଖି ହସି ପକାଇଲା ।

 

ସେ ଖୁବ୍‌ ଧୀରେ ଧୀରେ ଆଇନାର କାଚରେ ଦିଶୁଥିବା ନିଜ ମୁହଁର ପ୍ରତିଛବିକୁ ଲକ୍ଷ୍ୟ କରି କହିଲା : ମୌସୁମୀ ! ଆଇନାରେ ତୁ ବର୍ତ୍ତମାନ ଛାୟା ହୋଇଛୁ, ଆଉ କିଛି ଦିନ ପରେ ଛବି ହେବୁ । ତତେ ଦେଖି ଲୋକେ ଉଚ୍ଚକିତ ହେବେ । ତୋର ରୂପର ପ୍ରଶଂସାରେ ସମ୍ବାଦପତ୍ରର ପୃଷ୍ଠା ଭରି ଉଠିବ । ଆଉ ଅତନୁ ଯଦି କେବେ ତା’ର ସ୍ତ୍ରୀକୁ ନେଇ ସିନେମା ଦେଖି ଆସେ, ତତେ ଦେଖି ସେ ହୁଏତ ତା’ର ସ୍ତ୍ରୀକୁ କହିବ, ଏଇ ଝିଅଟା ମୋ ଆଖିକୁ ଲାଞ୍ଚ ଦେଇ ମୋର ସତ୍ତା ଗ୍ରାସ କରିବାକୁ ଚାହୁଁଥିଲା ! ଏଇ ଦେଖ ସେ କେମିତି ନାଚୁଛି ! ମତେ ଦିନେ କିନ୍ତୁ ଏଇ ନଚାଇବାକୁ ଚାହୁଁଥିଲା ।

 

ନା–ସେ ହୁଏତ ମୂଳରୁ ସେହି ସିନେମା ଦେଖିବାକୁ ନ ଆସିପାରେ । ଖୁବ୍‌ ସମ୍ବବତଃ ତା’ର ସେ ସାହସ ନାହିଁ । ଭଲ ପାଇବାର ସେ ପ୍ରଥମ ଦିନ ଗୁଡ଼ିକରେ ଅତନୁ କେମିତି ଏକାନ୍ତ ଲଜ୍ଜାଶୀଳ, ସଂଭ୍ରାନ୍ତ ମନେ ହୋଇଥିଲା । ଖୁବ୍‌ ପାଖରେ ବସିଥିଲେ ବି ତାକୁ କେବେ ଛୁଇଁବା ଲାଗି ସାହସ କରୁ ନଥିଲା । ଥରେ ରିକ୍‌ସାରେ ଯାଉ ଯାଉ ପଛ ରିକ୍‌ସାର ଧକ୍‍କାରେ ଦୋହଲି ଯାଇ ତା’ ଦେହ ଉପରେ ବାଡ଼େଇ ହୋଇ ଯାଇଥିଲା ବୋଲି ସେ ସାଙ୍ଗେ ସାଙ୍ଗେ କ୍ଷମା ପ୍ରାର୍ଥନା କରିଥିଲା : ମୌସୁମୀ ବିଶ୍ୱାସ କର ମୁଁ ଜାଣି ଜାଣି ତମ ଦେହ ସହିତ ଲାଗିଯାଇ ନାହିଁ । ପଛରେ ଆସୁଥିବା ରିକ୍‌ସାଟା ଧକ୍‍କା ଦେବାରୁ–

 

ମୌସୁମୀ ହସି ପକାଇଥିଲା ।

 

ଅତନୁର ହାତ ପାପୁଲିକୁ ନିଜ ହାତରେ ଚାପିଧରି ସେ କହିଥିଲା : ଜାଣି ଜାଣି ମୋ ଦେହ ଉପରେ ଟିକିଏ ଆଉଳି ପଡ଼ିଲେ କଅଣ ପାପ ହେଲା ? ତମେ ତ ମୋର ପ୍ରେମିକ । ଏତେ ଭୟ କରୁଛ କାହିଁକି ?

 

କଥା କହିଲାବେଳେ ସେ ଅନୁଭବ କରିଥିଲା, ଝିଅ ପିଲାଙ୍କ ହାତ ଭଳି ଅତନୁର ହାତ ପାପୁଲି ତା’ହାତ ମୁଠା ଭିତରେ ଥାଇ ଧୀରେ ଧୀରେ ଝାଳେଇ ଉଠୁଥିଲା ।

 

ହ,.ତା’ର କଣ୍ଠ ଥରୁଥିଲା । କିପରି ଭାବରେ ମୌସୁମୀ ଆଗରେ ସେ ପ୍ରସ୍ତାବ ଉତ୍‌ଥାପନ କରିବ ସେଥିପାଇଁ ସେ ଖୁବ୍‌ ବିଚଳିତ ହୋଇଥିଲା । ଅନେକ ସମୟ ପରେ କହିଥିଲା, ଅନେକ ଥର ଭାବିଛି ଚିଠିରେ ପ୍ରସ୍ତାବଟା କଥା ଲେଖିବି । ଚିଠିରେ ଏତେ କଥା ଲେଖେ, କିନ୍ତୁ ଠିକ୍‌ ଏହି କଥାଟା ଲେଖି ପାରେ ନାହିଁ । ଭାବି ସ୍ଥିର କଲି, ନିଜେ, ତମ ମୁହଁ ପାଖରେ ମୁହଁ ରଖି କଥାଟା କହିବି । କିନ୍ତୁ ଦେଖ, ଚେଷ୍ଟା କରି ମଧ୍ୟ ସେ କଥାଟା ମୁଁ କହି ପାରୁ ନାହିଁ ।

 

ମୌସୁମୀ ଉତ୍ତର ଦେଇଥିଲା, ମତେ ଖୁବ୍‌ ଭଲ ପାଅ–ପ୍ରାଣରୁ ବଳି ସ୍ନେହକର ଏଇ କଥା କହିବ ତ । ମୁହଁ ଖୋଲି ନ କହିପାରିଲେ ସୁଦ୍ଧା ମନ ଦେଇ ମୁଁ ସେ କଥା ବେଶ୍‌ ବୁଝି ପାରୁଛି-। ସେଥିପାଇଁ ଏତେ ଅପ୍ରତିଭ ହେବାର କଅଣ ଅଛି ? ଅତନୁ ! ତମେ ଅଧ୍ୟାପକ, ମୁଁ ତମର ଛାତ୍ରୀ-। ଅନେକ ଭାଷଣ ତମେ ମତେ ଶୁଣାଇଛ । ତମ କଣ୍ଠରେ ମୁଁ ବିନ୍ଦୁଏ ମାତ୍ର ଜଡ଼ତା ଲକ୍ଷ୍ୟ କରି ନାହିଁ । କିନ୍ତୁ ପ୍ରେମିକ ଭାବରେ ନିର୍ଜନରେ କଥା କହିଲାବେଳେ ତମେ ଏତେ ଅପ୍ରତିଭ ହୁଅ କାହିଁକି-?

 

ଅତନୁ ଉତ୍ତର ଦେଇଥିଲା : ନା, ଭଲ ପାଇବା କଥା ନୁହେଁ । ଭଲ ପାଇବା; କଥା କହି କରି ବୁଝାଇ ହୁଏନା । ଭଲ ପାଇବାର କିଛି ଭାଷା ନାହିଁ । ମୁଁ ତୁମକୁ ବିବାହ କଥା କହୁଥିଲି । ମୌସୁମୀ ! ମୁଁ ତମକୁ ବିବାହ କରିବାକୁ ଚାହେଁ ।

 

ଆଜି ଅତନୁର ସେ କଥା ମନେ ପଡ଼ିଯିବା ମାତ୍ରେ ଭୂତ ଦେଖିଲା ଭଳି ଚମକି ଉଠିଲା ମୌସୁମୀ । ଠିଆ ହୋଇଥିବା ଅବସ୍ଥାରେ ସେ ଅନୁଭବ କଲା, ତା’ ମୁଣ୍ତଟା ଯେମିତି ଘୂରେଇବାକୁ ଲାଗିଛି । ଲଣ୍ଠନର ଆଲୁଅ ତା’ ପକ୍ଷରେ ଯେପରି ଅସହ୍ୟ !

 

ସେ ଲଣ୍ଠନ ଲିଭାଇ ଦେଲା ।

 

ଅନ୍ଧକାରର ଘନନୀଳ ହ୍ରଦ ମଧ୍ୟରେ ବୁଡ଼ିଗଲା ସେହି କକ୍ଷ । ସେ ପୁଣି ଚୁପ୍‌କିନି ଆସି ତା’ର ଶଯ୍ୟାରେ ଶୋଇଗଲା ।

 

ଅତନୁର ବିବାହ ପ୍ରସ୍ତାବ ଶୁଣି ସେଦିନ ସେ ଏମିତି ଅସ୍ଥିର ହୋଇ ଉଠିଥିଲା । ସେ କେବେ ମାଦକ ଦ୍ରବ୍ୟ ସ୍ପର୍ଶ କରି ନାହିଁ । କିନ୍ତୁ ବେଶି ପରିମାଣରେ ମାଦକ ଦ୍ରବ୍ୟ ସେବନ କଲେ ଯେମିତି ନିଶାରେ ମୁଣ୍ତ ଘୂରାଇ ଦିଏ, ଅତନୁର ବିବାହ ପ୍ରସ୍ତାବ ଶୁଣି ସେ ଠିକ୍‌ ସେମିତି ଅନୁଭବ କରିଥିଲା । ଆନନ୍ଦର ଉନ୍ମାଦନା, ହଠାତ୍‌ ହାତରେ ସ୍ୱର୍ଗ ପାଇଯିବାର ଉତ୍ତେଜନାରେ ସେ ନିର୍ବାକ୍‌ ହୋଇ ଯାଇଥିଲା ।

 

ଅତନୁ ପ୍ରଶ୍ନ କରିଥିଲା, ବିବାହ ପ୍ରସ୍ତାବ ଶୁଣି ହଠାତ୍‌ ଚୁପ୍‌ ହୋଇଗଲ ଯେ ! ତମେ କ’ଣ ମତେ ବିବାହ କରିବାକୁ ଚାହଁନା ?

 

ଥରେ ଅତନୁ ମୁହଁକୁ ଦୃଷ୍ଟି ଉତ୍ତୋଳନ କରି ଚାହିଁଥିଲା ମୌସୁମୀ; ତା’ପରେ ତା’ର ଦୃଷ୍ଟି ହଠାତ୍‌ ତଳକୁ ହୋଇ ଯାଇଥିଲା । ସେ ଆବେଗ ଆଲୋଡ଼ିତ କଣ୍ଠରେ କହିଥିଲା : କିନ୍ତୁ ଏ ବିବାହ କଅଣ ସମ୍ଭବ ? ମୁଁ ଜଣେ ଗରୀବ ଶିକ୍ଷକର ଝିଅ । ତମେ–ତମେ–

 

ଅତନୁ ଓଠରେ ହସ ଉତୁରି ପଡ଼ିଥିଲା । ସେ କହିଥିଲା, ମୁଁ ମଧ୍ୟ ଜଣେ ଗରିବ ହୋମିଓପାଥ୍‌ଙ୍କ ପୁଅ....ମତେ ପାଠ ପଢ଼ାଇବା ପାଇଁ ବୋଉ ତା’ର ଦେହର ଗହଣା ବିକ୍ରି କରିଛି....ବାପା ଗୋଟିଏ ପରେ ଗୋଟିଏ ହାଣ୍ତ୍‌ ନୋଟ୍‌ ଲେଖି ମୋ ହଷ୍ଟେଲ ଖର୍ଚ୍ଚ ଯୋଗାଇଛନ୍ତି । ସେ ହାଣ୍ତ୍‌ ନୋଟ୍‌ କରଜ ଟଙ୍କା ଏ ପର୍ଯ୍ୟନ୍ତ ଶୁଝା ସରିନାହିଁ । ଆଉ ମୁଁ ତ ସାମାନ୍ୟ ଜଣେ ଅଧ୍ୟାପକ....! କିନ୍ତୁ ତମେ ...ତମେ...ତମେ ଅସାମାନ୍ୟା ସୁନ୍ଦରୀ ଝିଅ.....କଲେଜର କୃତି ଛାତ୍ରୀ.....!

 

କୌଣସି କଥା ଆଉ କହି ନ ଥିଲା ମୌସୁମୀ । ଅନେକ ଆନନ୍ଦର ଉଚ୍ଛ୍ୱାସରେ ତା’ର କଣ୍ଠରୁଦ୍ଧ ହୋଇ ଯାଇଥିଲା । ନିଜ ଘରକୁ ନେଇ ବାପା, ବୋଉଙ୍କ ସହିତ ସେ ଅତନୁର ପରିଚୟ କରାଇ ଦେଇଥିଲା ।

 

ଅତନୁ ସହିତ ତା’ର ବିବାହ ହେଉଛି, ଏକଥା କାହାରିଠାରୁ ସେ ଗୋପନ ରଖି ନଥିଲା-। କଲେଜର ଅଧ୍ୟାପକ, ଛାତ୍ରୀ ମହଲରେ ସେ ଦୁହିଁଙ୍କର ବିବାହ ନେଇ ବେଶ୍‌ ମୃଦୁଗୁଞ୍ଜନ ସୃଷ୍ଟି ହୋଇଥିଲା । ତା’ର ଅନେକ ଛାତ୍ରୀବନ୍ଧୁ ଈର୍ଷାରେ ଜଳି ଯାଇଥିଲେ ।

 

କିନ୍ତୁ ଶେଷରେ ତାକୁ ହିଁ ହତାଶାର ଅଗ୍ନିରେ ଜଳିବାକୁ ହେଲା ।

 

ହଠାତ୍‌ ଦିନେ ଗରିବ ହୋମିଓପାଥ୍‌ର ପୁଅ, ଅଧ୍ୟାପକ ଅତନୁ ଦାସ ଆଇ. ଏ. ଏସ୍‌. ହୋଇଗଲା । ଆଖିର ପଲକମାତ୍ରେ ତା’ର ଦୃଷ୍ଟିର ସୀମାରେଖା ଲମ୍ୱିଗଲା ଦିଗରୁ ଦିଗନ୍ତକୁ । ମୌସୁମୀ ଅନୁଭବ କଲା ଅଧ୍ୟାପକ ଅତନୁ ଦାସ ଯଦି ଥିଲା ତା’ର ପ୍ରେମିକ, ଆଇ.ଏ.ଏସ୍‌. ଅତନୁ ଦାସ ତା’ର କେହି ନୁହେଁ । ତା’ ସହିତ କଥା କହିବାକୁ ଅତନୁର ସମୟା ଭାବ ଦେଲା । ଦେଖା ହେଲେ ବ୍ୟସ୍ତତାର ଛଳନା କରି ସେ ବାଟ କାଟି ଯିବାକୁ ବ୍ୟଗ୍ର ହୋଇ ଉଠୁଥିଲା ।

 

ଅତନୁ ଆଇ. ଏ. ଏସ୍‌. ପରୀକ୍ଷା ଦେଇଥିବା କଥା ସେ ଜାଣିଥିଲା; ସେ ଆଇ. ଏ. ଏସ୍‌. ପାଉ ବୋଲି ଚଣ୍ତୀ ମନ୍ଦିରରେ ଥରେ ନୁହେଁ, ଅନେକ ଥର ସେ ମଧ୍ୟ ଦୀପ ଜାଳିଥିଲା । କିନ୍ତୁ ଆଇ.ଏ.ଏସ୍‌. ପାଇଲା ପରେ ଅତନୁ ଏମିତି ବଦଳି ଯିବ, ସେ କଥା ଭୁଲ୍‌ରେ ସୁଦ୍ଧା ସେ କେବେ ହେଲେ ଭାବି ନ ଥିଲା ।

 

ଆଉ ବନ୍ୟା ପ୍ରପୀଡ଼ିତ ଲୋକଙ୍କ ସାହାଯ୍ୟ ପାଇଁ ନାରୀ ସଂଘ ସଦନରେ ଆୟୋଜିତ ସେହି ବିଚିତ୍ରା ଅନୁଷ୍ଠାନରେ ତା’ର ସେ ଉର୍ବଶୀ ନୃତ୍ୟ....!

 

ଅତନୁ ଅନୁଯୋଗ କରିଥିଲା : ତମର ସେ ନାଚ ମାଷ୍ଟର ତମକୁ ନୃତ୍ୟ ପୋଷାକ ପିନ୍ଧାଇଲା ବେଳେ ତମ ଦେହକୁ ଏପରି ଭାବରେ ସ୍ପର୍ଶ କରିବ, ଏକଥା ମୁଁ ସହି ପାରିବି ନାହିଁ । ନାଚ ଆଗରୁ ତମେ ଯେତେବେଳେ ସେ ନାଚ ମାଷ୍ଟରର ପାଦଧୂଳି ନେଲ, ଲଜ୍ଜା, ଅପମାନରେ ମୋର ଦେହ ଜଳି ଯାଉଥିଲା । ଛି....ଛି.....

 

ଅତନୁ ଆଉ ତା’ ଭିତରେ ସେଇ ପ୍ରଥମ ମତାନ୍ତର । ସେ ମତାନ୍ତର ଶେଷରେ ମନାନ୍ତରରେ ପରିଣତ ହୋଇଥିଲା । ଅତନୁକୁ ଖୁସି କରିବା ପାଇଁ ସେଇଦିନୁ ସେ ନୃତ୍ୟ ପରିବେଷଣ କରିବା ଛାଡ଼ି ଦେଇଥିଲା । ତା’ର ନୃତ୍ୟ ପୋଷାକ, ଅନ୍ୟାନ୍ୟ ଉପକରଣ ସେ ଖରସ୍ରୋତା ନଦୀର ଜଳରେ ଭସାଇ ଦେଇଥିଲା, ଅତନୁର ସମ୍ମୁଖରେ ।

 

ନୃତ୍ୟ–ଉପକରଣ ନଦୀର ଜଳରେ ଭାସି ଯାଇଥିଲା; କିନ୍ତୁ ଅତନୁ ମନର ସନ୍ଦେହର ସେ କଳାଦାଗ ଧୋଇ ହୋଇଯାଇ ନ ଥିଲା । ଆଇ.ଏ.ଏସ୍‌. ପାଇଲା ପରେ ସେହି ସନ୍ଦେହ ଚନ୍ଦ୍ରକଳା ଭଳି ବୃଦ୍ଧି ପାଇ ସେ ଦୁହିଁଙ୍କର ସମ୍ପର୍କକୁ ଆଚ୍ଛନ୍ନ କରିଦେଲା ।

 

ଜାନକୀ ବାବୁ ଆନୁଷ୍ଠାନିକ ଭାବେ ଝିଅର ବିବାହ ପ୍ରସ୍ତାବ ଅତନୁର ବାପାଙ୍କ ପାଖକୁ ପଠାଇଲା ପରେ, ଅତନୁର ବାପା ଯୌତୁକର ଏକ ଲମ୍ୱା ତାଲିକା ତାଙ୍କ ପାଖକୁ ପଠାଇଥିଲେ । ପ୍ରାୟ ଅର୍ଦ୍ଧଲକ୍ଷ ଟଙ୍କାର ଯୌତୁକ ଦାବୀ ଜାନକୀବାବୁଙ୍କ ପକ୍ଷରେ ବିଡ଼ମ୍ୱିତ ଭାଗ୍ୟର ଏକ ଉପହାସ ଭଳି ମନେ ହୋଇଥିଲା ।

 

ଅତନୁକୁ ବ୍ୟାକୁଳ ହୋଇ ପତ୍ର ଲେଖିଥିଲା ମୌସୁମୀ ! ଅତୀତର ସେହି ଅନ୍ତରଙ୍ଗ ସ୍ମୃତିକୁ ସ୍ମରଣ କରି ସେ ଆବେଦନ କରିଥିଲା, ମୋର ନୃତ୍ୟ ପୋଷାକ ସେଦିନ ନଦୀର ଜଳରେ ଭାସି ଯାଇଥିଲା; ଆଜି ମୁଁ ଅଥଳ ସମୁଦ୍ରରେ ଭାସୁଛି । ତମେ ମତେ ହାତ ବଢ଼ାଇ ନିଜ ବୁକୁକୁ ତୋଳିନିଅ । ନ ହେଲେ ମୁଁ ଜଳମଗ୍ନ ହୋଇ ଶେଷ ହୋଇଯିବି–

 

ଆଉ ଅତନୁ ସେ ଚିଠିର ଯେଉଁ ଉତ୍ତର ଲେଖିଥିଲା, ଆଜି ସୁଦ୍ଧା ତାହା ସ୍ମରଣ କଲେ ମୌସୁମୀ ଓଠରେ ହସ ଚହଲି ଉଠେ । ଘୃଣାରେ ହୃଦୟ ଭରିଯାଏ ।

 

ଅତନୁ ଲେଖିଥିଲା, ମୁଁ ଆଇ.ଏ.ଏସ୍‌. ପାଇଛି । କାଲି ସକାଳେ ଶାସନ ବିଭାଗର ସର୍ବୋଚ୍ଚ ଦାୟିତ୍ୱ ମୋ ଉପରେ ନ୍ୟସ୍ତ ହେବ । ଶାସନର ମୂଳ କଥା ହେଲା ଶୃଙ୍ଖଳା ରକ୍ଷା । ବାପାଙ୍କ ଯୌତୁକ ଦାବିର ବିରୋଧ କରି ମୁଁ ଯଦି ପାରିବାରିକ ଜୀବନର ଶୃଙ୍ଖଳା ଭଙ୍ଗ କରେ ଶାସନ ବିଭାଗର ସର୍ବୋଚ୍ଚ କର୍ତ୍ତା ହୋଇ ମୁଁ ଜିଲ୍ଲା ସବ୍‌ଡ଼ିଭିଜନ କିମ୍ୱା ରାଜ୍ୟର ଶୃଙ୍ଖଳା ରକ୍ଷା କରିବି କିପରି ? ଆଇନ୍‌ ତିଆରି କରିବା ମୋର କାମ ନୁହେଁ ଆଇନ ରକ୍ଷା କରିବା ମୋର କର୍ତ୍ତବ୍ୟ-। ଆଇନ୍‌ର ଭଲମନ୍ଦ ବିଷୟରେ ପ୍ରଶ୍ନ କରିବାକୁ ମୁଁ କିଏ ? ମୌସୁମୀ ! ଯୌତୁକ ପ୍ରଥା ବେଆଇନ୍‌ ଘୋଷିତ ନ ହେବା ପର୍ଯ୍ୟନ୍ତ ବାପାଙ୍କ ଯୌତୁକ ଦାବିର ମୁଁ ବିରୋଧ କରିପାରିବି ନାହିଁ-

 

ସେ ଚିଠିଟା ନ ଲେଖିଥିଲେ ଅତନୁକୁ ହୁଏତ ସେ ପୁରୁଷର ସମ୍ମାନ ଦେଇ ଥାଆନ୍ତା; କିନ୍ତୁ ସେ ଚିଠିଟା ପଢ଼ି ସାରିବା ପରେ ତା’ର ମନେହେଲା, ଅତନୁ ଜଣେ କାପୁରୁଷ । ନିଜର କାପୁରୁଷତା ଗୋପନ କରିବା ପାଇଁ ସେ ଆଇନର ପଣତ ତଳେ ମୁହଁ ଲୁଚାଇବାକୁ ଚେଷ୍ଟା କରୁଛି-। ଆଉ ତା’ ଭଳି ଏକ ଦୁର୍ବଳ ପୁରୁଷ ପାଖରେ ପ୍ରଣୟ ନିବେଦନ କରି ସେ ନିଜର ସର୍ବନାଶ କରି ବସିଛି !

 

ଅତନୁ ଆଇ.ଏ.ଏସ୍‌. ହେଲା ।

 

କେଉଁ ହାଇକୋର୍ଟ ବିଚାରପତିଙ୍କ କନ୍ୟାକୁ ବିବାହ କରି ପାରିବାରିକ ଜୀବନର ଶୃଙ୍ଖଳା ରକ୍ଷା କଲା ।

 

ଆଉ ମୌସୁମୀ !

 

ଅନ୍ଧକାରରେ ମଧ୍ୟ ସେ ହସି ଉଠିଲା, ସଶଦ୍ଦରେ ।

 

ସେ ହେବ ଚିତ୍ର ତାରକା !

 

ବାପାଙ୍କୁ ସେ କାଲି କହିଦେବ, ‘ଇନ୍ଦ୍ରଧନୁ’ର ପ୍ରଯୋଜକମାନଙ୍କୁ ଚିଠି ଲେଖିଦିଅନ୍ତୁ, ଯଦି ଅତନୁ ଦାସର ଗୃହାଙ୍ଗନରେ ମୁଁ ପ୍ରଦୀପ ହୋଇ ଜଳି ନ ପାରିଲି, ତେବେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଆକାଶରେ ତାରକା ହୋଇ ଝଟକିବି ।

 

ଟୁଇଙ୍କ୍‌ଲ ଟୁଇଙ୍କ୍‌ଲ ଲିଟିଲ୍‌ ଷ୍ଟାର୍‌..... !

 

ପିଲାଦିନେ ପଢ଼ିଥିବା ସେହି ଇଂରାଜୀ ପଦ୍ୟର ପ୍ରଥମ ଧାଡ଼ିଟା ଖୁବ୍‌ ଆସ୍ତେ ଆସ୍ତେ ଉଚ୍ଚାରଣ କରି ମୌସୁମୀ ଶୋଇବାକୁ ଚେଷ୍ଟାକଲା ।

 

।। ୧୪ ।।

 

ଶିକ୍ଷୟିତ୍ରୀ ନିବାସଠାରୁ ସ୍କୁଲ ଦଶମିନିଟ୍‌ର ଚଲାବାଟ ।

 

ସ୍କୁଲକୁ ଚାଲି ଚାଲି ଆସୁଥିଲା ମୌସୁମୀ । ହଠାତ୍‌ ବାଟ ମଝିରେ ଲୋକାରଣ୍ୟ ଦେଖି ସେ ବାଟ କାଟି ଚାଲିଯିବାକୁ ବସିଥିଲା । ଦଶମ ଶ୍ରେଣୀର ଛାତ୍ରୀ ମାଳବିକାକୁ କାନ୍ଦୁଥିବା ଦେଖି ତା’ର ପାଦ ହଠାତ୍‌ ସ୍ଥିର ହୋଇଗଲା । ସେ ଦେଖିଲା ଜଣେ ଶୀର୍ଣ୍ଣକାୟ ଯୁବକର ଦାନ୍ତରୁ ରକ୍ତ ବାହାରୁଛି ଏବଂ ଜଣେ ହୃଷ୍ଟପୃଷ୍ଟ ଯୁବକକୁ ମାଡ଼ ଦେବାପାଇଁ ଦଳେ ଲୋକ ଚମକି ଯାଉଛନ୍ତି ।

 

ସେ ଯୁବକ ରତ୍ନାକର । ମାଳବିକାର ଭାଇ ।

 

ମୌସୁମୀ ବୁଝିନେଲା ସେହି ଶୀର୍ଣ୍ଣକାୟ ଯୁବକ ମାଳବିକାକୁ ରାସ୍ତାରେ ଅଶ୍ଳୀଳ ଇଙ୍ଗିତ କରୁଥିବା ଦେଖି ରତ୍ନାକର ମାଡ଼ ଦେଇ ତା’ର ଉପରପାଟି ଦାନ୍ତରୁ ରକ୍ତ ବାହାର କରି ଦେଇଛି ଏବଂ ସେହି ଯୁବକର ସମର୍ଥକମାନେ ଏକଜୁଟ ହୋଇ ରତ୍ନାକରକୁ ମାଡ଼ ଦେବାକୁ ଚେଷ୍ଟା କରୁଛନ୍ତି-

 

ରାସ୍ତାରେ ଯାଉଥିବା ସ୍କୁଲ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଲୋଫରମାନେ ଛାତ୍ରୀ ମହଲରେ ଭୀତି ସଞ୍ଚାର କରିଥିବା କଥା ସେ ଅନେକ ଦିନୁ ଶୁଣି ଆସୁଥିଲା । କିନ୍ତୁ କୌଣସି ଝିଅର ଅଭିଭାବକ ଏପରି ଦୁର୍ବୃତ୍ତକୁ ମାଡ଼ଦେବା ଘଟଣା ଦେଖିବା ତା’ ପକ୍ଷରେ ଏଇ ନୂତନ ।

 

ରତ୍ନାକରକୁ ମାଡ଼ଦେବା ପାଇଁ ଦୁର୍ବୃତ୍ତମାନେ ଚମକି ଯାଉଥିବା ବେଳେ ମୌସୁମୀ ହଠାତ୍‌ ଯାଇ ରତ୍ନାକର ଆଗରେ ଠିଆ ହୋଇଗଲା । ସମବେତ ଉତ୍ତ୍ୟକ୍ତ ଲୋକେ ମୌସୁମୀକୁ ଦେଖି କଅଣ କରିବେ କିଛି ସ୍ଥିର କରି ପାରିଲେ ନାହିଁ ।

 

ସେହି ଅବସରରେ ମାଳବିକା ଏବଂ ରତ୍ନାକରକୁ ନେଇ ସ୍କୁଲ ଫାଟକ ମଧ୍ୟରେ ପ୍ରବେଶ କଲା ମୌସୁମୀ । ରତ୍ନାକର ଏକ ଅସ୍ୱସ୍ତିକର ଅବସ୍ଥାରୁ ରକ୍ଷାପାଇ ମୌସୁମୀ ପାଖରେ ଗଭୀର କୃତଜ୍ଞତାରେ ମୁଣ୍ତ ତଳକୁ କରିଦେଲା । ଆକସ୍ମିକ ଭାବରେ ସ୍କୁଲ ଫାଟକ ପାଖରେ ଜମି ଯାଇଥିବା ଭିଡ଼ ଧୀରେ ଧୀରେ ଭାଙ୍ଗିଗଲା ।

 

କିନ୍ତୁ ଘଟଣା ସେତିକିରେ ଶେଷ ହେଲା ନାହିଁ । ସେହି ଘଟଣାକୁ କେନ୍ଦ୍ରକରି ମିଶନ ବାଳିକା ବିଦ୍ୟାଳୟରେ ଆରମ୍ଭ ହେଲା ଉତ୍ତେଜନାମୟ ଏକ ନୂତନ ନାଟକ । ସ୍କୁଲ ଛୁଟିହେବା ପୂର୍ବରୁ ମିସ୍‌ ନାୟକ ମୌସୁମୀକୁ ନିଜ ଅଫିସ ରୁମ୍‌କୁ ଡକାଇ ପଠାଇଲେ ।

 

ମୌସୁମୀ ଲକ୍ଷ୍ୟକଲା, ମିସ୍‌ ନାୟକଙ୍କ ମୁହଁରେ ଗଭୀର ଅସନ୍ତୋଷ ଓ ବିରକ୍ତିର ବ୍ୟଞ୍ଜନା ସ୍ପଷ୍ଟ ହୋଇ ଉଠୁଛି ।

 

ମିସ ନାୟକ ପ୍ରଶ୍ନକଲେ, ତମେ ଗୁଣ୍ତା ରତ୍ନାକରକୁ ସ୍କୁଲହତା ଭିତରେ ଆଶ୍ରୟ ଦେଇଥିଲ ମୌସୁମୀ ! ଜାଣ ସେ ଆଜି ରାସ୍ତାରେ ସ୍କୁଲ ପରିଚାଳନା କମିଟିର ସଭ୍ୟ ରୁଦ୍ରନାରାୟଣ ବାବୁଙ୍କ ପୁଅ ରାମନାରାୟଣକୁ ମାଡ଼ ଦେଇ ତା’ର ଦାନ୍ତ ଭାଙ୍ଗି ଦେଇଛି ?

 

ମୌସୁମୀ ଏଭଳି ଏକ ପ୍ରଶ୍ନର ସମ୍ମୁଖୀନ ହେବ ବୋଲି ଆଶାକରି ନ ଥିଲା ।

 

ସେ ଦ୍ୱିଧା–ଜଡ଼ିତ କଣ୍ଠରେ କହିଲା, ରୁଦ୍ରନାରାୟଣ ବାବୁଙ୍କ ପୁଅ ରାମନାରାୟଣକୁ ଚିହ୍ନେ ନାହିଁ । କିନ୍ତୁ ମୁଁ ଆଜି ସ୍କୁଲକୁ ଆସିଲାବେଳେ ଦେଖିଲି ମାଳବିକା ପ୍ରତି ଅସୌଜନ୍ୟ ଆଚରଣ କରୁଥିବା ଜଣେ ଦୁର୍ବୃତ୍ତକୁ ତା’ର ଭାଇ ଉପଯୁକ୍ତ ଶିକ୍ଷା ଦେଇଛି ଓ ସେ ଦୁର୍ବୃତ୍ତର ସମର୍ଥକମାନେ ତାକୁ ମାଡ଼ ଦେବାକୁ ଉଦ୍ୟତ ହେଉଛନ୍ତି । ସେ ଭଳି ଅସ୍ୱାଭାବିକ ପରିସ୍ଥିତି ଏଡ଼ାଇବା ପାଇଁ ମାଳବିକା ଓ ତା’ର ଅଭିଭାବକକୁ ସ୍କୁଲ ଫାଟକ ଭିତରକୁ ଆସିବା ପାଇଁ ମୁଁ କହିଥିଲି । ତା’ ନ ହୋଇଥିଲେ ହୁଏତ ଘଟଣା ଆହୁରି ସାଙ୍ଘାତିକ ହୋଇ ଯାଇଥାଆନ୍ତ ।

 

ମିସ୍‌ ନାୟକଙ୍କ ମୁହଁରୁ ତଥାପି ମଧ୍ୟ ଅସନ୍ତୋଷର ଚିହ୍ନ ଲିଭିଲା ନାହିଁ ।

 

ସେ କହିଲେ, ରତ୍ନାକର ଏ ଅଞ୍ଚଳର ପ୍ରସିଦ୍ଧ ଗୁଣ୍ତା । ଏ ଅଞ୍ଚଳରେ ତାକୁ କେହି ଭଲ ପାଆନ୍ତି ନାହିଁ । ତା’ଭଳି ଏକ ଅସାମାଜିକ ଲୋକର ପକ୍ଷ ସମର୍ଥନ କରି ତମେ ଠିକ୍‌ କରିନାହଁ । ରୁଦ୍ରନାରାୟଣ ବାବୁ ଏ ଘଟଣା ସ୍କୁଲ ପରିଚାଳନା କମିଟିର ଆସନ୍ତା ବୈଠକରେ ଉଠାଇବା ପାଇଁ ମତେ ଚିଠି ଲେଖିଛନ୍ତି ।

 

ମୌସୁମୀର ମୁହଁରେ ମୃଦୂ ହସର ଆଲୋଡ଼ନ ଦେଖାଗଲା ।

 

ସେ କହିଲା, ରାମନାରାୟଣ ଯଦି ସେହି ମାଡ଼ ଖାଇଥିବା ଲୋକର ନାମ ହୁଏ, ତେବେ ସେ ଯେ ନିୟମିତ ସ୍କୁଲର ଛାତ୍ରୀମାନଙ୍କୁ ରାସ୍ତାଘାଟରେ ଅଶ୍ଳୀଳ ଇଙ୍ଗିତ କରେ, ଏ ବିଷୟରେ ଅନେକ ଛାତ୍ରୀ ସାକ୍ଷ୍ୟ ଦେବେ । ସେ ଭଳି ପୁଅର ବାପା ହୋଇ ରୁଦ୍ରନାରାୟଣ ବାବୁ ସ୍କୁଲ ପରିଚାଳନା କମିଟିର ସଭ୍ୟ ରହିବା ଠିକ୍‌ ନୁହେଁ ।

 

ମୌସୁମୀର କଥା ଶୁଣି ମିସ୍‌ ନାୟକଙ୍କ ଆଖିଡ଼ୋଳା ଉପରକୁ ହୋଇଗଲା । ସେ ଚଷମା କାଢ଼ି ତା’ ମୁହଁକୁ ଅନେକ ସମୟ ଧରି ଚାହିଁ ରହିଲେ । ଝିଅଟା କାହା ସାହାସରେ ଏତେ ବଡ଼ ବଡ଼ କଥା କହୁଛି ?

 

ମିସ୍‌ ନାୟକ ତାକୁ ବୁଝାଇଲା ଭଳି ଶାନ୍ତ କଣ୍ଠରେ କହିଲେ, : ଦେଖ, ମୁଁ ତମକୁ ଝିଅ ଭଳି ସ୍ନେହ କରେ । ତମେ ଏ ସ୍କୁଲରେ ସବୁଦିନେ ଛାତ୍ରୀମାନଙ୍କୁ ଗଣିତ ପଢ଼ାଇବ, ଏକଥା ମୁଁ କେବେ ଆଶାକରି ନାହିଁ । ଅନେକ ଶିକ୍ଷୟିତ୍ରୀ ଘରସଂସାର କରିବା ପାଇଁ ଏ ସ୍କୁଲରୁ ବିଦାୟ ନେଇଛନ୍ତି । କମଳିନୀ ଦୁଇମାସ ଛୁଟିପାଇଁ ଆବେଦନ କରିଛି, ଛୁଟି ପୁରିଗଲା ପରେ ହୁଏତ ସେ ଆଉ ଫେରିବ ନାହିଁ । ଶୁଣୁଛି ଯେଉଁ ଜଣେ ଅଧ୍ୟାପକ ସହିତ ତା’ର ବିବାହ ସ୍ଥିର ହୋଇଯାଇଛି । ତମେ ମଧ୍ୟ ସେମିତି ଦିନେ ଏ ସ୍କୁଲରୁ ବିଦାୟ ନେଇଯିବ । କିନ୍ତୁ ତମକୁ ସ୍କୁଲ ପରିଚାଳନା କମିଟି ଜଣେ ଅସାମାଜିକ ଗୁଣ୍ତା ଲୋକକୁ ପ୍ରଶ୍ରୟ ଦେଇଥିବା ଅଭିଯୋଗରେ ଦରଖାସ୍ତ କରିବେ, ଏକଥା ମୁଁ ଚାହେ ନାହିଁ ।

 

ଘଟଣାର ଗୁରୁତ୍ୱ ଅନୁଭବ କରି ମୌସୁମୀ ଚୁପ୍‌ ହୋଇଗଲା ।

 

ମିସ୍‌ ନାୟକ କହିଲେ, ତମେ ଗୋଟିଏ କଥାକର । ଆଜି ରୁଦ୍ରନାରାୟଣ ବାବୁଙ୍କ ଘରକୁ ଯାଇ କ୍ଷମା ମାଗି ଆସ । ବୁଝାଇ ଦିଅ, ଜାଣିଶୁଣି ତମେ ରତ୍ନାକରକୁ ପ୍ରଶ୍ରୟ ଦେଇ ନାହଁ । ରାମନାରାୟଣ ଯେ ତାଙ୍କର ପୁଅ ସେ କଥା ତମକୁ ଜଣା ନ ଥିଲା ।

 

ମିସ୍‌ ନାୟକଙ୍କ କଥା ଶୁଣି ମୌସୁମୀର ସର୍ବାଙ୍ଗ କ୍ରୋଧ ଓ ଅପମାନରେ ଜଳିଗଲା । ସେ ଗମ୍ଭୀର କଣ୍ଠରେ କହିଲା, ମୁଁ ସ୍କୁଲର ଶିକ୍ଷୟିତ୍ରୀ । ରୁଦ୍ରନାରାୟଣ ବାବୁଙ୍କ ଗୃହଦାସୀ ନୁହେଁ । ଛାତ୍ରୀମାନଙ୍କ ସମ୍ୱ୍ରମ ଅପହରଣ କରୁଥିବା ଜଣେ ନଷ୍ଟଚରିତ୍ର ଲୋକର ପିତା ପାଖରେ ମୁଁ କ୍ଷମା–ପ୍ରାର୍ଥନା କରିବାକୁ ଚାହେଁନା । ଆତ୍ମସମ୍ମାନକୁ ବଳି ଦେଇ କେହି ଶିକ୍ଷୟିତ୍ରୀ ହୁଏ ନାହିଁ ।

 

ମିସ୍‌ ନାୟକ ବିସ୍ମୟ–ବିମୃଢ଼ ଦୃଷ୍ଟିରେ ମୌସୁମୀ ଆଡ଼କୁ ଚାହିଁ ରହିଲେ । ଭୋଅରର ଆଲୁଅ ଭଳି ଶାନ୍ତ, ନିରୀହ ଝିଅଟିଏ ମୌସୁମୀ । ତା’ କଥାରେ ଏତେ ଅଗ୍ନିର ଉତ୍ତାପ କେଉଁଠି ଗୋପନ ଥିଲା, ତାହା ସେ ବୁଝିପାରୁ ନ ଥିଲେ ।

 

ସେଦିନ ନୃତ୍ୟ–ଶେଷରେ ଶିକ୍ଷାମନ୍ତ୍ରୀ ଦେଖା କରିବାକୁ ଚାହୁଁଥିବା ବେଳେ ସେ କାହାରି କଥା ନ ମାନି ଶିକ୍ଷୟିତ୍ରୀ ହଷ୍ଟେଲକୁ ପଳାଇ ଯାଇଥିଲା । ମଞ୍ଜୁଳା ବୋଧହୁଏ ଠିକ୍‌ କହୁଥିଲା : ମୌସୁମୀ ଆତ୍ମଗର୍ବୀ, ଅହଙ୍କାରୀ । ରୂପର ଗର୍ବରେ ସେ ନିଜର ସୀମା କେଉଁଠି, ବୁଝିପାରୁ ନାହିଁ ।

 

ମିସ୍‌ ନାୟକଙ୍କ କଥା ଶୁଣିବାକୁ ଅପେକ୍ଷା ନ କରି ସେ ଚାଲି ଆସିଥିଲା । ତା’ର ମନେ ହୋଇଥିଲା, ପ୍ରଧାନ ଶିକ୍ଷୟିତ୍ରୀ ଜାଣି ଜାଣି ତାକୁ ଅପମାନିତ କଲେ । ଯେଉଁ ପ୍ରଧାନ ଶିକ୍ଷୟିତ୍ରୀ ନିଜ ସହକର୍ମିଣୀଙ୍କ ସମ୍ମାନ ରକ୍ଷା କରି ନ ଜାଣନ୍ତି, ତାଙ୍କ ପାଖରେ ବେଶୀଦିନ ଚଳିବା ସହଜ ନୁହେଁ-!

 

ସ୍କୁଲର ସବୁ ଶିକ୍ଷୟିତ୍ରୀ ଚାଲି ଯାଇଥିଲେ ।

 

ଏକାକିନୀ ଶିକ୍ଷୟିତ୍ରୀ ନିବାସକୁ ଫେରୁଥିଲା ମୌସୁମୀ ।

 

ବାଟରେ ଦେଖିଲା, ଶିକ୍ଷୟିତ୍ରୀ ନିବାସ ପାଖ ଗୋଟିଏ ବଉଳ ଗଛମୂଳେ ରତ୍ନାକର ଠିଆ ହୋଇଛି ।

 

ମୌସୁମୀକୁ ଦେଖି ରତ୍ନାକର ବଡ଼ ବିଷର୍ଣ୍ଣ କଣ୍ଠରେ କହିଲା, : ଆପଣ ମତେ ସ୍କୁଲ ଫାଟକ ଭିତରକୁ ନେଇ ଭଲ କଲେ ନାହିଁ ଦିଦି ! ରାମନାରାୟଣର ଲୋକେ ନାନା କଥା ପ୍ରଚାର କରିବେ !

 

ମୌସୁମୀ ରତ୍ନାକରର କଥା ଶୁଣି କୌତୁହଳୀ ହୋଇଉଠିଲା ।

 

କହିଲା, ତମକୁ ଫାଟକ ଭିତରକୁ ନେଇ ଯାଇ ନ ଥିଲେ ହୁଏତ ଲଙ୍କାକାଣ୍ତ ଘଟି ଯାଇ ଥାଆନ୍ତା ।

 

ରତ୍ନାକର ହସି ହସି କହିଲା : ସେମାନେ ମତେ ପାରି ନ ଥାଆନ୍ତେ ।

 

ସେ ସମସ୍ତଙ୍କ ଦାନ୍ତ ମୁଁ ଏକା ଝାଡ଼ି ଦେଇ ଥାଆନ୍ତି–

 

ମୌସୁମୀର ମୁହଁ ମଳିନ ପଡ଼ିଗଲା ।

 

ସେ କହିଲା : ତାହାହେଲେ ସେମାନେ ଯାହା କହୁଥିଲେ ସତ୍ୟ ! ତମେ ଜଣେ ଗୁଣ୍ତା !

 

ମୌସୁମୀର କଥା ଶୁଣି ରତ୍ନାକରର ମୁହ ଲଜ୍ଜାରେ ପାଟଳ ହୋଇଗଲା । ହୃଷ୍ଟପୁଷ୍ଟ ଜଣେ ଯୁବକକୁ ଲଜ୍ଜା କରିବା ଦେଖିଲେ ମୌସୁମୀର ଦେହ ଜଳିଯାଏ । ସେ କହିଲା; ଗୁଣ୍ତା କହିଲି ବୋଲି ଲଜ୍ଜା ଲାଗୁଛି ? କିନ୍ତୁ ତମକୁ କୁଆଡ଼େ ଏ ଅଞ୍ଚଳରେ ସମସ୍ତେ ଗୁଣ୍ତା ବୋଲି କୁହନ୍ତି !

 

ରତ୍ନାକର ଉତ୍ତର ଦେଲା ହଁ ମୁଁ ଗୁଣ୍ତା । ଅନ୍ୟାୟ ଦେଖିଲେ ମୁଁ ସହିପାରେ ନାହିଁ । ମୋ ରକ୍ତରେ ବେଶୀ ବାରୁଦ ଅଛି । ଟିକିଏ ତାତିଲେ ମୋ ରକ୍ତ ହୁତୁ ହୁତୁ ଜଳିଉଠେ । ଦିଦି ! ଗୁଣ୍ତା ହେବା କଅଣ ଖରାପ ?

 

: ଆଶ୍ଚର୍ଯ୍ୟ ପ୍ରଶ୍ନ ।

 

ମୌସୁମୀ ହଠାତ୍‌ କିଛି ଉତ୍ତର ଦେଇପାରିଲା ନାହିଁ ।

 

ବରଂ ସେ ଓଲଟି ପ୍ରଶ୍ନ କଲା : ତମେ ଗୁଣ୍ତା ହେଲ କାହିଁକି ରତ୍ନାକର ? ତମେ ପାଠଶାଠ କାହିଁକି ପଢ଼ିଲ ନାହିଁ ? ତମେ କାହିଁକି ଭଦ୍ର ହେଲ ନାହିଁ ? ଶୁଣିଛି, ତମେ ଭଦ୍ର ପରିବାରର ସନ୍ତାନ–ମାଳବିକାର ବଡ଼ ଭାଇ–

 

ରତ୍ନାକର ଅନେକଙ୍କ ଠାରୁ ଗୁଣ୍ତା ବୋଲି ଆକ୍ଷେପ ଶୁଣିଛି । ସମସ୍ତେ ତାକୁ ନିନ୍ଦା କରିଛନ୍ତି । କିନ୍ତୁ କେହି ଜଣେ ହେଲେ ତାକୁ ଭଲ ହେବା ପାଇଁ ପରାମର୍ଶ ଦେଇନାହାନ୍ତି–କାହାରିଠାରୁ ସେ ବିନ୍ଦୁଏ ହେଲେ ସହାନୁଭୂତି ପାଇନାହିଁ ।

 

ମୌସୁମୀର ସହାନୁଭୂତିଶୀଳ କଥା ଶୁଣି ତା’ର ଆଖିପତା ଦୁଇଟି ଏକ ଅଜ୍ଞାନ ବେଦନା–ବୋଧରେ ସଜଳ ହୋଇଉଠିଲା ।

 

ସେ କହିଲା : ପାଠ ପଢ଼ିବା ପାଇଁ, ଭଦ୍ର ହେବା ପାଇଁ ମାଳବିକା ମୋ ସାଙ୍ଗରେ ନିତି ଲଗାଇଛି । ମୁଁ ଗୁଣ୍ତା ବୋଲି ସେ କୁଆଡ଼େ ସାଙ୍ଗସାଥିମାନଙ୍କ ପାଖରେ ମୁଣ୍ତଟେକି କଥା କହି ପାରୁନି । ମୁଁ ତିନିଥର ମାଟ୍ରିକ୍‌ ଫେଲ୍‌ ହେଲାପରେ ପଢ଼ା ଛାଡ଼ିଦେଲି, ଗଣିତ ଯୋଗୁ ମୁଁ ତିନି ଥର ବୋର୍ଡ଼ ପରୀକ୍ଷାରେ ମାଦଳ ଭଳି ଗଡ଼ିଲି । ଦିଦି ! ମତେ ଆପଣ ଅଙ୍କ ପଢ଼ାଇଦେବେ–ମୁଁ ନିଶ୍ଚୟ ତାହାହେଲେ ପାଶ୍‌ କରିଯିବି–ସତ କହୁଛି ଅଙ୍କ ଦେଖିଲେ ମୋର ମୁଣ୍ତ ବ୍ୟଥା ହୁଏ, ଗଣିତକୁ ଡରି ପାଠପଢ଼ା ଛାଡ଼ିଦେଲି, ଗୁଣ୍ତା ହୋଇଗଲି ।

 

ଗୁଣ୍ତା ରତ୍ନାକରର ସେ ସରଳ ସ୍ୱୀକାରୋକ୍ତି ଶୁଣି ମୌସୁମୀ ହସି ପକାଇଲା ।

 

କହିଲା : ତମକୁ ଆଜି ସ୍କୁଲ ଫାଟକ ମିତରେ ଆଶ୍ରୟ ଦେଇଥିଲି ବୋଲି ମିସ୍‌ ନାୟକ ମତେ ଧମକ ଦେଇଛନ୍ତି, ରୁଦ୍ରନାରାୟଣ ବାବୁ କୁଆଡ଼େ ମତେ ଶିକ୍ଷୟିତ୍ରୀ ଚାକିରିରୁ ବିଦାୟ ଦେବେ । ମୁଁ ହୁଏତ ଏଠାରେ ବେଶିଦିନ ରହୁନାହିଁ । ତମେ ପୁରୁଷ, ତମର ଅସାଧ୍ୟ କିଛି ନାହିଁ । ଗଣିତକୁ ଭୟ କରିବା ତମ ପକ୍ଷରେ କାପୁରୁଷତା । ମୁଁ ଝିଅ ହୋଇ ଜଟିଳ ଗଣିତକୁ ପୋଷା ମନାଇଛି; ଆଉ ଶକ୍ତ-ସବଳ ପୁରୁଷ ହୋଇ ତମେ ଅଙ୍କ ଦେଖିଲେ କଂସାଏ ପାଣିରେ ବୁଡ଼ି ମରୁଛ-?

 

ଚାବୁକ୍‌ ଦେଇ ସତେ ଯେମିତି ରତ୍ନାକରର ଶୁପ୍ତ ପୌରୁଷକୁ ଜାଗ୍ରତ କରିବାକୁ ଚାହୁଁଥିଲା ମୌସୁମୀ । ତା’ର କଥା ଶୁଣି ଇତଃସ୍ତତ ହେଲା ରତ୍ନାକର, ହଁ କି ନାହିଁ କିଛି କହି ପାରିଲା ନାହିଁ । ସନ୍ଧ୍ୟା ହୋଇ ଆସୁଥିଲା । ତା’ର ଉତ୍ତର ଶୁଣିବାକୁ ଅପେକ୍ଷା ନ ରଖି ମୌସୁମୀ ଶିକ୍ଷୟିତ୍ରୀ ନିବାସ ଆଡ଼କୁ ଅଗ୍ରସର ହେଲା ।

 

।। ୧୫ ।।

 

ଯୁଦ୍ଧ ଲିପ୍ତ ଦୁଇ ଶତୃଶିବିର ମଧ୍ୟରେ ତୃତୀୟ ପକ୍ଷର ହସ୍ତକ୍ଷେପ ଫଳରେ ଯେପରି ସାମୟିକ ଭାବରେ ଅସ୍ୱସ୍ତିକର ଯୁଦ୍ଧ–ବିରତି ଘଟିଛି ଅଥଚ ଉତ୍ତେଜନା ହ୍ରାସ ପାଇ ନାହିଁ, ଯେ କୌଣସି ମୂହୂର୍ତ୍ତରେ ପୁଣି ଯୁଦ୍ଧ ଲାଗି ଯାଇପାରେ, ଏହିପରି ଏକ ଅବସ୍ଥା ଶିକ୍ଷୟିତ୍ରୀ ନିବାସରେ । ଗୋଟିଏ ଘରେ ଛାତ ତଳେ ମଞ୍ଜୁଳା ଆଉ ମୌସୁମୀ ଅବସ୍ଥାନ କରୁଛନ୍ତି : କିନ୍ତୁ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ନାହିଁ । ହସ ଖୁସି ନାହିଁ ।

 

ଗୋଟିଏ ସମ୍ୱାଦପତ୍ରରେ ପ୍ରକାଶ ପାଇଛି, ଓଡ଼ିଆ ଚିତ୍ର ‘‘ଇନ୍ଦ୍ରଧନୁ’’ରେ ପ୍ରଧାନ ନାୟିକା ଭୂମିକାରେ ଲାବଣ୍ୟମୟୀ ମୌସୁମୀ ମହାପାତ୍ର ଅଭିନୟ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସେହି ସମ୍ୱାଦ ପ୍ରକାଶ ପାଇଲା ପରେ ମିଶନ ବାଳିକା ବିଦ୍ୟାଳୟ ଶିକ୍ଷୟିତ୍ରୀ ନିବାସରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ମୌସୁମୀକୁ ଅଭିନନ୍ଦନ ଜଣାଇବା ପାଇଁ ବହୁ ଚିତ୍ରାମୋଦି ଦର୍ଶକ ଅନେକ ସମୟରେ ଶିକ୍ଷୟିତ୍ରୀ ନିବାସର ଫାଟକ ପାଖରେ ଭିଡ଼ କରୁଛନ୍ତି । କଟା ଘାଆରେ ଚୂନ ଦେଲାଭଳି ଏହି ଜନ ସମାବେଶ ମଞ୍ଜୁଳାକୁ କରିଛି ଅଧିକ ଉତ୍ୟକ୍ତ, ଉତ୍ତେଜିତ । ସେ ଆହତ ସିଂହୀ ଭଳି ବେଳେ ବେଳେ ଗର୍ଜ୍ଜନ କରୁଛି । ପ୍ରତିମାକୁ ଦେଖେଇ ଦେଖେଇ କହୁଛି, ମୋ ଖାଇବା ପତ୍ରରେ ଯେ ଧୂଳି ଦେଇଛି, ଭଗବାନ ତା’ ଭାତଗୁଣ୍ତା ମୁହଁରୁ ଛଡ଼େଇ ନେବେ । ଦେଖିବୁ ମୁଁ ଯାହା କହୁଛି ନିଶ୍ଚୟ ଫଳିବ, ଫଳିବ ।

 

ଶିକ୍ଷୟିତ୍ରୀ ଚାକିରିକୁ ମଞ୍ଜୁଳା ମୌସୁମୀର ଭାତଗୁଣ୍ତା ବୋଲି ଯେ କହୁଛି, ସେକଥା ବେଶ୍‌ ବୁଝି ପାରିଥିଲା ପ୍ରତିମା । ରୁଦ୍ରନାରାୟଣ ବାବୁଙ୍କ ପୁଅ ରାମ ନାରାୟଣ ଓ ମାଳବିକାର ଭାଇ ଗୁଣ୍ତା ରତ୍ନାକର ମଧ୍ୟରେ ଯେଉଁ ସଂଘର୍ଷ ଲାଗିଛି, ସେଥିରେ ମୌସୁମୀକୁ ଜଡ଼ିତ କରି ତାକୁ ସ୍କୁଲରୁ ବିଦାୟ ଦେବାକୁ ମଞ୍ଜୁଳା ଚେଷ୍ଟା କରୁଥିବା କଥା ସେ ଜାଣେ । ସେଥିପାଇଁ ଅନେକ ସମୟ ଧରି ସେ ରୁଦ୍ରନାରାୟଣ ବାବୁଙ୍କ ଘରେ ଅଟକି ଯାଇଥିଲା !

 

କିନ୍ତୁ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ହେଲେ ମୌସୁମୀ ତ ସ୍କୁଲରୁ ବିଦାୟ ଆପେ ଆପେ ନିଅନ୍ତା, ସେଥିପାଇଁ ତାକୁ ତଡ଼ିବା ଲାଗି ଚେଷ୍ଟା କରିବାର ଆବଶ୍ୟକତା କଅଣ ? –ମଞ୍ଜୁଳାକୁ ପ୍ରଶ୍ନ କରିଥିଲା ପ୍ରତିମା ।

 

ମଞ୍ଜୁଳା ଉତ୍ତର ଦେଇଥିଲା, ‘ଇନ୍ଦ୍ରଧନୁ’ର ସୁଟିଂ ସବୁଦିନେ ଚାଲିବ ନାହିଁ ମ । ମାସକ ପରେ ପୁଣି ଚାକିରି ପାଇଁ ଆଖି ବୁଲାଇବାକୁ ପଡ଼ିବ ।

 

ମଞ୍ଜୁଳାର ଉତ୍ତର ଶୁଣି ମନେ ମନେ ହସିଥିଲା ପ୍ରତିମା । ତାକୁ ଆଘାତ ଲାଗିବ ବୋଲି ସେ କୌଣସି ଉତ୍ତର ଦେଇ ନ ଥିଲା ।

 

ମୌସୁମୀ ମଧ୍ୟ ବୁଝି ପାରିଥିଲା, ଏ ସ୍କୁଲରେ ଶିକ୍ଷୟିତ୍ରୀ ଚାକିରିର ଆୟୁଷ ତା’ର ଆଉ ବେଶିଦିନ ନୁହେଁ । ସେ ‘ଇନ୍ଦ୍ରଧନୁ’ର ନାୟିକା ହେଉ କି ନ ହେଉ, ମିଶନ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ହୋଇ ସେ ଆଉ ରହିପାରିବ ନାହିଁ । କାଲି ସ୍କୁଲ ଯିବା ବାଟରେ ସେଇ ଆକସ୍ମିକ ଦୁର୍ଘଟଣାରେ ତା’ର ଅଯାଚିତ ଭୂମିକା, ତା’ର ଏଠାରେ ଶିକ୍ଷୟିତ୍ରୀ ହୋଇ ରହିବାର ପଥରେ ଅନ୍ତରାୟ ହୋଇ ଠିଆ ହୋଇଛି ।

 

ମନର ଉତ୍ତେଜନା ଶାନ୍ତ ହୋଇ ଯିବା ପରେ ସେ ମନେ ମନେ ଭାବିଥିଲା, ରତ୍ନାକର ଗୁଣ୍ତା । ତା’ ଦେହରେ ଗୋଟାଏ ସିଂହର ଶକ୍ତି । ତାକୁ ଅନ୍ୟମାନଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ସେ ମଝିରେ ଠିଆ ହେବା କିଛି ଦରକାର ନ ଥିଲା । ରତ୍ନାକର ତା’ର ଆକ୍ରମଣକାରୀମାନଙ୍କ ଦାନ୍ତ ଝାଡ଼ି ଦେଇ ନିଜ ଭଉଣୀର ସମ୍ମାନ ଯେପରି ରକ୍ଷା କରିଥିଲା, ସେହିପରି ନିଜର ନିରାପତ୍ତା ମଧ୍ୟ ରକ୍ଷା କରି ପାରି ଥାଆନ୍ତା ।

 

ମୌସୁମୀ ଜାଣେ, ସଂସାରରେ ସୁଖୀ ହେବାକୁ ହେଲେ ଅନେକ କଥା ଦେଖି ମଧ୍ୟ ନ ଦେଖିଲା ଭଳି ଆଖି ବୁଜି ଦେବାକୁ ହୁଏ । ରାସ୍ତା ଘାଟରେ ଅନେକ ଘଟଣା, ଦୁର୍ଘଟଣା ଘଟେ । ତାକୁ ଦେଖି ଉତ୍ତେଜିତ ହେବା କିଛି ଦରକାର ନ ଥିଲା । ସେ ଜାଣି ଜାଣି ଗୋଳିଆ ପାଣି ଭିତରକୁ ଗୋଡ଼ ବଢ଼ାଇଲା ବୋଲି ଆଜି ତା’ର ସାରା ଦେହରେ କାଦୁଅ ଛିଟା ।

 

ଗୁଣ୍ତା ରତ୍ନାକର କଥା ମନେ ପଡ଼ିଯିବା ମାତ୍ରେ ସେ ପୁଣି ମନେ ମନେ ଭାବିଲା, କାଲିର ଘଟଣାରେ ହସ୍ତକ୍ଷେପ କରିବା ଦ୍ୱାରା ତା’ର ବେଶ୍‌ ଏକ ନୂତନ ଅଭିଜ୍ଞତା ହେଲା । ଏ ଅଞ୍ଚଳର ଅନେକ ଲୋକଙ୍କ ଭଳି ଗୁଣ୍ତା ରତ୍ନାକର ସମ୍ପର୍କରେ ତା’ର ମଧ୍ୟ ଏକ ଭୁଲ୍‌ ଧାରଣା ଥିଲା । ତା’ ଦେହର ଶକ୍ତ ମାଂସପେଶୀ ଯେ ତା’ର ଏକମାତ୍ର ସମ୍ପଦ, ଗୁଣ୍ତାମୀ ଛଡ଼ା ତା’ର ଯେ ଅନ୍ୟ କିଛି ବୃତ୍ତି ନାହିଁ; ଅନେକ ଲୋକଙ୍କ ଭଳି ତା’ର ମଧ୍ୟ ସେମିତି ଗୋଟାଏ ଧାରଣା ରହି ଯାଇଥିଲା । କାଲି ତା’ ସହିତ ମିନିଟ କେତୋଟି କଥାବାର୍ତ୍ତା ହେଇ ବୁଝିଲା, ଦେହ ତା’ର ଲୁହା ଭଳି ଶକ୍ତ ହେଲେ ମଧ୍ୟ ମନ ତା’ର ମହମ ଭଳି ନରମ । ଟିକିଏ ସହାନୁଭୂତି, ସ୍ନେହର ଉଷ୍ଣତା ପାଇଲେ ମନର ମହମ ତା’ର ବିଗଳିତ ହୋଇ ଯାଇ ପାରେ । ତା’ର ଚେହେରା ଦେଖିଲେ ସେ ଯେପରି ଉଦ୍ଧତ, ଅସହିଷ୍ଣୁ, ରୁକ୍ଷ, କର୍କଶ ମଣିଷ ଭଳି ମନେ ହୁଏ, ପ୍ରକୃତରେ ତା’ର ରୁଚି, ହୃଦୟ, ମନ ସେପରି ନୁହେଁ । ଲୋକଟା ବୟସରେ ବୋଧହୁଏ ତା’ଠାରୁ ତିନି ଚାରି ବର୍ଷ ବଡ଼ ହେବ, ତଥାପି ତାକୁ ସେ ‘ଆପଣ’ ‘ଦିଦି’ ବୋଲି ସମ୍ୱୋଧନ କଲାବେଳେ ତା’ କଣ୍ଠ ସ୍ୱରରେ କୌଣସି ଦ୍ୱିଧା କିମ୍ୱା ଜଡ଼ତା ନ ଥିଲା । ତା’ କହିବାର ଭଙ୍ଗୀରେ କୌଣସି କୃତ୍ରିମତା ଥିଲା ବୋଲି ମଧ୍ୟ ସେ ଅନୁଭବ କରି ନାହିଁ । ଏଭଳି ଏକ ଆଶ୍ଚର୍ଯ୍ୟ ସରଳ ଲୋକ ପାଇଁ ଗୋଳିଆ ପାଣିରେ ଗୋଡ଼ ପୂରେଇ ଦେଇ ସେ କିଛି ଏପରି ପାପ କରିନାହିଁ; ଯେଉଁଥିପାଇଁ ତାକୁ ଆଜି ଅନୁତାପ କରିବାକୁ ହେବ ।

 

ବାପା କହୁଥିଲେ ଜୀବନରେ ବଡ଼ ହେବାକୁ ହେଲେ ବେଳେବେଳେ କିଛି ଅସାଧାରଣ ଝୁଙ୍କି ନେବାକୁ ହୁଏ । ନ ହେଲା ବା କାଲି ସେ ନିଜ ବିବେକର ତାଡ଼ନାରେ ଗୋଟାଏ ଝୁଙ୍କି ନେଇଛି ସେଥିପାଇଁ ସେ ଭାଙ୍ଗି ପଡ଼ିବ କାହିଁକି ?

 

ଶିକ୍ଷୟିତ୍ରୀ ଚାକିରିରୁ ତାକୁ ତଡ଼ି ଦିଆ ହେବ ।

 

କଥାଟି ଭାବି ମନେ ମନେ ହସିଲା ମୌସୁମୀ ।

 

ବାପା ଚାହାନ୍ତି ନାହିଁ, ସବୁଦିନେ ସେ ଶିକ୍ଷୟିତ୍ରୀ ହେଉ । ମିସ୍‌ ନାୟକ ବିଶ୍ୱାସ କରନ୍ତି ନାହିଁ ସବୁଦିନେ ସେ ଏହି ସ୍କୁଲରେ ଛାତ୍ରୀମାନଙ୍କୁ ଗଣିତ ପଢ଼ାଉଥିବ । ତାହାହେଲେ ଶିକ୍ଷୟିତ୍ରୀ ଚାକିରି ଚାଲିଯିବ ବୋଲି କାହା କଥା ଭାବି ସେ ଆଜି ଶଙ୍କିତା ହୋଇ ପଡ଼ିବ ? ନିଜ ପାଇଁ ? ସେ କଅଣ ଏମିତି ଅପଦାର୍ଥ ଯେ ଏଠାରୁ ଆତ୍ମସମ୍ମାନ ରକ୍ଷା କରିବାକୁ ଯାଇ ତଡ଼ା ଖାଇଲେ, ଅନ୍ୟତ୍ର ସେ ନିଜର ଅନ୍ନ ସଂସ୍ଥାନ କରି ପାରିବ ନାହିଁ ?

 

ମୌସୁମୀ ନିଜ ମନର ଏହି ଯୁକ୍ତିକୁ ନିଜେ ବିଶ୍ୱାସ କଲା ନାହିଁ । କାରଣ ସେ ଜାଣେ, ସେ ନିଜର ଭାଗ୍ୟ ନିୟନ୍ତା ନୁହେଁ । ଭାଗ୍ୟ ଦେବତାର ହାତରେ ସେ କେବଳ ଏକ କାଠ କଣ୍ତେଇ । କେଉଁ ଅଦୃଶ୍ୟ ହାତର ଇଙ୍ଗିତରେ ସେ କେବଳ ନାଚ କରୁଛି ।

ଆକସ୍ମିକ ଭାବରେ ଯଦି ଅତନୁ ସହିତ ଆର୍ନ୍ତ–ବିଶ୍ୱବିଦ୍ୟାଳୟ ଯୁବ ଉତ୍ସବରେ ତା’ର ଦେଖା ହୋଇ ନ ଥାନ୍ତା, ତାହାହେଲେ ତା’ର ଜୀବନର ଗତି ଭିନ୍ନ ପ୍ରକାର ହୋଇ ଥାଆନ୍ତା । ଶିକ୍ଷୟିତ୍ରୀ ନହୋଇ ସେ ହୁଏତ ଆଜି ହୋଇ ଥାଆନ୍ତା କାହାର କୁଳବଧୂ । ଆଉ କାଲି ଯଦି ରାମନାରାୟଣ ଏବଂ ରତ୍ନାକର ସଂଘର୍ଷ ସମୟରେ ସେ ରାସ୍ତା ଦେଇ ଯାଇ ନଥାନ୍ତା, ତାହାହେଲେ ଏ ମିଶନ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ଚାକିରି ତା’ର ହସ୍ତମୁଦି ମାହାଲ ହୋଇ ରହି ଥାଆନ୍ତା ।

ଯଦି ସବୁ କଥା ଭାଗ୍ୟ ଦେବତାର ଅଦୃଶ୍ୟ ଅଙ୍ଗୁଳିର ଇଙ୍ଗିତରେ ତା’ ଜୀବନରେ ଘଟି ଯାଉଛି, କୌଣସି କଥା ପାଇଁ ତାହାହେଲେ ସେ କାହିଁକି ଅଯଥାରେ ମୁହଁ ଶୁଖାଇ ବସିବ ?

ମୌସୁମୀ ନିଜ ମୁହଁରୁ ବିଷର୍ଣ୍ଣତାର ମ୍ଳାନିମାକୁ ପୋଛି ଦେଇ ହସର ଲୋଧ୍ରରେଣୁ ବୋଳି ଦେଲା । ମନେ ମନେ ଭାବିଲା, ଆଜି ହୁଏତ ସେ ଏହି ଶିକ୍ଷୟିତ୍ରୀ ନିବାସର ରୁଦ୍ଧ କୋଠରୀରେ ବନ୍ଦି ବିହଙ୍ଗୀ ଭଳି ବସି ରହିଛି; କାଲି ବୋଧହୁଏ ସେ ଷ୍ଟୁଡ଼ିଓ ଚତ୍ୱରରେ ଅରଣ୍ୟ ମରାଳି ଭଳି ଡେଇଁ ବୁଲୁଥିବ ।

ମୌସୁମୀ ଶୋଇ ଯାଇଥିଲା; ଗହନ ନିଦରେ । ଅଦ୍ଧ ରାତ୍ରିରେ କାହାର ଗୋଟାଏ କାନ୍ଦିବା ଶଦ୍ଦ ଶୁଣି ହଠାତ୍‌ ତା’ର ନିଦ୍ରାଭଙ୍ଗ ହେଲା । ସେ ଆଖି ମଳି ମଳି ଦେଖିଲା, ତା’ର ଶଯ୍ୟା ଧାରରେ ବସି ରହିଛି ମଞ୍ଜୁଳା ତା’ ଆଖିରୁ ଧାର ଧାର ଲୁହ ବହି ଆସି ମୌସୁମୀର ଡାହାଣ ହାତ ବାହା ଉପରେ ଝରି ପଡ଼ୁଛି !

ମଞ୍ଜୁଳା ଅପା ! ଏତେ ରାତିରେ । ମୌସୁମୀ ବିସ୍ମୟ ଚକିତ କଣ୍ଠରେ ପ୍ରଶ୍ନ କରିଥିଲା । ସେ କିଛି ବୁଝି ପାରୁ ନ ଥିଲା, କିଛି ଜାଣି ପାରୁନଥିଲା ।

ମଞ୍ଜୁଳା କିଛି ଉତ୍ତର ଦେଇ ନ ଥିଲା । କିନ୍ତୁ ମୌସୁମୀ ଅନୁଭବ କରିଥିଲା, ଉଦ୍‌ଗାରିତ କୋହ ତା’ର କଥା ଶୁଣି ତୀବ୍ରତର ହୋଇ ଉଠିଲା ।

ସେ ନିଜେ ଶଯ୍ୟାରେ ଉଠି ବସିଥିଲା । ଟେବୁଲ ଲ୍ୟାମ୍ପଟା ଜାଳିବାକୁ ଯାଉଥିଲା । ତା’ର ହାତ ଧରି ଅଟକାଇ ଦେଲା ମଞ୍ଜୁଳା । କହିଲା, ଆଲୁଅ ଜାଳନି–ପ୍ରତିମା ଉଠିବ ।

ଆର ଘରେ ଶୋଇଛି ପ୍ରତିମା । ମଞ୍ଜୁଳା ହୁଏତ ତାକୁ ଏପରି କିଛି କଥା କହିବାକୁ ଚାହେଁ, ଯାହା ପ୍ରତିମା ପାଖରେ ଗୋପନୀୟ ରହିବା ଦରକାର !

ମତେ କିଛି କହିବ ? ମୌସୁମୀ ପ୍ରଶ୍ନ କଲା ।

ନା, କିଛି କହିବି ନାହିଁ । ଗୋଟିଏ ଜିନିଷ ମାଗିବି । ମୋ ଦେହ ଛୁଇଁ କୁହ, ମତେ ସେ ଜିନିଷ ତମେ ଦେବ–ମନା କରିବ ନାହିଁ । ମଞ୍ଜୁଳାର କଣ୍ଠ ସ୍ୱରରେ ଭିକାରିଣୀର ଦୈନ୍ୟ ।

ମୌସୁମୀର ସଦ୍ୟ ଜାଗ୍ରତ ଆଖିରୁ ତନ୍ଦ୍ରାର ଆବେଶ କଟି ଯାଇଥିଲା । ଭିକାରିଣିୀ ଭଳି ତା’ ପାଖରୁ ଆଜି କଅଣ ଚାହୁଁଛି ମଞ୍ଜୁଳା !

 

ସେ ଉତ୍ତର ଦେଇଥିଲା, ମୋ ଠାରେ କଅଣ ଅଛି ? ମୁଁ ତମକୁ କଅଣ ଦେଇ ପାରିବି-?

 

ମୋର ପ୍ରେମିକକୁ ତମେ ମତେ ଫେରାଇ ଦିଅ ମୌସୁମୀ ! ମୃଣାଳକୁ ମତେ ଫେରାଇ ଦିଅ–ମୃଣାଳକୁ ବାଦ୍‌ ଦେଲେ ମୋ ଜୀବନରେ ଅନ୍ୟ କୌଣସି ଐଶ୍ୱର୍ଯ୍ୟ ଅବଶିଷ୍ଟ ନାହିଁ । ମଞ୍ଜୁଳାର କଣ୍ଠ ସ୍ୱରରେ ସେଇ ବ୍ୟାକୁଳତା, ସେଇ କାରୁଣ୍ୟ ।

 

ମୃଣାଳ ବାବୁଙ୍କୁ ମୁଁ ତମକୁ ଫେରାଇ ଦେବି ? ମାନେ । ମୌସୁମୀ କିଛି ବୁଝି ପାରୁନଥିଲା ।

 

ମଞ୍ଜୁଳା କିଛି ସମୟ ଚୁପ୍‌ ରହିଲା । ସତେ ଯେମିତି ନୀରବ ରହି ସେ ମୌସୁମୀ ପାଖରୁ ନିଜର ଲଜ୍ଜା ଗୋପନ କରିବାକୁ ଚେଷ୍ଟା କରୁଥିଲା !

 

ତା’ପରେ ସେ ଖୁବ୍‌ ଧୀରେ ଧୀରେ କହିଲା, ତମେ ମୋର ସାନ ଭଉଣୀ ଭଳି ମୌସୁମୀ ! ତମ ପାଖରେ ଆଜି ଏ ସବୁ ଗୋପନ ରଖିବାର କିଛି ଅର୍ଥ ନାହିଁ । ମୃଣାଳ ତମକୁ ଦେଖିଲା ପରେ କେମିତି ଭିନ୍ନ ପ୍ରକାର ହୋଇ ଯାଇଛି । ମତେ ‘ଇନ୍ଦ୍ରଧନୁ’ର ନାୟିକା କରିବ ବୋଲି ଆଜି ସୁଦ୍ଧା ଚିଠି ଲେଖୁଛି, କିନ୍ତୁ ଶୁଣିଲି ତମକୁ ନାୟିକା କରିବା ପାଇଁ ସେ ତମ ବାପାଙ୍କ ପାଖକୁ ଯାଇଥିଲା ! ତମେ ଯଦି ‘ଇନ୍ଦ୍ରଧନୁ’ର ନାୟିକା ହେବା ପାଇଁ ରାଜି ହୁଅ, ତାହାହେଲେ ମୁଁ ମୃଣାଳକୁ ହରାଇବି... ।

 

ମଞ୍ଜୁଳାର କଥା ଶୁଣି ମୌସୁମୀ ବିସ୍ମୟର ଅତଳ ସାଗରରେ ବୁଡ଼ିଗଲା ।

 

ଆଜି ସୁଦ୍ଧା ମଞ୍ଜୁଳାକୁ ‘ଇନ୍ଦ୍ରଧନୁ’ର ନାୟିକା କରିବା ପାଇଁ ମୃଣାଳ ପତ୍ର ଲେଖୁଛି ? ଅଥଚ...ଅଥଚ... !

 

ମଞ୍ଜୁଳାର ଦୁଇ ଆଖିରେ ଉତ୍‌କୂଳ ବନ୍ୟାର ସ୍ରୋତ ଭଳି ଅଶ୍ରୂଧାରା ବହି ଯାଉଛି । ନିଜର ପ୍ରିୟତମକୁ ହରାଇବାର ଆତଙ୍କରେ ସେ ଶୋଇ ପାରିନି, ସ୍ଥିର ହୋଇ ବସି ପାରି ନାହିଁ, ରାତି ସାରା ତାରି ମୁଣ୍ତ ପାଖରେ ବସି ନୀରବରେ ଅଶ୍ରୁ ତର୍ପଣ କରୁଛି !

 

ମଞ୍ଜୁଳାର କ୍ରନ୍ଦନ–କାତର ରୂପ ଦେଖି ମୌସୁମୀର ଆଖିରେ ଅତନୁର ଛବି ନାଚି ଉଠିଲା । ଏମିତି ସେ ଯେଉଁଦିନ ଜାଣିଥିଲା ଯେ ଅତନୁକୁ ତା’ର ଆଇ. ଏ. ଏସ୍‌. ଚାକିରି ତା’ ପାଖରୁ ଛଡ଼ାଇ ନେଉଛି, ସେଦିନ ସେ ଏହିପରି ଚେଷ୍ଟା କରି ସୁଦ୍ଧା ଶୋଇ ପାରି ନ ଥିଲା । ତା’ ଆଖିର ଧାର ଧାର ଲୁହରେ ତକିଆ ଗୋଟା ଓଦା ହୋଇ ଯାଇଥିଲା । ନିଜର ପ୍ରିୟ ପୁରୁଷକୁ ପାଇ ପାରି ନାହିଁ ବୋଲି ସେ ଅନ୍ୟ କାହାରି ମନର ମଣିଷକୁ ଛଡ଼ାଇ ନେଇ ପାରିବ ନାହିଁ । ନା–ନା–ସେ କେବେ ଏତେ ଛୋଟ ହୋଇପାରିବ ନାହିଁ–

 

ତା’ କଳ୍ପନାର ଆକାଶରୁ ସ୍ୱପ୍ନର ଇନ୍ଦ୍ରଧନୁ ହଠାତ୍‌ ଅନ୍ତର୍ହିତ ହୋଇ ଯିବାକୁ ଲାଗିଲା । ସେ ଅନୁଭବ କଲା ସେ ଆଉ ରୂପେଲି ପରଦାର ତାରକା ହୋଇ ଆକାଶରେ ଝଟକିବ ନାହିଁ; ଜୁଳୁଜୁଳିଆ ପୋକ ଭଳି ସେ କେବଳ ସ୍ମୃତିର ଅନ୍ଧକାରରେ ନିଜେ ଜଳି ନିଜକୁ ବାଟ ଦେଖାଇବ !

 

ମଞ୍ଜୁଳା ମୌସୁମୀର ହାତକୁ ଧରି ପକାଇ କହିଲା; ଆଉ କଅଣ ଭାବୁଛ ମୌସୁମୀ । ରୂପର ପ୍ରତିଯୋଗିତାରେ ବିଜୟିନୀ ହୋଇ ମୃଣାଳକୁ ମୁଁ ଧରି ରଖି ପାରିଲି ନାହିଁ–ମୁଁ କୁଆଡ଼େ ମୋଟି ହୋଇଯାଉଛି–ସେଥିପାଇଁ ହାତ ପତାଇ ମୃଣାଳକୁ ମୁଁ ତମଠାରୁ ଭିକ୍ଷା ମାଗି ନେବାକୁ ଆସିଛି–ମତେ କଅଣ ତମେ ଶୂନ୍ୟ ହାତରେ ଫେରାଇ ଦେବ ?

 

ମଞ୍ଜୁଳାର ହାତ ପାପୁଲିକୁ ନେଇ ନିଜ ମୁହଁରେ ଚାପି ଧରିଲା ମୌସୁମୀ । କହିଲା : ନା–ନା–ମଞ୍ଜୁଳା ଅପା । ମୁଁ ନିଜେ ଯାହାକୁ ଚାହିଁଥିଲି ତାକୁ ନିଜର କରି ପାରିଲି ନାହିଁ । ଅନ୍ୟ କାହାରି ବାଞ୍ଚ୍ଥିତ ପୁରୁଷକୁ ମୁଁ ଛଡ଼ାଇ ନେବାକୁ ଚାହେଁ ନାହିଁ–ମତେ ହାତ ପାହାନ୍ତାରେ ପାଇବା ପାଇଁ ଯେ ମୃଣାଳ ବାବୁ ନାୟିକା ହେବା ପାଇଁ ମତେ ଆମନ୍ତ୍ରଣ କରିଥିଲେ ସେ କଥା ମୁଁ ଆଦୌ ଆଗରୁ ଜାଣି ନ ଥିଲି–ମୁଁ କଥା ଦେଉଛି–ମୁଁ ଅଭିନେତ୍ରୀ ହେବି ନାହିଁ । ଇନ୍ଦ୍ରଧନୁର ରଙ୍ଗ ଚୋରି କରି ନିଜର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଚେଷ୍ଟା କରିବି ନାହିଁ–ମୁଁ କାଲି ସେମାନଙ୍କୁ ମନା କରି ଚିଠି ଲେଖିଦେବି ।

 

ମଞ୍ଜୁଳାର ହାତ ପାପୁଲି ମୌସୁମୀ ଆଖିର ଆର୍ଦ୍ର ସ୍ପର୍ଶରେ ସଜଳ ହୋଇ ଉଠୁଥିଲା ସେ ଅନୁଭବ କରୁଥିଲା, ତା’ ଆଖିର ଲୁହ ବୋଧହୁଏ ମୌସୁମୀ ଆଖି ପତାକୁ ସଂକ୍ରମିତ ହୋଇଯାଉଛି-

 

ସେ ଦୁହିଙ୍କ ମୁହଁରେ ଅନେକ ସମୟ ଧରି କଥା ନ ଥିଲା । ମୌସୁମୀ ଅନୁଭବ କରୁଥିଲା; ତାକୁ ହୁଏତ ଶିକ୍ଷୟିତ୍ରୀ ଚାକିରି ଛାଡ଼ିବାକୁ ହେବ, ଅଥଚ ‘ଇନ୍ଦ୍ରଧନୁ’ର ନାୟିକା ସେ ହେବ ନାହିଁ । ଏକଥା ଭାବିବା ମାତ୍ରେ ଶୀତାର୍ତ୍ତ ଶିତ୍‌କାର ତା’ର ସାରା ଦେହକୁ ପ୍ରକମ୍ପିତ କରି ଦେଉଥିଲା ।

 

ଆଉ ମଞ୍ଜୁଳା !

 

ମୌସୁମୀଠାରୁ ନିର୍ଭର ପ୍ରତିଶ୍ରୁତି ପାଇଲା ପରେ ତା’ର ମନେ ହେଉଥିଲା, ତା’ ଜୀବନରେ ବସନ୍ତ ପୁଣି ଥରେ ଫେରି ଆସିବ, ମଳୟର ବାର୍ତ୍ତା ନେଇ ଆସିବ ମୃଣାଳ ।

 

।। ୧୬ ।।

 

Unknown

‘ଇନ୍ଦ୍ରଧନୁ’ର ନାୟିକା ହୋଇପାରିବ ନାହିଁ ବୋଲି ସେ ଚିଠି ଲେଖିଥିଲା । ମୌସୁମୀ ହାତରୁ ଚିଠିଟା ନେଇ ଡାକ ବାକ୍‌ସରେ ନିଜେ ଚିଠି ପକାଇ ଦେଇ ଆସିଥିଲା ମଞ୍ଜୁଳା । ତା’ପରେ ସେଦିନ ସେ ଏପରି ଏକ ଭାବବ୍ୟଞ୍ଜକ, ପରିତୃପ୍ତ ଦୃଷ୍ଟିରେ ମୌସୁମୀ ମୁହଁକୁ ଚାହିଁ ରହିଥିଲା ଯେ, ମୌସୁମୀର ମନେ ହୋଇଥିଲା, କୃତଜ୍ଞତାବୋଧରେ ମଞ୍ଜୁଳା ଯେପରି ଭାଙ୍ଗି ପଡ଼ୁଛି !

 

ଅନେକ ଦିନ ଧରି ଶିକ୍ଷୟିତ୍ରୀ ନିବାସରେ ଯେଉଁ ପାରସ୍ପରିକ ସନ୍ଦେହ, ଈର୍ଷାର ଶୀତଳ ଯୁଦ୍ଧ ଚାଲିଥିଲା, ମୌସୁମୀର ସେଇ ଖଣ୍ତିଏ ଚିଠିରେ ସେ ଯୁଦ୍ଧକ୍ଷେତ୍ର ମିଳନ–ତୀର୍ଥରେ ପରିଣତ ହୋଇଗଲା । ପ୍ରତିମା ଦେଖିଲ, ମଞ୍ଜୁଳା ଏବେ କାରଣ ଅକାରଣରେ ମୌସୁମୀ ସହିତ ଘନିଷ୍ଠ ହୋଇ ରହୁଛି । ରାମନାରାୟଣ ଓ ମାଳବିକା ଘଟଣା ନେଇ କେହି ଜଣେ ମୌସୁମୀ ବିରୁଦ୍ଧରେ ମନ୍ତବ୍ୟ କରୁଥିଲା ବୋଲି ମଞ୍ଜୁଳାର କି ପାଟି ! ସେ’ ତ ଏକ ପ୍ରକାର ଚିତ୍କାର କରୁଥିଲା, ମୌସୁମୀ ବିରୁଦ୍ଧରେ ଯଦି କିଛି ଆକ୍‌ସନ୍‌ ନିଆଯାଏ, ତେବେ ଆମେ ସମସ୍ତେ ଏ ସ୍କୁଲ ଛାଡ଼ି ଚାଲିଯିବୁ ! ରତ୍ନାକରକୁ ସେ ସ୍କୁଲ ପିଣ୍ତାରେ ଆଶ୍ରୟ ଦେଲା ତ କଅଣ କ୍ଷତି ହେଲା !

 

ଦାନ୍ତ ଚିପି ଚିପି ହସିଥିଲା ପ୍ରତିମା ।

 

ଏଇ ମଞ୍ଜୁଳା ଦିନେ ମୌସୁମୀ ନାମ ଶୁଣିଲେ ତମ୍ପସାପ ଭଳି ଫଁ ଫଁ ହେଉଥିଲା । ‘ଇନ୍ଦ୍ରଧନୁ’ର ନାୟିକା ହେବ ନାହିଁ ବୋଲି ଖଣ୍ତେ ଚିଠି ମୌସୁମୀ ଲେଖିଦେଲା ପରେ ମଞ୍ଜୁଳାର ତା’ଉପରେ କି ଗଭୀର ମମତା !

 

ମୌସୁମୀ କିନ୍ତୁ ଜାଣିଥିଲା, ରୁଦ୍ରନାରାୟଣ ବାବୁ ନିଜ ପୁଅର ଅପମାନ ଏତେ ସହଜରେ ଭୁଲିବେ ନାହିଁ । ସ୍କୁଲ ପରିଚାଳନା ସମିତିର ସେ ହେଉଛନ୍ତି ପ୍ରଭାବଶାଳୀ ସଭ୍ୟ । ତାକୁ ସ୍କୁଲରୁ ନ ତଡ଼ି ପାରିଲେ ତାଙ୍କର ସେ ପ୍ରଭାବ ଅକ୍ଷୁର୍ଣ୍ଣ ରହିବ ନାହିଁ ।

 

ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିଲା ।

 

ଯେ କୌଣସି ମୁହୂର୍ତ୍ତରେ ସ୍କୁଲ ଛାଡ଼ି ଘରକୁ ଯିବା ପାଇଁ ପଡ଼ିପାରେ ବୋଲି ବାବାଙ୍କୁ ମଧ୍ୟ ଚିଠି ଲେଖି ଦେଇଥିଲା ।

 

ଘରକୁ ଯାଇ ସେ କଅଣ କରିବ ?

 

ନିର୍ଜ୍ଜନ ଅପରାହ୍ନରେ, ରାତିର ଅନ୍ଧକାରରେ ସେଇ କଥା ଭାବି ଭୟରେ ଶିହରି ଉଠେ ମୌସୁମୀ । ନିର୍ଜ୍ଜନତା ତା’ର ଶତ୍ରୁ । ଆଳସ୍ୟ ମଧ୍ୟ ତା’ର ଆଖିର ବିଷ ! ଅବସର ସମୟ ତା’ର ସପତ୍ନୀ । ଏହି ସମୟରେ ଇଚ୍ଛା ନ ଥିଲେ ମଧ୍ୟ ଅତନୁ ଦାସ କଥା ତା’ର ମନେପଡ଼େ । ସେଇ ସ୍ମୃତିଚାରଣ, ପରାଜୟର ଗ୍ଳାନି, କିଛି ନ ପାଇଥିବାର ଅସହ୍ୟ ହତାଶା–ସବୁ ତା’ର ଦେହ–ମନକୁ ଗ୍ରାସ କରେ । ବଞ୍ଚି ରହିବାର ଜ୍ୱାଳାରେ ସେ ଅସ୍ଥିର ହୁଏ । ସେଇ ଅସ୍ଥିରତାରୁ ରକ୍ଷା ପାଇବା ପାଇଁ ଶିକ୍ଷୟିତ୍ରୀ ଚାକିରି ନେଇ ସେ ଏଠାକୁ ପଳାଇ ଆସିଥିଲା । ପୁଣି ଆଜି ଏଠାରୁ ତଡ଼ା ଖାଇ ସେହି ପୁଣି ସେହି ଶ୍ୱାସରୋଧୀ ଜୀବନ–ଯନ୍ତ୍ରଣା ମଧ୍ୟକୁ ଫେରିଯିବ !

 

ଚିଠି ପଠାଇବାର ଗୋଟିଏ ସପ୍ତାହ ଭାରି ଚୁପ୍‌ ଚାପ୍‌ ଥିଲା ମଞ୍ଜୁଳା ।

 

ମୃଣାଳ ଯେ ତା’ ପାଖକୁ ଏଥିମଧ୍ୟରେ ଦୁଇ ଖଣ୍ତ ଚିଠି ଦେଇଛି ସେକଥା ପ୍ରତିମା କହି ଯାଇଥିଲା ମୌସୁମୀକୁ । କିନ୍ତୁ ସେ ଚିଠିରେ ‘ଇନ୍ଦ୍ରଧନୁ’ର ନାୟିକା ନିର୍ବାଚନ ସମ୍ପର୍କରେ ମୃଣାଳବାବୁ କଅଣ ଲେଖିଛନ୍ତି, ସେ କଥା ଜାଣିବାକୁ ସେ ଆଗ୍ରହ ପ୍ରକାଶ କରି ନ ଥିଲା । ଅଭିନେତ୍ରୀ ହେବ ନାହିଁ ବୋଲି ସ୍ଥିର କରିନେଲା ପରେ ଚଳଚ୍ଚିତ୍ର ଅଭିନୟ ସମ୍ପର୍କରେ ତା’ର ଆଗ୍ରହ ମଧ୍ୟ ନିଃଶେଷ ହୋଇ ଯାଇଥିଲା ।

 

ଜୀବନ କେବଳ ଅଭିନୟ ନୁହେଁ–ତା’ଠାରୁ ଅଧିକ କିଛି । ଏଇ କଥାଟା ବେଳ ଅବେଳରେ ଅନେକ ସମୟରେ ସେ ଗୁଣି ହୋଇଥିଲା । କିନ୍ତୁ ଜୀବନଟା ଠିକ୍‌ କଅଣ, ସେ ବିଷୟରେ ସହଜରେ ସେ କିଛି ଧାରଣା କରିପାରୁ ନ ଥିଲା ।

 

ଜୀବନଟା କଅଣ କେବଳ କେତେଗୁଡ଼ାଏ ଜିନିଷ ପାଇବା ପାଇଁ ଆଖି ବୁଜି ସ୍ୱପ୍ନ ଦେଖିବା ଏବଂ ଆଖି ଖୋଲି ସେସବୁ ଜିନିଷ ନ ପାଇବାର ବ୍ୟଥାରେ ଜୀବନ୍ତ–ଦଗ୍‌ଧ ହେବା ।

 

ସେଦିନ ସନ୍ଧ୍ୟାବେଳେ ମଞ୍ଜୁଳା ଆସି କହିଲା, ଆଜି ଚିଠି ଆସିଛି ମୌସୁମୀ ! ‘ଇନ୍ଦ୍ରଧନୁ’ କର୍ତ୍ତୃପକ୍ଷ ଅବଶେଷରେ ମତେ ପ୍ରଧାନ ନାୟିକା ଭାବରେ ନିର୍ବାଚିତ କରିଛନ୍ତି । ଆଉ ଗୋଟିଏ ମାସ ପରେ ସୁଟିଂ ଆରମ୍ଭ ହେବ–ଏଇ ମାସରେ ମତେ ଏ ଶିକ୍ଷୟିତ୍ରୀ ଚାକିରିରୁ ଇସ୍ତଫା ଦେବାକୁ ପଡ଼ିବ । ଏଇ ମୃଣାଳ ଚିଠି ଲେଖିଛି–

 

ମଞ୍ଜୁଳା ବ୍ଲାଉଜ୍‌ ତଳୁ ସତରେ ଗୋଟିଏ ଖୋଲା ଲଫାଫା ବାହାର କରି ତା’ ଆଗରେ ଦେଖାଇଲା । ମୌସୁମୀ ଅନୁମାନ କଲା, ସାଦା ଲଫାପା ଭିତରେ ଦିଶୁଥିବା ହାଲ୍‌କା ସବୁଜ କାଗଜର ଚିଠିରେ ମୃଣାଳ ହୁଏତ ‘ଇନ୍ଦ୍ରଧନୁ’ ନାୟିକା ନିର୍ବାଚନ ଭିନ୍ନ ଆହୁରି ଏପରି କେତେକ କଥା ଲେଖିଛି, ଯାହା ତାକୁ ପଢ଼ାଇବାକୁ ଲଜ୍ଜାବୋଧ କରୁଛି ମଞ୍ଜୁଳା । ସେଥିପାଇଁ ଲଫାପା ଦେଖାଇଲେ ମଧ୍ୟ ସେ ଚିଠିଟା ବାହାର କରୁନି !

 

ଏଥର ତମେ ହେବ ଆକାଶର ତାରକା । ନିଜର ଦ୍ୟୁତିରେ ନିଜେ ଝଲମଲ୍‌ କରିବ । ଆମେ ସବୁ ମାଟି ମର୍ତ୍ତ୍ୟର ଯେଉଁମାନେ ମଳିନ ମଣିଷ, ଆମ କଥା ଆଉ ମନେରହିବ ତ ! –ମୌସୁମୀ କବିତ୍ୱ କଲା ।

 

ଚଟ୍‌କରି ଚେୟାର ଉପରେ ବସିପଡ଼ିଲା ମଞ୍ଜୁଳା ।

 

କହିଲା, ଚଳଚ୍ଚିତ୍ର ଆକାଶରେ ତାରକା ହୋଇ ଝଲସିବାକୁ ମୁଁ ‘ଇନ୍ଦ୍ରଧନୁ’ର ନାୟିକା ହୋଇନାହିଁ । ମୌସୁମୀ ! ନିଜର ମନର ମଣିଷକୁ ଫେରି ପାଇବାକୁ ମୁଁ ଯାଉଛି । ଯଦି କେବେ ଚଳଚ୍ଚିତ୍ର ଜଗତରେ କେହି ସୁଖ୍ୟାତି ପାଏ, ତାହାହେଲେ ତା’ ହେବ ହିନ୍ଦୀ ଫିଲ୍ମିରେ । ଓଡ଼ିଆ ଫିଲ୍ମିରେ ପ୍ରତିଭା ବିକାଶର ସୁଯୋଗ ନାହିଁ–

 

କଥା ଅଧା ରଖି ପୁଣି ମଞ୍ଜୁଳା ଉଠିପଡ଼ିଲା ।

 

ଝରକା ବାଟେ ଦେଖିଲା ଗୋଟାଏ କାର୍‌ ଥୁଆ ହୋଇଛି । ହର୍ଣ୍ଣ ବଜାଉଛି ଡ୍ରାଇଭର !

 

ସେ ଚଞ୍ଚଳ ହୋଇ ଉଠିଲା ।

 

କହିଲା, ମୁଁ ଟିକିଏ ବାହାରକୁ ଯାଉଛି ମୌସୁମୀ । ଏସ୍‌.ଡି.ଓ. ଆଜି ମତେ ଡାକି ଯାଇଛନ୍ତି, ସ୍ଥାନୀୟ ସାଂସ୍କୃତିକ କ୍ଳବ୍‌ ତରଫରୁ ମତେ ଆଜି ସମ୍ୱର୍ଦ୍ଧନା ଜଣାଯିବ । ମୁଁ ‘ଇନ୍ଦ୍ରଧନୁ’ର ନାୟିକା ହେଇଛି ବୋଲି ଖବରଟା କିପରି ଯେ ଲିକ୍‌ କରିଗଲା ଜାଣିବା ମୁସ୍କିଲ । ସ୍କୁଲରୁ ଫେରିଲା ବାଟରେ ସମସ୍ତେ ମତେ କେବଳ ଖାଇଗଲା ଖାଇଗଲା ଆଖିରେ ଅନାଇଛନ୍ତି । ସମସ୍ତେ ସେଇ କୃତିତ୍ୱରେ ଏକବାରେ ଆଶ୍ଚର୍ଯ୍ୟ ! କେବଳ ମିସ୍‌ ନାୟକ ନାକ ଟେକୁଥିଲେ । ମୌସୁମୀ ! ମୁଁ ଚାଲିଲି–ମେସ୍‌ରେ ଆଜି ମୋର ମିଲ୍‌ ବନ୍ଦ–

 

ଖୁବ୍‌ ଦ୍ରୁତବେଗରେ ଆଉ ପଛକୁ ନ ଚାହିଁ ଚାଲିଗଲା ମଞ୍ଜୁଳା ।

 

ମୌସୁମୀର ମୁହଁ ଉପରେ ଛାଟି ଦେଇଗଲା ପୁଳାଏ ଅଯଥା ଅହଙ୍କାରର ଧୂଳି-ଧୂଆଁ !

 

ସେ ମନେ ମନେ ହସିଲା ।

 

ଦିନ କେତୋଟି ଆଗରୁ ଯେଉଁ ଝିଅ ଅର୍ଦ୍ଧରାତ୍ରିରେ ଆଖିର ଲୁହରେ ତା’ର ବିଛଣା ଭିଜାଇ ଅନୁରୋଧ କରୁଥିଲା, ‘ଇନ୍ଦ୍ରଧନୁ’ର ନାୟିକା ହେବା ପାଇଁ ତମେ ମନା କର, ମୋର ମନର ମଣିଷକୁ ମୋତେ ଫେରାଇ ଦିଅ–ସେ ଝିଅ ମୁହଁରେ ନିଜର ଏଭଳି ଆତ୍ମବିଜ୍ଞାପନ କିପରି ମୌସୁମୀକୁ ଭାରି ଇତର ମନେହେଲା । ମଞ୍ଜୁଳା ଯାହା ଆଜି ପାଇଛି, ତା’ ଯେ ତା’ର ଦୟାର ଦାନ–ଏକଥା ସେ ଏତେ ଶୀଘ୍ର ଭୁଲିଯାଇ ପାରିଲା କିପରି ?

 

ମୌସୁମୀ ଭାବିଲା, ରୂପେଲି ପରଦାର ଜଗତ ବୋଧହୁଏ ଏମିତି । ଦିନ ସେଠାରେ ରାତି ଭଳି ମନେ ହୁଏ । ଗୋଡ଼ି ମନେହୁଏ ଗିରି !

 

ସେ ଚୋରା ବାଲିରେ ପାଦ ନ ରଖି ଠିକ୍‌ କରିଛି ମୌସୁମୀ ! ମଞ୍ଜୁଳା ଯାହା ପାରିଲା ସେ ତାହା କେବେହେଲେ ପାରି ନ ଥାଆନ୍ତା । ସେଥିପାଇଁ ମଞ୍ଜୁଳା ଉପରେ ରାଗ ନ କରି ସେ ତା’ର ଶୁଭକାମନା କଲା । ମନେ ମନେ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କଲା, ତା’ର ମନସ୍କାମନା ପୂର୍ଣ୍ଣ ହେଉ । ଚଳଚ୍ଚିତ୍ର ଆକାଶରେ ଶୁକ ତାରା ହୋଇ ସାରା ଭାରତବର୍ଷର ଦୃଷ୍ଟି ଆକର୍ଷଣ କରୁ ମଞ୍ଜୁଳା !

 

କିଛି ସମୟ ପରେ ପ୍ରତିମା ଆସିଲା ।

 

କହିଲା, ଶୁଣିଲଣି, ଆଜି ପୁଣି କ’ଣ ବଜାରରେ ଗଣ୍ତଗୋଳ ହୋଇଛି । ଆମ ସ୍କୁଲ ପିଅନ ଆସି କହୁଥିଲା । ରାମନାରାୟଣର ମୁଣ୍ତ ଫାଟିଛି–

 

କଥାଟା ଶୁଣି ଭୟରେ ଶିହରୀ ଉଠିଲା ମୌସୁମୀ ।

 

ରାମନାରାୟଣର ମୁଣ୍ତ ଫାଟିଛି ! ଏଥର କଅଣ ରତ୍ନାକର.... !

 

ସେ ଡରି ଡରି ପଚାରିଲା, ରାମନାରାୟଣର ମୁଣ୍ତ କଅଣ ମାଳବିକାର ଭାଇ–

 

ନା–ନା–ପିଅନ କହୁଥିଲା, ଏଥିରେ ରତ୍ନାକରର ହାତ ନାହିଁ । ବଜାରରେ ଦୁଇଟା ଦଳ-। ଗୋଟିଏ ଦଳର ନେତା ରୁଦ୍ରନାରାୟଣ, ଆଉ ଗୋଟିଏ ଦଳର ନେତା ଉଦୟନାଥ ବାବୁ–ଆମ ସ୍କୁଲ ସେକ୍ରେଟେରି–ରୁଦ୍ରନାରାୟଣ ବାବୁଙ୍କ ସହିତ ଉଦୟନାଥ ବାବୁଙ୍କ ମନ ଫଟାଫଟି ସେଇ ମଦ ଦୋକାନ ନିଲାମ ଦିନଠାରୁ–ଉଦୟନାଥ ବାବୁ ଦର୍‌ ବଢ଼ି ନିଲାମ ଧରିବା ପରଠାରୁ ଦୁଇ ଦଳ ଭିତରେ ସାଜ ସାଜ ଡାକ ପଡ଼ିଥିଲା–ଆଜି ବୋଧହୁଏ ଲଢ଼େଇର ଗୋଟିଏ ପର୍ବ ଶେଷ ହୋଇଗଲା ।

 

କେବଳ ସ୍କୁଲ ଖବର ନୁହେଁ; ଏ ଅଞ୍ଚଳର ସବୁ ଟିକି ନିଖି ଇତିହାସ ପ୍ରତିମାର ପ୍ରାୟ ମୁଖସ୍ଥ । ଇତିହାସ ଶିକ୍ଷୟିତ୍ରୀ ପ୍ରତିମାର ସେ ବସ୍ତି ଉପଖ୍ୟାନ ଶୁଣି କିନ୍ତୁ ମୌସୁମୀ ନିଶ୍ଚିତ ହୋଇ ପାରିଲାନାହିଁ । ତା’ ମନରେ ତଥାପି ସନ୍ଦେହ ରହିଗଲା, ଏ ଗଣ୍ତଗୋଳ ପଛରେ ନିଶ୍ଚୟ ରତ୍ନାକରର ହାତ ଅଛି–

 

କଥାଟା ସେ ଯେତିକି ଭାବୁଥିଲା, ତା’ ମନର ଦୁଶ୍ଚିନ୍ତା, ସ୍କୁଲରେ ନିଜର ଦୋଳାୟମାନ ସ୍ଥିତି ସମ୍ପର୍କରେ ତା’ର ସନ୍ଦେହ ସେତିକି ବଢ଼ିବାକୁ ଲାଗୁଥିଲା । ରତ୍ନାକରକୁ ସେଦିନ ପ୍ରଶ୍ରୟ ଦେଇ ରାମନାରାୟଣକୁ ଅପମାନିତ କରିବା ଦିନ ଠାରୁ ତା’ର ଚାକିରି ଚାଲିଯିବାର ଭୟ ଶାଣିତ ଖଣ୍ତାଭଳି ତା’ ମୁଣ୍ତ ଉପରେ ଝୁଲୁଛି । ମିସ୍‌ ନାୟକ କହୁଥିଲେ, ଏଥର ସ୍କୁଲ ମାନେଜିଂ କମିଟି ବୈଠକ ବସିଲେ ତା’ କଥା ବିଚାର କରାଯିବ । ରୁଦ୍ରନାରାୟଣ ବାବୁ କେବେହେଲେ ନିଜ ପୁଅର ଅପମାନକୁ ନୀରବରେ ସହ୍ୟ କରିବେ ନାହିଁ–

 

ପୁଣି ଆଜି ରାମନାରାୟଣର ମୁଣ୍ତ ଫାଟିଛି !

 

ପ୍ରତିମାକୁ ସେ ସେ ବିଷୟରେ ଆଉ ଅଧିକ କିଛି ପଚାରିଲା ନାହିଁ । ପଚାରିଲେ ତା’ର ନିଜର ଦୁର୍ବଳତା ପ୍ରକାଶ ପାଇଯିବ । ତା’ ପାଖରେ ସେ ହୁଏତ ସେଥିପାଇଁ ଛୋଟ ହୋଇଯାଇପାରେ ।

 

କିଛି ସମୟର ନୀରବତା ପରେ ପ୍ରତିମା କହିଲା, ମତେ ଆଉ ଏ ସ୍କୁଲ ଭଲ ଲାଗୁନାହିଁ-

 

ମୃଦୁ ହସି ମୌସୁମୀ କହିଲା, କାହିଁକି ? କମଳିନୀ ବିବାହ କରିଗଲା ବୋଲି !

 

ଇଷତ୍‌ ଲଜ୍ଜାରେ ମୁଖ–ଆରକ୍ତ କରି ସେ ଉତ୍ତର ଦେଲା, ନା–ଏ ଜାଗା ଭଲ ନୁହେ । ବସ୍ତି ଲୋକ ଭଲ ନୁହନ୍ତି । ସବୁବେଳେ ମାଡ଼ଗୋଳ, କଳି କଜିଆ ଲାଗି ରହିଛି । ମିସ୍‌ ନାୟକଙ୍କୁ ମଧ୍ୟ ମତେ ଭୟ ଲାଗୁଛି । ବିପଦରେ ପଡ଼ିଲେ ତାଙ୍କ ଉପରେ ଭରସା କରାଯାଇ ପାରେ ନା । କମଳିନୀ ଚାଲିଗଲା । ମଞ୍ଜୁଳା ଅପା ମଧ୍ୟ ଚାଲି ଯାଉଛନ୍ତି । କାଲି ହୁଏତ ଆପଣ ଚାଲିଯିବେ–ଆଉ ଏକାକିନୀ ମୁଁ....

 

ପ୍ରତିମାର ସେ ଶୀର୍ଣ୍ଣ, ନିଃସଙ୍ଗ ଲମ୍ୱା ଦେହଟା ଏକ ଅଜ୍ଞାତ କାଳ୍ପନିକ ଭୟରେ ଥରିଉଠିଲା । ତା’ର ଡାହାଣ ହାତ ପାପୁଲିକୁ ନିଜ ହାତ ମୁଠାରେ ଚାପି ଧରି ମୌସୁମୀ ତାକୁ ସ୍ନେହରେ ସାନ୍ତ୍ୱନା ଦେଲାଭଳି କହିଲା, ପ୍ରତିମା ! ଆମେ ସମସ୍ତେ ଚାଲିଗଲେ ବି ଏ ବିଦ୍ୟାଳୟ ରହିବ । ଆମେ ହୁଏତ ଅଳ୍ପ କେତେଦିନର ପାନ୍ଥ, କିନ୍ତୁ ଏ ସ୍କୁଲ୍‌ ଯେ ଅନେକ ଛାତ୍ରୀଙ୍କୁ ଆଶ୍ରୟ ଦେଲାଭଳି ଏକ ପାନ୍ଥଶାଳା.... !

 

ମୌସୁମୀର ମନେ ହେଲା ତା’ର କଥା ଶୁଣି ସାନ୍ତ୍ୱନା ଲାଭ କରିବା ବଦଳରେ ବେଶି ଅସହାୟ ବୋଧକଲା ପ୍ରତିମା । ତା’ର ଦୁଇ ଆଖିରେ କୋହ ଭରି ଲୁହର ଉଚ୍ଛ୍ୱାସ ଜାଗି ଉଠିଲା ।

 

।। ୧୭ ।।

 

ସେଦିନ କେଜାଣି କାହିଁକି ତା’ର ସୁନିଦ୍ରା ହୋଇ ନଥିଲା । ଚେଷ୍ଟା କରି ମଧ୍ୟ ସେ ଠିକ୍‌ ସମୟରେ ଶୋଇ ପାରି ନଥିଲା । ଅନେକ ବିଳମ୍ୱରେ ମଞ୍ଜୁଳା ଫେରିଥିଲା ତା’ର ସମ୍ୱର୍ଦ୍ଧନା ସଭାରୁ-। ବାମ ହାତରେ ଝୁଲାଇ ବହି ଆଣିଥିଲା ବହେ ଫୁଲର ମାଳା । ଖୁବ୍‌ ରାଜକୀୟ ସମ୍ୱର୍ଦ୍ଧନା ବୋଧହୁଏ ମିଳିଥିଲା ମଞ୍ଜୁଳାକୁ । ତା’ ନ ହେଲେ ଶିକ୍ଷୟିତ୍ରୀ ନିବାସର ନିସ୍ତବ୍‌ଧ କକ୍ଷରେ ପ୍ରବେଶ କଲାପରେ ସେ ଏତେ ସମୟ ଧରି ଆଖି ମିଟି ମିଟି କରି ଥାଆନ୍ତା କାହିଁକି ?

 

ଆଲୁଅ ନିଭାଇ ସେ ଶୋଇ ଯାଇଥିଲା ।

 

ମଞ୍ଜୁଳାର ଡାକରେ ତା’ର ନିଦ୍ରାଭଙ୍ଗ ହେଲା । ବାସ୍‌, ତା’ପରେ ଯେତେ ଚେଷ୍ଟା କଲେ ମଧ୍ୟ ତା’ ଆଖିକୁ ଆଉ ନିଦ ଆସିଲା ନାହିଁ । ବିଛଣାରେ ଅନେକ ସମୟ ଧରି ସେ ଛଟପଟ ହୋଇଥିଲା । ବୋଧହୁଏ ପାହାନ୍ତା ପହରକୁ ନିଦ ଆସିଗଲା । ସେଥିପାଇଁ ଆଜି ଏଡ଼େ ଭୋଅରରୁ ଉଠିଲା ବେଳକୁ ଆଖି ତା’ର ଜଳୁଛି । ଆଖି ମେଲା କଲେ ପାଣି ନିଗିଡ଼ି ଆସୁଛି ଆଖିପତାରୁ–

 

ଦେଈ ! ବାହାରେ କିଏ ଡାକୁଛି ! –ପରିଚାରିକା ପୁଣି ଥରେ ତାକୁ ବିରକ୍ତ କଲା । ଆଉ ଶୋଇବା ପାଇଁ ଚେଷ୍ଟା କରିବା ବୃଥା । ଉଠି ବସିଲା ମୌସୁମୀ । ପଚାରିଲା, କିଏ ଡାକୁଛି ?

 

ପରିଚାରିକା ହଠାତ୍‌ କିଛି ସଠିକ୍‌ ଉତ୍ତର ଦେଇ ପାରିଲା ନାହିଁ ।

 

ସେତେବେଳକୁ ପ୍ରତିମା ଫାଟକ ପାଖକୁ ଯାଇ ଉଙ୍କି ମାରି ଦେଖି ଆସିଲାଣି । ସେ ଆସି ଖବର ଦେଲା, ରତ୍ନାକର–ମାଳବିକାର ଭାଇ ରତ୍ନାକର ଡାକୁଛି ମ !

 

ମଞ୍ଜୁଳା ବୋଧହୁଏ ପ୍ରଭାତି–ପ୍ରସାଧାନ କରୁଥିଲା । ଓଠରେ ବୋଳୁଥିଲା ଲିପ୍‌ଷ୍ଟିକ୍‌ । ପ୍ରତିମାର କଥା ଶୁଣି ସେ ଚକିତ ଦୃଷ୍ଟିରେ ପଛକୁ ଚାହିଁଲା ।

 

ରତ୍ନାକର !

 

ଚକିତ ହେଲା ମଧ୍ୟ ମୌସୁମୀ ।

 

କାଲି ସେ ଶୁଣିଥିଲା ଉଦୟନାଥ ବାବୁ ଓ ରାମନାରାୟଣ ବାବୁଙ୍କର ଦୁଇଦିନ ମଧ୍ୟରେ କଅଣ ଗଣ୍ତଗୋଳ ହୋଇଥିଲା ବଜାରରେ । ରତ୍ନାକର ବୋଧହୁଏ କୌଣସି ପକ୍ଷ ନେଇ ସେ ଗଣ୍ତଗୋଳ ଭିତରେ ପଶି ଯାଇଛି । ହଠାତ୍‌ ସକାଳୁ–

 

ଭାବୁଥିଲା, ମନା କରି ଦେବ । ଖବର ପଠାଇବ, ଦେଖା ହୋଇପାରିବ ନାହିଁ । କିନ୍ତୁ ହଠାତ୍‌ କାହିଁକି ମନା କରିବାକୁ ଇଚ୍ଛା ହେଲା ନାହିଁ । କିଏ ଜାଣେ, ପୁଣି କି ଉଦ୍ଦେଶ୍ୟ ନେଇ ସେ ଆଜି ଏତେ ସକାଳୁ ତା’ ପାଖକୁ ଛୁଟି ଆସିଛି !

 

ହୁଏତ ରୁଦ୍ରନାରାୟଣ ବାବୁଙ୍କ ଚେଷ୍ଟାରେ ତା’ର ଶିକ୍ଷୟିତ୍ରୀ ଚାକିରି ଅନ୍ୟ–ହସ୍ତ ହୋଇଯାଇଛି । କାଲି ସ୍କୁଲ ପରିଚାଳନା କମିଟି ବୈଠକ ବସିବାର ଥିଲା । କାଲି ବଜାରରେ ଗଣ୍ତଗୋଳ । ମୁଣ୍ତ ଫଟାଫଟି । ଏମିତି ଗୋଟାଏ କିଛି ଦୁଃସମ୍ୱାଦ ନେଇ ହୁଏତ ଛୁଟି ଆସିଛି ରତ୍ନାକର । ତାକୁ ଫେରାଇ ଦେବା କଅଣ ଭଦ୍ରତା ହେବ ?

ମଞ୍ଜୁଳା ଆଖି କୋଣର ତୀର୍ଯ୍ୟକ ହସ, ପ୍ରତିମା ଆଖିର ଅବିଶ୍ୱାସ୍ୟ କୌତୁହଳକୁ ଭ୍ରୂକ୍ଷେପ ନ କରି ଚଟି ଘୋଷାରି ଘୋଷାରି ପଦାକୁ ବାହାରିଗଲା ମୌସୁମୀ । ଯେ କୌଣସି ଦୁଃସମ୍ୱାଦକୁ ସାମ୍ନା କରିବା ପାଇଁ ତା’ର ଯେ ସାହସ ଅଛି, ଏ କଥା ପ୍ରମାଣିତ କରିବା ପାଇଁ ସେ ବେଶ୍‌ ଦ୍ରୂତ ପଦରେ ଫାଟକ ପାଖକୁ ଆଗେଇ ଗଲା ।

ସମ୍ଭ୍ରମ ଜଣାଇ ମୁଣ୍ତକୁ ଆଗକୁ ଝୁଙ୍କାଇ ଜଣେ ବାଧ୍ୟ ଛାତ୍ର ଭଳି ତାକୁ ନମସ୍କାର କଲା ରତ୍ନାକର । କହିଲା, ଉଦୟନାଥ ବାବୁ ପଠାଇଲେ–ଆପଣଙ୍କୁ ଖବରଟା ଦେବାକୁ–

ମୌସୁମୀ ମ୍ଳାନ ହସି କହିଲା, ମତେ ଚାକିରିରୁ ବାହାର କରି ଦିଆଯାଇଛି–ଏହି ସମ୍ୱାଦ ତ ! ଏ କଥା ମୁଁ ବେଶ୍‌ ଅନୁମାନ କରୁଥିଲି । ସେ ସମ୍ୱାଦ ଦେବା ପାଇଁ ସ୍କୁଲ ସେକ୍ରେଟେରୀ ତମକୁ ଏତେ ସକାଳୁ ପଠାଇବା କଅଣ ଦରକାର ଥିଲା ?

ରତ୍ନାକର ପ୍ରତିବାଦ କଲା ।

ନା–ନା ଆପଣଙ୍କୁ ସ୍କୁଲରୁ ବାହାର କରିବା କଥା ନୁହେଁ–କାଲି ସ୍କୁଲ ପରିଚାଳନା କମିଟିରେ ଖୁବ୍ ଗଣ୍ତଗୋଳ ହୋଇଛି–ରୁଦ୍ରନାରାୟଣ ବାବୁ ପରିଚାଳନା କମିଟିରୁ ଇସ୍ତଫା ଦେଇଛନ୍ତି–କିନ୍ତୁ ଉଦୟନାଥ ବାବୁ ଆଉ ମିସ୍‌ ନାୟକ ଆପଣଙ୍କ ପାଇଁ ଖୁବ୍‌ ଲଢ଼ିଛନ୍ତି–ଆପଣ ଗଲେ ଛାତ୍ରୀମାନେ ଧର୍ମଘଟ କରିବେ ବୋଲି ସାରା ବଜାରରେ ପୋଷ୍ଟର ମରା ହୋଇଛି–ଏଇ ପୋଷ୍ଟର ଚିରିବାକୁ ଚେଷ୍ଟା କରୁଥିବାବେଳେ ରାମନାରାୟଣ ଉପରେ ତ କାଲି ମାଡ଼ ହୋଇଛି–

କଥା ଶେଷ କରି ଦମ୍‌ ନେଲା ରତ୍ନାକର । କଥାଗୁଡ଼ାକ କହିଲାବେଳେ ସେ ଖୁବ୍‌ ଉତ୍ତେଜିତ ହୋଇ ପଡ଼ୁଥିଲା । ସବୁ କଥା ଶୁଣି ଆଶ୍ଚର୍ଯ୍ୟ ହେଲା ମୌସୁମୀ । ତା’ ଆଖି ଆଗରେ ଯେମିତି ଗୋଟାଏ ନାଟକ ଅଭିନୀତ ହୋଇଯାଇଛି–ତା’ର ସେମିତି ମନେ ହେଉଥିଲା । ସେ ଏତେ କଥା ଭାବି ନ ଥିଲା, କଳ୍ପନା କରି ନ ଥିଲା । ସେଥିପାଇଁ ରତ୍ନାକରର କଥା ଶୁଣି ସେ ଅବାକ୍‌ ହୋଇଗଲା ଏବଂ ହଠାତ୍‌ କିଛି ଉତ୍ତର ଦେଇ ପାରିଲା ନାହିଁ ।

: ଉଦୟନାଥ ବାବୁ ଖବର ପଠାଇଛନ୍ତି... । –କଥା ଶେଷ ନ କରି ଢୋକ ଗିଳିଲା ରତ୍ନାକର ।

ଖବରଟା କଅଣ ଜାଣିବା ପାଇଁ ନୀରବ କୌତୁହଳରେ ଠିଆ ହୋଇ ରହିଲା ମୌସୁମୀ-

ଉଦୟନାଥ ବାବୁ କହିଛନ୍ତି; ରାମନାରାୟଣ ବାବୁଙ୍କ ଲୋକେ ହୁଏତ ଆପଣଙ୍କୁ ସ୍କୁଲରୁ ଇସ୍ତଫା ଦେବା ପାଇଁ ପ୍ରବର୍ତ୍ତାଇବେ, ତା’ ନ ହେଲେ ବିପଦର ଧମକ ଦେବେ । ଆପଣ କିନ୍ତୁ ସେଥିରେ କାନ ଦେବେ ନାହିଁ । ସ୍କୁଲ ପରିଚାଳନା କମିଟି ସେକ୍ରେଟେରୀ, ହେଡ୍‌ମିଷ୍ଟ୍ରେସ୍‌, ଆମେ ସମସ୍ତେ–ଆପଣଙ୍କ ପଛରେ ରହିଛୁ । ଆପଣଙ୍କର କେହି କିଛି କରିପାରିବେ ନାହିଁ । ଉଦୟନାଥ ବାବୁ କହିଛନ୍ତି, ଆପଣ ଯଦି ଚାହାନ୍ତି ପ୍ରତିଦିନ ଆପଣ ସ୍କୁଲକୁ ଗଲାବେଳେ ଓ ଫେରିଲାବେଳେ ମୁଁ ଆପଣଙ୍କୁ ବାଟରେ ଆଗେଇ ଦେଇ ଆସିବି ।–କଥା ଶେଷ କରି ରତ୍ନାକର ତା’ ମୁହଁକୁ ଆଦେଶ ଅପେକ୍ଷାରେ ଚାହିଁ ରହିଲା ।

 

ଫିକ୍‌ କରି ହସି ପକାଇଲା ମୌସୁମୀ ।

 

କହିଲା, ତମେ ମୋର ବଡ଼ିଗାର୍ଡ ହେବ ? ପ୍ରତିଦିନ ଦଶଟା ବେଳେ, ଚାରିଟାବେଳେ ରାସ୍ତାରେ ମତେ ପହରା ଦେବ ?

ମୌସୁମୀର କଥା ଶୁଣି ଲଜ୍ଜାରେ ଅପ୍ରତିଭ ହେଲା ରତ୍ନାକର ।

କିଛି ସମୟ ନିଜ ଦୃଷ୍ଟି ଉପରୁ ତଳକୁ ଓ ତଳୁ, ଉପରକୁ କଲା ପରେ ସେ କହିଲା, ସେ ବିଷୟରେ ଆପଣ କିଛି ଭାବିବେ ନାହିଁ । ଏ ବଜାରରେ ଉଦୟବାବୁଙ୍କ ଗ୍ରୁପ୍‌ ସବୁଠାରୁ ବଳି ଶକ୍ତିଶାଳୀ । ମୁଁ ସେ ଗୃପ୍‌ର ରିଂ ଲିଡ଼ର । ରୁଦ୍ରନାରାୟଣ ବାବୁ ଆପଣଙ୍କର କିଛି କରିପାରିବେ ନାହିଁ–ତଥାପି ଆପଣଙ୍କ ପ୍ରତି ଆମର କର୍ତ୍ତବ୍ୟ ଅଛି–ଆପଣ ଆମ ଝିଅ, ଝିଆରୀ ଆଉ ଭଉଣୀମାନଙ୍କୁ ପାଠ ପଢ଼ାଉଛନ୍ତି–ଆପଣଙ୍କର ସମ୍ମାନ ଆମର ସମ୍ମାନ–ଆପଣଙ୍କ ଅପମାନ ଆମର–

: ଅପମାନ ! ଏଇଆ ତ ! –ରତ୍ନାକରର ଅସମ୍ପୂର୍ଣ୍ଣ ବାକ୍ୟଟା ନିଜେ ସମ୍ପୂର୍ଣ୍ଣ କରି ପୁଣି ଥରେ ଫିକ୍‌ କରି ହସି ଦେଲା ମୌସୁମୀ ।

ତା’ପରେ ଚାପା କଣ୍ଠରେ ସେ କହିଲା, ମୁଁ ତ ଏ ଚାକିରି ଛାଡ଼ିଦେବି ବୋଲି ସ୍ଥିର କରିଚି-। ଗଣ୍ତଗୋଳ ଭିତରେ ଆଉ ଯାହା କିଛି କରି ହେଉ କି ନ ହେଉ ପାଠପଢ଼ା ହୋଇପାରେ ନାହିଁ-। ସ୍କୁଲ ଶିକ୍ଷୟିତ୍ରୀ ଚାକିରି ଏମିତି କିଛି ଦୁର୍ଲ୍ଲଭ ଚାକିରି ନୁହେଁ–

ସେ ଲକ୍ଷ୍ୟ କଲା ତା’ କଥା ଶୁଣି ରତ୍ନାକରର ମୁହଁ ସମ୍ପୂର୍ଣ୍ଣ ରକ୍ତହୀନ ହୋଇଗଲା । ଅଳ୍ପ କିଛି ସମୟ ଆଗରୁ ତା’ ମୁହଁର ମାଂସପେଶୀରେ ଯେଉଁ ଉଲ୍ଲାସର ଆବେଗ ଦେଖା ଦେଇଥିଲା, ସେ ସ୍କୁଲ ଛାଡ଼ି ଯାଉଛି ବୋଲି ଶୁଣି ତା’ର ସେ ମୁହଁର ଚମଡ଼ା ମଳିନ ପଡ଼ିଗଲା !

 

: କିନ୍ତୁ ଦିଦି ! ଆପଣଙ୍କ ଯୋଗୁ ଆମେ ରାମନାରାୟଣ ବାବୁଙ୍କ ସାଙ୍ଗରେ ଏତେ ଝଗଡ଼ା କଲୁ । ଆପଣ ଏମିତି ଆପେ ଆପେ ଚାଲିଗଲେ ଆମ ଟାଣ ରହିବ ତ ? ତା’ଛଡ଼ା ଆପଣଙ୍କ ଯୋଗୁ ସ୍କୁଲରୁ ମୁଁ ମାଳାର ନାମ କଟାଇ ଆଣିଲି । –ରତ୍ନାକରର କଣ୍ଠସ୍ୱର ପ୍ରକମ୍ପିତ ହେଉଥିଲା ।

 

ତା’ର ପ୍ରଥମ କଥା ଶୁଣି ମୌସୁମୀର ଓଠରେ ହସର ଲହଡ଼ି ଉଠି ଆସୁଥିଲା । ଉଦୟନାଥ ବାବୁ ଆଉ ତାଙ୍କ ଗ୍ରୁପ୍‌ର ଟାଣ ରଖିବାକୁ ଯେ ସେ ଶିକ୍ଷୟିତ୍ରୀ ଚାକିରି କରୁନାହିଁ, ସେ କଥା ବୁଝାଇବା ପାଇଁ ସେ ନିଜ ମନରେ ଯୁକ୍ତି ସଂଗ୍ରହ କରୁଥିଲା । କିନ୍ତୁ ତା’ର ଶେଷ ବାକ୍ୟଟା ଶୁଣି ତା’ର ସେ ସବୁ ଯୁକ୍ତି ଗୋଳମାଳ ହୋଇଗଲା ।

 

ସେ ପ୍ରଶ୍ନ କଲା, ମାଳବିକାର ନାମ ସ୍କୁଲରୁ କାଟିନେଲ କାହିଁକି ?

 

ଦୃଷ୍ଟି ତଳକୁ କରି ରତ୍ନାକର କହିଲା, ତା’ ଯୋଗୁ ସବୁ ଗଣ୍ତଗୋଳ । ତା’ ପାଇଁ ମୁଁ ରାମନାରାୟଣ ସହିତ ସେଦିନ ଗଣ୍ତଗୋଳ କଲି । ଆପଣ ବି ସେଥିରେ ଜଡ଼ିତ ହୋଇ ପଡ଼ିଲେ । ତା’ ନ ହୋଇଥିଲେ ଆପଣ କାହିଁକି ଏମିତି ବିପଦର ସମ୍ମୁଖୀନ ହୋଇଥାଆନ୍ତେ ? ତା’ଛଡ଼ା ରୁଦ୍ରନାରାୟଣ ବାବୁ ସିନା ସ୍କୁଲ ପରିଚାଳନା କମିଟି ଛାଡ଼ିଗଲେ; ଏ ବଜାର ତ ସେ ଛାଡ଼ିଯାଇ ନାହାନ୍ତି ! ମାଳା ସ୍କୁଲକୁ ଗଲାବେଳେ ସେମାନେ ହୁଏତ ପୁଣି ତାକୁ ଅପମାନ କରିବେ–ଯାଃ ଶଶ୍‌ଳା–

 

ଶେଷ ଶଦ୍ଦଟା ଉଚ୍ଚାରଣ ଶେଷ କରିବା ଆଗରୁ ରତ୍ନାକର ଜିଭ କାମୁଡ଼ି ପକାଇଲା । ଏଭଳି ଅଶ୍ଳୀଳ ଶଦ୍ଦ ତା’ ଆଗରେ ଉଚ୍ଚାରଣ କରି ସେ ଯେ ଅପରାଧ କରିଛି; ସେ କଥା ସେ ଯେପରି ଭାବରେ ଅଙ୍ଗଭଙ୍ଗୀ କରି, ମୁଖ-ମଳିନ କରି ପ୍ରକାଶ କଲା, ସେଥିରେ ନ ହସି ରହି ପାରିଲା ନାହିଁ ମୌସୁମୀ ।

 

ରତ୍ନାକର ପୁଣି ଟିକିଏ ଦମ୍‍ ନେଇ କହିଲା, ଯେତେହେଲେ–ଝିଅପିଲା ପାଠ ପଢ଼ି କଅଣ ଲାଟ୍‌ସାହେବ ହେବ ! ମୋର ତ ସେମିତି ରୋଜଗାର ନାହିଁ ବେଶି ପାଠ ପଢ଼ିଲେ ଭଲ ବର କେଉଁଠୁ ମୁଁ ଏ ମହରଗ ବଜାରରେ ଆଣିପାରିବି ? ତା’ଛଡ଼ା ନିଜ ଭଉଣୀ ପାଇଁ ରାମନାରାୟଣ ସହିତ ଝଗଡ଼ା କରିବାକୁ ମତେ ଭଲ ଲାଗେ ନାହିଁ–

 

ମୌସୁମୀ ରତ୍ନାକରର କଥା ବେଶ୍‌ ମନଦେଇ ଶୁଣୁଥିଲା । ତା’ର ସେ କଥା ଭିତରେ ତା’ ଚରିତ୍ରର ଏକ ବଳିଷ୍ଠ ରୂପ ଆପେ ଆପେ ଫୁଟି ଉଠୁଥିଲା । ସେ ତା’ର ଦେହରକ୍ଷୀ ହୋଇ ପ୍ରତିଦିନ ଦଶଟାରୁ ଚାରିଟା ରାସ୍ତାରେ ପହରା ଦେବାକୁ ପ୍ରସ୍ତୁତ; କିନ୍ତୁ ନିଜ ଭଉଣୀ ପାଇଁ ଅନ୍ୟ କାହାରି ସହିତ ଝଗଡ଼ା କରିବାକୁ କୁଣ୍ଠିତ ! ତା’ର ଭଉଣୀକୁ ନେଇ ବଜାରରେ ମାଡ଼ ଫୌଜଦାରୀ ହେଉ ଏକଥା ସେ ସହ୍ୟ କରିପାରେନା !

 

: ଦିଦିମଣି ! ଆପଣ ସ୍କୁଲ ଛାଡ଼ି ଯାଆନ୍ତୁ ନାହିଁ । ଆପଣ ଚାଲିଗଲେ ରୁଦ୍ରନାରାୟଣ ଗ୍ରୁପ୍‌ର ମୁହଁ ବଢ଼ିଯିବ । ରାମନାରାୟଣ ଆଉ କୌଣସି ଝିଅକୁ ରାସ୍ତାରେ ଚଲାଇଦେବ ନାହିଁ । ଆଉ ଆପଣ ଯେପରି ଅଙ୍କ ପଢ଼ାନ୍ତି, ହେଡ଼୍‌ମିଷ୍ଟ୍ରେସ୍‌ କହୁଥିଲେ, ଏପରି ଗଣିତ ଶିକ୍ଷୟିତ୍ରୀ ଏ ସ୍କୁଲ ଖୋଲାହେବା ଦିନୁ କେବେ ଆସି ନ ଥିଲେ । –ରତ୍ନାକର କଥାଗୁଡ଼ିକ ଏକ ପ୍ରକାର ଅନୁନ୍ୱୟ କଲା ଭଳି ଭଙ୍ଗୀରେ କହୁଥିଲା ।

 

ସକାଳର ସୂର୍ଯ୍ୟ ଆକାଶର ଅନେକ ଉପରକୁ ଉଠି ଆସିଲେଣି । ବହୁ ସମୟ ଧରି ରତ୍ନାକର ପାଖରେ ସେ ଗଳ୍ପ କରୁଛି । ମଞ୍ଜୁଳା, ପ୍ରତିମା ହୁଏତ ଶିକ୍ଷୟିତ୍ରୀ ନିବାସର ଝରକାରେ ଅନେକ ଥର ଚାହିଁ ଯିବେଣି ।

 

ମୌସୁମୀ ଅସ୍ଥିରତା ଅନୁଭବ କଲା ।

 

ରତ୍ନାକର ପାଖରୁ ଚାଲିଯିବା ଆଗରୁ ସେ କହିଲା, ମାଳବିକା ସ୍କୁଲକୁ ନ ଆସିଲେ ବି ତା’ର ପାଠପଢ଼ା ବନ୍ଦ କରନାହିଁ । ମୁଁ ଯାଇ ତାକୁ ପଢ଼ାଇଦେଇ ଆସିବି । ସେ ଘରୋଇ ଭାବରେ ଯାଇ ପରୀକ୍ଷା ଦେଉ ।

 

ମୌସୁମୀ କଥାର ତାତ୍ପର୍ଯ୍ୟ ହଠାତ୍‌ ବୁଝିପାରିଲା ନାହିଁ ରତ୍ନାକର । ନିର୍ବୋଧ ଦୃଷ୍ଟିରେ ତା’ ଆଡ଼କୁ ଚାହିଁ ସେ ପ୍ରଶ୍ନ କଲା, ଆପଣ ସ୍କୁଲ ଛାଡ଼ି ଚାଲିଯିବେ ନାହିଁ ତ ! ମୁଁ ଉଦୟନାଥ ବାବୁଙ୍କୁ କଅଣ କହିବି ?

 

ପଛକୁ ଫେରି ଚାହିଁ ମୌସୁମୀ କହିଲା, ନା–ବାବା–ମୁଁ–ଯାଉନି–ଯାଉନି ଏଇଠାରେ ମୁଁ ମାଟି କିଣିଛି । ଯିବି କୁଆଡ଼େ ?

 

ରତ୍ନାକରର ନିର୍ବୋଧ ଆଖି କୋଣରେ ହସ ଚହଟିଲା ।

 

।। ୧୮ ।।

 

ହାତ ପାଖରେ ଟେଲିଫୋନ୍‌, ରେଡ଼ିଓ । ଫୋନ୍‌ ଉଠାଇଲେ ପରିଚାରକ ଆସି ସଲାମ୍‌ ବଜାଇ ଠିଆହୁଏ, ଫରମାଇୟେ... !

 

ସୁସଜ୍ଜିତ ରୁମ୍‌ଟି ମଧ୍ୟ ବେଶ ରୁଚି–ସମ୍ପନ୍ନ । ବେଡ଼୍‌ରୁମ୍‌କୁ ଲାଗି ଡ୍ରଇଂ ରୁମ୍‌ । ଅପରାହ୍ନରେ ଡିରେକ୍‌ଟର ମିଷ୍ଟର ସେନ୍‌, ଫଟୋଗ୍ରାଫର ମିଷ୍ଟର ମୁଖାର୍ଜୀ ଆଉ ମୃଣାଳ ପ୍ରମୁଖ ଆସି ବେଶ୍‌ ଜମାଇ ଗଳ୍ପ କରି ଯାଇଛନ୍ତି । ‘ଇନ୍ଦ୍ରଧନୁ’ର ଅନ୍ୟ ତିନି ଅଂଶୀଦାର କୈଳାସ ବାବୁ, ରମେଶବାବୁ ଆଉ ନରେନ୍ଦ୍ରବାବୁ ମଧ୍ୟ ତାକୁ ବେଶ୍‌ ଖୁସାମତ କରି ଯାଇଛନ୍ତି, କହି ଯାଇଛନ୍ତି, ଆପଣଙ୍କ ଉପରେ ‘ଇନ୍ଦ୍ରଧନୁ’ର ବକ୍‌ସ ଅଫିସ ନିର୍ଭର କରୁଛି ମଞ୍ଜୁଳା ଦେବୀ ! ଆପଣ ଆଉ ଟିକିଏ ଫ୍ରି....ଆଉ ଟିକିଏ ସ୍ମାର୍ଟ....ମାନେ....

 

ବାକ୍ୟ ସମ୍ପୂର୍ଣ୍ଣ କରି ନ ଥିଲେ ସୁଦ୍ଧା ସେମାନଙ୍କ କଥା ବେଶ୍‌ ବୁଝିପାରିଛି ମଞ୍ଜୁଳା । ଅନ୍ତତଃ ଗୋପନରେ ମୃଣାଳ ତାକୁ ସେକଥା କହିଯାଇଛି, ତାକୁ ନାୟିକା ନିର୍ବାଚିତ କରିସାରିଲା ପରେ ସମସ୍ତେ ସନ୍ଦେହ କରୁଛନ୍ତି, ହୁଏତ ଏ ଫିଲ୍ମିରେ ଖଟା ଯାଉଥିବା ମୂଳଧନ ଉଠି ନ ପାରେ । ମଞ୍ଜୁଳା ! ଏ ହେଉଛି ମୋର ମାନ୍‌ ଇଜ୍ଜତର କଥା । ଫିଲ୍ମିର ଅଂଶ କିଣିବା ପାଇଁ ଆମର ଯେଉଁ କଟକ କୋଠାଟା ବନ୍ଧା ପଡ଼ିଛି, ସେ ମୁକୁଳା ହେବ କି ନାହିଁ, ତାହା ବଡ଼ କଥା ନୁହେଁ–ବଡ଼ କଥା ହେଉଛି ଯଦି ପିକ୍‌ଚରଟା ଫ୍ଲପ୍‌ ହୁଏ, ତାହାହେଲେ ସେମାନେ ସମସ୍ତେ ମତେ ଏଥିପାଇଁ ଦାୟୀ କରିବେ । ତମକୁ ନାୟିକା କରିବା ପାଇଁ ସେମାନେ ପ୍ରକୃତରେ ମୋରି ଜିଦ୍‌ ଯୋଗୁଁ ରାଜି ହୋଇଛନ୍ତି–

 

ମୃଣାଳର କଥା ଶୁଣି ତା’ ମୁହଁରୁ ଝାଳ ନିଗିଡ଼ି ଆସିଥିଲା । କିଛି ପରିମାଣରେ ସେ କ୍ଷୁଣ୍ଣ ହୋଇଥିଲା ନିଶ୍ଚୟ । ବଡ଼ ବିଷର୍ଣ୍ଣ କଣ୍ଠରେ ଉତ୍ତର ଦେଇଥିଲା, ମୁଁ ଫିଲ୍ମି ଭଲ କରିବାକୁ ଯାହା କରିବାର କଥା ନିଶ୍ଚୟ କରିବି....କାରଣ କେବଳ ତମର ଅର୍ଥ, ମାନ, ଇଜ୍ଜତ ନୁହେଁ, ‘ଇନ୍ଦ୍ରଧନୁ’ର ସଫଳତା ସହିତ ମୋର ଭବିଷ୍ୟତର ସଫଳତା ମଧ୍ୟ ଗଣ୍ଠି ପଡ଼ିଛି । କିନ୍ତୁ କେବଳ ହିରୋଇନ ଭଲ କଲେ ତ ଫିଲ୍ମି ଭଲ ହେବ ନାହିଁ । ନାୟକ, ଉପନାୟକ, ଉପନାୟିକା–ଏମାନେ–

 

ମୃଣାଳ ମୁହଁରେ ଦଲକାଏ ସଜୀବ ହସର ଆଲୋଡ଼ନ ଦେଖା ଦେଇଥିଲା ସେ କହିଥିଲା, ଅଧିକାଂଶ ଦର୍ଶକ ଟିକେଟ କାଟନ୍ତି ହିରୋଇନକୁ ଦେଖିବା ପାଇଁ–ଆଉ ଆମର ଏ ଛବି ତ ନାୟିକା–କୈନ୍ଦ୍ରିକ ଛବି...! ନାୟିକାର ହସ–କାନ୍ଦ, ପ୍ରେମ–ପ୍ରତାରଣାର ସଫଳ ଅଭିନୟ ଉପରେ ନିର୍ଭର କରୁଛି ଛବିର ବକ୍‌ସ ଅଫିସ !

 

‘ପ୍ରେମ–ପ୍ରତାରଣା’ ଶଦ୍ଦ ଦୁଇଟି ଉଚ୍ଚାରଣ କଲାବେଳେ ମୃଣାଳର ଆଖି ଦୁଇଟି କିପରି ମିଞ୍ଜି ମିଞ୍ଜି ତାରା ଭଳି ସାନ ହୋଇ ଯାଉଥିଲା, ସେ କଥା ବେଶ୍‌ ଲକ୍ଷ୍ୟ କରିଥିଲା ମଞ୍ଜୁଳା । ସେଥିପାଇଁ ମୃଣାଳ ତା’ର ଏ ହୋଟେଲ–କକ୍ଷ ଛାଡ଼ି ଚାଲିଯିବା ପର୍ଯ୍ୟନ୍ତ ସେ ଜିଭକୁ ଦାନ୍ତରେ ଚାପି ଧରି ନିଜକୁ ନୀରବ ରହିବା ପାଇଁ ଶାସନ କରିଥିଲା ।

 

ସେ ସବୁ କଥା ମନେ ପକାଇଲେ ମଞ୍ଜୁଳାର ଛାତି ପିଞ୍ଜରା ଦୋହଲାଇ ଗୋଟାଏ ଦୀର୍ଘଶ୍ୱାସ ବାହାରି ଆସେ ।

 

ଜାଣି ଜାଣି ସେ ଏ ସ୍ୱର୍ଣ୍ଣ ପଞ୍ଜୁରୀରେ ପ୍ରବେଶ କରିଛି । ଏଥିରୁ ମୁକୁଳିବା ଏଡ଼େ ସହଜ ନୁହେଁ ।

 

ଘରେ ବାପା ବୋଉ, ବନ୍ଧୁ ବାନ୍ଧବ–କାହାରି ବାରଣ ସେ ମାନି ନାହିଁ । କେବଳ ମୃଣାଳକୁ ପାଇବା ପାଇଁ ନୁହେଁ, ଚଳଚ୍ଚିତ୍ର ଜଗତର ରୂପେଲୀ ଆକାଶରେ ଝଲମଲ ତାରା ହୋଇ ଝଲସିବା ପାଇଁ ସେ ବାଟ ଅବାଟ କଣ୍ଟାଝଣ୍ଟା କିଛି ଚାହିଁ ଦେଖି ନାହିଁ ।

 

ତା’ ମନରେ ନିଶା ଲାଗିଯାଇଛି ।

 

କିପରି ଦୁର୍ବୋଧ୍ୟ ଅକାଟ୍ୟ ନିଶା । ସେ ନିଶାର ମାଦକତା ଏପରି ତା’ ଦେହ ମନକୁ ଆଚ୍ଛନ୍ନ କରି ରଖିଛି ଯେ ବେଳେବେଳେ ସେଥିପାଇଁ ନିଜ ଉପରେ ବିରକ୍ତ ହେଲେ ମଧ୍ୟ ସେ ନିଶା ସେ ଛାଡ଼ି ପାରୁନି ।

 

ମଞ୍ଜୁଳା ତୁଳାର ତକିଆ ଉପରେ କହୁଣୀ ଦେଇ ଝରକା ବାଟେ କଲିକତାର ଆକାଶକୁ ଚାହିଁଲା । ଆଉ ଦିନ ଦୁଇଟା ପରେ ସୁଟିଂ ଆରମ୍ଭ ହେବ । କଲିକତା ଟାଲିଗଞ୍ଜ ଆର୍ଟ ଷ୍ଟୁଡ଼ିଓରେ ଅନ୍ତତଃ ଛବିଶ ଦିନ ସୁଟିଂ । ସବୁଦିନ ଗୁଡ଼ିକରେ ପ୍ରାୟ ତା’ର ରୋଲ ରହିଛି । ତା’ପରେ ନେଫାସୀମାନ୍ତ ଆଉ ଲଛମନଝୋଲା ଯିବାର କଥା । ସେଠାରେ ଆଉଟଡ଼ୋର ସୁଟିଂ ।

 

ମଞ୍ଜୁଳାର ମନରେ ଡେଣା ଲାଗିଯାଇଛି । ବାରମ୍ବାର ଡ୍ରେସିଂ ଟେବୁଲର ଲମ୍ବା ଗ୍ଲାସ ସାମ୍ନାରେ ଠିଆ ହୋଇ ନିଜକୁ ଦେଖୁଛି । ଜିଭ କାଢ଼ି ନିଜକୁ ନିଜେ ଖତେଇ ହେଉଛି । କହୁଛି, ଏଥର ତୁ ସହସ୍ର ସହସ୍ର ଦର୍ଶକ ଆଖିରେ ଚିତ୍ର–ନାୟିକା ହେବୁ ମଞ୍ଜୁଳା !

 

ହେବ କି ?

 

ନାୟିକା ହେବା କଥା ଭାବିଲେ ନାୟକ ରୂପକୁମାରଙ୍କ କଥା ତା’ର ହଠାତ୍‌ ସ୍ମରଣ ହେଉଥିଲା, କଲେଜ ଛାଡ଼ି ପିଲାଟି ଏବେ ମାତ୍ର ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଛି । ବେଶ୍‌ ଲମ୍ୱା ଛିପ୍‌ଛାପ୍‌ ଚେହେରା । ଆଖିର ଚାହାଣୀରୁ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ବାରି ହୋଇପଡ଼େ । ଆଗରୁ ଗୋଟିଏ ଦୁଇଟି ଓଡ଼ିଆ କଥାଚିତ୍ରରେ ସହ-ନାୟକ ଭୂମିକାରେ ଅଭିନୟ କରି ବେଶ୍‌ ସୁନାମ ମଧ୍ୟ ଅର୍ଜନ କରିଛି । ଏ ଲାଇନ୍‌ରେ ତା’ ଭଳି ସେ ସମ୍ପୂର୍ଣ୍ଣ ନବାଗତ ନୁହେଁ । କିନ୍ତୁ ତାକୁ ନିଜର ନାୟକ ବୋଲି ଭାବିଲେ ମଞ୍ଜୁଳାକୁ ହସ ଲାଗେ । ବୟସରେ ହୁଏତ ରୂପକୁମାର ତା’ଠାରୁ ବର୍ଷେ ଦୁଇବର୍ଷ ଛୋଟ ବଡ଼ ହୋଇପାରେ; କିନ୍ତୁ ଅଭିଜ୍ଞତା ଦୃଷ୍ଟିରୁ ନିଶ୍ଚୟ ସେ ତା’ଠାରୁ ଦଶ ବର୍ଷ ସାନ ହେବ ।

 

କାଲି ଅପରାହ୍‌ଣରେ ନିର୍ଦ୍ଦେଶକ ମିଷ୍ଟର ସେନ୍‌ ଯେତେବେଳେ ରୁପକୁମାରକୁ କହିଲେ ଆପଣଙ୍କର ସବୁ ଆକ୍‌ଟିଂ ବେଶ୍‌ ଭଲ ହେଉଛି; କିନ୍ତୁ ଲଭ୍‌ ସିନ୍‌ ଆସିଲେ ଆପଣ ଯେମିତି ଲାଜରେ ଜଡ଼ସଡ଼ ହୋଇ ଯାଉଛନ୍ତି, ମୋର ମନେ ହେଉଛି ଆପଣଙ୍କର ଏ ବିଷୟରେ ଆଦୌ ବ୍ୟକ୍ତିଗତ ଅଭିଜ୍ଞତା ନାହିଁ,–ସେତେବେଳେ ମଞ୍ଜୁଳା ଚେଷ୍ଟାକରି ମଧ୍ୟ ହାସ୍ୟ ସମ୍ଭରଣ କରିପାରି ନ ଥିଲା ।

 

ତା’ର ସେ ହସକୁ ନିର୍ଦ୍ଦେଶକ ମିଷ୍ଟର ସେନ୍‌ ବୋଧହୁଏ ବେଶ୍‌ ଉପଭୋଗ କରିଥିଲେ । ମନ୍ତବ୍ୟ କରିଥିଲେ ଏଇ ଲଭ ସିନ୍‌ ଗୁଡ଼ାକ ହେଲା ବକସ୍‌ ଅଫିସ ପାଇଁ ଅସଲ ଚାବିକାଠି । ଅଭିଜ୍ଞତା ନ ଥିଲେ ଅନ୍ତତଃ ଆପଣଙ୍କର ଏଥିରେ ଆନ୍ତରିକତା ଥିବା ଦରକାର । ଆପଣ ଯେ ଆପଣଙ୍କ ନାୟିକା ସହିତ ପ୍ରେମର ଅଭିନୟ ନୁହେଁ ପ୍ରକୃତ ପ୍ରେମ କରୁଛନ୍ତି, ନିଜ ଅଭିନୟ ଦ୍ୱାରା ଦର୍ଶକ ହୃଦୟରେ ଏ ପ୍ରତ୍ୟୟ ଆପଣ ସୃଷ୍ଟି କରିବା ଉଚିତ ।

 

ରୂପକୁମାର କିଛି ପରିମାଣରେ ପ୍ରକୃତିସ୍ଥ ହୋଇ କହିଥିଲା, ସତ କହିବାକୁ ଗଲେ ଆଗରୁ ମୁଁ ଯେଉଁ ଦୁଇଟି ଓଡ଼ିଆ କଥା ଚିତ୍ରରେ ଉପନାୟକ ଭୂମିକାରେ ଅଭିନୟ କରିଥିଲି, ସେଥିରେ ଆଦୌ ଲଭ୍‌ ସିନ୍‌ ବା ସେଭଳି କିଛି ସିକ୍ୱେନ୍‌ସ ନ ଥିଲା–ଏଭଳି ସିନ୍‌ ସବୁ ଅନ୍ୟ ବିଖ୍ୟାତ ଅଭିନେତାମାନେ ନିଜ ଅକ୍ତିଆରରେ ସଂରକ୍ଷିତ କରି ରଖିଥିଲେ–ଏ ହେଉଛି ମୋର ପ୍ରଥମ ଚାନ୍‌ସ–ଆପଣ ଦେଖିବେ ଫାଇନାଲ୍‌ ଷ୍ଟେଜ୍‌ରେ ମୁଁ ଠିକ୍‌ ଜମାଇ ନେବି–

 

ଠିକ୍‌ ଅଛି–ଠିକ୍‌ ଅଛି ବୋଲି ଦୁଇଥର ଇଂରେଜିରେ କହି ନିର୍ଦ୍ଦେଶକ ମିଷ୍ଟର ସେନ୍‌ କିଛି ସମୟ ପରେ ଚାଲି ଯାଇଥିଲେ । ସେ ଗଲାପରେ ରୂପକୁମାର ଗୋଟିଏ ଛୋଟ ଛୁଆ ଅଳି କଲା ଭଳି ତାକୁ କହିଥିଲା, ଆପଣ ଟିକିଏ ମତେ ଏଥିରେ ସାହାଯ୍ୟ କରନ୍ତୁ ମିସ୍‌ ମଞ୍ଜୁଳା ! ଆପଣଙ୍କ ପାଖରେ ପ୍ରେମ ନିବେଦନ କଲାବେଳେ ମୁଁ ସତରେ ଭାରି ନର୍ଭସ୍‌ ହୋଇ ପଡ଼ୁଛି–

 

ତା’ ପାଖରେ ପ୍ରେମ ନିବେଦନ !

 

କଥାଟାର ତାତ୍ପର୍ଯ୍ୟ ବୁଝିଲା ଭଳି ମୂଖଭଙ୍ଗୀ କରି ମଞ୍ଜୁଳା ପ୍ରଶ୍ନ କରିଥିଲା, ଆପଣ କଅଣ ବ୍ୟକ୍ତିଗତ ଜୀବନରେ ଅନ୍ୟ କୌଣସି ଝିଅକୁ ପ୍ରେମ କରି ନାହାନ୍ତି ! ଏ ସବୁର ରିହଲ୍‌ସାଲ୍‌ ତ ପ୍ରାୟ ଊଣା ଅଧିକେ ସମସ୍ତେ କଲେଜରେ ପାଞ୍ଚ ଥର ଦଶ ଥର କରି ଥାଆନ୍ତି ! ଏଥିରେ ନର୍ଭସ ହେବାର କଅଣ ଅଛି ।

 

ତା’ କଥା ଶୁଣି ପ୍ରକୃତରେ ଏକ ହାସ୍ୟାସ୍ପଦ କାମ କରି ବସିଲା ରୂପକୁମାର । ନିଜ ଡାହାଣ ହାତର ଦୁଇ ଆଙ୍ଗୁଠି ଟିପା ଆଖିରେ ମାରି ସେ କହିଲା, ଆଖି ଛୁଉଁଛି, ବିଶ୍ୱାସ କରନ୍ତୁ–ମୁଁ ଜୀବନରେ କେବେ କୌଣସି ଝିଅକୁ ପ୍ରେମ କରି ନାହିଁ । କଲେଜରେ ମୁଁ ଥିଲି ବିଜ୍ଞାନ ଛାତ୍ର । ବୈଜ୍ଞାନିକ ତଥ୍ୟ ସମ୍ପର୍କରେ ପରୀକ୍ଷା କରୁ କରୁ ସମୟ ଗୁଡ଼ାକ ମୋର ନିଃଶଦ୍ଦରେ କିପରି ଅତିକ୍ରାନ୍ତ ହୋଇଗଲା !

 

ବାକ୍ୟର ଶେଷ କେତୋଟି ଶଦ୍ଦ ଉଚ୍ଚାରଣ କଲାବେଳେ ରୂପକୁମାରର କଣ୍ଠରେ ଏକ ରିକ୍ତ ହାହାକାରର ସ୍ୱରଝଙ୍କାର ଅନୁରଣିତ ହୋଇ ଉଠୁଥିଲା । ତା’ କଥାକୁ ସେଥିପାଇଁ ଅବିଶ୍ୱାସ କରିପାରିଲା ନାହିଁ ମଞ୍ଜୁଳା ।

 

ସେ ତାକୁ ବୁଝାଇଥିଲା, ଅଭିନୟରେ ଆନ୍ତରିକତା ନଥିଲେ ଅଭିନୟ କେବେହେଲେ ଜୀବନ୍ତ ହୋଇପାରେ ନାହିଁ । ରୂପକୁମାର ବାବୁ ! ଲଭ୍‌ ସିନ୍‌ରେ ଆକ୍‌ଟିଂ କଲାବେଳେ ଆପଣଙ୍କୁ ଧରିନେବାକୁ ହେବ ଯେ ଆପଣ ମୋର ପ୍ରେମିକ । ସେଥିରେ କୃତ୍ରିମତା ଥିଲେ ଅଭିନୟ ବ୍ୟର୍ଥ ହେବ ।

 

କଥା ଶେଷ କରି ମଞ୍ଜୁଳା କିଛି ସମୟ ରୂପକୁମାରର ଭାବାନ୍ତର ଲକ୍ଷ୍ୟ କଲା । ତା’ପରେ ମୃଦୁ ସ୍ୱରରେ ହସି ଉଠି କହିଲା, ଅବଶ୍ୟ ସୁଟିଂ ସରିଗଲା ପରେ ଆପଣ ଭୁଲିଯାଇ ପାରନ୍ତି ଯେ ମୁଁ ଆପଣଙ୍କର ପ୍ରେମିକା ଥିଲି–ତା’ପରେ ମୁଁ ମଞ୍ଜୁଳା ଆଉ ଆପଣ ରୂପକୁମାର ।

 

ରୂପକୁମାର ପ୍ରତିବାଦ କରିଥିଲା, ନା–ନା ମୁଁ ରୂପକୁମାର ନୁହେଁ–ମୁଁ ଗୋପାଳ ଦାସ–ଫିଲ୍ମରେ ଦର୍ଶକମାନଙ୍କ କାନକୁ ମିଠା ଶୁଣାଯିବ ବୋଲି ଗୋପାଳ ଦାସ ବଦଳରେ ମୋ ନାମ ରଖାଯାଇଛି ରୂପକୁମାର–କେବଳ ଅଭିନୟର ଆନ୍ତରିକତା ନୁହେଁ ମୋ ଫିଲ୍ମି ନାମଟା ମଧ୍ୟ ନକଲ୍‌–

 

ତା’ର ସେ କଥାକୁ କିଛି ସମୟ ବେଶ୍‌ ନୀରବରେ ଉପଭୋଗ କଲା ମଞ୍ଜୁଳା ।

 

ରୂପକୁମାର କହିଲା, ଆପଣ ଜାଣନ୍ତି ମୁଁ କିପରି ଏ ଫିଲ୍ମିର ହିରୋ ନିର୍ବାଚିତ ହେଲି ?

 

ମୁଣ୍ତ ହଲାଇ ମନା କଲା ମଞ୍ଜୁଳା ।

 

ଗୋପନରେ ଏକ ଦୀର୍ଘଶ୍ୱାସ ତ୍ୟାଗ କରି ଗୋପାଳ ଦାସ ନିମ୍ନ କଣ୍ଠରେ କହିଲା, ‘ଇନ୍ଦ୍ରଧନୁ’ର ନାୟକ ହେବା ପାଇଁ କୈଳାଶବାବୁ, ରମେଶବାବୁ ଆଉ ମୃଣାଳବାବୁଙ୍କ ଭିତରେ ଜୋର୍‌ ପ୍ରତିଦ୍ୱନ୍ଦିତା ଲାଗିଥିଲା । ଅବସ୍ଥା ଏମିତି ସାଙ୍ଘାତିକ ହୋଇ ଉଠିଥିଲା ଯେ ଫିଲ୍ମ ବନ୍ଦ ହୋଇଯିବା ପ୍ରାୟ ନିଶ୍ଚିତ ଥିଲା । ଶେଷରେ କୈଳାଶବାବୁଙ୍କ ପରାମର୍ଶରେ ମତେ କଂପ୍ରମାଇଜ୍‌ କାଣ୍ତିଡେଟ୍‌ ଭାବରେ ସ୍ଥିର କରାଗଲା । ସତ କହିବାକୁ ଗଲେ ମୁଁ ହେଉଛି ଧରାବର.....

 

ଶେଷ ଶଦ୍ଦଟି ଉଚ୍ଚାରଣ କରି ଗୋପାଳ ଦାସ ହସି ପକାଇଲା ।

 

ମଞ୍ଜୁଳା ମଧ୍ୟ ନ ହସି ରହି ପାରିଲା ନାହିଁ ।

 

କିଛି ସମୟ ପରେ ଗୋପାଳ ଦାସ ବଡ଼ ବିନୀତ କଣ୍ଠରେ କହିଲା, ମଞ୍ଜୁଳା ଦେବୀ ! ଆପଣଙ୍କ ସହଯୋଗ ଉପରେ ଏ ଫିଲ୍ମ ଲାଇନ୍‌ରେ ମୋର କାରିଅର୍‌ ନିର୍ଭର କରୁଛି । ନିଜ ଅଭିନୟ ସହିତ ଏକାତ୍ମ ହେବାରେ ମୋର ତ୍ରୁଟି ନାହିଁ । କିନ୍ତୁ ଲଭ୍‌ ସିନ୍‌ରେ ନାୟିକାଠାରୁ ନିର୍ଭୟ ଭରସା ନ ପାଇଲେ କୌଣସି ନାୟକ କେବେହେଲେ ଆକ୍‍ଟିଂରେ ଫ୍ରି ହୋଇପାରେନା । ସତ କହିବାକୁ ଗଲେ ପ୍ରେମ ହେଉଛି ଏକ ଦ୍ୱୈତସଙ୍ଗୀତ । ଦୁଇ କଣ୍ଠସ୍ୱରର ତାନ ନ ମିଳିଳେ ସେ ସଙ୍ଗୀତ ଶ୍ରୁତିକଟୁ ହୁଏ ।

 

ରୂପକୁମାର ତା’ଠାରୁ ଠିକ୍‌ କଅଣ ଆଶା କରୁଥିଲା, ସେ କଥା ସେ ମୂହୂର୍ତ୍ତରେ ଅନୁମାନ କରି ପାରି ନ ଥିଲା ମଞ୍ଜୁଳା । କିନ୍ତୁ ଯେପରି ଭାବରେ ସେ ତା’ଠାରୁ ନିର୍ଭର–ଭରସା ଆଶା କରୁଥିଲା, ସେଥିରେ ତାକୁ ନିରାଶ କରିବାକୁ ତା’ର ଇଚ୍ଛା ହେଲା ନାହି ।

 

ଗୋପାଳ ଦାସକୁ ନିର୍ଭୟ–ଭରସା ଦେବାପାଇଁ ସେ ତା’ର ଡାହାଣ ହାତର ଆଙ୍ଗୁଠି କେତୋଟିକୁ ନିଜ ହାତ ମୁଠାରେ ଚାପି ଧରି ବଡ଼ ଭାବପ୍ରବଣ ଭାବରେ କହିଥିଲା, ରୂପକୁମାର ! ପ୍ରେମ, ପ୍ରଣୟ ବିଷୟରେ ନାୟିକାର ସହଯୋଗ କାମନା କରିବାକୁ ହେଲେ ନାୟକକୁ ପ୍ରଥମେ ଯୋଗ୍ୟ ହେବାକୁ ହୁଏ । କୌଣସି ମୁହଁଚୋରା ପୁରୁଷ କେବେହେଲେ ତା’ର ନାୟିକାକୁ ପ୍ରେମ ପାଇଁ ପ୍ରଲୁବ୍‌ଧ କରିପାରେନା–ତାହା ଚଳଚ୍ଚିତ୍ର ଅଭିନୟରେ ହେଉ କି ବାସ୍ତବ ଜୀବନରେ ହେଉ ! କାରଣ ନାରୀର ଲଜ୍ଜା ପୁରୁଷର ଭଲ ପାଇବାର ଶିଥିଳ ସ୍ନାୟୁଗ୍ରନ୍ଥିକୁ ଉତ୍ତେଜିତ କରେ କିନ୍ତୁ ପୁରୁଷର ଲଜ୍ଜା ନାରୀର ରକ୍ତକୋଷକୁ ଉତ୍ତେଜିତ କରିବା ବଦଳରେ ଉତ୍‌ପୀଡ଼ିତ କରେ !

 

ଜଣେ ଅଭିଜ୍ଞ ପ୍ରେମିକା ଭଳି ସେଦିନ ଗୋପାଳ ଦାସ ପରି ଏକ ସ୍ୱଳ୍ପ ପରିଚିତ ପୁରୁଷ ପାଖରେ ସେ ସବୁ କଥା କିପରି ନିଃସଙ୍କୋଚରେ କହି ପାରିଥିଲା, ତାହା ବର୍ତ୍ତମାନ ଭାବିଲେ ନିଜେ ବିସ୍ମୟରେ ବିମୂଢ଼ ହୋଇଯାଉଛି । କିନ୍ତୁ ସେଦିନ ସେ କଥା ସବୁ କହିଲାବେଳେ ସେ କୌଣସି ଲଜ୍ଜା ଅନୁଭବ କରି ନ ଥିଲା । ତା’ର କିପରି ଧାରଣା ହୋଇଥିଲା ‘ଇନ୍ଦ୍ରଧନୁ’ରେ ନିଃସଙ୍କୋଚ, ବଳିଷ୍ଠ ଅଭିନୟ ଉପରେ କେବଳ ଗୋପାଳ ଦାସର କାରିଅର୍‌ ନୁହେଁ ତା’ର ଭାଗ୍ୟ ମଧ୍ୟ ନିର୍ଭର କରୁଛି !

 

ତା’ର ସେ ପରାମର୍ଶ ରୂପକୁମାର ପାଇଁ ମନ୍ତ୍ର ଭଳି କାମ କରିଥିଲା । ତା’ପରେ ସେ ଲକ୍ଷ୍ୟ କରିଥିଲା, ରୋମାଣ୍ଟିକ୍‌ ସିନ୍‌ ଗୁଡ଼ିକରେ ଅଭିନୟ ରିହରସାଲ୍‌ ଦେଲାବେଳେ ରୂପକୁମାରଠାରେ କୌଣସି ଜଡ଼ତା ନାହିଁ... !

 

ଡିରେକ୍ଟର ସେନ୍‌ ମଧ୍ୟ ଖୁବ୍‌ ଖୁସି ହୋଇଛନ୍ତି ।

 

ଭରସା ଦେଇଛନ୍ତି, ‘ଇନ୍ଦ୍ରଧନୁ’ ଓଡ଼ିଶାର ପ୍ରେକ୍ଷାଗୃହ ଗୁଡ଼ିକରେ ବାଜିମାତ୍‌ କରିବାକୁ ବାଧ୍ୟ । ରୂପକୁମାର ଓ ତା’ର ଭବିଷ୍ୟତ ଖୁବ୍‌ ଉଜ୍ଜ୍ୱଳ । ଅଭିନୟ, ରୂପ–ସବୁ ଦୃଷ୍ଟିରୁ ସେ ଆଉ ରୂପକୁମାର କୁଆଡ଼େ ଏକ ଚମତ୍କାର ଯୋଡ଼ି....ଏକ୍‌ସଲାନଟ୍‌ ପେଆର !

 

ସୁଟିଂ ଆରମ୍ଭ ହେବାକୁ ଆହୁରି କିଛିଦିନ ବିଳମ୍ୱ ଅଛି । କିନ୍ତୁ ଛବି ମୁକ୍ତିଲାଭ କଲା ପରେ ରୂପକୁମାର ଆଉ ତାକୁ ନେଇ ଦର୍ଶକ ମହଲରେ କିପରି ଆଲୋଡ଼ନ ସୃଷ୍ଟି ହେବ ସେ କାଳ୍ପନିକ ଦୃଶ୍ୟ ନିତିଦିନ ତା’ର ମନର ଆକାଶରେ ତାରା ହୋଇ ଫୁଟୁଛି ।

 

ମଞ୍ଜୁଳା ଏଥର ନିଜର ନିର୍ଜ୍ଜନ ବିଛଣା ଉପରେ ଶୋଇଗଲା ।

 

‘ଇନ୍ଦ୍ରଧନୁ’ରେ ଅଭିନୟ କରୁଥିବା ସବୁ ମହିଳା ଅଭିନେତ୍ରୀଙ୍କ ମଧ୍ୟରୁ ଏକମାତ୍ର ତାକୁ ହିଁ ସିଙ୍ଗ୍‌ଲ ରୁମ୍‌ ଦିଆଯାଇଛି । କାରଣ ସେ ହେଉଛି ଏ ଛବିର ଏକମାତ୍ର କେନ୍ଦ୍ର-ବିନ୍ଦୁ....ତାକୁ ନେଇ ପ୍ରଯୋଜକ, ନିର୍ଦ୍ଦେଶକଙ୍କର କଳ୍ପନା ଜଳ୍ପନାର ଅନ୍ତ ନାହିଁ । ଚଳଚ୍ଚିତ୍ର ସାମ୍ୱାଦିକ, ଫଟୋଗ୍ରାଫ୍‌ରମାନେ ‘ଇନ୍ଦ୍ରଧନୁ’ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଆସିଲେ ଆଗ ତା’ ରୁମ୍‌ ନମ୍ୱରକୁ ହିଁ ଡାଏଲ୍‌ କରୁଛନ୍ତି !

 

ପରିତୃପ୍ତି ଓ ଚାପା ଉତ୍ତେଜନାରେ ମଞ୍ଜୁଳା ମିନିଟ୍‌ କେତୋଟି ପାଇଁ ନୟନ ମୁଦ୍ରିତ କଲା-!

 

।। ୧୯ ।।

 

ରତ୍ନାକର ତା’ ଦ୍ୱାର ମୁହଁରେ ମୌସୁମୀକୁ ଦେଖି ଅବାକ୍‌ ହୋଇଥିଲା । ସେ ସତରେ ମାଳବିକାକୁ ପଢ଼ାଇବା ପାଇଁ ତାଙ୍କ ଘରକୁ ଆସିବେ, ଏ କଥା ମାଳବିକା ମୁହଁରୁ ବାରମ୍ୱାର ଶୁଣିଥିଲେ ସୁଦ୍ଧା ବିଶ୍ୱାସ କରି ନ ଥିଲା । ଏପରି କି ମୌସୁମୀ ରିକ୍‌ସାବାଲାକୁ ବିଦାୟ କରି ତା’ ଘର ଦ୍ୱାର ମୁହଁ ପାଖରେ ଠିଆ ହୋଇ ମାଳବିକା କାହିଁ ବୋଲି ପ୍ରଶ୍ନ କରିବା ପରେ ମଧ୍ୟ ସେ ହଠାତ୍‌ କିଛି ଉତ୍ତର ଦେଇ ପାରି ନ ଥିଲା ।

 

: ଆପଣ ପ୍ରତିଦିନ ସତରେ ମାଳାକୁ ପଢ଼ାଇବାକୁ ଆସିବେ ? –ରତ୍ନାକର ନିଜକୁ ସନ୍ଦେହ ମୁକ୍ତ କରିବା ପାଇଁ ନିର୍ବୋଧ କଣ୍ଠରେ ପ୍ରଶ୍ନ କଲା ।

 

: ସବୁଦିନେ ନୁହେଁ–ଅନ୍ତତଃ ସପ୍ତାହକୁ ଦୁଇ ତିନିଦିନ ଆସିବି । କାହିଁକି, କିଛି ଅସୁବିଧା ହେବ ! –ମୌସୁମୀ ଚାପା କଣ୍ଠରେ ପ୍ରଶ୍ନ କଲା ।

 

ଅସୁବିଧା ! ଆପଣ ଯେ କ’ଣ କହନ୍ତି ! ଏ ମାଳା... ମାଳା....ଦିଦି ଆସିଛନ୍ତି । –ରତ୍ନାକର ଏକ ପ୍ରକାର ଚିତ୍କାର କଲା ।

 

ମାଳବିକା ସେତେବେଳକୁ ଆସିଯାଇଥିଲା ଦ୍ୱାର ମୁହଁ ପାଖକୁ । ମୌସୁମୀକୁ ସେ ପାଛୋଟି ନେଲା, ରତ୍ନାକରର ମାଆ ମଧ୍ୟ ଆସି ତା’ ହାତ ଧରି ଘର ଭିତରକୁ ନେଇଗଲେ । ତା’ର ଉପସ୍ଥିତି କିଛି ପରିମାଣରେ ବିସ୍ମୟ ଓ ଅନେକ ପରିମାଣରେ ଅକଳନ ଆନନ୍ଦ ଯେ ରତ୍ନାକର ପରିବାରର ସମସ୍ତଙ୍କ ମନକୁ ପ୍ଳାବିତ କରି ଦେଇଛି, ସେକଥା ମୌସୁମୀ ବେଶ୍‌ ବୁଝିପାରୁଥିଲା ।

 

ବସିବାକୁ ଚେୟାର, ଟେବୁଲ କିଛି ନାହିଁ । ମାଆ, ରତନାର ବାପା ମଲାପରେ ଆମେ ଖୁବ୍‌ ଗରିବ ହୋଇଯାଇଛୁ । ଏଇ ଘରେ ସପ ବିଛାଇ ଦେଉଛି, ବସ । –ରତ୍ନାକର ମାଆଙ୍କ କଣ୍ଠରେ ସ୍ନେହ, ସଜ୍ଜଳ ସରଳତା ବେଶ୍ ଫୁଟି ଉଠୁଥିଲା ।

 

ମୌସୁମୀ ଲକ୍ଷ୍ୟ କଲା, ମଧ୍ୟବିତ୍ତ ପରିବାର କହିଲେ ଭୁଲ୍‌ ହେବ, ରତ୍ନାକର ଏକ ଗରିବ ଘରର ପିଲା । ଦୁଇ ବଖରା ଶୋଇବା ବସିବା ଘର, ବଖରାଏ ରୋଷେଇ ଘର । ଶୋଇବା ଘର ଛାତ ଟାଇଲି ଛାଆଣି ହୋଇଛି, ରୋଷେଇଘର ଛାତରେ ଛଣ ଛପର ।

 

କିନ୍ତୁ ରତ୍ନାକରର ମାଆଙ୍କୁ ଦେଖିଲେ ମନେ ହେବ, ଏକଦା ସେ ଥିଲେ ସମ୍ଭ୍ରାନ୍ତ ପରିବାରର ଗୃହବଧୂ । ଚମ୍ପକ ବର୍ଣ୍ଣ ଦେହ ରଙ୍ଗ । ପ୍ରୌଢ଼ାବସ୍ଥାରେ ମଧ୍ୟ ଦେହରୁ ଜ୍ୟୋତି ବାହାରୁଛି-। ବେକରେ ତୁଳସୀ ମାଳି । ସଫା ଧଳା ଶାଢ଼ି ଖଣ୍ତେ ପିନ୍ଧି ସେ ମନରେ ଭକ୍ତି ଉଦ୍ରେକ କରୁଛନ୍ତି-

 

ମାଳବିକା ମାଆଙ୍କ ରଙ୍ଗ ଓ ଆକୃତି ଆଣିଛି ।

 

ରତ୍ନାକର ବୋଧହୁଏ ତା’ର ମୃତ ପିତାଙ୍କ ଭଳି । ଦେହର ରଙ୍ଗ କଳା, ବେଶ୍‌ ଦୀର୍ଘକାୟ ବଳିଷ୍ଠ ଚେହେରା । ତା’ ମାଆଙ୍କ କଥାବାର୍ତ୍ତା, ଚାଲିଚଳନରେ ଯେଉଁ ସରଳ ସୌକୁମାର୍ଯ୍ୟ ଫୁଟି ଉଠୁଛି, ରତ୍ନାକରଠାରେ ତା’ର କୌଣସି ଛାପ ନାହିଁ । ସେ ହୁଏତ ତା’ର ସ୍ୱର୍ଗତ ପିତାଙ୍କ ଭଳି ରୁକ୍ଷ, କିଛି ପରିମାଣରେ ଉଦ୍ଧତ !

 

ମାଳବିକା ପଢ଼ିବାକୁ ଆସିଲା ।

 

ମାଟ୍ରିକ୍‌ ପରୀକ୍ଷା ପାଇଁ କିପରି ପ୍ରସ୍ତୁତ ହେବାକୁ ହେବ, କେଉଁ ବିଷୟ ପାଇଁ କେଉଁ କେଉଁ ବହି ପଢ଼ିବାକୁ ପଡ଼ିବ, କେଉଁଦିନ କିପରି ଭାବରେ କଅଣ କଅଣ ପଢ଼ିବାକୁ ହେବ, ତା’ର ଏକ କାର୍ଯ୍ୟକ୍ରମ ସ୍ଥିର କରିଦେଲା ମୌସୁମୀ, ଯେଉଁ ବିଷୟ ସେ ବୁଝି ନ ପାରିବ ତାକୁ କିପରି ନୋଟ୍‌ କରି ରଖିଥିବ, ସେ ଆସିଲେ ବୁଝାଇଦେବ, ସେକଥା ମଧ୍ୟ ସେ ସୂଚେଇ ଦେଲା ।

 

ମୌସୁମୀ ତାଙ୍କ ଘରକୁ ଆସିବା ପରେ ହଠାତ୍‌ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲା ରତ୍ନାକର । ସେ ଯିବାକୁ ବାହାରିଲା ବେଳକୁ ଲକ୍ଷ୍ୟ କଲା, ଗୋଟାଏ ରିକ୍‌ସାରେ ବୋଝାଇ କରି କଅଣ ସବୁ ଘରକୁ ବହି ଆଣୁଛି ରତ୍ନାକର ।

 

ମୌସୁମୀ ଯିବାକୁ ବାହାରିଲା ବେଳେ ସେ ଅଟାକାଇଲା, ଟିକିଏ ଜଳଖିଆ ପାଟିରେ ଦେଇଯିବେ ଆଜ୍ଞା !

 

ଆଶ୍ଚର୍ଯ୍ୟ ! ତା’ ପାଇଁ ଜଳଖିଆ ଆଣିବାକୁ ଏତେବେଳ ପର୍ଯ୍ୟନ୍ତ ବଜାର ଯାଇଥିଲା ରତ୍ନାକର !

 

ତା’ର ମାଆ ମଧ୍ୟ ଜଳଖିଆ ଖାଇବା ପାଇଁ ଅନୁନ୍ୱୟ କଲେ । କିନ୍ତୁ ତା’ ପାଇଁ ରତ୍ନାକର ଆଣିଥିବା ଜଳଖିଆର ପ୍ରକାର ଓ ପରିମାଣ ଲକ୍ଷ୍ୟକରି ମୌସୁମୀ ହାସ୍ୟ ସମ୍ୱରଣ କରିପାରିଲା ନାହିଁ ।

 

ବରା, ପିଆଜି, ସିଙ୍ଗଡ଼ା, କଚୁଡ଼ି, ପୁରୀ, ରସଗୋଲା, ସନ୍ଦେଶ, କମଳାଭୋଗ, ଛେନାଗଜା, ଜିଲିପି, ଲଡ଼ୁ, ଲବଙ୍ଗଲତା–ପ୍ରାୟ ବଜାରରେ ମିଳୁଥିବା ସବୁ ପ୍ରକାର ଜଳଖିଆ ଉଠାଇ ଆଣିଛି ରତ୍ନାକର !

ଏତେ ପ୍ରକାର ଏତେ ପରିମାଣର ଜଳଖିଆ ଦେଖି ତା’ର ମାଆ ମଧ୍ୟ ଲଜ୍ଜିତ ହେଲେ ।

କହିଲେ, ମାଆ ! ରତନାଟା ସବୁଦିନେ ଏମିତି ହୁଣ୍ତା । ତା’ ପାଇଁ ତ ସାହି, ପଡ଼ିଶା ସମସ୍ତଙ୍କ ପାଖରୁ ମତେ ନିତି ଶୁଣିବାକୁ ପଡ଼ୁଛି । ଏ ବରା, ପିଆଜି, ପୁରୀ, ସିଙ୍ଗଡ଼ା, ଲଡ଼ୁ, ଜିଲିପି ଛାଡ଼ି ତମେ ମିଠାରୁ ଟିକିଏ ଟିକିଏ ପାଟିରେ ଦିଅ–

ମାଆଙ୍କ କଥା ଶୁଣି ରତ୍ନାକର ମୁହଁକୁ ଚାହିଁଲା ମୌସୁମୀ ।

କ୍ଷୋଭ କିମ୍ବା ଅପମାନରେ ନୁହେ, ଲଜ୍ଜାରେ ସେ ମୁହଁ ତଳକୁ କରି ଠିଆ ହୋଇଛି । ହେୟଜ୍ଞାନ କରିବା ବଦଳରେ ଲୋକଟା ପ୍ରତି ମୌସୁମୀ ମନରେ କିପରି ମାୟା ହେଲା । ସେ ହସି ହସି କହିଲା, ମାଉସୀ ! ତମେ ବ୍ୟସ୍ତ ହୁଅ ନାହିଁ । କେବଳ ତମ ଝିଅ ନୁହେଁ, ତମ ପୁଅର ଦାୟିତ୍ୱ ମଧ୍ୟ ମୁଁ ନେବି । ରତ୍ନାକର ମାଟ୍ରିକ୍‌ ପରୀକ୍ଷା ଦିଅନ୍ତୁ–ମୁଁ ତାଙ୍କୁ ଗଣିତ ପଢ଼ାଇଦେବି–

ଳଜ୍ଜାବନତ ରତ୍ନାକରର ମୁହଁ ଆନନ୍ଦର ଆଲୋକରେ ଝଲସିତ ହୋଇ ଉଠିଲା ।

ସେ କହିଲା, ସେଥିରେ ଆପଣଙ୍କର ସୁଖ୍ୟାତି ବଦଳରେ ଦୁର୍ନାମ ହେବ ମୌସୁମୀ ଦିଦ-! ମୁଁ ତ କେବେ ପାଶ୍‌ କରିପାରିବି ନାହିଁ–ଆପଣଙ୍କ ଛାତ୍ର ଫେଲ୍‌ ହେଲା ବୋଲି ଲୋକେ ଆପଣଙ୍କ ପଢ଼ାଇବା କ୍ଷମତା ପ୍ରତି ସନ୍ଦେହ ପୋଷଣ କରିବେ–

 

ଏହା ଏକ ଗୁଣ୍ତାର ଭାଷା ନୁହେଁ, ନିଜର ଶକ୍ତି ସମ୍ପର୍କରେ ସଚେତନ ଥିବା ଜଣେ ସମର୍ଥ ପୁରୁଷର ସ୍ୱୀକାରୋକ୍ତି । ମୌସୁମୀ ମନରେ ପ୍ରତ୍ୟୟ ହେଲା, ପଢ଼ାଇଲେ ସତକୁ ସତ ହୁଏତ ରତ୍ନାକର ମାଟ୍ରିକ୍‌ ପାଶ୍‌ କରିଯାଇପାରେ । ଆଉ ସେ ଯେତେବେଳେ ଜଣକୁ ପଢ଼ାଇବାକୁ ଆସିବ, ଆଉ ଜଣକୁ ପଢ଼ାଇ ଦେଇଗଲେ କ୍ଷତି କଅଣ !

 

ରତ୍ନାକର ମୁହଁକୁ ତୀକ୍ଷଣ ଦୃଷ୍ଟିରେ ଚାହିଁ ସେ କହିଲା, ତମକୁ ପାଶ୍‌ କରାଇଦେବା ଦାୟିତ୍ୱ ମୋର, ତମକୁ କିନ୍ତୁ ମୋ କଥା ମାନି ପାଠରେ ମନୋନିବେଶ କରିବାକୁ ପଡ଼ିବ । ଉଦୟନାଥ ବାବୁଙ୍କ ଗୁଣ୍ତା ବାହିନୀର ରିଂ ଲିଡର ହେବା ପାଇଁ ଆଉ ସାହି ଛକ ଚାହା ଦୋକାନ ପାଖରେ ଆଡ୍‌ଡ଼ା ଦେଲେ ଚଳିବ ନାହିଁ !

 

ସାହି ଛକ ଚାହା ଦୋକାନ ପାଖରେ ସେ ଆଡ୍‌ଡ଼ା ଦିଏ, ଏକଥା ମୌସୁମୀ ଦିଦି ମଧ୍ୟ ଖବର ରଖିଛନ୍ତି !

 

ଲଜ୍ଜାରେ ଆଉ ଥରେ ମୁହଁ ତଳକୁ କରିଦେଲା ରତ୍ନାକର । ଦାନ୍ତ ଚିପି ଚିପି ମାଳବିକା ଅଳ୍ପ ଦୂରରେ ଠିଆହୋଇ ହସୁଥିଲା ।

 

ମୌସୁମୀ ପଚାରିଲା, କ’ଣ ମୋ କଥା ମନେ ରହିଲା ! ମନଦେଇ ପଢ଼ିବ ତ !

 

: ପଢ଼ିବି–ପଢ଼ିବି–ମାଳାର ତ ବହିପତ୍ର ଅଛି–ମୁଁ ମାଟ୍ରିକ୍‌ ପରୀକ୍ଷା ଦେବି । କିନ୍ତୁ ଫେଲ୍‌ ହେଲେ କହି ଦେଉଛି–ବସ୍ତିରେ ମୁଁ ଆଉ ମୁହଁ ଦେଖାଇ ପାରିବି ନାଇଁ । ସେଥିପାଇଁ ଆପଣ....ଆପଣ ଦାୟୀ ହେବେ । –ରତ୍ନାକର କଥାଗୁଡ଼ାକ ବେଶ୍‌ ଗୁରୁତ୍ୱ ଦେଇ ଉଚ୍ଚାରଣ କରୁଥିଲା ।

 

ରତ୍ନାକର ଯେ ଏ ବୟସରେ ସତରେ ଆଉ ବହି, ଖାତା ଧରି ପାଠ ପଢ଼ିବ, ଏ କଥା ସେଦିନ ତା’ର ମାଆ, ମାଳବିକା, ଏପରିକି କିଛି ପରିମାଣରେ ମୌସୁମୀ ମଧ୍ୟ ବିଶ୍ୱାସ କରି ପାରି ନ ଥିଲା । କିନ୍ତୁ ଅଘଟଣ ସତରେ ଘଟିଲା । ଗୋଟାଏ ଜିଦ୍‌ରେ ପୁଣି ପାଠ ଛାଡ଼ିବାର ସାତବର୍ଷ ପରେ ବହି ପତ୍ର ଧରି ବସିଲା ରତ୍ନାକର ।

 

ସାହିର ମସ୍ତାନାମାନେ ଆଖଡ଼ା ଘରେ, ଛକ ଜାଗାରେ ରିଂ ଲିଡରକୁ ନ ଦେଖି ଅବାକ୍‌ ହେଲେ । କେହି କହିଲା, ସେ ସହରକୁ ଚାଲିଯାଇଛି । ଆଉ କେହି ସନ୍ଦେହ ପ୍ରକାଶ କଲା, ହୁଏତ ଗୁରୁଦେବ ଅସୁସ୍ଥ ଅଛନ୍ତି ।

 

ଦୋଳ ମେଲଣ ନେଇ ରୁଦ୍ରନାରାୟଣ ବାବୁଙ୍କ ଲୋକଙ୍କ ସହ ଖୁବ୍ ନିକଟରେ ଗୋଟାଏ ଫାଇଟିଂ ହେବାର ଅଛି । ଏତିକିବେଳେ ରିଂ ଲିଡ଼ରର ଅନୁପସ୍ଥିତି ଉଦୟନାଥ ବାବୁଙ୍କ ଗ୍ରୁପ୍‌ ମସ୍ତାନାମାନଙ୍କୁ ଦୁଶ୍ଚିନ୍ତାର ମହାସାଗରରେ ବୁଡ଼ାଇ ଦେଲା । କାରଣ ଜାଣିବା ପାଇଁ ସେମାନେ ରତ୍ନାକରର ଘର ଚାରିପଟେ ଘୁରି ବୁଲିଲେ, କିନ୍ତୁ ରତ୍ନାକର କୁଆଡ଼େ ଯାଇଛି, ସେ କଥା ମାଳବିକା କିମ୍ୱା ତା’ର ମାଆଙ୍କୁ ପଚାରି ପାରିଲେ ନାହିଁ । ରତ୍ନାକର ସହିତ ସେହି ଶାରୀରିକ ଶକ୍ତି-ଜୀବୀ ବ୍ୟକ୍ତିମାନଙ୍କର ନିବିଡ଼ ବନ୍ଧୁତ୍ୱ ତା’ର ମାଆ ଓ ଭଉଣୀ କେବେହେଲେ ଭଲ ଦୃଷ୍ଟିରେ ଦେଖୁ ନଥିଲେ ।

 

ମୌସୁମୀ ଲକ୍ଷ୍ୟ କରି ଦେଖିଲା, ରତ୍ନାକର ତା’ କଥାକୁ ବିଶ୍ୱାସ କରି ସତକୁ ସତ ପାଠପଢ଼ାରେ ମନ ଦେଇଛି । ତା’ର ମାଆ କହିଲେ, ମୁଁ ଆଶ୍ଚର୍ଯ୍ୟ ହେଉଛି ଝିଅ ! ତମେ କହିଲା ଦିନୁ ସେ ପଦାକୁ ଥରେ ହେଲେ ବାହାରୁ ନାହିଁ । ଉଦୟନାଥ ବାବୁ ତିନିଥର ଲୋକ ପଠାଇଲେଣି ମନା କରି ଦେଇଛି, ତା’ର ଦେହ ଭଲ ନାହିଁ ସେ ଯାଇପାରିବ ନାହିଁ । ଆଉ ସବୁବେଳେ ବହି ଧରି ବସିଛି–ରାତି ଅନିଦ୍ରା ହୋଇ ଅଙ୍କ କଷୁଛି !

 

କଞ୍ଚା ମାଟିରେ ନିଜ ଇଚ୍ଛା ଅନୁସାରେ ପିତୁଳା ଗଢ଼ାଯାଇପାରେ, କିନ୍ତୁ ପୋଡ଼ା ମାଟିରେ ନୂଆ କଣ୍ଢେଇ ଗଢ଼ିବା ସମ୍ଭବ ନୁହେଁ । ମାଳବିକାକୁ ପଢ଼ାଇବା ମୌସୁମୀ ପକ୍ଷରେ ଯେତେ ସହଜ ହେଉଥିଲା, ରତ୍ନାକରକୁ ପଢ଼ାଇବା ସେତେ ସହଜ ନୁହେଁ । ତା’ ଛଡ଼ା ନିର୍ବୋଧ ରତ୍ନାକରକୁ ପଢ଼ାଇଲାବେଳେ ସେ ନିଜେ ମଧ୍ୟ ଖୁବ୍‌ ସଙ୍କୋଚ ବୋଧ କରୁଥିଲା । କିନ୍ତୁ ସେ ଲକ୍ଷ୍ୟ କଲା, ଅଧ୍ୟବସାୟ ବଦଳରେ ଅସାଧ୍ୟ ସାଧନ କରିବାକୁ ପ୍ରକୃତରେ ଚେଷ୍ଟା କରୁଛି ରତ୍ନାକର–ଭୁଲି ଯାଇଥିବା ପାଠକୁ ସେ ଯେପରି ଅଳ୍ପ ସମୟ ମଧ୍ୟରେ ସ୍ମରଣ କରିପାରୁଛି–ଆସୁ ନ ଥିବା ଅଙ୍କ, ଜ୍ୟାମିତି, ବୀଜଗଣିତକୁ ମଧ୍ୟ ଆୟତ୍ତ କରିବାକୁ ସେହିପରି ଆନ୍ତରିକତାର ସହ ଚେଷ୍ଟା କରୁଛି–

 

ଅଙ୍କ କଷିଲାବେଳେ ତା’ର ମୁହଁର ମାଂସପେଶୀ ଯେପରି ଭାବରେ ସଙ୍କୁଚିତ ପ୍ରସାରିତ ହୁଏ, ଆଖିଡ଼ୋଳା ଯେପରି ବିଚିତ୍ର ଭାବରେ ଆବର୍ତ୍ତିତ ହୁଏ, ତାହା ଲକ୍ଷ୍ୟ କରି ବେଶ୍‌ କୌତୁକବୋଧ କରେ ମୌସୁମୀ । ତା’ର ବିଶ୍ୱାସ କରିବାକୁ ଇଚ୍ଛାହୁଏ, ସତକୁ ସତ ଦିନେ ହୁଏତ ଗୁଣ୍ତା ରତ୍ନାକର ଭଦ୍ରଲୋକ ହେବ । ପାଠପଢ଼ି ଚାକିରି କରି ସେ ସାମାଜିକ ହେବ । ତା’ର ବିଧବା ଜନନୀ, ଅଭିଆଡ଼ି ଭଉଣୀ ମୁହଁରେ ହସ ଫୁଟିବ । ଦୁଃଖ ଘୁଞ୍ଚିବ ।

 

ସେତିକି ଯଦି କରିପାରିଲା, ମୌସୁମୀ ଭାବେ, ତା’ର ଶିକ୍ଷୟିତ୍ରୀ ଜୀବନ ସାର୍ଥକ ହେବ-

 

ସେ ବେଶି ମନ ଦେଇ ରତ୍ନାକରକୁ ପାଠ ପଢ଼ାଏ । ଥରେ ବୁଝିପାରୁ ନ ଥିବା ପାଠକୁ ତିନି ଚାରିଥର ବୁଝାଏ । ତଥାପି ଯଦି ସେ ବୁଝି ନ ପାରେ ତେବେ ମୌସୁମୀ ମନ୍ତବ୍ୟ କରେ, ମୁଁ ମାଳବିକାକୁ ପଢ଼ାଇବାକୁ ଆସିଥିଲି । କିନ୍ତୁ ଦେଖୁଛି ତା’ର ଆଉ ପାଠପଢ଼ା ହେବ ନାହିଁ; ମୋର ସବୁ ସମୟ ତମରି ପାଇଁ ଚାଲିଯିବ–

 

ମୌସୁମୀ ରତ୍ନାକର ଘରକୁ ରିକ୍‌ସାରେ ଆସିଲାବେଳେ ସେହି ସାହିର ଅନ୍ୟ ଘରର ଝରକା, ଦରଜା, ରାସ୍ତା ଉପରୁ ଅନେକ ଉତ୍ସୁକ ଦୃଷ୍ଟି ତା’ ଆଡ଼କୁ ଯେପରି ଲମ୍ୱିଆସେ, ସେ ପୁଣି ଫେରିଲାବେଳେ ସେହିପରି ଅନେକ ଟୀକା, ଟୀପ୍‌ପଣୀର ଭଗ୍ନାଂଶ ଭାସି ଆସି ତା’ କାନରେ ପିଟି ହୁଏ ।

 

ସେ ଦିନ ଫେରିଲାବେଳେ ରିକ୍‌ସା ନ ପାଇ କିଛି ବାଟ ଚାଲି ଚାଲି ଆସୁଥିଲା । ଶୁଣିଲା ସାହିର ଗୋଟିଏ ସତର ଅଠର ବର୍ଷ ବୟସର ପିଲା ତା’ର ଜଣେ ସାଙ୍ଗକୁ ଆଖିମାରି କହୁଛି, ‘‘ଏଇ–ଏଇ ଦେବୀ ଯାଉଛନ୍ତି ।’’

 

: କେଉଁ ଦେବୀ ?

 

: ଆଃ, ଶୁଣିବେ ଯେ–ଏଇ ମୌସୁମୀ ଦେବୀ !

 

: ମୌସୁମୀ ଦିଦି !

 

: ଦିଦି ନୁହନ୍ତି–ଦେବୀ ! ସାକ୍ଷାତ ଦେବୀ ସରସ୍ୱତୀ । ଗଜମୁର୍ଖ ରତ୍ନାକରକୁ ଜ୍ଞାନଦାନ କରୁଛନ୍ତି–ମୋ ମାଆ କହୁଥିଲା–

 

ସେମାନେ ଆଉ କଅଣ କଥାବାର୍ତ୍ତା ହେଲେ ସେ କଥା ଶୁଣି ପାରି ନ ଥିଲା ମୌସୁମୀ । ରତ୍ନାକର ଗୋଟାଏ ରିକ୍‌ସା ଡାକି ଆଣୁଥିଲା । ସାହିର ଯେଉଁମାନେ ବି ତାକୁ ଦେଖି ଟୀକା, ଟିପ୍‌ପଣୀ କରନ୍ତି, ରତ୍ନାକରକୁ ଦେଖିଲେ ସେମାନଙ୍କ ଜିଭ ଜଡ଼ ହୋଇଯାଏ । ଏ ଅଞ୍ଚଳରେ ସମସ୍ତେ ଯେ ରତ୍ନାକରକୁ ଭୟ କରନ୍ତି, ସେ କଥା ବେଶ୍‌ ବୁଝି ପାରୁଥିଲା ମୌସୁମୀ ।

 

ଏକା ଏଇ ସାହି ଲୋକେ ନୁହନ୍ତି, ଏ ଅଞ୍ଚଳର ଅନେକ ଲୋକ ମାଳବିକାକୁ ସେ ଟିଉସନ୍‌ କରିବା ପାଇଁ ରତ୍ନାକରର ଘରକୁ ଆସିବା ପସନ୍ଦ କରନ୍ତି ନାହିଁ । କିଛି ପରିମାଣରେ କୁତ୍ସିତ କୁତ୍ସା ମଧ୍ୟ ଏଥି ମଧ୍ୟରେ ସେ ପ୍ରସଙ୍ଗ ନେଇ ରଟିତ ହୋଇଛି । ଆଜି କାଲି ସେ ବିଷୟରେ ସ୍କୁଲରେ ମଧ୍ୟ କେହି କେହି ମନ୍ତବ୍ୟ କରନ୍ତି, ତା’ ପଛରେ । ଶୁଣି ମଧ୍ୟ ନ ଶୁଣିଲା ଭଳି ସେ ସବୁ ମନ୍ତବ୍ୟକୁ ଏଡ଼ାଇ ଯାଏ ମୌସୁମୀ । କାରଣ ସେ ଜାଣେ, ଅବିବାହିତା ଝିଅ ପିତୃଗୃହ ନ ହେଲେ ସ୍ୱାମୀ ଗୃହର ଆଶ୍ରୟ ଛାଡ଼ି ବାହାରକୁ ଆସିଲେ ଏମିତି ନିନ୍ଦା ଅନେକ ଶୁଣିବାକୁ ମିଳେ–

 

ତା’ ନିଜ ମନ ଭିତରେ କୌଣସି ଦ୍ୱିଧା ନାହିଁ ।

 

ଏତେ ଦିନର ଶିକ୍ଷୟିତ୍ରୀ ଜୀବନରେ ରତ୍ନାକରକୁ ପଢ଼ାଇଲାବେଳେ ସେ ଯେଉଁ ମାନସିକ ତୃପ୍ତି ପାଇଛି, ସେ ତୃପ୍ତି ସେ ଆଉ କାହାକୁ ପଢ଼ାଇ ସେ ପାଇ ନାହିଁ । କାରଣ ନିର୍ବୋଧ, ସ୍ଥୂଳବୁଦ୍ଧି ରତ୍ନାକରକୁ ପଢ଼ାଇବା ପାଇଁ କେବଳ ଜ୍ଞାନ ନୁହେଁ, ରୀତିମତ ଧୈର୍ଯ୍ୟ ଓ ସାଧନା ଥିବା ଦରକାର !

 

।। ୨୦ ।।

 

ବିବାହର ଦୁଇମାସ ପରେ ପୁଣି ଶିକ୍ଷୟିତ୍ରୀ ନିବାସକୁ ଆସିଛି କମଳିନୀ ।

 

ରିକ୍‌ସାରୁ ଓହ୍ଲାଇ କମଳିନୀ ଯେତେବେଳେ ଫାଟକ ଡେଇଁ ଭିତରକୁ ଆସିଲା, ନିଶ୍ଚଳ ଦୃଷ୍ଟିରେ ପାଷାଣ ପ୍ରତିମା ଭଳି ତା’ ଆସିବା ବାଟକୁ ଚାହିଁ ରହିଥିଲା ପ୍ରତିମା । କମଳିନୀ ଯେ ସତରେ ପୁଣି ଶିକ୍ଷୟିତ୍ରୀ ହେବାକୁ ଫେରି ଆସୁଛି, ଚାକରାଣୀଠାରୁ ଦୁଇ ତିନିଥର ଶୁଣିଲା ପରେ ମଧ୍ୟ ସେ ବିଶ୍ୱାସ କରି ନ ଥିଲା । ରିକ୍‌ସାରୁ ଓହ୍ଲାଇ ସେ ଆସୁଥିବା ଦେଖି ମଧ୍ୟ ତା’ର ସେ ସନ୍ଦେହ ମୋଚନ ହେଲା ନାହିଁ । ବିବାହ ପରେ ଯେ କମଳିନୀ ଆଉ ଆସିବ ନାହିଁ–ଏହା ଯେମିତି ତା’ର ସ୍ୱତଃସିଦ୍ଧ ଧାରଣା ହୋଇଯାଇଥିଲା !

 

ଏ ପ୍ରତିମା ! ଏମିତି ଠିଆ ହୋଇଛୁ ଯେ ! ମତେ କଅଣ କଥା କହିବୁ ନାହିଁ !–ପ୍ରତିମାର ଖୁବ୍‌ ପାଖକୁ ଆସି କମଳିନୀ ହସି ହସି ପ୍ରଶ୍ନ କଲା ।

 

ତଥାପି ପ୍ରତିମା କଣ୍ଠରୁ ବାକ୍ୟ ସ୍ଫୁରଣ ହେଲା ନାହିଁ । ସେ କେବଳ ଜଳଜଳ କରି କମଳିନୀକୁ ଚାହିଁଲା, କଥା କହିବାକୁ ଉଦ୍ୟମ କଲା ନାହିଁ ।

 

କମଳିନୀ ଲକ୍ଷ୍ୟକଲା କେଇ ବିନ୍ଦୁ ଲୁହରେ ପ୍ରତିମାର ଆଶ୍ଚର୍ଯ୍ୟ ସୁନ୍ଦର ଆଖି ଦୁଇଟି ଛଳଛଳ କରୁଛି । କାନ୍ଦୁଛି ଠିଆ ହୋଇ ମିଶନ ବାଳିକା ବିଦ୍ୟାଳୟର ଇତିହାସ–ଭୂଗୋଳ ଶିକ୍ଷୟିତ୍ରୀ ପ୍ରତିମା ! କାହିଁକି ?

 

: ତୁ କାନ୍ଦୁଛୁ ? –କମଳିନୀ ପ୍ରଶ୍ନ କଲା ।

 

: ଆଖିରୁ ଲୁହ ପୋଛି ନେଇ ପ୍ରତିମା କହିଲା, କାନ୍ଦୁଛି ? କାହିଁ ? ନାହିଁ ତ–

 

ତା’ପରେ ହସିବା ପାଇଁ ଚେଷ୍ଟା କରି ସେ କହିଲା, କାନ୍ଦିଲେ କଅଣ ତୋ ଛାତିରେ ଦାଗ ଲାଗିଯାଉଛି ? କୁହାନାହିଁ–ବୋଲାନାହିଁ–ଚୁପକିନି ମୁକୁଟପିନ୍ଧି ବେଦୀରେ ବସି ପଡ଼ିଲୁ ତ ! ମତେ କହିଥିଲେ କଅଣ ତୋ ବରକୁ ମୁଁ ଛଡ଼ାଇ ନେଇ ଥାଆନ୍ତି– !

 

ପ୍ରତିମା ମନର କୋଣରେ ଆଘାତର ଦାଗ ଲାଗିଛି, ଏଥର ସେକଥା ବେଶ୍‌ ବୁଝିପାରିଲା କମଳିନୀ ।

 

ପ୍ରତିମା ବେକରେ ନିଜର ଦୁଇ ବାହୁ ଛନ୍ଦି ଦେଇ କହିଲା, ବିଶ୍ୱାସ କର ! ସତରେ ମୋର ବାହାଘର ହେବ–ଏ କଥା ମୁଁ ନିଜେ ଭଲ କରି ଜାଣି ନ ଥିଲି । ଶାନ୍ତନୁ ଯେତେବେଳେ ମତେ ସେ ସମ୍ପର୍କରେ ଚିଠି ଲେଖିଲା, ମୁଁ ଭାବିଲି ସେ ପରିହାସ କରି ଲେଖିଛି–

 

ମିଛ–ମିଛ–ସମ୍ପୂର୍ଣ୍ଣ ମିଛ । ଶିକ୍ଷୟିତ୍ରୀ ହୋଇ ଏପରି ଡାହା ମିଛ କହିବା ଶୋଭାପାଏ ନାହିଁ ତୋ ମୁହଁରେ । ଆଚ୍ଛା, ବିବାହ କଥା ନ ହେଲା, ଶାନ୍ତନୁ ବାବୁଙ୍କ ସାଙ୍ଗରେ ତୋର ଯେ ପ୍ରେମ ଥିଲା, ଏ କଥା ତ ମତେ ଥରେ କହିପାରି ଥାଆନ୍ତୁ ! ନା–ସେ କଥା ବି ତତେ ଜଣା ନ ଥିଲା–ପ୍ରତିମା କଣ୍ଠ ସ୍ୱରରେ ଏଥର କଜିଆ କରିବାର ଜୋର୍‌ ଭରି ରହିଥିଲା ଭଳି ମନେ ହେଉଥିଲା ।

 

ନିଜର ପ୍ରିୟ–ସଖୀର ଏଭଳି ଅକାରଣ ଅଭିମାନ ଦେଖି ଦୁଃଖ କରିବା ବଦଳରେ ହିଲ୍ଲୋଳିତ ହସରେ ନିଜର ସ୍ଥୂଳକାୟ ଦେହକୁ ପ୍ରକମ୍ପିତ କରିଦେଲା କମଳିନୀ । ପ୍ରତିମାକୁ ଟାଣି ଆଣି ତା’ର ଶଯ୍ୟା ଉପରେ ଜୋର୍‌ କରି ବସାଇଦେଲା ।

 

କହିଲା, ଶାନ୍ତନୁ ମୋତେ ପ୍ରେମ କରୁଛି, ଏ କଥା କହିଥିଲେ ତମେ କେହି ବିଶ୍ୱାସ କରିଥାଆନ୍ତ ! ମୋ ଭଳି କାଳି, ସ୍ଥୂଳକାୟା ରମଣୀକୁ ଶାନ୍ତନୁ ଯେ କାହିଁକି ଭଲପାଏ, ସେ କଥା ବେଳେବେଳେ ମୁଁ ନିଜେ ଯେତେବେଳେ ବୁଝି ପାରୁ ନ ଥିଲି, ତମେ ସବୁ ସେ କଥା ବୁଝି ଥାଆନ୍ତୁ ବୋଲି ମୁଁ କାହିଁକି ଆଶା କରନ୍ତି ! ଶାନ୍ତନୁ ମୋର ପ୍ରେମିକ–ଏ କଥା କହିଥିଲେ ତମେ ସମସ୍ତେ ହସିଥାଆନ୍ତ । ସେଥିପାଇଁ ସେ କଥା କହିବା ପାଇଁ ଚେଷ୍ଟା କରି ମଧ୍ୟ ମୁଁ କହି ପାରି ନ ଥିଲି ।

 

:କିନ୍ତୁ ଶାନ୍ତନୁ ବାବୁ ତତେ ଭଲ ପାଉଥିଲେ ଏ କଥା ସତ ତ ! –ପ୍ରତିମା ପ୍ରକୃତ ସତ୍ୟଟା ଜାଣିବା ପାଇଁ ଛୋଟ ଶିଶୁଟିଏ ଭଳି ଜିଦ୍‌ କଲା ।

 

କମଳିନୀ ଅନୁଭବ କଲା, ଶାନ୍ତନୁ ତାକୁ ବିବାହ କରିଛି, ଏଥିରେ ଯେତେ କ୍ଷୁଣ୍ଣ ହୋଇନାହିଁ, ଶାନ୍ତନୁ ତାକୁ ଭଲ ପାଏ–ଏକଥା ଅନୁମାନ କରି ତା’ ଠାରୁ ବେଶି ଆହତ ହୋଇଛି ପ୍ରତିମା । ସେ ସେଥିପାଇଁ ପ୍ରତିମା ପିଠି ଆଉଁଷି କହିଲା, ଶାନ୍ତନୁ ହୁଏତ ମତେ ଭଲପାଏ, ତା’ ନ ହେଲେ ମୋ ଭଳି ଅସୁନ୍ଦରୀ ଝିଅକୁ ସେ ବିବାହ କରିଥାଆନ୍ତା କାହିଁକି ? କିନ୍ତୁ ତୁ ଯେମିତି ମତେ ହୃଦୟ ଦେଇ ଭଲପାଉ, ସେ ଭଳି ଭଲ ପାଇବା ମୁଁ କେବେ କାହାଠାରୁ ପାଇବି ନାହିଁ । ଅବଶ୍ୟ ତୋ ଭଲ ପାଇବାକୁ ଅନ୍ୟ ଜଣେ ପୁରୁଷର ଭଲ ପାଇବା ସହିତ ତୁଳନା କରାଯାଇପାରେନା–

 

ପ୍ରତିମା ଏଥର ନୀରବ ରହିଲା ।

 

ଶୂନ୍ୟ ଦୃଷ୍ଟିରେ କମଳିନୀକୁ ନିରୀକ୍ଷଣ କରି ଦେଖିଲା ।

 

କିଛି ସମୟ ପରେ କହିଲା, ତୁ ପୁଣି ଚାକିରି କରିବାକୁ ଆସିଲୁ କାହିଁକି ? ଶାନ୍ତନୁ ବାବୁଙ୍କ ସହ ତୋର ବଲାଙ୍ଗୀର ଯିବାର ଥିଲା–

 

ଏଥର କମଳିନୀ ଗୋଟାଏ ଦୀର୍ଘଶ୍ୱାସ ତ୍ୟାଗ କଲା ।

 

କହିଲା, ମତେ କଥା ଦେଇଥିଲା ବୋଲି ସେ ହୁଏତ ମତେ ବିବାହ କଲା, କିନ୍ତୁ ମୋ ଭଳି ଏକ ଅସୁନ୍ଦରୀ ସ୍ତ୍ରୀକୁ ନେଇ ସେ ଚାରିଆଡ଼େ ବୁଲିବ–ଏ କଥା ସେ ହୁଏତ ଆଶା କରୁ ନ ଥିଲା–

 

କମଳିନୀର ନବବିବାହିତ ଜୀବନରେ କେଉଁଠି କିପରି ଫାଙ୍କ୍‌ ସୃଷ୍ଟି ହୋଇଥିବା ଭଳି ତା’ କଥାରୁ ଅନୁମାନ କଲା ପ୍ରତିମା ।

 

: ତତେ କଅଣ ଏଇ ଶିକ୍ଷୟିତ୍ରୀ ଚାକିରି କରିବାକୁ ଶାନ୍ତନୁ ବାବୁ ବାଧ୍ୟ କଲେ ?

 

: ନା, ଠିକ୍‌ ତା’ ନୁହେଁ । ମୁଁ ଯେତେବେଳେ କହିଲି ଯେ ଦୁଇ ମାସ ପରେ ସ୍କୁଲରେ ଯୋଗ ନ ଦେଲେ ମତେ ଇସ୍ତଫା ଦେବାକୁ ପଡ଼ିବ, ସେ କିଛି କହିଲା ନାହିଁ । ଆଉ ମୁଁ ଯେତେବେଳେ ସ୍କୁଲକୁ ଆସିବା ପାଇଁ ବାହାରିଲି, ସେ ଆସିବାର ସମସ୍ତ ବ୍ୟବସ୍ଥା କରିଦେଲା । ବାସ୍‌–

 

: ଶାନ୍ତନୁ ବାବୁ ଚିଠି ଲେଖିଲେ ତୁ ପୁଣି ଇସ୍ତଫା ଦେଇ ଏଠାରୁ ଚାଲିଯିବୁ ନା !

 

ଏଥର ପ୍ରତିମା କଥାର କୌଣସି ଉତ୍ତର ଦେଲା ନାହିଁ କମଳିନୀ ! ଅନେକ ସମୟ ଧରି ସେ ତା’ର ପ୍ରିୟ-ସଙ୍ଗୀ ମନର ଭାବାନ୍ତରକୁ ଲକ୍ଷ୍ୟ କଲା । ସେ ବିବାହ କରିଗଲା ପରେ ପ୍ରତିମା ଯେ ଖୁବ୍ ଭାଙ୍ଗିପଡ଼ିଛି, ସେ କଥା ବୁଝିବାରେ ତା’ର କୌଣସି ଅସୁବିଧା ହେଉ ନ ଥିଲା । ତା’ ପାଇଁ ସେ ନିଜେ ମନ ଭିତରେ କିପରି ଏକ ଅଜ୍ଞାତ ବେଦନା ଅନୁଭବ କଲା । ପ୍ରତିମାକୁ ନିଜ ଛାତି ଉପରକୁ ଟାଣି ଆଣି କହିଲା, ନାଇଁ ଲୋ–ଆଉ ଯିବିନି–ଶାନ୍ତନୁ ବାଧ୍ୟ କଲେ ମଧ୍ୟ ନୁହେଁ–

 

ପ୍ରତିମାର ଦୁଇ ଆଖି ପୁଣି ଓଦା ହୋଇ ଆସିଲା ।

 

ଗାଧୁଆ ଘରୁ ବାହାରି ମୌସୁମୀ ଶୟନ କକ୍ଷରେ ପ୍ରବେଶ କରୁଥିଲା । କମଳିନୀକୁ ଦେଖି ସେ ଛୋଟ ପାଟିରେ ଚିତ୍କାର କରିଉଠିଲା, ଆରେ ଏ ଅପୂର୍ବ କେତେବେଳେ !

 

ପ୍ରତିମା କମଳିନୀଠାରୁ ଦୂରକୁ ଘୁଞ୍ଚିଗଲା ।

 

ତାକୁ ଲକ୍ଷ୍ୟକରି ମୌସୁମୀ ମୃଦୁ ହସି କହିଲା, ତମ ବିରହରେ ପ୍ରତିମା ବିଚାରୀ ଶୁଖି ଶୁଖି କାଠ ହୋଇଯାଇଥିଲା କମଳା ଅପା ! ଏଥର ତା’ ଦେହରେ ଜୀବନ ପଶିବ ।

 

:କାହିଁକି ? ତମେ ତ ଥିଲ–ପ୍ରତିମା ବିରହିଣୀ ହୋଇ ଶୁଖିଗଲା କାହିଁକି ? –କମଳିନୀ ଲଘ ପରିହାସରେ କହିଲା ।

 

ଶାଢ଼ି ବଦଳାଇବା ପାଇଁ ଅନ୍ୟ କୋଠରୀକୁ ଚାଲିଯିବା ଆଗରୁ ମୌସୁମୀ ଉତ୍ତର ଦେଇଗଲା, ମଣିଷର ଶୋଷ ତ ଆଉ ସମୁଦ୍ର ଜଳରେ ମେଣ୍ଟେ ନାହିଁ ! ମୁଁ ଥିଲେ କଅଣ ହେଲା !

 

ତା’ର ସେ ମନ୍ତବ୍ୟ ଶୁଣି କମଳିନୀ ଆଉ ପ୍ରତିମା ଆଖି ଠରାଠରି ହୋଇ ହସିଲେ ।

 

କିଛି ସମୟ ପରେ ମୌସୁମୀ ପୁଣି ଶାଢ଼ି ବଦଳାଇ ଫେରିଆସିଲା ।

 

କହିଲା, ତମେ ଆସିଲ ମାନେ ଆମେ ବଞ୍ଚିଗଲୁ । ତମେ ଛୁଟିରେ ଗଲା ପରେ ପ୍ରଭା ଅପା ସ୍ୱାସ୍ଥ୍ୟରକ୍ଷା ଓ ଶରୀରତତ୍ତ୍ୱ ପଢ଼ାଉଥିଲେ । ସେ’ତ ଆସି ଯିବେ ଯିବେ ବୋଲି ଅଥୟ ହେଲେଣି । ତମେ ନ ଆସିଥିଲେ ସେ ବୋଝ ଆମରି କାହାରି ଉପରେ ଲଦା ହୋଇଥାଆନ୍ତା–

 

ପ୍ରଭା ଅପା ଉପରେ ମିସ୍‌ ନାୟକ ଏକବାରେ ଖଡ୍‌ଗହସ୍ତା । ସବୁଦିନେ ସ୍କୁଲକୁ ଏବେ ଡେରି କରି ଆସୁଛନ୍ତି । ମିସ୍‌ ନାୟକ କାରଣ ପଚାରିଲେ ଉତ୍ତର ଦେଉଛନ୍ତି, ମୋର ସବୁବେଳେ ଏମିତି ଡେରି ହେବ । ମୋ ଦ୍ୱାରା ଯଦି ଅସୁବିଧା ହେଉଛି, ଅନ୍ୟ ଶିକ୍ଷୟିତ୍ରୀ ଦେଖ । ମିସ୍‌ ନାୟକ ଏକଥା ପରିଚାଳନା କମିଟି ଆଗରେ ପକାଇଲେଣି ।–ପ୍ରତିମା ମନ୍ତବ୍ୟ କଲା ।

 

ଭ୍ରୂକୁଞ୍ଚିତ କରି କମଳିନୀ କହିଲା, କାହିଁ, ପ୍ରଭା ଅପା ତ ଆଗରୁ ସେମିତି ନ ଥିଲେ ! ନିୟମିତ ସ୍କୁଲକୁ ଆସିବାରେ ତାଙ୍କର ଆଗରୁ କେବେ ବିଳମ୍ୱ ହେଉଥିବା କଥା ମୋର ଅନ୍ତତଃ ମନେ ପଡ଼ୁନି ।

 

:ଅସଲ କଥା ହେଉଛି, ପ୍ରଭା ଅପାଙ୍କର ଶିକ୍ଷୟିତ୍ରୀ ହେବା ପାଇଁ ଆଉ ଇଚ୍ଛା ନାହିଁ । ତାଙ୍କ ସ୍ୱାମୀ କୁଆଡ଼େ ଆସିଷ୍ଟାଣ୍ଟ୍‍ ଇଞ୍ଜିନିୟର ହେଲେଣି । ପ୍ରଭା ଅପା ସ୍ୱାମୀଙ୍କ ସହିତ ବାଲିମେଳା ଯିବେ । ମତେ କହୁଥିଲେ, ବି.ଇ.ଡ଼ି. ପଢିଲି ବୋଲି ଆଜୀବନ ଶିକ୍ଷୟିତ୍ରୀ ହେବି ଏହାର କିଛି ମାନେ ନାହିଁ । –ମୌସୁମୀ ପ୍ରଭା ଅପାଙ୍କ ସ୍କୁଲ ବିଳମ୍ୱରେ ଆସିବାର କାରଣ ବିଶ୍ଳେଷଣ କଲା ।

 

ପ୍ରତିମା କହିଲା, ସେ କଥା ନୁହେଁ–ବିବାହିତା ଶିକ୍ଷୟିତ୍ରୀମାନଙ୍କ ଉପରେ ମିସ୍‌ ନାୟକଙ୍କର ସବୁବେଳେ ବିଷ ଦୃଷ୍ଟି ।

 

କମଳିନୀ ପରିହାସ କଲା, ସେଇଥିପାଇଁ ବୋଧହୁଏ ତୁ ବିବାହ କଥା ଶୁଣିଲେ ମୁହଁ ମୋଡ଼ୁଛୁ । ନା !

 

ତା’ର ସେ ମନ୍ତବ୍ୟ ଶୁଣି ତିନିଜଣ ଯାକ ହସିଉଠିଲେ ।

 

ମୌସୁମୀ କହିଲା, ଯାହା କୁହ ପଛେ, ବାଡ଼ୁଅ ପାଣି ପଡ଼ିଲା ପରେ ତମ ରଙ୍ଗ ଫିଟିଯାଇଛି କମଳ ଅପା ! ତମକୁ ଆଉ କାଳି ବୋଲି କେହି କହିପାରିବେ ନାହିଁ–

 

: ମୁଁ କଅଣ ଆଗରୁ ସତରେ କାଳି ଥିଲି ! ମୋ ସ୍ୱାମୀ ତ କହନ୍ତି, ମତେ ଯେଉଁମାନେ କାଳି ବୋଲି କହନ୍ତି, ସେମାନେ ଆଖିରେ ଚଷମା ପିନ୍ଧିବା ଦରକାର । ନିଜ ପରିହାସରେ ନିଜେ ହସିଉଠିଲା କମଳିନୀ ।

 

କମଳିନୀର ସ୍ୱାମୀ ଅଧ୍ୟାପକ ଶାନ୍ତନୁ ଦାସ ଖୁବ୍‌ ତକତକ ଗୋରା ବୋଲି ମଞ୍ଜୁଳା କହୁଥିଲା । ନିଜେ ନ ଦେଖିଥିଲେ ବି ମୌସୁମୀ ଅନୁମାନ କଲା, କମଳ ଅପାଙ୍କ ବରର ଦେହ ରଙ୍ଗ କେବଳ ସଫା ନୁହେଁ, ମନଟି ମଧ୍ୟ ସ୍ୱଚ୍ଛ । ତା’ ନ ହେଲେ ଏ ଯୁଗରେ ନିଜର ପ୍ରେମ ପ୍ରତି ଅନୁରକ୍ତି ଦେଖାଇବା ପାଇଁ ତାଙ୍କ ଭଳି ଯୋଗ୍ୟ, ସୁପୁରୁଷ କମଳିନୀ ଭଳି ଝିଅକୁ ବିବାହ କରିଥାଆନ୍ତେ କାହିଁକି ?

 

ଶାନ୍ତନୁ ବାବୁଙ୍କ ମହାନୁଭବତା, ପ୍ରେମ ପ୍ରତି ଅନୁରକ୍ତି କଥା ଭାବିବା ମାତ୍ରେ ଅତନୁ କଥା ତମର ସ୍ମରଣ ହୋଇ ଯାଇଥିଲା ।

 

ଏକ ରୁଦ୍ଧ ଆବେଗରେ ଛାତି ଭିତର ତା’ର ଭରି ଉଠୁଥିଲା ।

 

ଆଉ କିଛି କଥାବାର୍ତ୍ତା ନ କରି ଏକ ଲୟରେ ସେ ଚାହିଁ ରହିଥିଲା କମଳିନୀ ଆଡ଼କୁ । ସତରେ କମଳିନୀର ରଙ୍ଗ କିପରି ଆଜି ବେଶୀ ସଫା ଜଣା ପଡ଼ୁଛି । ଏକ ଚାପା ଆନନ୍ଦର ଉଚ୍ଛ୍ୱାସରେ ତା’ର ଦେହ ମନ ନୂତନ ଲାବଣ୍ୟରେ ମଣ୍ତିତ ହୋଇଛି ।

 

ସବୁଠାରୁ ସୁନ୍ଦର ଦିଶୁଛି ତା’ ସୀମନ୍ତର ସିନ୍ଦୂର ଟୋପା ।

 

କମଳିନୀର ନବଜନ୍ମ ଘଟିଛି ।

 

ଆଉ ତା’ର !

 

ଚାକରାଣୀ ଖବର ଦେଲେ, କମଳ ଅପା ! ତମେ କଅଣ ଖାଲି ଗପ କରୁଥିବ–ଗାଧୁଆ ପାଧୁଆ କରିବ ନାହିଁ !

 

ସତେ ତ !

 

ସ୍କୁଲ ବେଳ ଯେ ନିକଟ ହୋଇ ଆସୁଛି !

 

।। ୨୧ ।।

 

କଲିକତାର ଇନ୍‌ଡୋର ସୁଟିଂ ପ୍ରାୟ ଶେଷ ହୋଇ ଆସିଲାଣି ।

 

ସୁଟିଂ ନେଇ ମଞ୍ଜୁଳା ମନରେ ଯେଉଁ ଉତ୍ତେଜନା, ଆଗ୍ରହ ଓ ଉଦ୍‌ବେଗ ଭରି ରହିଥିଲା, ସେ ସବୁ କିପରି ଆପେ ଆପେ ଊଣା ପଡ଼ି ଆସୁଛି । କେବଳ ଏତିକି ନୁହେଁ–ସେ ଯେମିତି ଆହୁରି କିଛି ଚାହେଁ–ଏଇ ଚଳେ ଜଳରେ ଶୋଷ ମେଣ୍ଟେ ନାଇଁ–ଆହୁରି ଜଳ–ନଈ ନଈ ଜଳ...।

 

‘ଇନ୍ଦ୍ରଧନୁ’ର ନିର୍ଦ୍ଦେଶକ ମିଷ୍ଟର ସେନ୍‌ କହୁଥିଲେ, ତାଙ୍କ ହାତରେ ଗୋଟାଏ ହିନ୍ଦୀ ଛବି ଅଛି । ଇଚ୍ଛା କଲେ ସେ ତାକୁ ସେଥିରେ ଗୋଟିଏ ରୋଲ୍‌ ଦେଇପାରନ୍ତି । କଥା କହିସାରି ସେ ତା’ର ମୁହଁକୁ ଚାହିଁଥିଲେ । ତାଙ୍କ ଦୃଷ୍ଟିରେ କିପରି ଏକ ଦାହିକା ଶକ୍ତି ଥିବା ଭଳି ସେ ଅନୁଭବ କରୁଥିଲା । ସେ ହୁଏତ ଆଶା କରୁଥିଲେ, ତାଙ୍କ ହାତରେ ଥିବା ହିନ୍ଦୀ ଫିଲ୍ମିରେ ନାୟିକା ନ ହେଲେ ଅନ୍ତତଃ ଏକ ଉପନାୟିକାର ଭୂମିକା ସେ ହାତପାତି ପ୍ରାର୍ଥନା କରିବ । ଆଉ ସେହି ସୁଯୋଗରେ ସେ ତା’ ଠାରୁ ଏପରି ଏକ ମୂଲ୍ୟ ଦାବି କରି ବସିବେ, ଯାହା ଯେ କୌଣସି ଆତ୍ମସମ୍ମାନ ଜ୍ଞାନ ଥିବା ଓଡ଼ିଆ ଝିଅ କେବେହେଲେ ଦେଇପାରେ ନାହିଁ !

 

ନିର୍ଦ୍ଦେଶ ଦେବା ସମୟରେ ଅନେକ ଥର ମିଷ୍ଟର ସେନ୍‌ ତା’ ସହିତ ଘନିଷ୍ଠ ହେବାକୁ ଚେଷ୍ଟା କରିଛନ୍ତି । ଅଭିନୟ କରିବାର ଭଙ୍ଗୀ କିପରି ହେବା ଉଚିତ ସେ କଥା ବୁଝାଇ ଦେବାକୁ ଚେଷ୍ଟା କଲାବେଳେ ସେ ତା’ ଦେହର ଏପରି କେତେକ ଅଂଶ ସ୍ପର୍ଶ କରିବାକୁ ଇଚ୍ଛା କରିଛନ୍ତି, ଯାହା ତାଙ୍କ ବୟସରେ, ତାଙ୍କ ଭଳି ଜଣେ ପ୍ରଖ୍ୟାତଯଶା ଚିତ୍ର ନିର୍ଦ୍ଦେଶକଠାରୁ କେବେ ଆଶା କରି ନ ଥିଲା ମଞ୍ଜୁଳା ।

ସେ ତାଙ୍କୁ ପ୍ରଶ୍ରୟ ଦେଇ ନାହିଁ । ମିଷ୍ଟର ସେନ୍‌ ଜୋର୍‌ କରିବାକୁ ଚେଷ୍ଟା କଲାବେଳେ ସେ ତାଙ୍କୁ ଏପରି ତୀକ୍ଷଣ ଦୃଷ୍ଟିରେ ଚାହିଁଛି, ଯାହା ଫଳରେ ପାଦ ଗଣି ଗଣି ପଛକୁ ଘୁଞ୍ଚି ଯାଇଛନ୍ତି ମିଷ୍ଟର ସେନ୍‌ । ଏ ଭଳି ଦୁର୍ବଳ–ହୃଦୟ ପୁରୁଷମାନଙ୍କ ନୈତିକତା କଥା ଭଲ କରି ମଞ୍ଜୁଳା ଜାଣେ-। ଅପରାଧ କରିବାକୁ ଲମ୍ୱି ଆସୁଥିବା ଏମାନଙ୍କର ତୀକ୍ଷ୍‌ଣ ନଖଥିବା ହାତ ନାରୀର ନୀରବ ସମର୍ଥନ ପାଇଲେ ଯେପରି ରକ୍ତମୁଖା ହୋଇଉଠେ, ନାରୀର କ୍ରୋଧଦୀପ୍ତ ତୀକ୍ଷ୍‌ଣ ଆଖି ଦେଖିଲେ ସେହିପରି ସେ ହାତ ଆପେ ଆପେ ପଛକୁ ଘୁଞ୍ଚିଯାଏ ।

ମିଷ୍ଟର ସେନ୍‌ ପଛକୁ ଘୁଞ୍ଚିଯାଇଛନ୍ତି ସତ୍ୟ; କିନ୍ତୁ ଚେଷ୍ଟା ଛାଡ଼ି ନାହାନ୍ତି । ଚିତ୍ର ନିର୍ଦ୍ଦେଶକ ଭାବରେ ତାଙ୍କର ଭାରତ ବ୍ୟାପୀ ଖ୍ୟାତି । ଏତେ ସହଜରେ ପରାଜୟ ସ୍ୱୀକାର କଲା ଭଳି ଲୋକ ସେ ନୁହନ୍ତି । ସେଥିପାଇଁ ତାଙ୍କ ପାଖରେ ଥିବାବେଳେ ଖୁବ୍‌ ଅଶ୍ୱସ୍ତି ଅନୁଭବ କରେ ମଞ୍ଜୁଳା ।

କାଲି ମିଷ୍ଟର ସେନ୍‌ ଷ୍ଟୁଡ଼ିଓ ଚତ୍ୱରରେ ତାକୁ ଏକାକିନୀ ବସିଥିବା ଅବସ୍ଥାରେ ଦେଖି ପାଖରେ ଆସି ଠିଆ ହେଲେ । ହଠାତ୍‌ ପ୍ରଶ୍ନ କଲେ, ଆଉ କିଛିଦିନ ପରେ ତ ‘ଇନ୍ଦ୍ରଧନୁ’ର ସୁଟିଂ ସରିଯିବ । ତା’ପରେ ଆପଣ କଅଣ କରିବେ ? ଏ ବର୍ଷ ଅନ୍ତତଃ ଆଉ କିଛି ଓଡ଼ିଆ ଫିଲ୍ମ ହେବାର ତ ସମ୍ଭାବନା ନାହିଁ । ଅଥଚ ଆପଣ–

କିଛି ଉତ୍ତର ଦେଇପାରି ନ ଥିଲା ମଞ୍ଜୁଳା ।

ପୁଣି ସେ ଫେରିଯିବ କି ମିଶନ୍‌ ବାଳିକା ବିଦ୍ୟାଳୟକୁ ଶିକ୍ଷୟିତ୍ରୀ ହୋଇ !

 

ତା’ ହୁଏନା । ଏତେ ପ୍ରଶଂସା, ପ୍ରଚାର, ସୁଖ୍ୟାତି ପରେ ଆଉ ସ୍କୁଲ ମାଷ୍ଟରାଣୀ ହେବା ତାକୁ ସାଜିବ ନାହିଁ । ଆଜି ତାକୁ ଦେଖିବା ପାଇଁ ଦର୍ଶକ, ସମାଲୋଚକମାନଙ୍କର ଏତେ ଭିଡ଼ । ସେ ପୁଣି ଇଂରାଜି ପଢ଼ାଇବା ପାଇଁ ହାତରେ ବହି, ଚକ୍‌ ଖଡ଼ି ଧରି ମିଶନ ବାଳିକା ବିଦ୍ୟାଳୟ ଶ୍ରେଣୀ କୋଠରୀକୁ ଯିବ !

 

ମିଷ୍ଟର ସେନ୍‌ ତା’ ଆଡ଼କୁ କ୍ଷୁଧିତ ଦୃଷ୍ଟିରେ ଚାହିଁ ରହିଥିଲେ ।

 

କିଛି ଉତ୍ତର ନ ଦେଇ ସେ କେବଳ ମ୍ଳାନ ହସ ହସ ଥିଲା । କହିଥିଲା, ଠିକ୍‌ କରିନାହିଁ । ଅନ୍ତତଃ ‘ଇନ୍ଦ୍ରଧନୁ’ ରିଲିଜ୍‌ ହେଲା ପରେ ସେ କଥା ଚିନ୍ତା କରିବି ।

 

ମିଷ୍ଟର ସେନ୍‌ କହିଲେ, ସେ ହିନ୍ଦୀ ଫିଲ୍ମ କଥା ଆପଣ ଶେଷଥର ପାଇଁ ଭାବି ଦେଖନ୍ତୁ । ସେ ଫିଲ୍ମର ପ୍ରଯୋଜକ କାଲି ଗ୍ରାଣ୍ତ ହୋଟେଲକୁ ଆସୁଛନ୍ତି–ମୋ ସହିତ କଥାବାର୍ତ୍ତା କରିବା ପାଇଁ-। ଇଚ୍ଛା କଲେ ଆପଣ ମୋ ସହିତ ଆସିପାରନ୍ତି । ଯଦି ତାଙ୍କର ଦୃଷ୍ଟିରେ ପଡ଼ିଯାଆନ୍ତି, ତାହା ହେଲେ ଆପଣଙ୍କ ଭାଗ୍ୟ ବଦଳିଯିବ ।

 

କଥା ଶେଷ କରି ମିଷ୍ଟର ସେନ୍‌ ଏକ ଚମତ୍କାର ଠାଣିରେ ହସିଥିଲେ ।

 

ତା’ପରେ ଆଉ ଥରେ ଚାପା କଣ୍ଠରେ କହିଥିଲେ, ରୂପେଲି ପରଦାର ଚିତ୍ର ତାରକା ଇଚ୍ଛା କଲେ ମଧ୍ୟ ସହଜରେ ଆଉ ଧୁସର ମାଟିକୁ ଫେରିପାରେ ନାହିଁ । ମଞ୍ଜୁଳା ଦେବୀ ! ଆପଣଙ୍କ ଆଖି ଦୁଇଟି ଯେମିତି ଚମତ୍କାର–

 

ତାଙ୍କୁ ଆଉ ତା’ର ରୂପର ପ୍ରଶଂସା କରିବାକୁ ଦେଇ ନ ଥିଲା ମଞ୍ଜୁଳା । ମିଷ୍ଟର ସେନ୍‌ଙ୍କୁ ଶୁଣାଇ ଦେଇଥିଲା, ମୁଁ ପେଶାଦାର ଅଭିନେତ୍ରୀ ହେବାକୁ ଚାହେଁ ନାହିଁ । ମୁଁ ସୌଖୀନ୍‌ କଳାକାର । ‘ଇନ୍ଦ୍ରଧନୁ’ ପରେ ମୁଁ ଯଦି ଆଉ କିଛି ଓଡ଼ିଆ ଛବି ନ ପାଏ, ତାହାହେଲେ ମୋର ସ୍ୱାମୀଙ୍କ ସଂସାରରେ ମୁଁ ନାୟିକା ହେବା ଅପେକ୍ଷା ବାସ୍ତବ ଜଗତର ନାୟିକା ହେବା ମୋ ପକ୍ଷରେ ଖୁବ୍‌ ମୂଲ୍ୟବାନ୍‌ ।

 

ମିଷ୍ଟର ସେନ୍‌ଙ୍କ ମୁହଁରୁ ଝାଳ ନିଗିଡ଼ି ଆସିଥିଲା ।

 

ଜଣେ ଓଡ଼ିଆ ଅଭିନେତ୍ରୀ ମୁହଁରୁ ଏଭଳି କଥା ଶୁଣିବେ ବୋଲି ସେ ସମ୍ଭବତଃ ଆଶା କରି ନ ଥିଲି । ସେ ଚାଲାକ୍‌ ଲୋକ । ନିଜ ଦୁର୍ବଳତା ଏତେ ସହଜରେ ଜଣେ ଅଭିନେତ୍ରୀ ପାଖରେ ସେ ପ୍ରକାଶ କରିଦେବା ଭଳି ଲୋକେ ନୁହନ୍ତି ।

 

ମଞ୍ଜୁଳା ମୁହଁକୁ ଚାହିଁ ସେ ଚେଷ୍ଟା କରି ହସିଥିଲେ ।

 

କହିଥିଲେ, ଆପଣଙ୍କ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ପଷ୍ଟ ମତାମତ ଜାଣି ମୁଁ ଭାରି ଖୁସି ହେଲି । ମନେ ରଖିଲା ଭଳି କଥା ପଦେ ଆପଣ କହିଛନ୍ତି । ମୋର ସବୁଦିନ ପାଇଁ ମନେ ରହିବ । ଯଦି ସମ୍ଭବ ହୁଏ କୌଣସି ଆଗାମୀ ଛବିର ଚିତ୍ରନାଟ୍ୟରେ ଏ ସଂଳାପ ମୁଁ ବ୍ୟବହାର କରିବି ।

 

ଆଜି ସକାଳୁ ସେ ଶୁଣିଲା ମିଷ୍ଟର ସେନ୍‌ କୁଆଡ଼େ କୈଳାସ ବାବୁ ଓ ରମେଶ ବାବୁଙ୍କୁ କହିଛନ୍ତି, ତାକୁ ନେଇ ଫିଲ୍ମ କରିବା ବଡ଼ ମୁସ୍କିଲ୍‌ । ଅଭିନୟ କରିବାରେ ତା’ର କୌଣସି ଦକ୍ଷତା ନାହିଁ, ଆନ୍ତରିକତା ମଧ୍ୟ ସେ ଦେଖାଉନାହିଁ । ଫିଲ୍ମ ଯଦି ହିଟ୍‌ ନ କରେ ସେଥିପାଇଁ ଦାୟୀ ହେବ ମଞ୍ଜୁଳା ।

 

ମୃଣାଳ ମୁହଁରୁ ସେ କଥା ଶୁଣିଲାବେଳେ ମନ ଦୁଃଖ କରିବା ବଦଳରେ ହସିଥିଲା ମଞ୍ଜୁଳା । କହିଲା, ଶିଳ୍ପୀ ନିର୍ବାଚନ ବେଳେ ତମେ ମିଷ୍ଟର ସେନ୍‌ଙ୍କ ମନୋନୀତ ପ୍ରାର୍ଥଙ୍କୁ ବାଛିବା ଉଚିତ ଥିଲା । ବର୍ତ୍ତମାନ ଅନେକ ବିଳମ୍ବ ହୋଇଗଲାଣି ।

 

ମୃଣାଳ ବିସ୍ମିତ କଣ୍ଠରେ କହିଲା, କଅଣ ହୋଇଛି କିଛି ମୁଁ ବୁଝିପାରୁ ନାହିଁ ।

 

ମଞ୍ଜୁଳା ବୁଝାଇବାକୁ ଚେଷ୍ଟା କରିଥିଲା, କାଲି ମୋର ଅଭିନୟ ଖୁବ୍‌ ଭଲ ହେଇଛି, ମୋ ଆଖି ଦୁଇଟି ଚମତ୍କାର, ମତେ ଗୋଟିଏ ହିନ୍ଦୀ ଫିଲ୍ମରେ ରୋଲ ଦେବାପାଇଁ ସେ ତାଙ୍କ ସାଙ୍ଗରେ ଗ୍ରାଣ୍ତକୁ ଯିବା ପାଇଁ ଡାକୁଥିଲେ, ଆଉ ସେଥିପାଇଁ ମନା କରିଦେଲି ବୋଲି ଆଜି ସକାଳୁ ମୋ ଅଭିନୟ ଦକ୍ଷତା ହ୍ରାସ ପାଇଗଲା !

 

ତା’ର କଥା ଶୁଣି ମୃଣାଳ ଦାନ୍ତରେ ଓଠ ଚାପିଧରି ମୁଣ୍ତବାଳକୁ ହାତ ମୁଠାରେ ଟାଣିବାକୁ ଲାଗିଲା । ତା’ପରେ ଚାପା କଣ୍ଠରେ କହିଲା, ଓଡ଼ିଶାରେ ଷ୍ଟୁଡ଼ିଓ ନ ହେଲେ, ସୁଦକ୍ଷ ଓଡ଼ିଆ ଚିତ୍ର ନିର୍ଦ୍ଦେଶକ ନ ବାହାରିଲେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର କୌଣସି ଅଗ୍ରଗତି ହେବ ନାହିଁ ।

 

ମଞ୍ଜୁଳା ବୁଝିଲା ମୃଣାଳର କ୍ରୋଧ, ନପୁଂସକର କ୍ରୋଧ । ଇଚ୍ଛା କଲେ ମଧ୍ୟ ସେ ମିଷ୍ଟର ସେନ୍‌ଙ୍କୁ କିଛି କହିପାରିବେ ନାହିଁ । ‘ଇନ୍ଦ୍ରଧନୁ’ ଚିତ୍ରରେ ପ୍ରାୟ ତିନିଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି । ସେଥିରେ ତା’ର ଅଂଶ ମାତ୍ର ପଚାଶ ହଜାର ।

 

ଯିବା ପୂର୍ବରୁ ମୃଣାଳ କହିଲା, ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ ଚିତ୍ର ନିର୍ଦ୍ଦେଶକ ମିଷ୍ଟର ସେନ୍‌-। ତମେ ଯାହା କହୁଛ, ସେକଥା କୈଳାଶ କିମ୍ୱା ରମେଶ ବାବୁଙ୍କୁ କହିଲେ ସେମାନେ ବିଶ୍ୱାସ କରିବେ ନାହିଁ । ଆଉ ଅଳ୍ପ କେତୋଟି ଦିନର ସୁଟିଂ ବାକି । ତମେ ଟିକିଏ ଚଳେଇ ନିଅ–

 

ମୃଣାଳ କଥାର ଶେଷ ଧାଡ଼ିଟା ମଞ୍ଜୁଳାର ଆତ୍ମ-ସମ୍ମାନକୁ ବାଧିଲା ।

 

ତା’ର ମନେ ହୋଇଥିଲା, ନିଜର ଭାବୀ–ପତ୍ନୀ ପ୍ରତି ଅସାଦାଚରଣ କରିବାକୁ ଯାଉଥିବା ଲମ୍ପଟ ପୁରୁଷକୁ ସତେ ଯେମିତି ଭୀରୁ, କାପୁରୁଷ ଭଳି ସେ ପ୍ରଶ୍ରୟ ଦେବାପାଇଁ ଅନୁରୋଧ କରିଯାଉଛି !

 

ସେତିକିବେଳଠାରୁ ମଞ୍ଜୁଳାର ମନ ଖରାପ ।

 

ସୁଟିଂ ପ୍ରତି ଥିବା ତା’ର ଆଗ୍ରହ ଆପେ ଆପେ କିପରି ହ୍ରାସ ପାଇ ଯାଇଛି !

 

ଚଳଚ୍ଚିତ୍ର ଜଗତର ଆକାଶଟା ତାକୁ କିପରି ଭୀଷଣ ଅନ୍ଧକାର ଦେଖାଯାଉଛି ।

 

ଆଜି ପୁଣି ଅପରାହ୍ନରେ ଆଉ ଏକ ଅପ୍ରୀତିକର ଘଟଣା ଘଟିଗଲା । ତା’ ସହିତ ସାକ୍ଷାତ କରିବାକୁ ଆସିଥିଲେ ଓଡ଼ିଶାରୁ ଜଣେ ଚିତ୍ର ସାମ୍ୱାଦିକ । ସେ ଏକା ଓଡିଆ ସାପ୍ତାହିକ ସିନେମା ପତ୍ରିକାର ସମ୍ପାଦକ । ତାଙ୍କ ନାମ ଆଗରୁ ଶୁଣିଥିଲା ମଞ୍ଜୁଳା, ତାଙ୍କୁ କିନ୍ତୁ କେବେ ଦେଖି ନ ଥିଲା ।

 

ପ୍ରଥମ ଦେଖାରେ ମନେହେଲା, ତାଙ୍କୁ ଦେଖିବା ଆଗରୁ ତାଙ୍କ ପ୍ରତି ଯେଉଁ ଧାରଣା ଥିଲା, ସେ ଭଳି ଧାରଣାର ଉପଯୁକ୍ତ ପାତ୍ର ସେ ନୁହନ୍ତି ।

 

ସାକ୍ଷାତକାର ପ୍ରଥମ ପ୍ରଶ୍ନରେ ସେ ଜାଣିବାକୁ ଚାହିଁଲେ ତା’ ଦେହର ଭାଇଟାଲ୍‌ ଷ୍ଟାଟିସ୍‌ଟିକ୍‌ ।

 

ପ୍ରଥମେ ଅପ୍ରତିଭ ହେଲେ ବି ତାଙ୍କୁ ଅସନ୍ତୁଷ୍ଟ ନ କରିବା ପାଇଁ ସେ ମୁହଁ ତଳକୁ କରି ତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲା ।

 

ତା’ର ଉତ୍ତର ଶୁଣି ଭଦ୍ରଲୋକ ନିଜର ତଳପାଟି ଦାନ୍ତଭାରିକ ଦେଖାଇ କହିଲେ ମନେହେଉଛି ଆପଣ କଟି, ନିତମ୍ୱର ଯେଉଁ ମାପ ପରିମାଣ ଦେଲେ, ତାହା ଭୁଲ୍‌ । ଅବଶ୍ୟ ଛାତି ମାପ ସମ୍ପର୍କରେ ମୋର କିଛି ସନ୍ଦେହ ନାହିଁ । ଆପଣଙ୍କ ହିପ୍‌ ବେଶ ପୃଥୁଳ ମନେ ହେଉଛି–

 

ଲଜ୍ଜା ଓ ଅପମାନରେ ମଞ୍ଜୁଳାର ମୁହଁ ଆରକ୍ତ ହୋଇଉଠିଥିଲା ।

 

ତଥାପି ସେ ଧୈର୍ଯ୍ୟ ଧରି ଉତ୍ତର ଦେଲା, ଆପଣ କଅଣ ଫିତା ଆଣିଛନ୍ତି ? ନିଜେ ମାପିବେ ?

 

ସମ୍ପାଦକ ଭଦ୍ରଲୋକ ସାମାନ୍ୟ ଇତଃସ୍ତତ ହୋଇ କହିଲେ, ନା–ନା–ସେମିତି ଭାବନ୍ତୁ ନାହିଁ । ଅସଲ କଥା କଅଣ କି ମଞ୍ଜୁଳା ଦେବୀ ! ଓଡିଆ ଫିଲ୍ମର ଜନପ୍ରିୟତା ମୂଳରେ ଅଭିନେତା, ଅଭିନେତ୍ରୀମାନଙ୍କ ଅଭିନୟ କୁଶଳତା ଯେତେ ନ ଥାଏ, ଥାଏ ସେହି ବିଫଳ–ଅଭିନୟକୁ ଦର୍ଶକମାନଙ୍କ ରୁଚିଶୀଳ କରି ବର୍ଣ୍ଣନା କରିବାରେ ଚଳଚ୍ଚିତ୍ର ସାମ୍ୱାଦିକଙ୍କ ବର୍ଣ୍ଣନା–କୌଶଳ । ଆଉ ସବୁ କଥା ଯଦି ଆମେ ନ ଜାଣୁ, ତାହା ହେଲେ ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ ଆମେ କରିପାରିବୁ କିପରି ? ଆପଣ ଏ ଲାଇନରେ ନୂଆ ଆସିଛନ୍ତି ବୋଲି ଏମିତି ବିବ୍ରତ ହେଉଛନ୍ତି–ମୁଁ ଆଜ୍ଞା ଏ ଲାଇନରେ ଗତ ଦଶବର୍ଷ ହେଲା ଛତା ପୋତି ବସିରହିଛି–

 

ମଞ୍ଜୁଳା ନିଜକୁ ସଂଯତ କରିଥିଲା ।

 

ସେ ଯାହା ପଚାରିଥିଲେ, ସାଧ୍ୟ ମତେ ଉତ୍ତର ଦେଇଥିଲା । ଇଚ୍ଛା ନ ଥିଲେ ମଧ୍ୟ ତାଙ୍କୁ ଖୁସି କରିବା ପାଇଁ ମଝିରେ ମଝିରେ ହସିଥିଲା । ଶେଷରେ ସମ୍ପାଦକ ମହାଶୟ କହିଲେ, ‘ଇନ୍ଦ୍ରଧନୁ’ ଆତ୍ମପ୍ରକାଶ କରିବା ଆଗରୁ ଆମେ ଆମ ଚଳଚ୍ଚିତ୍ର ସାପ୍ତାହିକାର ଏକ ବିଶେଷ ସଂଖ୍ୟା ପ୍ରକାଶ କରିବୁ । ସେଥିପାଇଁ ଆପଣ ଆମ ପତ୍ରିକାର ପୁରୁଣା କପି ଧରି ଗୋଟାଏ ପୋଜ୍‌ ଦିଅନ୍ତୁ–ଆମ ଫଟୋଗ୍ରାଫର ଗୋଟାଏ ଫଟୋ ଉଠାଇବ ।

 

ଅଗତ୍ୟା ସେ ପତ୍ରିକାର ଗୋଟିଏ ସଂଖ୍ୟା ପଢ଼ିବା ଭଙ୍ଗୀରେ ଧରି ବସିଲା ମଞ୍ଜୁଳା । ଅଳ୍ପ ସମୟ ପରେ ଅନୁଭବ କଲା, ତା’ ଗଣ୍ତରେ କାହାର ତତଲା ନିଃଶ୍ୱାସ ବାଜୁଛି । ପଛକୁ ଫେରି ଚାହିଁ ଦେଖିଲା, ତା’ ପଛପଟେ ତା’ ଦେହକୁ ଲାଗି ନଇଁ ପଡ଼ି ଏପରି ସେ ଭଦ୍ରଲୋକ ଠିଆ ହୋଇଛନ୍ତି, ସତେ ଯେପରି ସେ ସମ୍ପାଦକ ନୁହନ୍ତି, ତା’ର ସ୍ୱାମୀ !

 

ସମ୍ପାଦକଙ୍କ ସହ ଏ ଭଳି ପୋଜ୍‌ରେ ତା’ ଫଟୋ ପତ୍ରିକାରେ ଛାପା ହେବ ।

 

ଅସମ୍ଭବ ! ଅସମ୍ଭବ !

 

ଫଟୋଗ୍ରାଫର ଫଟୋ ନେବା ଆଗରୁ ମଞ୍ଜୁଳା ପଛକୁ ବୁଲିପଡ଼ି ସମ୍ପାଦକଙ୍କୁ ଏପରି ଏକ ଧକ୍‌କା ଦେଲା, ସେ ଗୋଟିଏ ସୋଫା ଉପରେ ହାମୁଡ଼େଇ ପଡ଼ିଲେ । ମଞ୍ଜୁଳା ଚିତ୍କାର କରିଉଠିଲା, ସାମ୍ୱାଦିକତା ନାମରେ ଏ ଅଭଦ୍ରତା ମୁଁ ସହ୍ୟ କରିପାରିବି ନାହିଁ ।

 

ନିମିଷକ ମଧ୍ୟରେ ଅଘଟଣ ଘଟିଗଲା ।

 

ସୋଫା ଉପରୁ କଷ୍ଟରେ ଉଠି ପତ୍ରିକାର ସମ୍ପାଦକ ତା’ କୋଠରୀ ଡେଇଁଯିବା ଆଗରୁ ତାକୁ ଶୁଣାଇ ଦେଇ ଗଲେ, ଠିକ୍‌ ଅଛି, ଏ ଅପମାନର ମୁଁ ପ୍ରତିଶୋଧ ନେବି ।

 

ମଞ୍ଜୁଳା ଚୁପ୍‌ ହୋଇ ଠିଆ ହୋଇଥିଲା ।

 

କ୍ରୋଧରେ ସେତେବେଳେ ପର୍ଯ୍ୟନ୍ତ ସୁଦ୍ଧା ତା’ର ସର୍ବାଙ୍ଗ ଥରୁଥିଲା ।

 

ସେମାନେ ଚାଲିଯିବାର କିଛି ସମୟ ପରେ ତା’ର ଆଖିରେ ଲୁହ ଭରି ଆସିଲା ।

 

ଅଭିନେତ୍ରୀ ହେବା ପାଇଁ ସେ ଅନେକ ଆଶା ଧରି ଆସିଥିଲା । ଭଙ୍ଗୁର କାଚଖଣ୍ତ ଭଳି ତା’ର ସେ ଆଶା, କଳ୍ପନା ଖଣ୍ତ ଖଣ୍ତ ହୋଇ ଭାଙ୍ଗି ଏଣେ ତେଣେ ଛିରିକି ପଡ଼ୁଛି । ସେ ଦେଖୁଛି ଏ ଚଳଚ୍ଚିତ୍ର ଜଗତ ଏକ କୃତ୍ରିମ, ମାୟା–ଜଗତ । ଏଠାରେ ସବୁଥାଇ କିଛି ନାହିଁ !

 

କବାଟରେ କିଏ ନକ୍‌ କରୁଛି ।

 

ମୃଣାଳ ଆସୁଛି କି ?

 

ମଞ୍ଜୁଳା ଦରଜା ଖୋଲି ଦେଲା ।

 

ନା–ମୃଣାଳ ନୁହେଁ, ମୀନାକ୍ଷି ।

 

ମୀନାକ୍ଷି ‘ଇନ୍ଦ୍ରଧନୁ’ର ଉପନାୟିକା । ଏକଦା ଦୁଇ ତିନିଟି ଓଡ଼ିଆ କଥାଚିତ୍ରରେ ପ୍ରଧାନ ନାୟିକା ଭୂମିକାରେ ଅଭିନୟ କରି ସେ ଦର୍ଶକ, ସମାଲୋଚକ ମହଲରେ ଚହଳ ସୃଷ୍ଟି କରିଥିଲା । ସମସ୍ତେ ଆଶା କରୁଥିଲେ ଆଗାମୀ ଅନେକ ବର୍ଷ ଧରି ମୀନାକ୍ଷି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନୀଳ ଆକାଶରେ ଧ୍ରୂବତାରା ହୋଇ ଝଲସିବ । କିନ୍ତୁ ଗତବର୍ଷ ଗୋଟିଏ ଓଡ଼ିଆ ଛବି ତା’ ଯୋଗୁ ମାଡ଼ ଖାଇଗଲା । ଚାରିଆଡ଼େ ପଡ଼ିଲା ‘ଗଲା’ ‘ଗଲା’ ରବ । ପରଦାର ଅନ୍ତରାଳକୁ ଚାଲିଗଲା ମୀନାକ୍ଷି ।

 

ଏଥର ସେ ଉପନାୟିକା !

 

ମାତ୍ର ଚାରି, ପାଞ୍ଚୋଟି ଦୃଶ୍ୟରେ ଦର୍ଶକ ଆଗକୁ ଆସି ଇଣ୍ଟରଭଲ ପୂର୍ବରୁ ଶିକାରୀ ନାୟକର ବନ୍ଧୁକ ଗୁଳିରେ ସେ ପରଲୋକ ଗମନ କରିବ !

 

ମୀନାକ୍ଷି ସଫଳତାର ସହ ଅଭିନୟ କରିଥିବା ଦୁଇଟି ଚିତ୍ର ଦେଖି ମୁଗ୍‌ଧ ହୋଇଥିଲା ମଞ୍ଜୁଳା । ତା’ ଭଳି କୁଶଳୀ ଅଭିନେତ୍ରୀ କିପରି ଶେଷ ଛବିରେ ଏପରି ଫେଲ୍‌ କଲା ସେ ନିଜେ ମଧ୍ୟ ବୁଝିପାରି ନ ଥିଲା । କାଲି ଥିଲା ତା’ର ଶେଷ ଦିନର ସୁଟିଂ ।

 

ମିଷ୍ଟର ସେନ୍‌ଙ୍କୁ ସେ ପ୍ରଶ୍ନ କରିଥିଲା, ଏ ଡେଥ୍‌ ସନ୍‌ ମତେ କାହିଁକି ଭାରି ଅପ୍ରାକୃତିକ ମନେ ହେଉଛି । ହିରୋର ଗୁଳି ତ ମୁଣ୍ତରେ ନ ବାଜି ଗୋଡ଼ ପାଖରେ ଘଷି ହୋଇ ଚାଲିଯାଇ ପାରିଥାଆନ୍ତା ! ଗୁଳି ମାଡ଼ରେ ସବୁବେଳେ ଲୋକ ମରନ୍ତି ନାହିଁ, ଆହତ ହୋଇ ଅନେକ ଲୋକ ବଞ୍ଚିରହନ୍ତି । ଅପ୍ରାକୃତିକ ମୃତ୍ୟୁ ଦର୍ଶକ ମନରେ ଅନେକ ସମୟରେ ଖରାପ ପ୍ରଭାବ ପକାଏ, ପୁଣି ଇଣ୍ଟରଭାଲ୍‌ ପୂର୍ବରୁ ! ଆପଣ ତ ଚିତ୍ରନାଟ୍ୟ ଲେଖିଛନ୍ତି; ଇଚ୍ଛା କଲେ ଆପଣ ମୀନାକ୍ଷିକୁ ହିରୋର ଗୁଳି ଆଘାତରୁ ବଞ୍ଚାଇ ଦେଇ ପାରିବେ । ତାହାହେଲେ ଛବିଟା ମଧ୍ୟ ଗୋଟାଏ ରିସକ୍‌ ନେବାର ଝୁଙ୍କ୍‍ରୁ ବର୍ତ୍ତିଯିବ ।

 

ତା’ କଥା ଶୁଣି ରହସ୍ୟମୟ ଭାବରେ ମିଷ୍ଟର ସେନ୍‌ ହସିଥିଲେ ।

 

ଉତ୍ତର ଦେଇଥିଲେ, ମୀନାକ୍ଷି ଗତ ପିକ୍‌ଚରରୁ ମରିଛି ମଞ୍ଜୁଳା ଦେବୀ ! କିନ୍ତୁ କୈଳାସ ବାବୁ ଏବେ ସୁଦ୍ଧା ତା’ ପ୍ରତି ଆସକ୍ତି ଛାଡ଼ିପାରି ନାହାନ୍ତି ବୋଲି ତାକୁ ଏଥର ଶେଷ ଚାନ୍‌ସ ଦିଆଯାଇଛି । ଫାଷ୍ଟ ହାପ ପରେ ତାକୁ ଆଉ ବଞ୍ଚି ରହିବାକୁ ଦେଲେ ଆପଣଙ୍କ ପଥ ହିଁ କଣ୍ଟକିତ ହେବ ।

 

ତା’ପରେ ସେ ଚୁପ୍‌କିନି ତା’ କାନ ପାଖକୁ ମୁହଁ ନୁଆଇଁଆଣି କହିଲେ, ଚିତ୍ରନାଟ୍ୟ ରଚୟିତା ଆଉ ଚିତ୍ର ନିର୍ଦ୍ଦେଶକ ଭାବରେ ବହୁ ପ୍ରତିଭାଶାଳୀ ଅଭିନେତା, ଅଭିନେତ୍ରୀଙ୍କୁ ଚଳଚ୍ଚିତ୍ର ଜଗତରୁ ବିଦାୟ ଦେଇ ନୂତନ ଅଭିନେତା, ନୂତନ ଅଭିନେତ୍ରୀମାନଙ୍କ ପାଇଁ ମୁଁ ପଥ ପରିଷ୍କାର କରି ଦେଇଛି । ମୀନାକ୍ଷି ଭଳି ଅହଙ୍କାରୀ ଅଭିନେତ୍ରୀର ଚିତ୍ର ଜଗତରେ ଅକାଳ ମୃତ୍ୟୁ ଅନିବାର୍ଯ୍ୟ !

 

କାଲି ମିଷ୍ଟର ସେନ୍‌ଙ୍କ ସହ ସମ୍ପର୍କ ତା’ର ଭଲ ଥିଲା ।

 

ତାଙ୍କ ସହିତ ସେ ଏକାକିନୀ ଗ୍ରାଣ୍ତକୁ ଯାଇପାରେ, ଏଭଳି ଏକ ମଧୁର–ଆଶା ମିଷ୍ଟର ସେନ୍‌ଙ୍କ ମନକୁ ସେ ପର୍ଯ୍ୟନ୍ତ ବୋଧହୁଏ ଆବେଶ ପ୍ରପୀଡ଼ିତ କରି ରଖିଥିଲା । ସେଥିପାଇଁ ସେ ସବୁ କଥା କହିବାରେ ସେ କିଛି ଜଡ଼ତା ବୋଧ କରି ନ ଥିଲେ ।

 

ଆଜି ନିଜ ରୁମ୍‌ରେ ଅସମୟରେ ମୀନାକ୍ଷିକୁ ଦେଖି ମଞ୍ଜୁଳାର ସେଇ ସବୁ କଥା ସ୍ମରଣ ହେଲା । ସେ ପଚାରିଲା, ହଠାତ୍‌ ରାତିରେ କିପରି ମୋ କଥା ମନେପଡ଼ିଲା ।

 

ମୀନାକ୍ଷି ନିର୍ଲିପ୍ତ କଣ୍ଠରେ ଉତ୍ତର ଦେଲା; ମୋର ତ ସୁଟିଂ ସରିଛି । କାଲି ବୋଧହୁଏ ମୁଁ କଟକ ଫେରିଯିବି । ଶେଷଥର ପାଇଁ ଦେଖାକରିବାକୁ ଆସିଲି । ମଞ୍ଜୁଳା ! ବୟସରେ ତମେ ମୋ ଠାରୁ ଛୋଟ ହେବ । କିନ୍ତୁ ଅଭିନୟରେ ତମେ ମୋ ଠାରୁ ଖୁବ୍‌ ବଡ଼ । ତମର ନିଖୁଣ, ଜୀବନ୍ତ ଅଭିନୟ ମଧ୍ୟରେ ମୁଁ ମୋର ଅତୀତକୁ ଦେଖିପାରିଛି, ସେଥିପାଇଁ ତମକୁ ମୋର ଆନ୍ତରିକ ଅଭିନନ୍ଦନ ଜଣାଇବାକୁ ଆସିଲି ।

 

ମୀନାକ୍ଷିର ଏ ସ୍ୱତଃସ୍ପୃର୍ତ୍ତ ଶ୍ରଦ୍ଧା–ନିବେଦନରେ ନିର୍ବାକ୍‌ ହୋଇଗଲା ମଞ୍ଜୁଳା । ଚଳଚ୍ଚିତ୍ରର ଏ ମାୟା ଜଗତରେ ଏପରି ଆନ୍ତରିକତା; ନିଃସ୍ୱାର୍ଥପରତା ତିଷ୍ଠି ରହିଛି ଜାଣି ସେ ଅପ୍ରତିଭ ହୋଇ ପଡ଼ିଲା । କିଛି ସମୟ ପରେ କ୍ଷୀଣ କଣ୍ଠରେ କହିଲା, କିନ୍ତୁ ମିଷ୍ଟର ସେନ୍‌ କହୁଛନ୍ତି ମୋର କିଛି ପ୍ରତିଭା ନାହିଁ !

 

ମୀନାକ୍ଷିର ମୁହଁରେ ହସଫୁଲ ପାଖୁଡ଼ା ଝରାଇଲା ।

 

ସେ କହିଲା, ଜାଣେ–ତମେ ବି ମୋ ଭଳି ଅହଙ୍କାରୀ । ଅଭିନୟ ଅପେକ୍ଷା ନାରୀତ୍ୱ, ସତୀତ୍ୱ ତମ ପାଖରେ ବଡ଼ ମନେ ହୋଇଛି । ଆମେ ଓଡ଼ିଆ ଝିଅ କେବେ ହେଲେ ଅଭିନେତ୍ରୀ ହୋଇ ପାରିବା ନାହିଁ ।

 

ମଞ୍ଜୁଳାର ସନ୍ଦେହ ହେଲା, ମୀନାକ୍ଷି ହୁଏତ କିଛି ଗୋପନ କଥା କହିବାକୁ ଚେଷ୍ଟାକରି ପ୍ରକାଶ କରିପାରୁ ନାହିଁ । ସେହି କଥା ଜାଣିବା ପାଇଁ ସେ ପ୍ରଶ୍ନ କଲା, ମୁଁ କିଛି ବୁଝିପାରୁ ନାହିଁ ।

 

ମୀନାକ୍ଷି କହିଲା, ଗତ ଛବିରେ ଯେ ମୋର ଅଭିନୟ ଦୃଷ୍ଟି କଟୁ ହେଲା, ଏଥିପାଇଁ କଅଣ ମୁଁ ଦାୟୀ ? କାମେରାମ୍ୟାନ ହରିଶ୍‌ ଭଟ୍ଟ ଜାଣି ଜାଣି ରିଂଆଙ୍ଗଲ୍‌ରୁ ଫଟୋ ନେଇ ମୋ ରୂପକୁ ବିକୃତ କରି ଦର୍ଶକ ଆଗରେ ଉପସ୍ଥାପିତ କଲା । ଆଉ ଏଇ ମିଷ୍ଟର ସେନ୍‌ ଜାଣି ଜାଣି ତାକୁ ପ୍ରଶ୍ରୟ ଦେଲେ–ଅଥଚ ସେଇ ହରିଶ୍‌ ଭଟ୍ଟର ମୁଭି କାମେରାରେ ବିଗତ ଦୁଇଟି ଛବିରେ ମୋର ଲାବଣ୍ୟ ଛଳଛଳ କରିଥିଲା ।

Unknown

 

:କାହିଁକି ସେମାନେ ଏପରି କଲେ ? –ମଞ୍ଜୁଳା ବିସ୍ମୟରେ ପ୍ରଶ୍ନ କଲା ।

 

ମୁହଁ ତଳକୁ କରି ମୀନାକ୍ଷି କହିଲା, ହରିଶ ଚାହିଁଥିଲା ମଦ ପିଆଇ ନାଇଟ୍‌ କ୍ଲବରେ ମୋର ଗୋଟାଏ ନୁଡ୍‌ ଫଟୋ ନେବ । ଅନେକ ଦିନ ହେଲା ଲୋକଟା ଯୌନ–ବିକୃତି ଭୋଗ କରୁଛି । ମିଷ୍ଟର ସେନ୍‌ ନିଜେ ମତେ ଅନେକ ବଙ୍ଗଳା, ହିନ୍ଦୀ ଛବିର ନାୟିକାମାନଙ୍କ ସମ୍ପୂର୍ଣ୍ଣ ନଗ୍ନ ଫଟୋର ଆଲବମ୍‌ ଦେଖାଇଛନ୍ତି । ଏ ବୋଧହୁଏ ସେମାନଙ୍କର ଏକ ବ୍ୟବସାୟ । ମୁଁ ମନା କରି ଦେଇଥିଲି–ମୁଁ ଓଡ଼ିଆ ଝିଅ–କାମେରା ଆଗରେ ନଗ୍ନ ହୋଇ ଠିଆ ହେବା ଭଳି ଅଧୋପତନ ଆଜି ସୁଦ୍ଧା ଆମର ହୋଇ ନାହିଁ । ବାସ୍‌, ଏଇ ପଦେ କଥା । ସେତିକିରେ ମୋର ଚଳଚ୍ଚିତ୍ର ଜଗତରୁ ଛୁଟି ମିଳିଗଲା ।

 

ମୀନାକ୍ଷି ମୁହଁରୁ ଏ ଅବିଶ୍ୱାସ୍ୟ କାହାଣୀ ଶୁଣି ମଞ୍ଜୁଳା ଶିହରି ଉଠୁଥିଲା ।

 

ନିମ୍ନ କଣ୍ଠରେ ସେ ପଚାରିଲା, ସେମାନେ ହୁଏତ ଅଣଓଡ଼ିଆ–କିନ୍ତୁ ପ୍ରଯୋଜକ–ଯେଉଁମାନେ ମୂଳଧନ ଖଟାଇଛନ୍ତି–ସେମାନେ ତ ଓଡ଼ିଆ ?

 

ମୀନାକ୍ଷି ସେ ପ୍ରଶ୍ନର କୌଣସି ଉତ୍ତର ଦେଲା ନାହିଁ । କେବଳ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ତା’ ଆଡ଼କୁ ଚାହିଁ ହସିଲା ।

 

ମଞ୍ଜୁଳା ଉତ୍ତେଜିତ ଭାବରେ କହିଲା, ଅଣଓଡ଼ିଆ ଚିତ୍ର ପ୍ରଯୋଜକ ଫଟୋଗ୍ରାଫରମାନଙ୍କ ଏ ଅତ୍ୟାଚାର ବିରୁଦ୍ଧରେ ଓଡ଼ିଆ ଚିତ୍ର ପ୍ରଯୋଜକମାନେ ଅନ୍ତତଃ ପ୍ରତିବାଦ କରିପାରନ୍ତେ !

 

ହସି ହସି ମୀନାକ୍ଷି କହିଲା, ମିଷ୍ଟର ସେନ୍‌ଙ୍କ କଥାର ପ୍ରତିବାଦ କରିଛନ୍ତି ମୃଣାଳ ବାବୁ ! ଅଥଚ ମୁଁ ଶୁଣିଲି, ତମେ ତ ଗ୍ରାଣ୍ତକୁ ଯିବା ପାଇଁ ମିଷ୍ଟର ସେନ୍‌ ଡାକୁଥିବା କଥା ତାଙ୍କୁ କହିଛି !

 

ଏକ ଅପ୍ରତିରୋଧ୍ୟ ଯନ୍ତ୍ରଣାରେ ମଞ୍ଜୁଳାର ମୁହଁ ବିକୃତ ହୋଇଗଲା ।

 

ତାକୁ ସାନ୍ତ୍ୱନା ଦେଇ ମୀନାକ୍ଷି କହିଲା, କାମୁକତା, ଲାମ୍ପଟ୍ୟର ପ୍ରାଦେଶିକ ସୀମା ନାହିଁ-। ସେଠାରେ ଓଡ଼ିଆ, ଅଣଓଡ଼ିଆ ଭେଦଭାବ ନାହିଁ । ନାରୀ ସେ ସମସ୍ତଙ୍କ ପାଇଁ ଭୋଗ୍ୟବସ୍ତୁ-! ସବୁ ଲମ୍ପଟ ଚରିତ୍ରହୀନ । ମଞ୍ଜୁଳା ! ନିଜ ବ୍ୟତୀତ ଏ ଚିତ୍ର ଜଗତରେ ନାରୀର ଇଜ୍ଜତ ଆଉ କେହି ରକ୍ଷା କରିପାରିବେ ନାହିଁ !

 

ମୀନାକ୍ଷିର କଥା ଶୁଣି ମଞ୍ଜୁଳାର ଆଖିରେ ଲୁହ ଭରି ଆସିଲା ।

 

।। ୨୨ ।।

 

ପ୍ରଥମେ ସ୍କୁଲରେ ସମ୍ବାଦଟା ଶୁଣିଥିଲା ମୌସୁମୀ । ଶୁଣି ଚମକି ଉଠିଥିଲା, ତାକୁ ଈଷତ୍‌ ଶ୍ଳେଷ ମିଶ୍ରିତ କଣ୍ଠରେ ଛତା, ପାନବଟା ସାର୍‌ ମାଧବ ପଣ୍ତିତେ ପ୍ରଥମେ କହିଥିଲେ, ଏପରି ଫାଇଟିଂରେ ଗୁଣ୍ତା ରତନା ହାରିଯାଇଛି ମୌସୁମୀ । ରାମନାରାୟଣ ବାବୁଙ୍କ ଲୋକେ ତା’ର ଛାମୁଦାନ୍ତ ଭାଙ୍ଗି ଦେଇଛନ୍ତି ।

 

ମୌସୁମୀ ଜାଣେ, ଛତା ପାନବଟା ସାର୍‌ ରାମନାରାୟଣ ବାବୁଙ୍କ ପକ୍ଷ ଲୋକ । ରତ୍ନାକର ଯଦି ପ୍ରକୃତରେ ଦୋଳ ମେଲଣର ଫାଇଟିଂରେ ମାଡ଼ ଖାଇ ହାରିଯାଇଥାଏ, ତାହାହେଲେ ତାଙ୍କର ଖୁସି ହେବାରେ ହିଁ କଥା । କିନ୍ତୁ ସେ ଯେପରି ଭାବରେ ତା’ ଆଗରେ କଥାଟା ନାଟକୀୟ ଭାବରେ ପରିବେଷଣ କଲେ, ସେଥିରୁ ସେ ବୁଝି ପାରୁଥିଲା, ରତ୍ନାକରକୁ ମାଡ଼ ଦେଇ ରାମନାରାୟଣ ବାବୁଙ୍କ ଲୋକେ ତା’ଉପରେ ହିଁ ପ୍ରତିଶୋଧ ନେଇଛନ୍ତି ।

 

ମାଳବିକାକୁ ଟିଉସନ୍‌ କରିବାକୁ ଯିବା ନାମରେ ସେ ରତ୍ନାକରକୁ ଟିଉସନ୍‌ କରୁଛି–ରତ୍ନାକର ସହିତ ତା’ର ଛାତ୍ର ଶିକ୍ଷୟିତ୍ରୀ ସମ୍ପର୍କ ଠାରୁ ବଳି ଆହୁରି ଏକ ରୋମାଞ୍ଚକର ସମନ୍ଧ ଗଢ଼ିଉଠୁଛି ବୋଲି ସ୍କୁଲ ଭିତରେ ଏକ ପ୍ରଚାର ଅନେକ ଦିନ ହେଲା ଚାଲିଛି । ମାଧବ ପଣ୍ତିତେ ଏ ପ୍ରଚାର ପଛରେ ରହିଛନ୍ତି ବୋଲି ପ୍ରତିମା, ପ୍ରଭା ଅପା ତାକୁ ଅନେକ ଥର କହିଛନ୍ତି । କିନ୍ତୁ ସେ ସେକଥା ବିଶ୍ୱାସ କରି ନାହିଁ । ଛତା-ବଟୁଆ ସାର୍‌ ତା’ ମୁହଁ ଉପରେ କେବେ କିଛି କହିନାହାନ୍ତି । କିନ୍ତୁ ଆଜି ତାଙ୍କର ଖୁସି ଖୁସି ଭାବ, କଥା କହିବାର ନାଟକୀୟ ଢଙ୍ଗ ଦେଖି ତା’ର ଦୃଢ଼ ଧାରଣା ହେଲେ ପଞ୍ଚାବନ ବର୍ଷ ବୟସରେ ଏଇ ପିତୃ-ସମାନ ପ୍ରାଣୀ ସହଜ ଜୀବ ନୁହନ୍ତି । ହୁଏତ ରତ୍ନାକର ମାଡ଼ ଭୟରେ ସେ ତା’ ମୁହଁରେ ଆଜି ପର୍ଯ୍ୟନ୍ତ ଭରସି କରି କିଛି କହି ପାରୁ ନ ଥିଲେ । ରତ୍ନାକରର ଛାମୁଦାନ୍ତ ରାମନାରାୟଣ ବାବୁଙ୍କ ଲୋକେ ଭାଙ୍ଗିଦେଲା ପରେ ସେ ତାକୁ ନିଜର ଧାରୁଆ ନଖ ଆଜି ଦେଖାଉଛନ୍ତି !

 

ମୌସୁମୀ ସବୁ ଶୁଣିଲା, କିଛି କହିଲା ନାହିଁ । ଏସବୁ କଥାରେ କିଛି କହିବାକୁ ତାକୁ ଭଲ ଲାଗେ ନାହିଁ । କିଛି ଦିନ ତଳେ ସେ ଦଶମ ଶ୍ରେଣୀ କ୍ଲାସ ଭିତରକୁ ପଶି ଦେଖିଥିଲା, ରତ୍ନାକର ନାମ ପରେ ଏକ ମିଶାଣ ଚିହ୍ନ ଦିଆଯାଇ ତା’ର ନାମ ଲେଖା ହୋଇଛି । ସେ ଲେଖା ଦେଖି କେବଳ ମନେ ମନେ ହସିଥିଲା, କିନ୍ତୁ ନିଜର କ୍ଷୋଭ, ରାଗ, ବିରକ୍ତିକୁ ସେ ବାହାରେ ପ୍ରକାଶ କରିବାକୁ ଦେଇ ନ ଥିଲା । ସେ ଜାଣେ ସେ ଯେତେ ଏ ସବୁ ଶୁଣି ଦେଖି ଭାଙ୍ଗି ପଡ଼ିବ, ଯେଉଁମାନେ ଏଭଳି ଅପପ୍ରଚାରରୁ ଆନନ୍ଦ ପାଆନ୍ତି, ସେମାନେ ସେତେ ଅପପ୍ରଚାରର ଗତିକୁ କ୍ଷିପ୍ରତର କରିବେ !

 

ମୌସୁମୀ ସେଦିନ ମଧ୍ୟ ଅନ୍ୟ ଦିନ ଭଳି କ୍ଲାସକୁ ଗଲା । ପାଠ ପଢ଼ାଇଲା । ସହକର୍ମୀ ଶିକ୍ଷୟିତ୍ରୀମାନଙ୍କ ସହ ଗଳ୍ପ କଲା । ରତ୍ନାକର ଯେ ମାଡ଼ ଖାଇଛି, ଏକଥା ଜାଣି ସୁଦ୍ଧା ନ ଜାଣିଲା ଭଳି ବ୍ୟବହାର କଲା । କିନ୍ତୁ ଚାରୋଟି ପିରିୟଡ଼ ପରେ ସେ ଅନୁଭବ କଲା ଭୀଷଣ ମାନସିକ କ୍ଳାନ୍ତି । ତାଳୁ ଉପରର ଶୀରାଗୁଡ଼ାକ ହଠାତ୍‌ ଦପ୍‌ ଦପ୍‌ କରି ବିନ୍ଧିବାକୁ ଆରମ୍ଭ କଲା ।

 

ଶେଷ ପିରିୟଡ଼ ତା’ର କ୍ଲାସ୍‌ ଥିଲା ।

 

କିନ୍ତୁ ସେ ଆଉ କ୍ଲାସ୍‌ ନେବା ପାଇଁ ଅପେକ୍ଷା କରି ରହିଲା ନାହିଁ । ମିସ୍‌ ନାୟକଙ୍କ ପାଖକୁ ଛୁଟି ଦରଖାସ୍ତ ପଠାଇ ଦେଇ ସେ ଶିକ୍ଷୟିତ୍ରୀ ନିବାସକୁ ଫେରିଆସିଲା ।

 

କମଳିନୀ, ପ୍ରତିମା ଫେରି ନ ଥିଲେ ।

 

ଟିଚର୍ସ କ୍ୱାଟରର ସେଇ ଦୁଇ ବଖରା ଘର ତାକୁ ଭାରି ନିର୍ଜ୍ଜନ ବୋଧ ହେଲା । ତାକୁ ଲାଗିଲା ସେ ଯେମିତି ସମୁଦ୍ର ମଝିରେ ଏକ ନିଛାଟିଆ ଦ୍ୱୀପରେ ନିର୍ବାସିତା ହୋଇ ଜୀବନ–ଯାପନ କରୁଛି, ପାଖରେ କେହି ନାହିଁ, ଦୂରରେ ମଧ୍ୟ କେହି ନାହାନ୍ତି !

 

ସେ କଅଣ ଆପେ ଆପେ ରତ୍ନାକର ଆଉ ମାଳବିକାର ପାଠ ପଢ଼ାଇବା ଦାୟିତ୍ୱ ନେଇ ଭୁଲ୍‌ କରିଛି ? ମୌସୁମୀ ଭାବିଲା ।

 

ସଂସାରରେ ଅନେକ ହତଭାଗ୍ୟ ଲୋକ ଅଛନ୍ତି । ଅନେକ ଲୋକ ମୂର୍ଖ ରହି ଗୁଣ୍ତାଭାବରେ ଅସାମାଜିକ ଜୀବନ କଟାଉଛନ୍ତି । ଜଣିଏ ମୂର୍ଖକୁ ମଣିଷ କରିଦେଲେ ସମାଜ ବଦଳିଯିବ ନାହିଁ । ସେ ରତ୍ନାକରକୁ ସାମାଜିକ ମଣିଷ କରିବ ବୋଲି ହଠାତ୍‌ କାହିଁକି ପଣ କରି ବସିଲା ?

 

ମାଳବିକାକୁ ସେ ମାଟ୍ରିକ ଘାଟି ଡିଆଁଇ ଦେବ ବୋଲି ସ୍ଥିର କରିଥିଲା ।

 

ତା’ର ବିଧବା ମାଆଙ୍କ କଥା ଶୁଣି ସେଦିନ ଆକସ୍ମିକ ଭାବରେ ସେ ରତ୍ନାକରକୁ ପଢ଼ାଇବା କଥା କହି ଦେଇଥିଲା । କିନ୍ତୁ ସତରେ ବସ୍ତି ମସ୍ତାନା ରତ୍ନାକର ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବ, ଖାତା କଲମ ଧରି ବସିବ, ସେ କଥା ସେ ନିଜେ ବିଶ୍ୱାସ କରି ନ ଥିଲା ।

 

ସବୁ କିପରି ହଠାତ୍‌ ଘଟିଗଲା । ଏକ ଅଦୃଶ୍ୟ ବନ୍ଧନରେ ଆପେ ଆପେ ଛନ୍ଦି ହୋଇ ପଡ଼ିଲା ମୌସୁମୀ ।

 

ଆଜି ଇଚ୍ଛା କଲେ ମଧ୍ୟ ସେ ହୁଏତ ନିଜ କର୍ତ୍ତବ୍ୟର ବନ୍ଧନ ଛିନ୍ନ କରିପାରିବ ନାହିଁ । ସେଥିପାଇଁ ତାକୁ ବୋଧହୁଏ ଆହୁରି ଅନେକ ବାଜେ କଥା ଶୁଣିବାକୁ ପଡ଼ିବ ।

 

ଶୋଇବାକୁ ଚେଷ୍ଟା କରି ମଧ୍ୟ ସେ ଶୋଇପାରିଲା ନାହିଁ । ସେଦିନ ମଧ୍ୟ ତା’ର ରତ୍ନାକର ଘରକୁ ଟିଉସନ୍‌ କରିବାକୁ ଯିବାର କଥା ନୁହେଁ । କିନ୍ତୁ ମୌସୁମୀ ବାହାରିଲା ରତ୍ନାକର ଆହତ ହୋଇଥିବା କଥା ଶୁଣିଲା ପରେ ତାକୁ ଅନ୍ତତଃ ଥରେ ଦେଖିଆସିବା ତା’ର ଉଚିତ ମନେହେଲା ।

 

ସେ ଆଶା କରୁଥିଲା, ଗାଲ ପାଟି ମୁଣ୍ତରେ ବ୍ୟାଣ୍ତେଜ୍‌ ବାନ୍ଧି, ଯନ୍ତ୍ରଣାସୁଚକ ଚିତ୍କାର କରି ଶଯ୍ୟାରେ ଶୋଇ ରହିଥିବ ରତ୍ନାକର । ଉଦ୍‌ବେଗ, ଆଶଙ୍କା ଓ ଆତଙ୍କରେ ଆଖିରୁ ଲୁହ ଝରାଇ ତା’ର ମାଆ ଓ ଭଉଣୀ ତା’ ଶଯ୍ୟା ଧାରରେ ଯେପରି ବସିଥିବେ । ତାକୁ ଦେଖି ସେମାନଙ୍କୁ କିଛି ପରିମାଣରେ ସାନ୍ତ୍ୱନା ମିଳିବ ।

 

କିନ୍ତୁ ରତ୍ନାକରର ଦ୍ୱାର ମୁହଁ ପାଖରେ ପହଞ୍ଚି ସେ ଅବାକ୍‌ ହୋଇଗଲା ।

 

ରତ୍ନାକର ବାରଣ୍ତାରେ ବସି ମୁଢ଼ି ଓ ନଡ଼ିଆ ଚୋବାଉଛି ଏବଂ ତା’ର ମାଆ ପାଖରେ ବସି ପାନ ଭାଙ୍ଗୁଛନ୍ତି । ମାଳବିକାକୁ ସେ ଦେଖି ପାରିଲା ନାହିଁ, ସମ୍ଭବତଃ ସେ ତା’ର ପଢ଼ାଘରେ ଅଛି !

 

ତାକୁ ଦେଖି ଅପ୍ରତିଭ ହୋଇପଡ଼ିଲା ରତ୍ନାକର ।

 

ସେ ଯେପରି ରାକ୍ଷସଙ୍କ ଭଳି ମୁଠା ମୁଠା ମୁଢ଼ି ଓ ଖଣ୍ତ ଖଣ୍ତ ନଡ଼ିଆ ଚୋବାଇ ଖାଇଯାଉଥିଲା; ସେଥିରେ ଅନ୍ୟ କୌଣସି ଅପରିଚିତ ଲୋକର ଆଗରେ ପଡ଼ିଗଲେ ଯେ କୌଣସି ଲୋକ ଅପଦସ୍ଥ ହେବା ସ୍ୱାଭାବିକ୍‌ ।

 

ରତ୍ନାକରର ଏ ଅପ୍ରତିଭ ବୋଧରେ ମୌସୁମୀ ହସି ପକାଇଲା ।

 

କହିଲା, ମୁଁ ଆମ ମାଧବ ପଣ୍ତିତଙ୍କ ମୁହଁରୁ ଶୁଣିଲି, ମାଡ଼ ଗୋଳରେ ତମ ଦାନ୍ତ ଝଡ଼ି ଯାଇଛି । ଅଥଚ ତମେ ବେଶ୍‌ ନଡ଼ିଆ ଚୋବେଇ ଖାଉଛି !

 

ରତ୍ନାକରର ମାଆ କହିଲେ, ସେ ଖବର ତମ କାନରେ ପଡ଼ିଗଲାଣି ଝିଅ ! ଏ ଟୋକାକୁ ପରା ମୁଁ ମନା କରୁଛି, ପଦ୍ମ ତୋଳା ଶୁଣିଲେ ସାପ ଯେମିତି ଗାତରୁ ବାହାରିଯାଏ, ଯେମିତି ବସ୍ତି ଛକରେ ପାଟିତୁଣ୍ତ ଶୁଣିଛି ସେମିତି ଚିଲ ଭଳି ଛୁଟି ପଳାଇଲା–

 

ଉତ୍ସୁକ ଦୃଷ୍ଟିରେ ମୌସୁମୀ ଚାହିଁ ରହିଲା ରତ୍ନାକର ମୁହଁକୁ ।

 

ରତ୍ନାକର କହିଲା, ମୁଁ କିନ୍ତୁ ଫୌଜଦାରୀ କରିନି । ସେମାନେ ମତେ ଲାଠିରେ ଆଘାତ କଲାବେଳେ ମୁଁ ମୋ ହାତକୁ ପ୍ୟାଣ୍ଟ୍‌ ପକେଟରେ ଭର୍ତ୍ତି କରି ଦେଇଛି । ମାଡ଼ ଖାଇଛି ମାଡ଼ ଦେଇନି-

 

ବିସ୍ମିତ କଣ୍ଠରେ ମୌସୁମୀ ପଚାରିଲା, ମାଡ଼ ଖାଇବାକୁ ତାହା ହେଲେ ତମେ ସେଠାକୁ ଯାଇଥିଲ କାହିଁକି ?

 

ଅନେକ ଦିନ ହେଲା ଆଖଡ଼ା ଘର, ବସ୍ତି ଛକକୁ ମୁଁ ଯାଇ ନଥିଲି । କିନ୍ତୁ ଫୌଜଦାରୀବେଳେ ପାଟି ତୁଣ୍ତ ଶୁଣି ଥୟ ଧରି ରହିପାରିଲି ନାହିଁ । କିନ୍ତୁ ସେଠାରେ ପହଞ୍ଚି ସାରିଲା ପରେ ଆପଣଙ୍କ ଉପଦେଶ ମନେ ପଡ଼ିଲା । ମୁଁ କେବଳ ଆପଣଙ୍କ ଉପଦେଶ ସ୍ମରଣ କରି ଜୀବନରେ ଏଇ ପ୍ରଥମ ଥର ମାଡ଼ ଖାଇଲି, ମାଡ଼ ଦେଇନାହିଁ ।–କଥା ଶେଷ କଲା ବେଳେ ରତ୍ନାକର ମୁହଁରୁ ଏକ ଜ୍ୟୋତି ବାହାରିଲା ଭଳି ମୌସୁମୀର ମନେହେଲା ।

 

ତା’ ଉପଦେଶ ସ୍ମରଣ କରି ଜୀବନରେ ପ୍ରଥମ ଥର ମାଡ଼ ଖାଇଛି ରତ୍ନାକର, ମାଡ଼ ଦେଇନି !

 

ଦସ୍ୟୁ ରତ୍ନାକର ଋଷି ରତ୍ନାକରରେ ପରିଣତ ହୋଇଛି !

 

ଏକ ଅଜ୍ଞାତ ପୁଲକର ଢେଉ ଲାଗିଲା ମୌସୁମୀର ମନର ଉପକୂଳରେ ।

 

ସେ ପଚାରିଲା ଲାଠିର ଆଘାତ କେଉଁଠି ଲାଗିଛି ?

 

ରତ୍ନାକର ଲଜ୍ଜିତ ହେବାଭଳି ମୁଖଭଙ୍ଗୀ କରି କହିଲା, ସେ କିଛି ନୁହେଁ–ଏଇ ବାମ ହାତ ବାହା ଉପରେ ଲାଠି ବାଜିଥିଲା–ଆଉ ମୋ ଉପରେ ଲାଠି ବାଜିବା ମାତ୍ରେ ଆମ ପଟ ଲୋକେ ଏପରି ଉତ୍ତ୍ୟକ୍ତ ହୋଇଗଲେ ଯେ ଫାଇଟିଂଟା ମାତ୍ର ଦେଢ଼ ଘଣ୍ଟାରେ ଶେଷ ହୋଇଗଲା–

 

: କିନ୍ତୁ ସେମାନେ କହୁଛନ୍ତି ଯେ ତମ ମୁଣ୍ତ ଫାଟିଛି–ଦାନ୍ତ–ଭାଙ୍ଗିଛି ! ମୌସୁମୀ ଛତା–ପାନବଟା ସାର୍‌ଙ୍କ କଥାକୁ ଆଉ ଥରେ ପରଖ କରି ନେବାକୁ ଚାହିଁଲା ।

 

: ସେ ସବୁ ପ୍ରଚାର । ମୁଁ ଯେ ମାଡ଼ ନ ଦେଇ ମାଡ଼ ଖାଇଛି–ଏଇ କଥାକୁ ସେମାନେ ଖୁବ୍‌ ବଡ଼ କରି ପ୍ରଚାର କରୁଛନ୍ତି । ସତ କହିବାକୁ ଗଲେ ରାମନାରାୟଣ ବାବୁଙ୍କ ପଟର ଏ ହେଉଛି ପ୍ରଥମ ଜିତ୍‌ । –ରତ୍ନାକର ଉତ୍ତର ଦେଲା ।

 

: ମାଡ଼ ତ ଖାଇଲୁ ଆଉ ସେଇ କଥା କେତେ ଆଉ ଗପିବୁ । ଯାଆ ଦିଦିଙ୍କ ପାଇଁ ଜଳଖିଆ ଆଣ । –ରତ୍ନାକରର ମାଆ ପଛରୁ କହିଲେ ।

 

: ନା–ନା–ମୁଁ କିଛି ଖାଇବ ନାହିଁ । ସନ୍ଧ୍ୟା ହୋଇ ଆସିଲାଣି । ମୁଁ ଯାଉଛି । ପରୀକ୍ଷା ତ ଆଉ ଅଳ୍ପ ଦିନ ରହିଲା । ମନ ଦେଇ ପଢ଼ାପଢ଼ି କର । ସମ୍ଭବ ହେଲେ କାଲି ସକାଳେ ଆସିବି । –ଆଉ ସେମାନଙ୍କୁ କିଛି କହିବାକୁ ନ ଦେଇ ଫେରିବାକୁ ଉଦ୍ୟତ ହେଲା ମୌସୁମୀ ।

 

ରତ୍ନାକର ତା’ର ପଥରୋଧ କଲା ।

 

କହିଲା, ପାଞ୍ଚ ମିନିଟ୍‌ ଅପେକ୍ଷା କରନ୍ତୁ–ମୁଁ ଘର ଭିତରୁ ଆସୁଛି ।

 

ଘର ଭିତରୁ ପୁଳାଏ ଦଶଟଙ୍କିଆ ନୋଟ୍‌ ନେଇ ରତ୍ନାକର ବାହାରି ଆସିଲା ।

 

ବିସ୍ମୟରେ ମୌସୁମୀ ପଚାରିଲା; ଏ କଅଣ ?

 

:ଟିଉସନ୍‌ ଫିସ୍‌ । ମୁଁ କିଛି ହିସାବ କରି ଦେଉନି–ହିସାବ କରି ଦେବା ଭଳି କ୍ଷମତା ମଧ୍ୟ ମୋର ନାହିଁ । ଏ ମାତ୍ର ଦୁଇଶହ ଟଙ୍କା ଅଛି ।–ରତ୍ନାକର ପ୍ରାର୍ଥନା କଲାଭଳି ଭଙ୍ଗୀରେ ଠିଆ ହୋଇ କହୁଥିଲା ।

 

ମୌସୁମୀ ନିସ୍ତବ୍‌ଧ ହୋଇ ଠିଆ ହେଲା ।

 

କିଛି ସମୟ ପରେ କହିଲା, ରତ୍ନାକର ! ଟଙ୍କା ପାଇଁ ତମକୁ ମୁଁ ପାଠ ପଢ଼ାଉ ନାହିଁ । ତମେ ପାଠ ପଢ଼ି ସତ୍ ମଣିଷ ହେବ, ତମ ମାଆଙ୍କ ମୁହଁରେ ହସ ଫୁଟିବ–ଏଇ ଲୋଭରେ ତମକୁ ମୁଁ ପଢ଼ାଉଛି ! ଏ ଟଙ୍କା ତମେ ରଖ । ଯେଉଁଦିନ ପାଠ ପଢ଼ି ରୋଜଗାର କରିବ–ସେ ଦିନ ମୋ ଟିଉସନ୍‌ ଫିସ୍‌ ବୁଝାଇ ଦେବ–ଆଉ ତମେ ତ ପାଶ୍‌ ନକଲେ ମୁଁ କେବେ ଟିଉସନ୍‌ ଟଙ୍କା ନେବି ନାହିଁ ।

 

ରତ୍ନାକର କିଛି କହି ନ ପାରି କେବଳ ଗୁଁ ଗୁଁ ହେଲା ।

 

ରତ୍ନାକର ମାଆ କହିଲେ, ରତ୍ନାକର କଅଣ ସତରେ ପାଶ୍‌ କରିବ ଝିଅ !

 

ମୌସୁମୀ ଦୃଢ଼ କଣ୍ଠରେ କହିଲା, ନିଶ୍ଚୟ–ସେ ପ୍ରଥମ ଚାନ୍‌ସରେ ହିଁ ପାଶ୍‌ କରିଯିବ ।

 

ରତ୍ନାକର ଦୃଷ୍ଟି ଆନତ କରି ସେଠାରୁ ପ୍ରସ୍ଥାନ କରିଗଲା ।

 

।। ୨୩ ।।

 

ଷ୍ଟେସନର ଭିଡ଼ ଅତିକ୍ରମ କରି ସେ ଦୁହେଁ ବାହାରକୁ ଆସିଲେ । ଆଜି ସୁଟିଂରେ ତା’ର ଥିଲା ଏକ ବିୟୋଗାନ୍ତକ ଭୂମିକା । ତା’ର ପ୍ରେମିକ ତା’ଠାରୁ ବିଦାୟ ନେଇଯିବ ଯୁଦ୍ଧକ୍ଷେତ୍ରକୁ । ଗଲାବେଳେ ତାକୁ ସଂକ୍ଷିପ୍ତ ସଂଳାପରେ କହିଯିବ, ‘‘ନାରୀର ପ୍ରେମଠାରୁ ମାତୃଭୂମିର ପ୍ରେମ ମୋ ପକ୍ଷରେ ଆଜି ବଡ଼ । ମୁଁ ମାତୃଭୂମିର ସୁରକ୍ଷା ପାଇଁ ସୀମାନ୍ତକୁ ବାହାରିଲି । ତମେ ଈଶ୍ୱରଙ୍କୁ ଡାକ, ଏ ଯେମିତି ତମ ସହିତ ମୋର ଶେଷ ଦେଖା ନ ହୁଏ ।’’

 

ନାୟକ ମୁହଁରୁ ଏ କଥା ଶୁଣିଲା ପରେ ଚିତ୍ର ନିର୍ଦ୍ଦେଶକ ମିଷ୍ଟର ସେନ୍‌ଙ୍କ ନିର୍ଦ୍ଦେଶ ଅନୁସାରେ ସେ ମୁହଁରେ ଜବରଦସ୍ତ ହସର ଏକ ସରୁ ରେଖା ଟାଣି ଟେନ୍‌ର ଶେଷ କମ୍ପାଟମେଣ୍ଟ୍‌ ଷ୍ଟେସନ ଛାଡ଼ିବା ପର୍ଯ୍ୟନ୍ତ ହାତ ଟେକି ରୁମାଲ ଉଡ଼ାଇବା କଥା ।

 

କିନ୍ତୁ ରୂପକୁମାର ଯେତେବେଳେ ତାକୁ ନାରୀର ପ୍ରେମଠାରୁ ମାତୃଭୂମିର ପ୍ରେମ ବଡ଼ ବୋଲି କହି ବିଦାୟ ମାଗିଲା । ମୁହଁରେ ହସ ଟାଣି ରୁମାଲ୍‌ ଉଡ଼ାଇବା ବଦଳରେ ସେ କଇଁ କଇଁ ହୋଇ କାନ୍ଦି ଉଠି ମୁହଁରେ ରୁମାଲ୍‌ଟା ଚାପି ଧରିଲା ।

 

କଟ୍‌...କଟ୍‌ ବୋଲି ମିଷ୍ଟର ସେନ୍‌ ଚିତ୍କାର କରି ଉଠିଲେ । କାମେରାମ୍ୟାନ ଓ ଅନ୍ୟାନ୍ୟ ସହ ଅଭିନେତା, ଅଭିନେତ୍ରୀମାନେ ତା’ର ଏପରି କାଣ୍ଡ ଦେଖି ଅବାକ୍‌ ହୋଇଗଲେ । ଚିତ୍ର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଏପରି ଭାବରେ ଅମାନ୍ୟ କରିଥିବାରୁ ସେ ନିଜେ ମଧ୍ୟ ଅପ୍ରସ୍ତୁତ ହୋଇ ପଡ଼ିଲା ।

 

ସେଇ ସିନ୍‌ର ଆଉ ଥରେ ପୁଣି ସୁଟିଂ ହେଉ ହେଉ ସନ୍ଧ୍ୟା ।

 

ସେ ଦୁହେଁ ଆଗ୍ରହୀ ଦର୍ଶକମାନଙ୍କ ଭିଡ଼ ଠେଲି ବହୁ କଷ୍ଟରେ ରାସ୍ତା ଉପରକୁ ଆସିଲେ-

 

ରୂପକୁମାର ପଚାରିଲା, ଆପଣ କଅଣ ହୋଟେଲ୍‌କୁ ଫେରିଯିବେ ?

 

ମୃଣାଳ ଦିନକ ପାଇଁ କଟକ ଯାଇଛି । ହୋଟେଲରେ ସେଥିପାଇଁ ତାକୁ ଏକୁଟିଆ ଏକୁଟିଆ ଲାଗୁଛି । ସେଥିପାଇଁ ରୂପକୁମାର ପ୍ରଶ୍ନର ଉତ୍ତର ଦେବା ପାଇଁ ସେ ଟିକିଏ ସମୟ ନେଲା-

 

ରୂପକୁମାର ଗୋଟାଏ ଟେକ୍‌ସି ଅଟକାଇ କହିଲା, କଲିକତାରୁ ସୁଟିଂ କାମ ପ୍ରାୟ ଶେଷ ହୋଇଗଲା । ଏଥର ଯିବାକୁ ହେବ ନେଫାସୀମାନ୍ତ ଆଉ ଲଛମନ ଝୋଲା । ଚାଲନ୍ତୁ ନା ଟିକିଏ ଲେକ୍‌ ଆଡ଼େ ବୁଲି ଆସିବା !

 

ଟାକ୍‌ସିଟା ଠିଆ ହୋଇଥିଲା ।

 

ଉତ୍ତର ଦେବାକୁ ସୁବିଧା ପାଇଲା ନାହିଁ ମଞ୍ଜୁଳା । ରୂପକୁମାର ସହ ସେ ଟାକ୍‌ସିରେ ଉଠିପଡ଼ିଲା । ବାଟରେ ଟାକ୍‌ସି ଭିତରେ ତାକୁ ରୂପକୁମାର ପ୍ରଶ୍ନ କଲା, ଆଜି ହସିବା ବଦଳରେ ଆପଣ କାନ୍ଦି ପକାଇଲେ, ନା ? ଆପଣଙ୍କ କାନ୍ଦ ଦେଖି ମୋ ଆଖିରେ ମଧ୍ୟ ଲୁହ ଭରି ଆସୁଥିଲା ।

 

ନିମ୍ନକଣ୍ଠରେ ଲଘୁ ପରିହାସ କରି ମଞ୍ଜୁଳା କହିଲା, ରକ୍ଷା ହୋଇଛି; ଆପଣ ସୀମାନ୍ତ ରକ୍ଷା ପାଇଁ ନେଫା ଯିବେ ନାହିଁ ବୋଲି ଚିତ୍କାର କରି ନାହାନ୍ତି ତା’ ହୋଇଥିଲେ ଅବସ୍ଥା ଆହୁରି ସାଂଘାତିକ ହୋଇଥାଆନ୍ତା ।

 

କଥା ଶେଷ କରି ନିଜେ ମନକୁ ମନ ଚାପା କଣ୍ଠରେ ହସିଲା ମଞ୍ଜୁଳା ।

 

ଟାକ୍‌ସିର ଉଇଣ୍ତୋ ବାଟେ ଚଳମାନ ଜନସ୍ରୋତକୁ ଲକ୍ଷ୍ୟ କରୁ କରୁ ରୂପକୁମାର କହିଲା, କିନ୍ତୁ ବିଶ୍ୱାସ କରନ୍ତୁ, ଆପଣଙ୍କ ଅଭିନୟରେ ମୁଁ ଆଜି ଅଭିଭୂତ ହୋଇପଡ଼ିଛି । ଆପଣ ହେଉଛନ୍ତି ଏ ସଂସାରରେ ଏକମାତ୍ର ଝିଅ ଯେ ନିର୍ଦ୍ଦେଶକର ନିର୍ଦ୍ଦେଶ ଅମାନ୍ୟ କରି ମୋ ପାଇଁ ଆଜି କାନ୍ଦିଲା ।

 

ଲେକ୍‌ ଏରିଆ ଆସି ଯାଇଥିଲା ।

 

ରୂପକୁମାର କଅଣ କହିଲା, ସେ କଥା ଭଲକରି ବୁଝିବା ପାଇଁ ସମୟ ପାଇଲା ନାହିଁ ମଞ୍ଜୁଳା, ସେ କେବଳ ଲକ୍ଷ୍ୟ କଲା, ଆଜି ତା’ର ଭୁଲ୍‌ ଅଭିନୟ ପରଠାରୁ ଏକ ବିଷର୍ଣ୍ଣତାର ଛାୟା ରୂପକୁମାରର ସାରା ମୁଖମଣ୍ତଳକୁ ଆଚ୍ଛନ୍ନ କରି ରଖିଛି ।

 

ସେମାନେ ଲଘୁ ପଦକ୍ଷେପରେ ଚଲାପଥ ଅତିକ୍ରମ କରିଗଲେ । ଲେକ୍‌ ଘେରି ସନ୍ଧ୍ୟା ଆସୁଥିଲା । ଚାରିପଟେ ଧୀରେ ଧୀରେ ବଢ଼ି ଆସୁଥିଲା ଲୋକ ଗହଳି । ଚନାଚୂର, ଆଇସ୍‌କ୍ରିମ୍‌ ବିକାଳୀଙ୍କ ପାଟି ତୁଣ୍ତରେ ଯେଉଁ ଅଂଶ ଶଦ୍ଦାୟିତ ହେଉଥିଲା, ଲେକ୍‌ର ସେ ଅଂଶକୁ ପଛରେ ପକାଇ ସେମାନେ ଏକ ଅପେକ୍ଷାକୃତ ନିର୍ଜ୍ଜନ ସ୍ଥାନକୁ ଚାଲିଗଲେ ।

 

କାହାରି ତୁଣ୍ତରେ କିଛି କଥା ନ ଥିଲା ।

 

ସନ୍ଧ୍ୟାର ଶିର୍‌ ଶିର୍‌ ସମୀରଣ, ସିମେଣ୍ଟ ବେଞ୍ଚ୍‌, ଗଛମୂଳେ ବସିଥିବା ନାରୀ ପୁରୁଷ କଣ୍ଠର ଅସ୍ପଷ୍ଟ ଧ୍ୱନି, ଲେକ୍‌ର ଜଳରେ ଛିଡ଼ି ପଡ଼ୁଥିବା ଖଣ୍ତ ଖଣ୍ତ ଅନ୍ଧକାର ବେଶ୍‌ ଏକ ସ୍ୱପ୍ନିଳ ପରିବେଶ ସୃଷ୍ଟି କରୁଥିଲା ମଞ୍ଜୁଳାର ମନରେ ।

 

କିଛି ସମୟ ଚାଲିଲା ପରେ ବେଶ୍‌ କ୍ଳାନ୍ତି ଲାଗିଲା ।

 

ଲେକ୍‌ କୂଳର ଅରାଏ ଘାସ ଉପରେ ଦୁହେଁ ଯାକ ବସି ପଡ଼ିଲେ । ରୂପକୁମାର ପ୍ରଶ୍ନ କଲା, ଫିଲ୍ମ ସୁଟିଂ ପରେ ଆପଣ କଅଣ କରିବେ ମଞ୍ଜୁଳା ଦେବୀ !

 

ମଞ୍ଜୁଳା ଚମକି ଉଠିଲା ।

 

ମିଷ୍ଟର ସେନ୍‌ଙ୍କ ପ୍ରଶ୍ନ ରୂପକୁମାର କଣ୍ଠରେ ପୁନରାବୃତ୍ତି ହେବା ଦେଖି ତା’ର ମନେ ହେଲା, ସେ ବୋଧହୁଏ ପୁଣି ଥରେ ସେ ହିନ୍ଦୀ ଫିଲ୍ମ ପ୍ରସଙ୍ଗ ଶୁଣିବ ।

 

ଫିଲ୍ମ ସୁଟିଂ ପରେ ଓଡ଼ିଆ ଝିଅ ପୁଣି ଓଡ଼ିଶା ଫେରିଯିବ । ଏହାଛଡ଼ା ସେ ଆଉ ଅଧିକ କଅଣ ଆଶା କରିପାରେ ! ମଞ୍ଜୁଳା କଥା କହି ଗୋଟିଏ ଲମ୍ବା ନିଃଶ୍ୱାସ ଛାଡ଼ିଲା ।

 

–ମୋ କଥା ଆଉ ମନେ ପଡ଼ିବ ? –ରୂପକୁମାର ତଣ୍ଟି ଶୁଖି ଆସୁଥିଲା ଭଳି ମନେ ହେଲା ମଞ୍ଜୁଳାର ।

 

–ଆପଣଙ୍କ କଥା ? ମନେ ପଡ଼ିବ କି ନାହିଁ ବର୍ତ୍ତମାନ ମୁଁ କିପରି କହି ପାରିବି ?

 

ମୁଁ କିନ୍ତୁ ଆପଣଙ୍କୁ ଭୁଲି ପାରିବି ନାହିଁ । ଆପଣ ମୋ ମନ ଭିତରେ ଅଲିଭା ଦୀପ ହୋଇ ଚିରଦିନ ଜଳୁଥିବେ ।

 

ରୂପକୁମାର କଥା ଶୁଣି ମଞ୍ଜୁଳାର ମନେ ହେଲା, ହ୍ରଦ ଉପରେ କଲିକତା ମହାନଗରୀର ଆକାଶଟା ଯେମିତି ଛିଡ଼ି ପଡ଼ିଲା !

 

ସେ ସନ୍ଦେହୀ ଦୃଷ୍ଟିରେ ରୂପକୁମାରକୁ ଚାହିଁ ପ୍ରଶ୍ନ କଲା, ଆପଣ କଅଣ ଆଜି ପ୍ରକୃତିସ୍ଥ ନାହାନ୍ତି ! ଏଇଟା ଯେ ହ୍ରଦ କୂଳ; ଆର୍ଟ ଷ୍ଟୁଡ଼ିଓର ଚତ୍ୱର ନୁହେଁ–

 

ବିଶ୍ୱାସ କରନ୍ତୁ, ମୁଁ ଯାହା କହୁଛି, ତାହା ମୋର ହୃଦୟର କଥା । ଷ୍ଟୁଡ଼ିଓ ଭିତରେ ପ୍ରଣୟର ଅଭିନୟ କରୁ କରୁ ମୁଁ ସତରେ ଆପଣଙ୍କ ପ୍ରେମରେ ପଡ଼ି ଯାଇଛି । ମୋର ମନକୁ ଯେତେ ବୁଝାଇଲେ ସୁଦ୍ଧା ସେ ବୁଝୁ ନାହିଁ । ସେଇ କଥା କହିବି କହିବି ବୋଲି–। ....ରୂପକୁମାର କଥା ଶେଷ କରିବା ଆଗରୁ ମଞ୍ଜୁଳା ଉଠି ଠିଆ ହେଲା ।

 

ପଛେ ପଛେ ଚାଲୁ ଚାଲୁ ରୂପକୁମାର ବ୍ୟାକୁଳ କଣ୍ଠରେ କହିଲା, ଆପଣ କଅଣ ମୋ ଆନ୍ତରିକତାକୁ ଅବିଶ୍ୱାସ କରୁଛନ୍ତି !

 

ମଞ୍ଜୁଳା ପଛକୁ ଫେରି ଚାହିଁଲା ।

 

କହିଲା, ମୁଁ ମୃଣାଳ ବାବୁଙ୍କ ବାକ୍‌ଦତ୍ତା ପତ୍ନୀ । ଆପଣ ମୋର ଅଭିନେତ୍ରୀ ଜୀବନର ପ୍ରଥମ କାଳ୍ପନିକ ପ୍ରେମିକ । ସୁଟିଂ ଶେଷ ହେବା ସହିତ ଆପଣଙ୍କ ସହ ମୋର ପ୍ରେମ ଅଭିନୟ ମଧ୍ୟ ଶେଷ ହୋଇଯିବ । ଆପଣ ଦୟାକରି ନିଜ କଳ୍ପନାର ବେଲୁନ୍‌କୁ ଆଉ ଖୁବ୍‌ ଉପରକୁ ଉଡ଼ାନ୍ତୁ ନାହିଁ ।

 

ମଞ୍ଜୁଳାର କଣ୍ଠସ୍ୱରରେ ଏପରି ଏକ ରୁକ୍ଷତା ମିଶି ରହିଥିଲା, ତା’ର ସେ କଥା ଶୁଣିଲା ପରେ କିଛି ସମୟ ନିଃଶ୍ୱାସ ନେବାକୁ କଷ୍ଟବୋଧ କଲା ରୂପକୁମାର ।

 

ସେମାନେ ଦୃତ ପଦରେ ଲେକ୍‌ ଏରିଆର ଛାୟାଛନ୍ନ ଅନ୍ଧକାର ଅତିକ୍ରମ କରି ବସ୍‌ ଷ୍ଟପେଜ୍‌ର ଆଲୋକ ଭିତରକୁ ଆସିଗଲେ ।

 

ମଞ୍ଜୁଳା ଲକ୍ଷ୍ୟ କଲା ରୂପକୁମାରର ମୁହଁରେ ବେଦନାରେ ମେଘ ଘୋଟି ରହିଛି । ସେ ଆଉ ଯଦି ପଦେ ନିଷ୍ଠୁର ସତ୍ୟ କହେ, ତାହାହେଲେ ତା’ର ଦୁଇ ଆଖିରୁ ଝର ଝର ଲୁହ ବର୍ଷା ହୋଇଯିବ ।

 

ଲୋକଟି ପ୍ରତି ତା’ର ମନରେ ମାୟା ହେଲା ।

 

ସେ କଣ୍ଠ କୋମଳ କରି କହିଲା, ଗୋପାଳ ବାବୁ ! ପ୍ରେମ ଏପରି ଏକ ନର୍ଦ୍ଦମା ନୁହେଁ ଯେଉଁଠି ଜଣେ ସୁସ୍ଥ ମସ୍ତିସ୍କ ବ୍ୟକ୍ତି ହଠାତ୍‌ ପଡ଼ିଯିବ । ଯେଉଁମାନେ ହଠାତ୍‌ ପ୍ରେମରେ ପଡ଼ନ୍ତି, ସେମାନେ ହଠାତ୍‌ ମଧ୍ୟ ସେ ପ୍ରେମକୁ ଭୁଲି ଯାଇ ପାରନ୍ତି । ମୁଁ ଯେ ଆଉ ଜଣଙ୍କର ବାକ୍‌ଦତ୍ତା ପତ୍ନୀ, ଏ ଫିଲ୍ମ ସୁଟିଂ ଶେଷରେ ଆମର ବିବାହ ହେବ–ଏତିକି କଥା ସ୍ମରଣ ରଖିଲେ ଆପଣଙ୍କ ହଜି ଯାଇଥିବା ମନକୁ ଆପଣ ସାଙ୍ଗେ ସାଙ୍ଗେ ଖୋଜି ପାଇବେ ।

 

ମଞ୍ଜୁଳା ଆଉ କଅଣ କହି ଥାଆନ୍ତା !

 

ସେ ଦେଖିଲା ରାସ୍ତା ଆରପଟେ ନିଜ କାର୍‌କୁ ଆଉଜି ସେମାନଙ୍କ ଆଡ଼କୁ ତୀକ୍ଷଣ୍‌ ଦୃଷ୍ଟିରେ ଚାହିଁ ସିଗାରେଟ୍‌ ଟାଣୁଛନ୍ତି ମିଷ୍ଟର ସେନ୍‌ । ତାଙ୍କ ଆଖି ଦୁଇଟା ଗୋଟାଏ ଭିଲିଆନ୍‌ର ଆଖି ଭଳି ଡହ ଡହ ହୋଇ ଜଳୁଛି ।

 

ଗୋଟାଏ ଖାଲି ଟାକ୍‌ସି ଆସୁଥିଲା ।

 

କାଳ ବିଳମ୍ୱ ନ କରି ସେ ଟାକ୍‌ସିରେ ସେ ଏକାକିନୀ ପଶି ସଶଦ୍ଦରେ ଦରଜା ବନ୍ଦ କରିଦେଲା ।

 

।। ୨୪ ।।

 

ସେଦିନ ତା’ର ମାଳବିକା ଘରକୁ ଟିଉସନ୍‌ କରି ଯିବାର ଦିନ । ରବିବାର । କିନ୍ତୁ ମିସ୍‌ ନାୟକଙ୍କ ଗୁର୍ଖା ଦରଓ୍ୱାନଟା ସକାଳୁ ଆସି ଖବର ଦେଇଗଲା, ମିସ୍‌ ନାୟକ ଡକାଇଛନ୍ତି । ଜରୁରୀ କଅଣ କଥାବାର୍ତ୍ତା ଅଛି । ଶୀଘ୍ର ଯିବାକୁ ହେବ ।

 

କଅଣ ପାଇଁ ମିସ୍‌ ନାୟକ ତାକୁ ତାଙ୍କ କ୍ୱାଟରକୁ ଡକାଇଛନ୍ତି ହଠାତ୍‌ ଅନୁମାନ କରିପାରିଲା ନାହିଁ ମୌସୁମୀ ।

 

ତା’ର ମାଳବିକା ଘରକୁ ଯିବାର ଥିଲା ।

 

ସେ କିନ୍ତୁ ଅଗତ୍ୟା ବାହାରିଲା ମିସ୍‌ ନାୟକଙ୍କ କ୍ୱାଟର୍‌କୁ ।

 

ଗୁର୍ଖା ଦରଓ୍ୱାନ୍‌ କହିଲା, ଭିତରେ ସାହେବ ମଧ୍ୟ ଅଛନ୍ତି । କଅଣ ପାଟିତୁଣ୍ତ ଚାଲିଛି ।

 

ଅନୁମତି ନ ନେଇ ମିସ୍‌ ନାୟକଙ୍କ କ୍ୱାଟରରେ ପ୍ରବେଶ କରିବାର ନିୟମ ନାହିଁ । ମୌସୁମୀ ଫେରି ଆସିବାକୁ ବସିଥିଲା । ପରେ ଆସିବ ବୋଲି ମନସ୍ଥ କରିଥିଲା । କାରଣ ଗୁର୍ଖା ଦରଓ୍ୱାନ୍‌ର କ୍ୱାଟର ଭିତରେ ପ୍ରବେଶ କରିବାର ମଧ୍ୟ ଅଧିକାର ନାହିଁ । ମେରୀ ମିସ୍‌ ନାୟକ ସାଇମନ୍‌ ସାହେବଙ୍କ ସହିତ ଭିତରେ । ସେ ଖବର ପଠାଇବ କାହା ହାତରେ !

 

ଫେରି ଆସୁଥିଲା ମୌସୁମୀ ।

 

ଗୁର୍ଖା ଦରଓ୍ୱାନ କହିଲା, କଅଣ ଜରୁରୀ କାମରେ ଡକାଇଥିଲେ ମେମ୍‌ ସାହେବ ! ଆପଣ ବରଂ ଭିତରକୁ ଯାଆନ୍ତୁ.....

 

ମୌସୁମୀ ଭିତରକୁ ଗଲା ।

 

ମିସ୍‌ ନାୟକ ଓ ସାଇମନ୍‌ ସାହେବଙ୍କ ଉତ୍ତେଜିତ କଣ୍ଠସ୍ୱର ଶୁଣାଯାଉଛି । ଆଉ ମଝିରେ ମଧ୍ୟ ଶ୍ରୂତିଗୋଚର ହେଉଛି ମେରୀର ଅସ୍ପଷ୍ଟ କ୍ରନ୍ଦନର ସ୍ୱର !

 

ଏପଟ ଘରେ ଠିଆ ହୋଇଛି ମୌସୁମୀ ।

 

ଆରପଟ ଘରେ ଅଭିନୀତ ହେଉଛି କୌଣସି ଉତ୍ତେଜିତ ନାଟକ ।

 

କାହାର ବ୍ୟକ୍ତିଗତ କଥା ଶୁଣିବା ମୌସୁମୀର ରୁଚି–ବିରୁଦ୍ଧ । କିନ୍ତୁ ସେଦିନ, ସେହି ମୂହୂର୍ତ୍ତରେ ମିସ୍‌ ନାୟକ ଓ ସାଇମନ୍‌ ସାହେବଙ୍କ ସେ ଉତ୍ତେଜିତ କଥାବାର୍ତ୍ତା ଶୁଣିବା ଲୋଭ ସେ ସମ୍ୱରଣ କରି ପାରିଲା ନାହିଁ ।

 

:ମେରୀ ତମ ପାଖରେ ରହିବାର ଆଉ କିଛି ଆବଶ୍ୟକତା ନାହିଁ । ଲୁସି ଯେ ଏତେଦିନ ପରେ ମୋ ପାଖକୁ ଫେରି ଆସୁଛି, ତାହା କେବଳ ମୋ ପାଇଁ ନୁହେଁ–ଏଇ ମେରୀ...ମେରୀ ପାଇଁ–

 

:ଲୁସି, ଲୁସି, ଲୁସି ! ସେ ନାମଟା କେତେଥର ଆଉ ତମେ ମୋ ପାଖରେ ଉଚ୍ଚାରଣ କରିବ ? ଲୁସି ତମର ବିବାହିତା ସ୍ତ୍ରୀ । ତମକୁ ସେ ଛାଡ଼ପତ୍ର ଦେଇଥିଲା, ସେଥିପାଇଁ ‘ମୁଁ’ ଦାୟୀ ନୁହେଁ । ତୁମ ଦୁହିଁଙ୍କ ମଝିରେ ମୁଁ କେବେ ଛିଡ଼ା ହେବାକୁ ଚାହିଁ ନାହିଁ । ତମକୁ ସେ ଯେଉଁଦିନ ଛାଡ଼ପତ୍ର ଦେଇ ଚାଲିଗଲା ଇଚ୍ଛା କରିଥିଲେ ସେ ମେରୀକୁ ମଧ୍ୟ ତା’ ସାଙ୍ଗରେ ନେଇ ଯାଇ ପାରିଥାଆନ୍ତା । (କିଛି ସମୟର ନୀରବତା । ତା’ପରେ–) କିନ୍ତୁ ଆଠ ମାସର ଏଇ ଛୋଟ ଝିଅ ସେଦିନ ତା’ର କୁସୁମିତ ଯାତ୍ରା ପଥରେ କଣ୍ଟକ ଭଳି ମନେ ହୋଇଥିଲା । ସେଥିପାଇଁ ସେ ଯାହାକୁ ଅନ୍ତଫାଡ଼ି ଜନ୍ମ ଦେଇଥିଲା, ଏକ ପରିତେଜ୍ୟ ପଦାର୍ଥ ଭଳି ସେ ତାକୁ ତମ ପାଖରେ ଛାଡ଼ି ଦେଇ ଯାଇଥିଲା । ସେ କଥା ତମର ଆଜି ମନେ ପଡ଼ୁଛି ?

 

:ପଡ଼ୁଛି । ଲୁସି ଚାଲିଯିବା ପରେ ସଂସାର ପ୍ରତି ମୋର କିପରି ଏକ ବୈରାଗ୍ୟଭାବ ଆସି ଯାଇଥିଲା । ଆଠମାସର ଏଇ ଶିଶୁକୁ ନେଇ ସେଦିନ ରାତିରେ ମୁଁ ତମ ପାଖକୁ ଛୁଟି ଯାଇଥିଲି । ଆଠମାସର ଶିଶୁ କୌଣସି ପୁରୁଷ ପାଖରେ ମଣିଷ ହୋଇ ପାରେନା । ମୁଁ ତମ ପାଖରେ କୃତଜ୍ଞ, ତମେ ତାକୁ ମଣିଷ କରିଛ । ତା’ ପାଇଁ ଅନେକ କଷ୍ଟ ସହିଛ । କିନ୍ତୁ ମୁଁ ତମକୁ କେବେ କହି ନ ଥିଲି ଯେ ମେରୀ ସବୁଦିନେ ତମ ପାଖରେ ରହିବ ! କହିଥିଲି ?

 

: ମତେ ତମେ ଜୀବନରେ ଅନେକ କନ୍ଦାଇଛ, ଆଜି ଆଉ ହସାଅ ନାହିଁ ଏ ବାଜେ କଥା କହି । କହିଥିଲେ କଥା ରଖିଥାଆନ୍ତ, ଏ ଧାରଣା ତମେ ମତେ ଆଜି ଦେବାକୁ ଚାହୁଁଛ ? ଲୁସି ସହିତ ବିବାହ ଆଗରୁ ମତେ ତ ବିବାହ କରିବ ବୋଲି ଏକ ସହସ୍ରବାର କହିଥିଲ । ସେ କଥା ରଖି ପାରିଥିଲ ?

 

: ରୋଜି ! ସେ ପୁରୁଣା କଥାକୁ ଆଉ ସ୍ମରଣ କରି କିଛି ଲାଭ ନାହିଁ । କେଉଁ ପରିସ୍ଥିତିରେ ତମକୁ କଥା ଦେଇ ସୁଦ୍ଧା ଲୁସିକୁ ମତେ ବିବାହ କରିବାକୁ ପଡ଼ିଥିଲା, ସେ କଥା ତମକୁ ଅନେକ ଥର କହିଛି । ତା’ର ସେହି ଅସହାୟ ଅବସ୍ଥା, ତା’ ମାଆଙ୍କର ସେହି ମୃତ୍ୟୁକାଳୀନ ଅନୁରୋଧ, ପ୍ରଭୁଙ୍କ ପବିତ୍ର ଛବି ଛୁଇଁ ଜୀବନର ଏକ ଦୁର୍ବଳ ମୁହୂର୍ତ୍ତରେ ମୁଁ ଶପଥ କରିଥିଲି ତାକୁ ବିବାହ କରିବି–

 

: ମୁଁ ତମକୁ ସେଥିରେ ବାଧା ଦେଇ ନାହିଁ । ତମ ବିବାହରେ ମୁଁ କେବେ ପ୍ରତିବନ୍ଧକ ହୋଇନାହିଁ । ହୋଇଛି ? କିନ୍ତୁ ମେରୀକୁ ମୋ କୋଳରେ ତୋଳି ଦେଇ ତମେ ମୋର ଅନ୍ୟତ୍ର ବିବାହର ପଥରୁଦ୍ଧ କରି ଦେଲ । ଅନ୍ୟ ଏକ ପୁରୁଷକୁ ବିବାହ କଲେ ମେରୀକୁ ମୁଁ ମଣିଷ କରିପାରିବି ନାହିଁ, ଏଇ ଭୟରେ ମୁଁ ସାରା ଜୀବନ ଅବିବାହିତା ରହିଲି । ଅଥଚ ଦୀର୍ଘ ପନ୍ଦରବର୍ଷ ପରେ ହଠାତ୍‌ ତମକୁ ଛାଡ଼ପତ୍ର ଦେଇ ଚାଲି ଯାଇଥିବା ସ୍ତ୍ରୀ ତମ ପାଖକୁ ଫେରି ଆସିବାକୁ ଚାହିଁଲା, ସେଥିପାଇଁ ତମେ ମେରୀକୁ ମୋ କୋଳରୁ ଛଡ଼ାଇ ନେବ ?

 

ରୋଜି ! ପ୍ରଭୁ କହିଛନ୍ତି, ପ୍ରାୟଶ୍ଚିତ୍ତ ସବୁ ପାପର କ୍ଷୟ କରେ । ତମ ସହିତ ମୋର ସମ୍ପର୍କକୁ ଭୁଲ୍‌ ବୁଝି ଲୁସି ମୋ ଠାରୁ ଦୂରକୁ ଚାଲି ଯାଇଥିଲା । ପରିଣତ ବୟସରେ ସେ ତା’ର ଭୁଲ୍‌ ବୁଝି ପାରି ପ୍ରାୟଶ୍ଚିତ୍ତ କରିଛି । ମୋ ପାଖକୁ ଫେରି ଆସିବା ପାଇଁ ବ୍ୟାକୁଳ ହୋଇ ଚିଠି ଲେଖିଛି । ମୁଁ ତା’ର ସବୁ ଧୃଷ୍ଟତା କ୍ଷମା କରିଛି । ଆମେ ପୁଣି ଦୀର୍ଘଦିନ ପରେ ମିଳିତ ହେବୁ । ଲୁସି ଚାହେଁ ମେରୀ ଆମ ପାଖରେ ରହିବ–

 

:ତମେ ପାଦ୍ରୀ ନୁହଁ, ତମେ ଜଣେ ନୃଶଂସ ଜହ୍ଲାଦ । ନିଜ ସୁଖ ଛଡ଼ା ଅନ୍ୟ କିଛି ତମେ ଜାଣ ନାହିଁ । ଥରେ ହେଲେ ତମେ ଭାବିଛ, ମେରୀ ଚାଲିଗଲା ପରେ ମୁଁ କଅଣ ନେଇ ଆଉ ବଞ୍ଚିବି ? ଏ ବୟସରେ ତମେ ତମର ଛାଡ଼ପତ୍ର ଦେଇ ଚାଲି ଯାଇଥିବା ପତ୍ନୀକୁ ଫେରି ପାଇଲ, କିନ୍ତୁ ଇଚ୍ଛା କଲେ ମଧ୍ୟ ଏ ବୟସରେ ମୁଁ ଆଉ ଅନ୍ୟ କାହାକୁ ବିବାହ କରିପାରିବି ନାହିଁ । ଅଥଚ ଏଇ ମେରୀକୁ ମଣିଷ କରିବା ପାଇଁ ଏ ଦୀର୍ଘ ପନ୍ଦରବର୍ଷ କାଳ ନିଜକୁ ଭୁଲିଛି । ନିଜ ଭବିଷ୍ୟତ ଚିନ୍ତା ଭୁଲିଛି । ମୋ ଜୀବନର ସେ ଏକମାତ୍ର ସମ୍ପଦ । ତାକୁ ବାଦ୍‌ ଦେଲେ ଏ ବୟସରେ ମୋର ବଞ୍ଚିବାର ଆଉ କି ଅବଲମ୍ବନ ରହିଲା ? ମେରୀକୁ ମୁଁ ଜନ୍ମ ଦେଇନି କିନ୍ତୁ ବିନ୍ଦୁ ବିନ୍ଦୁ ରକ୍ତ ଦେଇ ମୁଁ ତାକୁ ମଣିଷ କରିଛି–ମୁଁ ତା’ର ଭର୍ଜିଜ୍‌ ମଦର୍‌–

 

ରୁଦ୍ଧ ଶ୍ୱାସ ହୋଇ ମୌସୁମୀ ସେମାନଙ୍କର କଥା ଶୁଣୁଥିଲା । ସେମାନେ ଏପରି ଭାବରେ ଉଚ୍ଚ କଣ୍ଠରେ କଥାବାର୍ତ୍ତା ହେଉଥିଲେ ଯେ, ସେମାନଙ୍କ କଥାବାର୍ତ୍ତାର ପ୍ରତ୍ୟେକ ଶଦ୍ଦ ତୀର ଭଳି ତା’ ଚେତନାର ଗ୍ରନ୍ଥିରେ ବିଦ୍ଧ ହୋଇ ଯାଉଥିଲା ।

 

ମିସ୍‌ ନାୟକଙ୍କ ଚରିତ୍ରର ଯେଉଁ ଅଂଶଟି ଏ ପର୍ଯ୍ୟନ୍ତ ରହସ୍ୟାବୃତ୍ତ ହୋଇ ତା’ ଆଖି ଆଗରେ ରହିଯାଇ ଥିଲା, ସେମାନଙ୍କ ଅସୁସ୍ଥ ବ୍ୟକ୍ତିଗତ ଜୀବନର ଏଇ କଥପୋକଥନ ଶୁଣିବା ପରେ, ତାହା ତା’ ଆଖି ଆଗରେ ଉନ୍ମୋଚିତ ହୋଇଗଲା ।

 

ନିଜର ପ୍ରତାରକ–ପ୍ରେମିକର ପରିତ୍ୟକ୍ତା କନ୍ୟାକୁ ମଣିଷ କରିବା ପାଇଁ ମହମବତୀର ଶିଖା ଭଳି ସେ ସାରା ଜୀବନ ଜଳି ତରଳୁଛନ୍ତି ।

 

ମୌସୁମୀ ଶୁଣିଲା ମେରୀ କଇଁ କଇଁ ହୋଇ କାନ୍ଦୁଛି ।

 

କହୁଛି, ଡାଡ଼ି ! ମୁଁ ମାମିକୁ ଛାଡ଼ି ଯିବି ନାଇଁ–ମାମିକୁ ଛାଡ଼ି ଗଲେ ମୁଁ ବଞ୍ଚିବି ନାଇଁ–

 

ମୌସୁମୀ ଶୁଣି ପାରିଲା ନାଇଁ ସାଇମନ୍‌ ସାହେବ କଅଣ କହୁଛନ୍ତି । ଆଉ କିଛି ଶୁଣା ଯାଉ ନ ଥିଲା । କାଳେ ସେମାନେ ଏ କୋଠରୀକୁ ଚାଲି ଆସିବେ, ସେଇ ଭୟରେ ସେ ବାହାରକୁ ଚାଲି ଆସିଲା ।

ଗୁର୍ଖା ଦରଓ୍ୟାନ୍‌ ପଚାରିଲା, ମେମ୍‌ସାହେବଙ୍କ ସହ ଦେଖା ହେଲା ।

 

ନା–ସେମାନେ ଆର ଘରେ ଅଛନ୍ତି ।–ମୌସୁମୀ ଉତ୍ତର ଦେଲା ।

 

ଗୁର୍ଖା ଦରଓ୍ୟାନ ନିଜେ ଯାଇ ଦରଜା ଜଞ୍ଜିର ଝଣ ଝଣ କଲା ।

 

ମିସ୍‌ ନାୟକଙ୍କ କଣ୍ଠସ୍ୱର ଶୁଣାଗଲା, କିଏ ସେ ?

 

ମୁଁ ମୌସୁମୀ ।

 

କିଛି ସମୟ ପରେ ମିସ୍‌ ନାୟକ ବାହାରକୁ ଆସି ତାକୁ ଡାକିନେଲେ ।

 

ମୁହଁ ଧୋଇ ନେଇଥିଲେ ସୁଦ୍ଧା ସେ ଅନୁଭବ କଲା, ମିସ୍‌ ନାୟକଙ୍କ ଆଖି ଦୁଇଟି ଫୁଲି ଲାଲ୍‌ ଦେଖାଯାଉଛି । କଥା କହିଲାବେଳେ ସେ ନିଶ୍ଚୟ କାନ୍ଦୁଥିଲେ ।

 

:କେତେବେଳୁ ଆସିଲଣି ?

 

: ଏଇ ମାତ୍ର ଆସିଲି । ମୌସୁମୀ ଜାଣି ଜାଣି ମିଛ କହିଲା ।

 

: ତାକୁ ଡାକିଥିଲି–ସ୍କୁଲ ବାର୍ଷିକ ଉତ୍ସବ ଉପଲକ୍ଷେ ସାଂସ୍କୃତିକ ଅନୁଷ୍ଠାନ କଥା କହିବା ପାଇଁ ।

 

ମୌସୁମୀର ମୁହଁ ଶୁଖିଗଲା ।

 

: ମତେ କଅଣ ଏ ବର୍ଷ ମଧ୍ୟ ନାଚିବାକୁ ହେବ ?

 

! ଅନ୍ତତଃ ପରିଚାଳନା କମିଟିର ତାହା ହିଁ ମତ । ମଞ୍ଜୁଳା ନାହିଁ । ନାଟକ ମଧ୍ୟ ହୋଇ ପାରିବ ନାହିଁ । ଦୁଇ ତିନି ଜଣ ଛାତ୍ରୀ କଣ୍ଠ ସଙ୍ଗୀତ ପରିବେଷଣ କରିବେ । କ୍ଲାସ୍‌ ନାଇନ୍‌ର ଛାତ୍ରୀ ସୁମିତା କରିବ କ୍ୟାରିକେଚର୍‌.....ଆଉ ତମର ଗୋଟାଏ ଡ୍ୟାନ୍‌ସ ନ ହେଲେ ସବୁ ମାଟି ହୋଇଯିବ–

 

କିନ୍ତୁ .........

 

: ତମେ ମନା କରନାହିଁ । ବହୁତ ଭାବିଚିନ୍ତି ତମକୁ ଏ ବର୍ଷ ଶେଷ ଅନୁରୋଧ କରାଯାଉଛି । ଗତବର୍ଷ ଠାରୁ ଆମ ସ୍କୁଲ୍‌ରେ ନାଚ କ୍ଲାସ୍‌ ଖୋଲାଯିବ । ଛାତ୍ରୀମାନେ ନାଚ ଶିଖିଗଲେ ଆଉ କୌଣସି ଅସୁବିଧା ରହିବ ନାହିଁ–

 

ଗତବର୍ଷ ଯେତେବେଳେ ଥରେ ନାଚିଛି, ଏ ବର୍ଷ ଆଉ ମନା କରିବାକୁ ଯୁକ୍ତି ପାଇଲା ନାହିଁ ମୌସୁମୀ । ପୁଣି ଯେତେବେଳେ ମିସ୍‌ ନାୟକ କହୁଛନ୍ତି, ଏ ତା’ର ଶେଷ ନାଚ..... !

 

ତା’ର ନୀରବ ସମ୍ମତିରେ ଖୁବ୍‌ ଆନନ୍ଦିତ ହେଲେ ମିସ୍‌ ନାୟକ । ମୌସୁମୀ ଲକ୍ଷ୍ୟ କଲା, ତାଙ୍କର ସେଇ ବିଷର୍ଣ୍ଣ ମୂଖମଣ୍ତଳରେ ହସର ଚନ୍ଦ୍ରୋଦୟ ହେଲା !

 

।। ୨୫ ।।

 

ସୀମାନ୍ତର ଜଳବାୟୁ ତା’ ଦେହରେ ଗଲା ନାହିଁ ।

 

ନେଫାରୁ ଫେରିବା ପରେ ଟାଇଫଡ୍‌ରେ ପଡ଼ିଲା ମଞ୍ଜୁଳା । ଯେଉଁଦିନ ରାତିରେ ସେ କଟକ ଫେରି ଆସିବା କଥା, ସେଇ ଦିନ ସକାଳୁ ଜ୍ୱର....ଭୀଷଣ ଜ୍ୱର ।

 

କଲିକତାରେ ସେ ଅଟକି ରହିଲା ।

 

ମୃଣାଳ ଭାବିଥିଲା ସାଧାରଣ ଜ୍ୱର । ଦିନେ ଦୁଇଦିନ ପରେ ଛାଡ଼ିଯିବ । ଭଲ ହୋଇ ଫେରିଯିବ ମଞ୍ଜୁଳା । କିନ୍ତୁ ଦେହରୁ ଉତ୍ତାପ ଓହ୍ଲାଇଲା ନାହିଁ । ଡାକ୍ତର ଘୋଷଣା କଲେ ଟାଇଫଡ୍‌ !

 

‘ଇନ୍ଦ୍ରଧନୁ’ର ସୁଟିଂ ପରେ ପରେ ସେନ୍‌ସର ସରିଥିଲା । ତିନି, ଚାରି ଦିନ ଭିତରେ କଟକରେ ମୁକ୍ତିଲାଭ କରିବ ‘ଇନ୍ଦ୍ରଧନୁ’ । ସେତେବେଳେ ମୃଣାଳ ଆଉ ମଞ୍ଜୁଳା ଅନ୍ତତଃ ସେଠାରେ ଉପସ୍ଥିତ ରହିବା କଥା । କିନ୍ତୁ ଯେପରି ଭାବରେ ମଞ୍ଜୁଳା ଟାଇଫଡ୍‌ରେ ହଠାତ୍‌ ଆକ୍ରାନ୍ତ ହେଲା, ମୃଣାଳର ମନେ ହେଲା ସେମାନେ କେହିହେଲେ ବୋଧହୁଏ ‘ଇନ୍ଦ୍ରଧନୁ’ର ମୁକ୍ତି ଉତ୍ସବ ଦେଖି ପାରିବେ ନାହିଁ ।

 

ମୃଣାଳକୁ ବାଧ୍ୟ କଲା ମଞ୍ଜୁଳା କଟକ ଫେରିଯିବା ପାଇଁ । ତା’ର ଜଣେ ନିକଟ ଆତ୍ମୀୟ କଲିକତାରେ ଚାକିରି କରନ୍ତି । ସେ ଆସି ମଞ୍ଜୁଳାର ଦାୟିତ୍ୱ ନେଲେ ।

 

ଗୋଟିଏ ସପ୍ତାହ ପରେ ପ୍ରାୟ ମଞ୍ଜୁଳାର ଅବସ୍ଥା ଭଲ ଆଡ଼କୁ ଆସିଲା । ସେ ଅପେକ୍ଷା କରୁଥିଲା, ଦୁଇ ତିନିଦିନ କଟକରେ ରହି ମୃଣାଳ ‘ଇନ୍ଦ୍ରଧନୁ’ର ସଫଳତାର ବାର୍ତ୍ତା ନେଇ ତା’ ପାଖକୁ ଫେରି ଆସିବ । କିନ୍ତୁ ଦୁଇ ତିନି ଖଣ୍ତ ଚିଠି ଦେବା ପରେ ମଧ୍ୟ ତା’ ଠାରୁ କୌଣସି ଉତ୍ତର ସେ ପାଇଲା ନାହିଁ ।

 

ଆଉ ଅପେକ୍ଷା ନ କରି ସେଦିନ କଟକ ବାହାରିଗଲା ମଞ୍ଜୁଳା ।

 

ମଞ୍ଜୁଳାର ମାମୁଁ କୋଅପରେଟିଭ୍‌ ରେଜିଷ୍ଟ୍ରାର । କଟକରେ ବସା । ସେଠାରେ ସେ ଯାଇ ଉଠି ପଡ଼ିଲା । ଷ୍ଟେସନକୁ ମାମୁଁଙ୍କ ବସା ଆସିବା ଭିତରେ ସହରର କାନ୍ଥବାଡ଼ିରେ ସେ ‘ଇନ୍ଦ୍ରଧନୁ’ର ପୋଷ୍ଟର ଲକ୍ଷ୍ୟ କରିଥିଲା । ରୂପକୁମାର ଓ ତା’ର ଯୁଗ୍ମ ଫଟୋ ନାନା ରଙ୍ଗରେ ରଙ୍ଗିନ୍‌ ହୋଇ ସହରର ପ୍ରାଚୀରଗୁଡ଼ିକ ଶୋଭା ବଢ଼ାଉଥିଲା । ପୋଷ୍ଟରଗୁଡ଼ାକ ଦେଖିଲାବେଳେ ତା’ର ମନେ ପଡ଼ୁଥିଲା, ତା’ର ସେହି କିଶୋରୀ ବୟସର କଥା, ଯେତେବେଳେ ସେ ହିନ୍ଦି ଫିଲ୍ମର ନଗ୍ନ ପ୍ରାଚୀରପତ୍ରମାନ ଦେଖି ଦେହରେ ଅସରପା ଚାଲିଗଲା ଭଳି ଶିହରଣ ଅନୁଭବ କରୁଥିଲା !

 

ମାମୁଁ ଘରେ ନ ଥିଲେ ।

 

ମାଇଁ ତାକୁ ଦେଖିବା ମାତ୍ରେ ଚମକି ଉଠିଲା ଭଳି ମନେ ହେଲା । ସେ ତାକୁ ନିରେଖି ନିରେଖି କିଛି ସମୟ ଚିହ୍ନି ନ ପାରିଲା ଭଳି ଦେଖିଲେ ଏବଂ କିଛି ସମୟ ପରେ କହିଲେ, ଯାଆ ମାଆ ! ଭିତରକୁ ଯାଆ । କଲିକତାରୁ କଅଣ ଏକା ଆସିଲୁ ?

 

ମଞ୍ଜୁଳା ଅନ୍ୟଦିନ ହୋଇଥିଲେ ମାଇଁଙ୍କର ଏ କଥା ଶୁଣି ହସି ଥାଆନ୍ତା । କିନ୍ତୁ ସେ ମୁହୂର୍ତ୍ତରେ ତାକୁ ହସ ମାଡ଼ିଲା ନାହିଁ । ସଂକ୍ଷେପରେ ‘ହଁ’ ବୋଲି କହି ସେ ଭିତରକୁ ଗଲା ।

 

ମାମୁଁଙ୍କ ପରିବାର ଛୋଟ । ମାମୁଁ, ମାଇଁ ଏବଂ ତାଙ୍କର ଗୋଟିଏ ବୋଲି ଝିଅ ରାନୁ ।

 

ରାନୁ ମଧ୍ୟ କୁଆଡ଼େ ବାହାରକୁ ଯାଇଥିଲା । ଫେରିଲା କିଛି ସମୟ ପରେ । ମଞ୍ଜୁଳା ଲକ୍ଷ୍ୟ କଲା, ତାକୁ ଦେଖିଲେ ସାଧାରଣତଃ ରାନୁ ଯେପରି ପ୍ରଗଲ୍ଲା ହୋଇ ଉଠେ, ସେପରି ଉଦ୍ଦାମ ପ୍ରଗଳ୍‌ଭତା ଏଥର ତାହାଠାରେ ଦେଖା ଯାଉନି । ସେ ତାକୁ ଦେଖି ଭୟ ପାଇଲା ଭଳି କଥାବାର୍ତ୍ତା କରୁଛି ।

 

ଟାଇଫଏଡରେ ପଡ଼ି ସେ କଅଣ ଏମିତି ବଦଳି ଯାଇଛି ଯେ ତାକୁ କେହି ଚିହ୍ନି ପାରୁ ନାହାନ୍ତି !

 

କିନ୍ତୁ ପ୍ରକୃତ ରହସ୍ୟ ବୁଝିବା ପାଇଁ ତାକୁ ଦିନ, ମାସ ଅପେକ୍ଷା କରିବାକୁ ହେଲା ନାହିଁ । ଖାଇ ଦେଇ ମଧ୍ୟାହ୍ନରେ ବିଶ୍ରାମ କରିବାକୁ ଗଲାବେଳେ ରାନୁ କହିଲା, ମଞ୍ଜୁ ଅପା ! ତମ ନାମରେ ସେ ଓଡ଼ିଆ ସିନେମା ମାସିକ ପତ୍ରିକାରେ ବହୁତ ଏଣୁତେଣୁ ବାଜେ କଥା ବାହାରିଛି...!

 

ତା’ ନାମରେ ଏଣୁତେଣୁ ବାଜେ କଥା, ପୁଣି ସେଇ ପତ୍ରିକାର ସମ୍ପାଦକଙ୍କ ଅସୌଧନ୍ୟ ବ୍ୟବହାର ଯୋଗୁ ସେ ତାଙ୍କୁ ଧକ୍‌କା ଦେଇ ତଳେ ପକାଇ ଦେଇଥିଲା !

 

ରାନୁ ଅତି ଗୋପନରେ ଲୁଚାଇ ରଖିଥିବା ସେହି ସିନେମା ପତ୍ରିକାର ଗୋଟିଏ କପି ଆଣି ତାକୁ ଦେଲା । ମଞ୍ଜୁଳା ତା’ ସମ୍ପର୍କରେ ବାହାରିଥିବା ସେହି ଲେଖାଟା ପଡ଼ିଲା ବେଳେ ବେଶ୍‌ ବୁଝି ପାରିଲା, ସେଦିନ ସେ ପତ୍ରିକା–ସମ୍ପାଦକ ତା’ଉପରେ ପ୍ରତିଶୋଧ ଦେବେ ବୋଲି ଯେଉଁ ଧମକ ଦେଇଥିଲେ, ସେ ଧମକ ସେ ଠିକ୍‌ କାର୍ଯ୍ୟରେ ପରିଣତ କରିଛନ୍ତି ।

 

ସମ୍ୱାଦର ଶୀରୋନାମା ହେଉଛି, ‘ଇନ୍ଦ୍ରଧନୁ’ର ସେ ରୂପସା ନାୟିକା ବର୍ତ୍ତମାନ କେଉଁଠି-?

 

ତଳେ ଛପା ହୋଇଥିବା ସମ୍ୱାଦ ହେଲା, ସେ କୁଆଡ଼େ ‘ଇନ୍ଦ୍ରଧନୁ’ର ନାୟକ ରୂପକୁମାର ସହିତ ଗଭୀର ପ୍ରଣୟରେ ଲିପ୍ତ । ‘ଇନ୍ଦ୍ରଧନୁ’ରେ ଦୁହିଁଙ୍କ ପ୍ରେମ ଅଭିନୟ ଏତେ ଜୀବନ୍ତ ହୋଇଛି; ଆମର ବିଶେଷ ପ୍ରତିନିଧି ଜାଣି ପାରିଛନ୍ତି, ରୂପକୁମାରଙ୍କ ସହିତ ପ୍ରଣୟର ଘନିଷ୍ଠତା ଯୋଗୁ ‘ଇନ୍ଦ୍ରଧନୁ’ର କୁମାରୀ ନାୟିକା ଜନନୀ ହେବାର ସମ୍ଭାବନା ଦେଖା ଦେଇଛି । ସେଥିପାଇଁ ସେ କଲିକତାର କୌଣସି ଏକ ଡାକ୍ତରଖାନାରେ ଅଟକି ରହିଛନ୍ତି । ଫଳରେ ‘ଇନ୍ଦ୍ରଧନୁ’ର ମୁକ୍ତି ଉତ୍ସବରେ ଯୋଗ ଦେବା ତାଙ୍କ ପକ୍ଷରେ ସମ୍ଭବ ହୋଇନି । ଖୁବ୍‌ ସମ୍ଭବତଃ ଡାକ୍ତରଖାନାରୁ କୁମାରୀ ହୋଇ ସେ ଶୀଘ୍ର ଓଡ଼ିଶା ଫେରି ଆସିବେ !

 

ସମ୍ୱାଦଟା ପଢ଼ି ସାରିବା ପରେ ଲଜ୍ଜା, ଘୃଣା ଓ ଅପମାନରେ ମଞ୍ଜୁଳାର ସର୍ବାଙ୍ଗ କଣ୍ଟକିତ ହୋଇ ଉଠିଲା । ରାନୁକୁ ଶୂନ୍ୟ ଦୃଷ୍ଟିରେ ଚାହିଁ ସେ ପଚାରିଲା, ତମେ ସବୁ ଏ ସମ୍ୱାଦକୁ ବିଶ୍ୱାସ କରୁଛ ?

 

ରାନୁ କହିଲା, ଆମ ବିଶ୍ୱାସ, ଅବିଶ୍ୱାସରେ କଅଣ ଅଛି ମଞ୍ଜୁ ଅପା ! ସାରା ସହରରେ ଏ ଅପପ୍ରଚାର ଏପରି ବ୍ୟାପୀଯାଇଛି ଯେ ଆମେ ମୁଣ୍ତ ଟେକି ଚାଲି ପାରୁ ନାହୁଁ । କାହାକୁ କିଛି କହିବାକୁ କାହା ପାଟିରେ କିଏ ବାଡ଼ ବତା ଦେବ ?

 

ମଞ୍ଜୁଳା ବୁଝିଲା, କାହିଁକି ମାଇଁ ତାକୁ ଦେଖିବା ମାତ୍ରେ ଚମକି ଉଠିଥିଲେ । ନ ଚିହ୍ନିଲା, ନ ଚିହ୍ନିଲା ଆଖିରେ ଚାହିଁଥିଲେ । ସେ ଯେ ଟାଇଫଏଡ଼ରୁ ଉଠି ମେଡ଼ିକାଲରୁ ଫେରିନାହିଁ, କୁମାରୀ ଜୀବନର କଳଙ୍କରୁ ମୁକ୍ତ ହୋଇ ସଦ୍ୟ ଫେରିଛି, ଏକଥା ତା’ର ଶୀର୍ଣ୍ଣ ସ୍ୱାସ୍ଥ୍ୟ ଦେଖି ସେମାନେ ନିଶ୍ଚୟ ସନ୍ଦେହ କରିଛନ୍ତି ।

 

ସେ କାହାରିକୁ କିଛି କହିଲା ନାହିଁ । ଏ ବିଷୟରେ କାହାକୁ କିଛି ବୁଝାଇବା ନିରର୍ଥକ ।

 

ତା’ର ଭୟ ହେଲା, ମୃଣାଳ ହୁଏତ ଏହି କାରଣରୁ ତା’ ପାଖକୁ ଆଉ କଲିକତା ଯାଇନି-। ପ୍ରଥମେ ତା’ ସହିତ ଦେଖାକରିବା ଉଚିତ ।

 

ଅପରାହ୍ନରେ ସେ କାହାକୁ କିଛି ନ କହି ମୃଣାଳର ଘରକୁ ବାହାରିଗଲା ।

 

ଘରେ ଥିଲା ମୃଣାଳ ।

 

ମଞ୍ଜୁଳାକୁ ଦେଖି କହିଲା, ତମେ କେତେବେଳେ ଆସିଲ ?

 

ମଞ୍ଜୁଳା ତା’ କଥାର କିଛି ଉତ୍ତର ନ ଦେଇ ଓଲଟି ପ୍ରଶ୍ନ କଲା ମୋର ଚିଠି ପାଇ ସୁଦ୍ଧା ତମେ କଲିକତା ଗଲ ନାହିଁ କାହିଁକି ?

 

ମୃଣାଳ ଅର୍ଥହୀନ ଭାବରେ ହସିଲା ।

 

କହିଲା, ‘ଇନ୍ଦ୍ରଧନୁ’ ପ୍ରବଳ ଜନଗହଳିରେ ଏଠାରେ ଦୁଇ ଦୁଇଟି ହାଉସରେ ଚାଲିଛି । ସାରା ଓଡ଼ିଶାର ସିନେମା ହାଉସ୍‌ ସବୁ ପ୍ରିଣ୍ଟ ପାଇଁ ଦାବି କରୁଛନ୍ତି । ଏତେ ଭିଡ଼ ବଢ଼ିଯାଇଛି ଯେ ଇଚ୍ଛା କରି ମଧ୍ୟ ମୁଁ କଲିକତା ଯାଇ ପାରିଲି ନାହିଁ ।

 

‘ଇନ୍ଦ୍ରଧନୁ’ ଓଡ଼ିଶାର ଦର୍ଶକମାନଙ୍କ ଚିତ୍ତ ଜୟ କରି ପାରିଛି, ଏ ସମ୍ବାଦ ଶୁଣିଲା ପରେ ନିଜ ମୁହଁର ଗାମ୍ଭୀର୍ଯ୍ୟ ରକ୍ଷାକରି ପାରିଲା ନାହିଁ ମଞ୍ଜୁଳା । ତା’ର ରୋଗ–ଶୀର୍ଣ୍ଣ ପାଣ୍ତୁର ମୁଖମଣ୍ତଳରେ ହସର ହିଲ୍ଲୋଳ ଦେଖାଦେଲା ।

 

ମୃଣାଳ କହିଲା, ତମର ଅଭିନୟର ସଫଳତା ଯେ ‘ଇନ୍ଦ୍ରଧନୁ’ର ଲୋକପ୍ରିୟତାର ଏକମାତ୍ର କାରଣ ଏଥିରେ ସନ୍ଦେହ ନାହିଁ । କିନ୍ତୁ ତମ ସମ୍ପର୍କରେ ଏଠାରେ ଯେଉଁ ଅପପ୍ରଚାର ସବୁ ଚାଲିଛି, ସେଥିପାଇଁ ମୁଁ ଖୁବ୍‌ ଅଶ୍ୱସ୍ତି ଅନୁଭବ କରୁଛି ।

 

: ତମେ କଅଣ ସେ ଅପପ୍ରଚାରକୁ ବିଶ୍ୱାସ କରୁଛ ?

 

କିଛି ଉତ୍ତର ନ ଦେଇ ନୀରବ ରହିଲା ମୃଣାଳ ।

 

: କିଛି କହୁ ନାହଁ ଯେ ! ମୁଁ ତ ଟାଇଫଏଡରେ ପଡ଼ିଥିଲି, ତମେ ନିଜେ ଦେଖି ଆସିଥିଲ-! ତମର ବି କଅଣ ସନ୍ଦେହ ହେଉଛି ମୁଁ ଗର୍ଭନଷ୍ଟ କରିବା ପାଇଁ ହସପିଟାଲରେ ଥିଲି ?

 

: ତମେ ଗୋପାଳ ଦାସ ସହିତ ଲେକ ଏରିଆକୁ ନୈଶ୍ୟ ଭ୍ରମଣରେ ଯାଇଥିଲ, ଏ କଥା କଅଣ ମିଥ୍ୟା ? ମିଷ୍ଟର ସେନ୍‌ ନିଜେ ମତେ କହିଛନ୍ତି–

 

: ସେଦିନ ସୁଟିଂ ପରେ ଆମେ ଏପରି କ୍ଳାନ୍ତି ବୋଧ କରୁଥିଲୁ ଯେ ହୋଟେଲକୁ ଫେରିବା ପାଇଁ ଆଦୌ ଇଚ୍ଛା ହେଲା ନାହିଁ । ଲେକ୍‌ ଆଡ଼େ ବୁଲିଯିବାକୁ ଯେତେବେଳେ ଗୋପାଳ ବାବୁ ପ୍ରସ୍ତାବ କଲେ ମୁଁ ମନାକରି ପାରିଲି ନାହିଁ । ସେ କଅଣ ଏପରି ଏକ ଅପରାଧ ଯେ.....

 

: କିନ୍ତୁ ତା’ପରେ ତମ ସହିତ ଅନେକ ଥର ଦେଖା ହୋଇଛି । ଲେକ୍‌ ଭ୍ରମଣ କଥା ତ ମତେ କେବେ ଥରେ ହେଲେ କହିନାହଁ !

 

: ବିଶ୍ୱାସ କର, ତାହା ତମକୁ ଏକ କହିଲା ଭଳି କଥା ବୋଲି ମଧ୍ୟ ମୁଁ ଖିଆଲ କରି ନାହିଁ । ଗୋଟାଏ ତୁଚ୍ଛ ଘଟଣା ବୋଲି ସେ କଥା ମୁଁ ଭୁଲି ଯାଇଥିଲି । ତମେ କଅଣ ସେଥିପାଇଁ ମୋ ଉପରେ ରାଗ କରିଛ ?

 

: ମୋର ରାଗ କରିବା ନ କରିବା ଠ ରେ ତମର କଅଣ ଅଛି ? ତମେ ଦିନେ ସାଧାରଣ ଜଣେ ଶିକ୍ଷୟିତ୍ରୀ ଥିଲ, ଆଜି ସ୍ୱନାମଧନ୍ୟା ଅଭିନେତ୍ରୀ ! ରୂପେଲି ପରଦାରେ ତମର ଅଶ୍ରୁ ଦେଖି ଶହ ଶହ ଦର୍ଶକ ନିଜ ରଖିରେ ରୁମାଲ ଚାପି ଧରୁଛନ୍ତି, ତମ ଆଖିଠାର, ତମ ଓଠର ବଙ୍କିମ ହସ ଦେଖି ସହସ୍ର ସହସ୍ର ଦର୍ଶକଙ୍କ ଛାତିରେ ଛୁରୀ ଚାଲିଯାଉଛି–ତମେ ଆଜି ଆକାଶର ତାରା–ହାତ ବଢ଼ାଇଲେ ତମକୁ ଆଜି ଛୁଇଁ ହୁଏନା–

 

ମୃଣାଳର ପାଟିରେ ହାତ ଦେଇ ତା’ ଛାତିରେ ନିଜ ମୁହଁ ଚାପି ଧରିଲା ମଞ୍ଜୁଳା । ଆବେଗ ଆଲୋଡ଼ିତ କମ୍ପିତ କଣ୍ଠରେ କହିଲା, ତମେ ସେ କଥା ମୁହଁରେ ଧର ନାହିଁ । ମୁଁ ଆକାଶର ତାରା ହେବାକୁ ଚାହେଁ ନାହିଁ, ଧରଣୀର ଫୁଲ ହେବାକୁ ଚାହେଁ ନାହିଁ । ମୁଁ କେବଳ ତମର ହେବାକୁ ଚାହେଁ । ଏଇ ଚିତ୍ରରେ ମୋର ଶେଷ ଅଭିନୟ–ବିଶ୍ୱାସ କର, ତମକୁ ପାଇବା ଭିନ୍ନ ମୋ ଜୀବନରେ ଅନ୍ୟ କୌଣସି ଆଶା ନାହିଁ–

 

ନିଜଠାରୁ ମଞ୍ଜୁଳାକୁ ଜୋର କରି ଅଲଗା କରି ଦେଲା ମୃଣାଳ ।

 

କହିଲା, ବିବାହ ସିନେମାର ଅଭିନୟ ନୁହେଁ; ଜୀବନ–ସଉଦା କଥା । ସେଥିରେ ଭାବପ୍ରବଣ ଶୋଭା ପାଏ ନାହିଁ ।

 

ମଞ୍ଜୁଳା ଉପରେ ଆକାଶ ଭାଙ୍ଗି ପଡ଼ିଲା ଭଳି ତା’ର ମନେ ହେଲା ।

 

ସେ ବ୍ୟାକୁଳ କଣ୍ଠରେ କହିଲା, ତମେ ସବୁକଥା କୁହ, ମୁଁ ଶୁଣିବି, କିନ୍ତୁ ଆମର ବିବାହ ହୋଇପାରିବ ନାହିଁ; ଏକଥା ଶୁଣି ମୁଁ ସହି ପାରିବି ନାହିଁ । ତମ ପାଇଁ ନିଜକୁ ମୁଁ ତିଳ ତିଳ କରି ସଞ୍ଚୟ କରି ରଖିଛି । ମୋ ଭଲ ପାଇବାରେ ବିନ୍ଦୁଏ ହେଲେ ଫାଙ୍କି ନାହିଁ । ମିଷ୍ଟର ସେନ୍‌, ରୂପକୁମାର ଆଉ ସେ ସିନେମା ପତ୍ରିକା ସମ୍ପାଦକଙ୍କ କଥା ତମକୁ ମୁଁ ଗୋଟି ଗୋଟି କରି କହିବି–ଦୟା କରି ତମେ ମତେ ଭୁଲ୍ ବୁଝ ନାହିଁ–

 

ମୃଣାଳର ମୁହଁରେ ବିଦ୍ରୁପର ହସ ଫୁଟି ଉଠିଲା ।

 

ସେ କହିଲା, ସେ କଥା ତମର ଯଥେଷ୍ଟ ଆଗରୁ କହିବାର ଥିଲା । ସେଦିନ ସେ କଥା କହିଥିଲେ ମୁଁ ହୁଏତ ବିଶ୍ୱାସ କରି ଥାଆନ୍ତି । ଆଜି ସେମାନଙ୍କ କଥା ଶୁଣି ସାରିବା ପରେ ତମ କଥା ମୋର ମିଥ୍ୟା ମନେ ହେବ । ମଞ୍ଜୁଳା ! ମୁଁ ମହାପୁରୁଷ ନୁହେଁ, ପୁରୁଷ । ସତ୍ୟ ହେଉ କି ମିଥ୍ୟା ହେଉ–ତମ ନାମରେ ଯେପରି ଭାବରେ କଳଙ୍କ ରଟିତ ହୋଇଛି ଏବଂ ଲୋକେ ତାକୁ ସତ୍ୟ ବୋଲି ଧରି ନେଇଛନ୍ତି–ତା’ପରେ ତମକୁ ବିବାହ କଲେ ମୋର ସାମାଜିକ ସମ୍ମାନ ରହିବ ନାହିଁ । ମୁଁ କୌଣସି ମାନସିକ ଶାନ୍ତି ପାଇବି ନାହିଁ–

 

ମଞ୍ଜୁଳାର ମୁହଁରୁ ଜ୍ୟୋତି ଲିଭିଗଲା । ଆଖିରୁ ଲୁହ ଶୁଖିଗଲା । ସେ କଥା କହିବାର ଶକ୍ତି ହରାଇ ବସିଲା । ତା’ର ମନେ ହେଲା, ସେ ଯେମିତି ଚିତ୍ରଜଗତର ଜ୍ୟୋତିର୍ମୟୀ ତାରକା ନୁହେଁ; କକ୍ଷଚ୍ୟୁତ ଏକ ଅଶୁଭ ଲଞ୍ଜା ତାରା !

 

।। ୨୬ ।।

 

ମଞ୍ଜୁଳାର ଚିଠି ପଢ଼ି ମୌସୁମୀ ହସିବ କି କାନ୍ଦିବ କିଛି ବୁଝିପାରିଲା ନାହିଁ ।

 

ମଞ୍ଜୁଳା ଲେଖିଛି, ଯେଉଁ ଦେଶରେ ସମ୍ପାଦକମାନେ ମିଥ୍ୟା ସମ୍ବାଦ ଛାପି କୁମାରୀ କନ୍ୟାକୁ ଅନ୍ତଃସତ୍ତ୍ୱା କରି ଦିଅନ୍ତି; ସେଥିପାଇଁ ପୁରୁଷ ସହବାସ ଆବଶ୍ୟକ ହୁଏ ନାହିଁ, ସେ ଦେଶରେ କଳା ହେଉଛି କଳଙ୍କ । ସେହି କଳଙ୍କର ବୋଝ ମୁଣ୍ତରେ ବହି ବଞ୍ଚିବାର ଅବଲମ୍ବନ ଲାଗି ମୁଁ ତମକୁ ଏ ଚିଠି ଲେଖୁଛି । ଶୁଣୁଛି, ମୋ ସ୍ଥାନରେ ମିଶନ୍‌ ବାଳିକା ବିଦ୍ୟାଳୟରେ ଅନ୍ୟ କୌଣସି ଶିକ୍ଷୟିତ୍ରୀ ନିଯୁକ୍ତ ହୋଇ ନାହାନ୍ତି । ମୁଁ ଚିତ୍ରତାରକା ହେବାର ଝୁଙ୍କ୍‌ ନେଇ ମୃଣାଳକୁ ହରାଇଛି; ନିଜ ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରି ଦେଇଛି । ତମେ ସ୍କୁଲ ସେକ୍ରେଟେରୀ ଉଦୟନାଥ ବାବୁ ଓ ପ୍ରଧାନ ଶିକ୍ଷୟତ୍ରୀ ମିସ୍‌ ନାୟକଙ୍କୁ କହିଲେ, ହୁଏତ ମୁଁ ବଞ୍ଚିବା ପାଇଁ ଏକ ଆଶ୍ରୟସ୍ଥଳ ପାଇ ପାରିବି-

 

‘ଇନ୍ଦ୍ରଧନୁ’ର ନାୟିକା ମଞ୍ଜୁଳାର ସଫଳ ଅଭିନୟ, ବିପୁଳ ଲୋକପ୍ରିୟତାର କାହାଣୀ ସେ ଶୁଣିଥିଲା; ଆଜି ଜାଣିଲା ତା’ ବ୍ୟକ୍ତିଗତ ଜୀବନର ଗୋପନ ଅଶୃଳ କଥା । ଏପରି ଯେ ଅବଶେଷରେ ଘଟିପାରେ ସେ କଥା ସେ କିପରି ମନେ ମନେ ଆଗରୁ ସନ୍ଦେହ କରୁଥିଲା । ହଠାତ୍‌ ବଡ଼ ହେବାର ଲୋଭ ଅନେକ ସମୟରେ ମଣିଷକୁ ନେଇ ଅବାଟରେ ବସାଇ ଦିଏ ।

 

ମଞ୍ଜୁଳାର କଥା କହିବାକୁ ସେ ଯାଇଥିଲା ମିସ୍‌ ନାୟକଙ୍କ ପାଖକୁ ।

 

କିନ୍ତୁ ସେ କଥା ସେ କହି ପାରିଲା ନାହିଁ ।

 

ମିସ୍‌ ନାୟକ ତା’ ହାତକୁ ବଢ଼ାଇ ଦେଇଥିଲେ ସ୍କୁଲ ବାର୍ଷିକ ଉତ୍ସବର ଛାପା ନିମନ୍ତ୍ରଣ କାର୍ଡ । ପ୍ରଧାନ ଅତିଥି ସ୍ଥାନରେ ଜିଲ୍ଲାପାଳ ଅତନୁ ଦାସ ନାମ ଦେଖି ତା’ ଦେହର ରକ୍ତ ପ୍ରବାହ ଶିଥିଳ ହୋଇଗଲା । ଅନ୍ୟ କୌଣସି କଥା କହିବା ପାଇଁ ଜିଭ ତା’ର ଜଡ଼ ହୋଇଗଲା । ଚାରିଆଡ଼ ଅନ୍ଧକାର ଦେଖାଗଲା । ମିସ୍‌ ନାୟକ କଅଣ କହୁଛନ୍ତି ତାହା ସେ ଠିକ୍‌ ଶୁଣି ପାରୁ ନ ଥିଲେ ବି ତାଙ୍କ କଥାରେ ହୁଁ ହାଁ ମାରି ସେ ଶିକ୍ଷୟିତ୍ରୀ ନିବାସକୁ ଫେରି ଆସିଲା ।

 

ଏ ଜିଲ୍ଲାପାଳ ଅତନୁ ଦାସ କିଏ ?

 

ଅତନୁ ! ଅତନୁ !

 

ନିଜର ସ୍ୱେଦ–କଣ୍ଟକିତ ଦେହ, ବ୍ୟଥା–ଜର୍ଜ୍ଜରିତ ମନ ନେଇ ସେ ପୁଣି ଥରେ ପଛକୁ ଚାହିଁଲା.....ସେଇ ଛାଡ଼ି ଆସିଥିବା ଅତୀତ.....ଯାହାକୁ ଡରି ଡରି ସେ ଅଜ୍ଞାତବାସ ବରଣ କରି ନେଇଛି । ଅଥଚ ସେ ତାକୁ ଯେତେ ଡରୁଛି, ସେ ତାକୁ ସେତେ ବେଶି ଡରାଉଛି !

 

ଅନ୍ୟମନସ୍କ ଭାବରେ ସେ ଛାପା ନିମନ୍ତ୍ରଣ କାର୍ଡ଼ ଉପରେ ଆଉ ଥରେ ଆଖି ବୁଲାଇ ନେଲା ମୌସୁମୀ । ଉତ୍ସବର ପ୍ରଧାନ ଅତିଥି ଜିଲ୍ଲାପାଳ ଅତନୁ ଦାସ, ପୁରସ୍କାର ବିତରଣ କରିବେ ତାଙ୍କର ସହଧର୍ମିଣୀ ଭାଗ୍ୟବତୀ ଦାସ ।

 

ଅତନୁର ସ୍ତ୍ରୀ ନାମ ତାହାହେଲେ ଭାଗ୍ୟବତୀ ।

 

ଏତେ ମାନସିକ ଯନ୍ତ୍ରଣା ସତ୍ତ୍ୱେ ସେ ମନେ ମନେ ହସିଲା । ନିଜକୁ ନିଜେ କହିଲା, ପୁରସ୍କାର ବାଣ୍ଟିବେ ଭାଗ୍ୟବତୀ ଦାସ, ଆଉ ଏ ଅଭାଗିନୀ କେବଳ ଥେଇ ଥେଇ ହୋଇ ନାଚିବ !

 

ପ୍ରତିମା ଆଉ କମଳିନୀ କାହା ଘରକୁ ନିମନ୍ତ୍ରଣ ଖାଇ ଯାଇଛନ୍ତି । ଫେରୁ ଫେରୁ ସେମାନେ ଅନେକ ରାତି ହେବ । ଶିକ୍ଷୟିତ୍ରୀ ନିବାସର ଏ କକ୍ଷରେ ସେ ଏକାକିନୀ । ଟେବୁଲ୍‌ ଉପରେ ସ୍କୁଲ ବାର୍ଷିକ ଉତ୍ସବର ଛାପା ନିମନ୍ତ୍ରଣ କାର୍ଡଟା ପଡ଼ି ରହିଛି ।

 

ଉତ୍ସବର ପ୍ରଧାନ ଅତିଥି ହୋଇ ଆସୁଛି ଅତନୁ ଦାସ !

 

ଭାବିଲା ବେଳକୁ ସାରା ଦେହ ତା’ର ଝିମ୍‌ ଝିମ୍‌ ହୋଇ ଆସୁଥିଲା । ଏକ ଅଜ୍ଞାତ ଭୟ ଗ୍ରାସ କରି ଯାଇଥିଲା ତା’ର ଦେହ ମନ । ଆଲୁଅ ଲିଭାଇ ଦେଇ ସେ ଚୂପ୍‌କିନି ଶୋଇବାକୁ ଚେଷ୍ଟା କଲା ।

 

ଘର ଅନ୍ଧକାର ହୋଇଗଲା ପରେ ବି ଅତୀତର ସବୁ ଦୃଶ୍ୟ ଆଖିକୁ ତା’ର ଜଳ ଜଳ ହୋଇ ଦେଖା ଯାଇଥିଲା । ଅତନୁ ସହିତ ସେଇ ଦିନ କେତୋଟିର ନିବିଡ଼ ମିଳାମିଶା, ସେଇ ନୂତନ ଆଶାର ଅଙ୍କୁରୋଦ୍‌ଗମ; ଅତନୁକୁ ନେଇ ଏକ ପରିପୂର୍ଣ୍ଣ ସଂସାର ଗଢ଼ିବାର ମଧୁର ସ୍ୱପ୍ନ, ପୁଣି ସେଇ ଭୁଲ୍‌ ବୁଝାମଣା; ଆଇ. ଏ. ଏସ୍‌. ପାଇଲା ପରେ ତା’ ପ୍ରତି ଅତନୁର ଅଦ୍ଭୁତ ଖାପଛଡ଼ା ବ୍ୟବହାର, ଆଶା–ଭଙ୍ଗ, ହୃଦୟ ହତ୍ୟାର ସେଇ ଧୂଳି ଝଡ଼–ଆଃ, ମୌସୁମୀ ଶ୍ୱାସ ରୋଧର ଯନ୍ତ୍ରଣାରେ ଜୋର୍‌ କରି ନିଜର ଦୁଇ ଆଖି ବୁଜି ଦେଲା ।

 

ଆଖି ବୁଜିଦେଲା ପରେ ତା’ର ମନେ ହେଲା, ଅତନୁ ଯେମିତି ତା’ର ଖୁବ୍‌ ପାଖକୁ ଚାଲି ଆସିଲା । ଚୁପ୍‌ଚୁପ୍‌ ତା’ କାନ ପାଖରେ କହିଲା, ତମେ ଚମତ୍କାର ନାଚୁଛ ମୌସୁମୀ ! ନିଜ ସ୍ତ୍ରୀ ଅନ୍ୟ ପୁରୁଷଙ୍କ ଆଗରେ ଅଙ୍ଗ–ପ୍ରଦର୍ଶନ କଲେ ସିନା ମୋର ଘୃଣା ହୁଏ; କିନ୍ତୁ ଅନ୍ୟ କୌଣସି ନିର୍ତ୍ତକୀର ଦେହର ଛନ୍ଦପାତ ଲକ୍ଷ୍ୟ କରିବାକୁ ମତେ ଖୁବ୍‌ ଭଲ ଲାଗେ । ଭାଗ୍ୟବତୀ ତମ ଛାତ୍ରୀମାନଙ୍କୁ ପୁରସ୍କାର ଦେବ, ତମର ନାଚ ପାଇଁ ମୁ ଏକ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କରୁଛି ।

 

ମନେ ମନେ ଅତନୁକୁ କହିଲା ମୌସୁମୀ; ତମଠାରୁ ଦୂରରେ ରହିବି ବୋଲି ଏଇ ମଫସଲ ପ୍ରାୟ ବାଳିକା ବିଦ୍ୟାଳୟରେ ମୁଁ ଆତ୍ମଗୋପନ କରି ରହୁଛି । ଆଉ ତମେ କଅଣ ମୋର ପଛ ଛାଡ଼ିବ ନାହିଁ ? ମତେ ଟିକେ ଶାନ୍ତିରେ ରହିବାକୁ ଦେବ ନାହିଁ !

 

ଅତନୁ ଯେମିତି ହସୁଚି ! କହୁଛି, ତମେ ମତେ କାହିଁକି ଏମିତି ଭୟ କରି ନିଜ ଉପରେ ପ୍ରତିଶୋଧ ନେଉଛ ମୁଁ ଜାଣେ ନାହିଁ । ନିଜର ପ୍ରତାରକ ପ୍ରେମିକକୁ ସ୍ମରଣ କରି ଜଣେ ଝିଅ ସାରା ଜୀବନ ଅବିବାହିତା ରହିଛି–ଏ କଥା ବିଶ୍ୱାସ କରିବାକୁ ମତେ ଭଲ ଲାଗେ ନାହିଁ । ଏ ତମର ଗୋଟିଏ ଜିଦ୍‌, ଅହଙ୍କାର । ସଂସାରରେ ଏପରି ଘଟଣା ଆଜି କାଲି ଆଉ ପ୍ରାୟ ଘଟେ ନାହିଁ । ମୁଁ ତମକୁ ଦିନେ ଭଲ ପାଇଥିଲି, ଆଉ ଦିନେ ଆଉ ଜଣକୁ ବିବାହ କରି ଭଲ ପାଇଲି । ତମକୁ ସେଦିନ ଭଲ ପାଇବାରେ ମୋର ଯେମିତି କିଛି ଫାଙ୍କି ନ ଥିଲା, ମୋ ସ୍ତ୍ରୀକୁ ଭଲ ପାଇବାରେ ମଧ୍ୟ ମୋର ଆଜି ସେପରି କିଛି ଫାଙ୍କି ନାହିଁ । ମୁଁ ମୋର ସ୍ତ୍ରୀକୁ ଯେତିକି ଭଲ ପାଉଛି, ଅନ୍ୟ ଜଣେ ପୁରୁଷକୁ ବିବାହ କରିଥିଲେ, ତମେ ବୋଧହୁଏ ତାକୁ ବେଶି ଭଲ ପାଇଥାଆନ୍ତ । ଅବିବାହିତା ରହିବା ତମ ପକ୍ଷରେ ଗୋଟାଏ ବୋକାମୀ !

 

ହୁଏତ ସେ କଥା ସତ୍ୟ ! –କଥାଟା ଯେପରି ଆପେ ଆପେ ମୌସୁମୀ ପାଟିରୁ ବାହାରି ପଡ଼ିଲା । ପ୍ରଭା ଅପା ନିଜ ପ୍ରେମିକକୁ ବଦନାମ କରି ଜଣେ ଇଞ୍ଜିନିୟରକୁ ବାହାହୋଇ ସୁଖୀ ହେଲେ । ଆଉ ମିସ୍‌ ନାୟକ ନିଜ ପ୍ରେମିକର ସନ୍ତାନକୁ ମଣିଷ କରିବାକୁ ଯାଇ ଆଜି ଲୁହ ନୁହେଁ, ଲହୁ ଝରାଉଛନ୍ତି ଆଖିରୁ ! ଏବଂ ମଞ୍ଜୁଳା… !

 

ମଞ୍ଜୁଳା, ମିସ୍‌ ନାୟକ ଓ ସେ–ତିନିଜଣ ଯେପରି ଅନ୍ଧକାରରେ ଏକ ଅବଲମ୍ୱନ ପାଇଁ ବ୍ୟାକୁଳ ଭାବରେ ହାତ ବଢ଼ାଉଛନ୍ତି ଅଥଚ ସେମାନଙ୍କ ହାତ କୌଣସି ନିର୍ଦ୍ଦିଷ୍ଟ, ସୁଦୃଢ଼ ଆଶ୍ରୟ ପାଖରେ ପହଞ୍ଚି ପାରୁନାହିଁ । କେବଳ ମୁଠା ମୁଠା ଶୂନ୍ୟତାକୁ ହାତରେ ଚାପି ଧରି ସେମାନେ ଶ୍ୱାସରୋଧର ଯନ୍ତ୍ରଣା ଭୋଗ କରୁଛନ୍ତି !

 

।। ୨୭ ।।

 

ମିସ୍‌ ନାୟକ ଚମକି ଉଠିଲେ ।

 

କ୍ଷୀଣ କଣ୍ଠରେ ଚିତ୍କାର କରି ଉଠିଲେ, ଏ କଅଣ ? ତମେ ଏକବାରେ ଇସ୍ତଫା ଦେଇ ଚାଲିଯିବ ? ଅଥଚ ସ୍କୁଲର ବାର୍ଷିକ ଉତ୍ସବ ଯେ ମାତ୍ର ଆଉ ଆଠଦିନ ବାକି ରହିଲା ! ଜିଲ୍ଲା କଲେକ୍‌ଟର ମିଷ୍ଟର ଦାସ ପ୍ରଧାନ ଅତିଥି ହୋଇ ଆସିବେ.... !

 

ମୌସୁମୀର ଓଠରୁ ପାଖୁଡ଼ା ପାଖୁଡ଼ା ହସ ଝଡ଼ିଗଲା ।

 

ସେ କହିଲା, ମୁଁ ଯେତେବେଳେ ସ୍କୁଲ ଛାଡ଼ି ଚାଲିଯାଉଛି, ସେତେବେଳେ ସ୍କୁଲ ବାର୍ଷିକ ଉତ୍ସବ କଥା ଭାବି ମୁଁ ବ୍ୟସ୍ତ ହେବି କାହିଁକି ? ମଞ୍ଜୁଳା ପୁନର୍ନିଯୁକ୍ତି ପାଇଁ ଆବେଦନ କରିଛି । ଆପଣ ତାକୁ ନିଯୁକ୍ତି ଦିଅନ୍ତୁ । ଖ୍ୟାତନାମା ଅଭିନେତ୍ରୀ ଭାବରେ ତା’ର ଆଜି ପ୍ରଦେଶବ୍ୟାପୀ ଖ୍ୟାତି । ଜିଲ୍ଲା କଲେକ୍‌ଟର ତା’ର ନାଚ ଦେଖି ନିଶ୍ଚୟ ବେଶି ଖୁସି ହେବେ ।

 

ଇସ୍ତଫା ପତ୍ର ଉପରେ ଆଉଥରେ ଦୃଷ୍ଟି ପହଁରେଇ ନେଲେ ମିସ୍‌ ନାୟକ ।

 

କହିଲେ, ଆଜି ତମେ ଦାୟିତ୍ୱ ଦେଇ ଚାଲିଯିବାକୁ ଚାହଁ । ନା !

 

ତା’ପରେ କଲମ ପଛ ପଟକୁ ନିଜ ଚିବୁକ ଦେହରେ ଚାପି ଧରି ମନେ ମନେ କଅଣ ଯେ ଭାବିଲେ । କହିଲେ, ଆସନ୍ତା ସପ୍ତାହରେ ଦୁଇ ତିନିଟା ବିବାହ ତିଥି ଅଛି । ତମେ କଅଣ ବିବାହ କରିବା ପାଇଁ ଶିକ୍ଷୟିତ୍ରୀ ଚାକିରିରୁ ଇସ୍ତଫା ଦେଉଛ ?

 

ବିବାହ !

 

ସେ ବିବାହ କରିବା ପାଇଁ ଶିକ୍ଷୟିତ୍ରୀ ଚାକିରିରୁ ଇସ୍ତଫା ଦେଇ ଚାଲି ଯାଉଛି, ଏଇ ଭୁଲ୍‌ ଧାରଣା ନେଇ ମିସ୍‌ ନାୟକ ଯଦି ତାକୁ ଶୀଘ୍ର ଦାୟିତ୍ୱ ମୁକ୍ତ କରି ଦିଅନ୍ତି ତାହାହେଲେ ସେ ସେଥିରେ ବାଧା ଦେବ କାହିଁକି ?

 

ହଁ କି ନାହିଁ–କିଛି ନ କହି କେବଳ ମୃଦୁ ହସିଲା ମୌସୁମୀ ।

 

ତାଙ୍କର ଅନୁମାନ ସତ୍ୟ ବୋଲି ଧରି ନେଇ ମିସ୍‌ ନାୟକ ମଧ୍ୟ ଅଳ୍ପ ଅଳ୍ପ ହସିବାକୁ ଲାଗିଲେ । କହିଲେ, ମୌସୁମୀ ! ମୁଁ ଜାଣିଥିଲି ସାରା ଜୀବନ ପାଇଁ ତମେ କେବେ ଏ ସ୍କୁଲର ଛାତ୍ରୀମାନକୁ ଗଣିତ ପଢ଼ାଇବା ପାଇଁ ଅଟକି ରହିବ ନାହିଁ । ତମ ସହିତ ପ୍ରଥମ ଦେଖାରେ ସେ କଥା କହିଥିଲି, ତମେ ପ୍ରତିବାଦ କରିଥିଲ । ଆଜି କିନ୍ତୁ ମୋ ଅନୁମାନ ସତ୍ୟ ହେଲା । ମୁଁ ଖୁବ୍‌ ଖୁସି–

 

ମୌସୁମୀ କିଛି କହିଲା ନାହିଁ ।

 

ସେ ଏ ସ୍କୁଲ୍‌ରୁ ବିଦାୟ ନେଇ ଚାଲିଗଲେ ବଞ୍ଚିଯିବ । ଅତନୁ ଆଗରେ ନାଚିବା ପାଇଁ ତା’ର ସାହସ ନାହିଁ । ତା’ ଆଗରୁ ସେ ଏଠାରୁ ପଳାଇବାକୁ ଚାହେଁ । ତା’ପରେ ସେ କଅଣ କରିବ ଏ ପର୍ଯ୍ୟନ୍ତ ଭାବିନାହିଁ । ସେ ବିବାହ କରିବାକୁ ଯାଉଛି ବୋଲି ଭାବି ଯଦି ମିସ୍‌ ନାୟକ ଖୁସି ହେଉଥାଆନ୍ତି । ତାଙ୍କର ସେ ନିରୀହ ଆନନ୍ଦ ଲାଭରେ ସେ ବାଧା ଦେବ ନାହିଁ ।

 

ମିସ୍ ନାୟକ ସ୍ନେହମୟୀ ଜନନୀ ଭଳି ଉଠି ଆସି ମୌସୁମୀର ପିଠି ଆଉଁଷି ଦେଇ ମଥା ଚୁମ୍ୱନ କଲେ । କହିଲେ, ଏଇ କେଇଦିନ ଭିତରେ ତମ ଉପରେ ମୋର କିପରି ଏକ ମାୟା ଆସି ଯାଇଥିଲା । ତମ ଭଳି ଝିଅ ଯାହା ଘରର ବୋହୂ ହେଇ ଯିବ, ତା’ର ଘର ପୂରି ଉଠିବ ମୁଁ ତମକୁ ଏ ସ୍କୁଲର ଚାରି କାନ୍ଥ ଭିତରେ ଅଟକାଇ ରଖିବାକୁ ଚାହେଁ ନାହିଁ । ତମେ ଏହି ମୂହୂର୍ତ୍ତରୁ ଦାୟିତ୍ୱମୁକ୍ତ । ମୁଁ ଆଶୀର୍ବାଦ କରୁଛି, ତମ ବିବାହିତା ଜୀବନ ସୁଖମୟ ହେଉ ।

 

ମୁଣ୍ତରୁ ଗୋଟାଏ ବୋଝ ଓହ୍ଲାଇଗଲା ।

 

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଫିସ ଛାଡ଼ି ସେ ଆସିଲା ଶିକ୍ଷୟିତ୍ରୀମାନଙ୍କ କମନ୍‌ ରୁମ୍‌କୁ ।

 

ସେ ଆଜି କ୍ଲାସ୍‌ ନେବ ନାହିଁ ।

 

ହସ ଖୁସିରେ ନିଜର ସହକର୍ମୀମାନଙ୍କ ସହ ଗପ କରିବ ।

 

ସେ ବିବାହ କରିବାକୁ ଯାଉଛି ବୋଲି ଇସ୍ତଫା ଦେଉଛି, ଏ ସମ୍ୱାଦ ମିସ୍‌ ନାୟକଙ୍କ ଅଫିସ ରୁମ୍‌ରୁ ମିନିଟ୍‌ କେତୋଟି ମଧ୍ୟରେ ସ୍କୁଲ ସାରା ଖେଳିଗଲା ।

 

ପ୍ରଭା ଅପା କହିଲେ, କଂଗ୍ରାଚୁଲେସନ୍‌ ମୌସୁମୀ ! ଶେଷରେ ମୋ ଆଦର୍ଶ ଅନୁସରଣ କରି ତମେ ବିବାହ କରିବାକୁ ଯାଉଛ, ଏ କଥା ଶୁଣି ଆନନ୍ଦରେ ମୋର ବୁକୁ ଭରିଯାଉଛି । ନିଜର ପ୍ରେମିକ କଥା ଭାବି ତମେ ଅନେକ ସମୟ ଅପବ୍ୟୟ କରିଛ । ଆଉ ବିଳମ୍ୱ କରିବା ଉଚିତ ନୁହେଁ–

 

ଇଚ୍ଛା କରି ପ୍ରଭା ଅପାଙ୍କ କଥାର ପ୍ରତିବାଦ କଲା ନାହିଁ ମୌସୁମୀ । ସେ ବିବାହ କରିବାକୁ ସ୍କୁଲ ଛାଡ଼ୁନାହିଁ, ଏ କଥା କହିବା ମାତ୍ରେ ସେମାନେ ହୁଏତ, କଅଣ ପାଇଁ ଚାକିରି ଛାଡ଼ୁଛି ବୋଲି ସାଙ୍ଗେ ସାଙ୍ଗେ ଜାଣିବାକୁ ଚାହିଁବେ । ସେ କଅଣ କହିପାରିବ ଅତନୁ ଦାସ କଥା !

 

ଛତା–ପାନବଟା ସାର୍‌ ନାସଦାନୀକୁ ନାକ ପାଖରେ ଦୁଇମିନିଟ୍‌ ଚାପି ଧରି କହିଲେ, ଏ ବୁଢ଼ା ବ୍ରାହ୍ମଣ କଥା କିନ୍ତୁ ଭୁଲିଗଲେ ଚଳିବ ନାହିଁ ମୌସୁମୀ । ବାହାଘର କ୍ଷୀରୀ ପିଠାରୁ ପେଟେ ଖୁଆଇବାକୁ ପଡ଼ିବ । ସ୍କୁଲ ଠିକଣାରେ ଦେଲେ ହଜିଯିବାର ସମ୍ଭାବନା ଅଛି, ନିମନ୍ତ୍ରଣ କାର୍ଡଟା ଯେପରି ମୋ ଘର ଠିକଣାରେ ଆସି ଠିକ୍‌ ସମୟରେ ପହଞ୍ଚେ !

 

ମୌସୁମୀ ଆଉ ପ୍ରଭା ହସି ଉଠିଲେ ।

 

ପ୍ରତିମା ଦୂରରେ ଠିଆ ହୋଇ ମୌସୁମୀକୁ ଲକ୍ଷ୍ୟ କରୁଥିଲା, କିନ୍ତୁ ପାଖକୁ ଆସି ଏ ହସ ଥଟ୍ଟାରେ ଭାଗ ନେଇ ପାରୁ ନ ଥିଲା ।

 

ତା’ ପାଇଁ ବିବାହ ଏକ ଆତଙ୍କ ।

 

କମଳିନୀ ବିବାହ କରିଗଲା ପରେ ତା’ର ଓଜନ ଅନେକ କମି ଯାଇଥିଲା ।

 

କିଛି ସମୟ ପରେ କ୍ଲାସ୍‌ ସାରି କମଳିନୀ ଆସିଲା ।

 

ପଚାରିଲା, ବାହାଘର କଥା ତ ଶୁଣିଲୁ, କିନ୍ତୁ ବରଙ୍କ ବିଷୟରେ ତ କିଛି ଜାଣିଲୁ ନାହିଁ ! ସେ କଅଣ କରନ୍ତି ? କେଉଁଠି ବାହାଘର ହେଉଛି– ?

 

ମୌସୁମୀ ଓଠ ଚାପି ହସିଲା । ନିଜ ଭାଗ୍ୟକୁ ନିଜେ ବୋଧହୁଏ ଉପହାସ କଲା ।

 

ତା’ପରେ କମଳିନୀ କାନରେ ଚୁପ୍‌ ଚୁପ୍‌ କହିଲା, ମୋର ସ୍ୱାମୀଙ୍କ ନାମ ଦୁର୍ଭାଗ୍ୟ, ଅପଦେବତାର ରାଜ୍ୟରେ ସେ ରାଜ୍ୟପାଳ । ତମେ କିନ୍ତୁ ଏ କଥା ଆଉ କାହାକୁ କହିବ ନାହିଁ ।

 

କମଳିନୀର ଓଠରୁ ହସ ଲିଭିଗଲା ।

 

ମୌସୁମୀ ଆଖିରୁ ଜ୍ୟୋତି !

 

।। ୨୮ ।।

 

ସକାଳର ଖରା ବାସି ହୋଇଗଲାଣି ।

 

ଷ୍ଟାଣ୍ତରୁ ବସ୍‌ ଧରି ମୌସୁମୀର ଗ୍ରାମକୁ ଯିବାର କଥା ।

 

ଶିକ୍ଷୟିତ୍ରୀ ନିବାସର ସୀମା ଛାଡ଼ି ତା’ର ରିକ୍‌ସା ନାଲି ରାସ୍ତା ଧରିଲା । ତାକୁ ବିଦାୟ ଦେବା ପାଇଁ ମିସ୍‌ ନାୟକ ଆସିଥିଲେ ଶିକ୍ଷୟିତ୍ରୀ ନିବାସକୁ । ତା’ ହାତରେ ଖଣ୍ତେ ବାଇବେଲ୍‌ ଧରେଇ ଦେଲେ । କହିଲେ, ଜୀବନରେ ଯଦି କେତେବେଳେ ଲକ୍ଷ୍ୟପଥ ଖୋଜି ନ ପାଅ, ଚାରିଆଡ଼ ଅନ୍ଧକାର ଦିଶେ, ତାହାହେଲେ ଏଇ ବାଇବେଲ୍‌ର ଯେ କୌଣସି ଗୋଟିଏ ପୃଷ୍ଠା ପଢ଼ିନେବ । ପ୍ରଭୁ ତମକୁ ଆଲୋକ ଦେଖାଇବେ ।

 

ପ୍ରତିମା, କମଳିନୀ ଆଉ ଶିକ୍ଷୟିତ୍ରୀ ନିବାସର ସେଇ ପରିଚାରିକା ସମସ୍ତେ ତାକୁ ଆଖିର ଲୁହରେ ଅର୍ଘ୍ୟ ସଜାଇ ବିଦାୟ ଜଣାଇଥିଲେ । ଗଲାବେଳକୁ କାନ୍ଦିବ ନାହିଁ ବୋଲି ସେ ମନେ ମନେ ସ୍ଥିର କରିଥିଲା । କିନ୍ତୁ ସେ କଥା ଶେଷ ବେଳକୁ ସେ ରଖିପାରିଲା ନାହିଁ । ରିକ୍‌ସାରେ ଉଠିଲା ବେଳକୁ ତା’ର ଦୁଇ ଆଖିପକା ଭରି ଲୁଣି ଲୁହର ନଈବଢ଼ି ଆସିଗଲା ।

 

ମୌସୁମୀ ଅନୁଭବ କଲା, ଯେତେ ଅଳ୍ପ ଦିନ କେତୋଟି ପାଇଁ ହେଲେ ବି ଏ ସ୍କୁଲ, ଶିକ୍ଷୟିତ୍ରୀ, ଛାତ୍ରୀ, ସ୍ଥାନୀୟ ଲୋକ ଏବଂ ଏ ସ୍ଥାନ ସହିତ ତା’ର କିପରି ଗୋଟାଏ ନିକଟ ସମ୍ପର୍କ ହୋଇ ଯାଇଥିଲା । ଏଇ ମଫସଲ–ପ୍ରାୟ ଅଞ୍ଚଳଟିର ସକାଳ, ମଧ୍ୟାହ୍ନ, ସୂର୍ଯ୍ୟାସ୍ତ ଯେପରି ତା’ ଆଖିରେ ଜ୍ୟୋତି ଖେଳାଇଥିଲା, ଏ ମାଟିର ମଧୁର ଗନ୍ଧ ସେହିପରି ତା’ର ଶ୍ୱାସନଳୀ, ହୃତ୍‌ପିଣ୍ତରେ ଶ୍ୱାସ ପ୍ରଶ୍ୱାସ ହୋଇ ଯାଆ ଆସ କରୁଥିଲା । ଇସ୍ତଫା ଦେଇ ଚାଲିଗଲା ବେଳେ ସେଥିପାଇଁ ସେ ନିଜ ଶ୍ୱାସନଳୀରେ ହିଁ କଷ୍ଟ ଅନୁଭବ କରୁଥିଲା ବେଶି !

 

ରିକ୍‌ସାର ଚକ ତା’ର ଆଗକୁ ଆଗକୁ ଗଡ଼ି ଚାଲିଥିଲା ।

 

ସକାଳର ଖରା ରାସ୍ତାକଡ଼ର ଆମ୍ୱ, ପୁଲାଙ୍ଗ, ଦେବଦାରୁ ଗଛର ଶୀର୍ଷରେ ପୁଳା ପୁଳା ହୋଇ ଜମା ହୋଇଥିଲା । ସେ ଆଡ଼ୁ ଦୃଷ୍ଟି ଫେରାଇ ନିଜ ଘର କଥା ଭାବିଲା ମୌସୁମୀ । ତାକୁ ଦେଖି ବାପା, ବୋଉ ନିଶ୍ଚୟ ଅବାକ୍‌ ହେବେ । ଚିଠିପତ୍ର ନ ଦେଇ ଆଗରୁ ନ ଜଣାଇ ହଠାତ୍‌ ଘରେ ପହଞ୍ଚି ନିଶ୍ଚୟ ସେମାନଙ୍କୁ ସେ ଚମକାଇ ଦେବ । ବୋଉ ଯଦି ପଚାରେ, ହଠାତ୍‌ କାହିଁକି ଚାକିରି ଛାଡ଼ି ଦେଲୁ ? ତାହାହେଲେ ସେ ତାକୁ ତାହାରି ଭାଷାରେ ବୁଝାଇ ଦେବ, ନାରୀର ସଂସାର ଶିକ୍ଷାଳୟ ନୁହେଁ, ଶିକ୍ଷୟିତ୍ରୀ ହେଲା ପରେ ଏ ଶିକ୍ଷା ମୁଁ ଲାଭ କଲି ବୋଉ ! ତା’ପରେ କଅଣ ଦରମା ନେବା ପାଇଁ ସେ ସ୍କୁଲରେ ବାନ୍ଧି ହୋଇ ରହି ହୁଏ ?

 

ସେ ଜାଣେ, ବାପା ତାକୁ କେବେ କିଛି ପଚାରିବେ ନାହିଁ । ବାପା ଭିନ୍ନ ସ୍ୱଭାବର ଲୋକ-। ଆଉ ତାକୁ ଘରେ ପଚାରିବ କିଏ ?

 

ମୌସୁମୀ ନିଜ ମନକୁ ଟାଣ କଲା ।

 

: ଦିଦି !

 

ପଛରୁ ପରିଚିତ କଣ୍ଠସ୍ୱର ଶୁଣି ଫେରିଚାହିଁଲା ମୌସୁମୀ । ସାଇକେଲରେ ଝାଳ ସରସର ହୋଇ ରତ୍ନାକର ତା’ ଆଡ଼କୁ ଛୁଟିଛି । ରିକ୍‌ସା ଅଟକାଇବାକୁ କହିଲା ମୌସୁମୀ ।

 

ସାଇକେଲ୍‌ରୁ ଓହ୍ଲାଇ ନମସ୍କାର କଲା ରତ୍ନାକର ।

 

ସେମାନେ ବସଷ୍ଟାଣ୍ତ୍‍ ପାଖକୁ ଆସି ଯାଇଥିଲେ । ବସ୍‌ ଆସିବାକୁ ସାମାନ୍ୟ ବିଳମ୍ୱ ଥିଲା । ମୌସୁମୀ ଲକ୍ଷ୍ୟ କଲା, ଜୋରରେ ସାଇକେଲ୍‌ ଚଳାଇ ଆସିବା ଫଳରେ ତା’ ଦେହରୁ ଗମଗମ ଝାଳ ବାହାରି ଗେଞ୍ଜିଟା ଓଦା ହୋଇଯାଇଛି । ସାଇକେଲରୁ ଓହ୍ଲାଇ ଜୋର୍‌ ଜୋର୍‌ ସେ ନିଶ୍ୱାସ ନେଉଛି ।

 

ଖବରଟା ଯେମିତି ଶୁଣିଛି, ସେମିତି ଛୁଟିଛି, । ଶାର୍ଟ ପିନ୍ଧିବାକୁ ମଧ୍ୟ ବେଳ ହେଲା ନାହିଁ-। ଏଇ ଗେଞ୍ଜିଟା ପିନ୍ଧି ବାହାରି ଆସିଲି । –ରତ୍ନାକର କ୍ଷୋଭ ମିଶ୍ରିତ କଣ୍ଠରେ କହିଲା, ଯେମିତି ତାକୁ ଖବର ନଦେଇ ମୌସୁମୀ ଚାଲି ଆସିବାଟା ଖୁବ ଏକ ଦୁଃଖର କଥା !

 

: ସମୟ ନ ଥିଲା, ଘରୁ ଚିଠି ପାଇ ମତେ ସାଙ୍ଗେ ସାଙ୍ଗେ ଚାଲିଯିବାକୁ ହେଲା । –ଏତିକି କହି ମୌସୁମୀ ନୀରବ ହୋଇଗଲା ଏବଂ ଅଳ୍ପ ହସି ପୁଣି କହିଲା, କିନ୍ତୁ ମୁଁ ଜାଣିଥିଲି–ତମେ ଖବର ପାଇଁ ଯିବ–ବରଂ ତମେ ଯଦି ମୁଁ ବସରେ ବସିବା ଆଗରୁ ଆସି ନ ଥାନ୍ତ ମୁଁ ଆଶ୍ଚର୍ଯ୍ୟ ହୋଇଥାଆନ୍ତି ।

 

ରିକ୍‌ସାରୁ ଜିନିଷପତ୍ର ଓହ୍ଲାଇ ନିଜ ହାତରେ ରତ୍ନାକର ବସ୍‌ଷ୍ଟାଣ୍ତ୍‌ ପାଖରେ ରଖିଲା । ବସଟା ଅଧମାଇଲିଏ ଦୂରରୁ ଆସେ, ଏଠାରେ ପ୍ରାୟ ପନ୍ଦର ମିନିଟ ରହି ଛାଡ଼ି ଦିଏ । ଜିନିଷପତ୍ର ଜଗି ଠିଆ ହେଲା ରତ୍ନାକର । ମୌସୁମୀ ଟିକେଟ ପାଇଁ ଚେକରକୁ ପଇସା ଦେଇଆସିଲା । ପ୍ରାଇଭେଟ ଲାଇନ ବସ, ଚେକର ତା’ର ପରିଚିତ । ଟିକେଟ ପାଇଁ ଦୁଶ୍ଚିନ୍ତାର କୌଣସି କାରଣ ନ ଥିଲା ।

ଫେରି ଆସି ମୌସୁମୀ କହିଲା, ତମେ ଭାଇ ଭଉଣୀ ତ ପରୀକ୍ଷା ଦେଇ ଦେଇଛ । ମୋର ବିଶ୍ୱାସ ତମେ ଦୁହେଁ ଭଲରେ ପାଶ୍‌ କରିଯିବ । ମାଟ୍ରିକ ପାଶ୍‌ କଲାପରେ ଜୀବିକା ଓ ଜୀବନ ପାଇଁ ଅନେକ ନୂଆ ରାସ୍ତା ଖୋଲିଯିବ । ରତ୍ନାକର ! ମାଆଙ୍କୁ ସୁଖୀ କରିବା ପାଇଁ ତମେ ଏଥର ମଣିଷ ହୁଅ ।

ରତ୍ନାକର ଶୂନ୍ୟ ଦୃଷ୍ଟିରେ ଚାହିଁଲା ।

କହିଲା ଆପଣ କ’ଣ ଆଉ ସ୍କୁଲକୁ ଫେରିବେ ନାହିଁ ?

ମୌସୁମୀ ହସିଲା ।

କହିଲା, ଫେରିବାର ହୋଇଥିଲେ ସ୍କୁଲରୁ ଇସ୍ତଫା ଦେଇ ଥାଆନ୍ତି କାହିଁକି ?

: କିନ୍ତୁ ଅନେକ ଦିଦି ତ ବିବାହ ପରେ ଏଠାରେ ପାଠ ପଢ଼ାଇଛନ୍ତି !

ମୌସୁମୀ ଚକିତ ହେଲା । କେବଳ ତା’ର ଯିବା ସମ୍ବାଦ ନୁହେଁ, ବିବାହ କଥାଟା ମଧ୍ୟ ରତ୍ନାକରର କାନ ପାଖରେ ପହଞ୍ଚି ଯାଇଛି ! ତା’ର ସେ କଥା ଶୁଣି ସେ ଆଖିକୋଣରେ ହସିଲା, କିନ୍ତୁ କୌଣସି ଉତ୍ତର ଦେଲା ନାହିଁ ।

 

ରତ୍ନାକର କହିଲା, ଆପଣ ଚାଲିଗଲେ ମୋର ଭାରି କଷ୍ଟ ହେବ । ହୁଏତ ଆଉ ମୁଁ ମଣିଷ ହୋଇପାରିବି ନାହିଁ....ପୁଣି ଗୁଣ୍ତା ହୋଇଯିବି ।

 

:ଏ କଅଣ ? ତମେ ମନ ଦୁଃଖ କରୁଛ କାହିଁକି ? ମୁଁ ତ ଏ ସ୍କୁଲ ଅନେକ ଦିନୁ ଛାଡ଼ି ଚାଲି ଯାଆନ୍ତିଣି । ରୁଦ୍ରନାରାୟଣ ବାବୁଙ୍କ ଇଚ୍ଛା ବିରୁଦ୍ଧରେ ମୁଁ ଏଠାରେ ରହିବାକୁ ଚାହୁଁ ନ ଥିଲି । କେବଳ ତମରି ଯୋଗୁ ବାଧ୍ୟ ହୋଇ ଅଟକି ରହିଥିଲି । ତମର ପରୀକ୍ଷା ସରିଗଲା । ତମେ ମଣିଷ ହେବ ନାହିଁ କାହିଁକି ?

 

:ମଣିଷ ହେବାକୁ ହେଲେ ଜୀବନରେ ଅନ୍ୟ କାହାକୁ ଜଣେ ମାନ୍ୟ କରିବାକୁ ହୁଏ । ବାପା ମଲାପରେ ମୁଁ ଘରେ ବାହାରେ କାହାକୁ ଭୟ କରେ ନାହିଁ । ବୋଉକୁ ନୁହେଁ କି ଉଦୟନାଥ ବାବୁଙ୍କୁ ନୁହେଁ । ବରଂ ମତେ ସମସ୍ତେ ଭୟ କରନ୍ତି, ଭୟରେ ମାନ୍ୟ କରନ୍ତି । ଏକା ଆପଣ.....ଆପଣଙ୍କୁ ମୁଁ ମନେ ମନେ ଭୟ କରୁଥିଲି । ହୃଦୟରେ ମାନ୍ୟ କରୁଥିଲି । ଆପଣଙ୍କ ଉପଦେଶ ମାନି ଚଳୁଥିଲି । ଆପଣ ଚାଲିଗଲା ପରେ–

 

: କିଛି ହେବ ନାହିଁ–ତମେ ଠିକ୍‌ ମଣିଷ ହେବ । ମଣିଷଠାରୁ ଧନ ସମ୍ପଦ ଛଡ଼ାଇ ନିଆଯାଇପାରେ, ଜ୍ଞାନ କେହି କାଢ଼ି ନେଇପାରେ ନାହିଁ । ମୁଁ ଚାଲିଗଲା ପରେ ମଧ୍ୟ ତମର ଜ୍ଞାନ ଅବାଟରେ ଗଲେ ତମକୁ ପଛରୁ ଟାଣିବ–

 

: ଦିଦି ! ପରୀକ୍ଷାରେ ପାଶ୍‌ କଲେ ଟିଉସନ ଫିସ୍‌ ନେବେ ବୋଲି ଆପଣ କହିଥିଲେ । ପରୀକ୍ଷାଫଳ ବାହାରିବା ଆଗରୁ ଆପଣ ଚାଲି ଯାଉଛନ୍ତି । ମୋ ପାଖରେ ବର୍ତ୍ତମାନ ଟଙ୍କା ନାହିଁ–

 

ସେଥିପାଇଁ ତମେ ବ୍ୟସ୍ତ ହୁଅ ନାହିଁ । ଆଙ୍ଗୁଠି କାଟି ଏକଲବ୍ୟ ଗୁରୁଦକ୍ଷିଣା ଦେଇଥିଲା, ତମେ ସେମିତି କେବେ ଆଉ କାହାର କାନ କାଟି ଦିଦି–ଦକ୍ଷିଣା ଦେଇଦେବ । –କଥା କହି ସାରି ନିଜ କଥାରେ ନିଜେ ହସି ଉଠିଲା ମୌସୁମୀ ।

 

ରତ୍ନାକର କିନ୍ତୁ ଏ ଲଘୁ ପରିହାସରେ ଭୁଲିବା ଲୋକ ନୁହେଁ । ସେ ଜିଦ୍‌ କଲା, ସେକଥା ମୁଁ ଶୁଣିବି ନାହିଁ । ଆପଣଙ୍କ ବାହାଘରକୁ ମୁଁ ମାଛ ନେଇଯିବି–ଆମ ପୋଖରୀର ମାଛ–ଯେଉଁ ପୋଖରୀରେ ହଂସ, ବତକ ପହଁରନ୍ତି–କଇଁ ଫୁଲ ଫୁଟେ–ଖୁବ୍‌ ବଡ଼ ବଡ଼ ମାଛ ଅଛନ୍ତି–ରୋହି, ଭାକୁର–

 

ମୌସୁମୀ ଆଖିରେ ଭାସି ଉଠିଲା ରତ୍ନାକରର ସେହି ବାରିପଟ ବଡ଼ ପୋଖରୀର ଦୃଶ୍ୟ-। ରତ୍ନାକରର ମାଆ କହୁଥିଲେ ତିନିବର୍ଷ ହେଲା ସେ ପୋଖରୀରୁ ମାଛ ଧରା ହୋଇନାହିଁ-। ରତ୍ନାକରର ବାହାଘରକୁ ମାଛ ଧରା ହେବ । ସେଇ ପୋଖରୀ ମାଛ କଥା କହୁଛି ରତ୍ନାକର-!

 

ମୌସୁମୀ କିଛି ଉତ୍ତର ଦେବା ଆଗରୁ ବସ୍‌ ଆସିଗଲା । ଅପେକ୍ଷା କରିଥିବା ଯାତ୍ରୀମାନେ ଚଞ୍ଚଳ ହୋଇ ଉଠିଲେ । ମୌସୁମୀ ଜିନିଷ ପତ୍ର ବସ୍‌ ଉପରକୁ ଉଠାଇ ଦେଲା ରତ୍ନାକର ।

 

: ଏଥର ତମେ ଯାଅ । ମାଆଙ୍କୁ ମୋର ନମସ୍କାର ଜଣାଇଦେବ । କହିବ ସମୟ ଅଭାବରୁ ତାଙ୍କୁ ଦେଖା କରିବାକୁ ଯାଇ ପାରିଲି ନାହିଁ । ତାଙ୍କର ସ୍ନେହ ଶ୍ରଦ୍ଧା ମୋର ସବୁଦିନେ ମନେ ରହିବ–

 

ମୌସୁମୀ ଲକ୍ଷ୍ୟ କଲା, ତା’ କଥା ଶୁଣି ରତ୍ନାକରର ଆଖି ଛଳ ଛଳ ହୋଇ ଆସୁଛି । ସେ ଚେଷ୍ଟା କରି ମଧ୍ୟ କିଛି କହି ପାରୁ ନାହିଁ । ଏତେବଡ଼ ବଳିଷ୍ଠ ଲୋକଟାର ଆଖିରେ ଏ ଛଳ ଛଳ ଲୁହ ଆଦୌ ଭଲ ମାନୁ ନାହିଁ । ସତକୁ ସତ ଯଦି କାନ୍ଦି ସେ ପକାଏ ତାହାହେଲେ ବସ୍‌ଷ୍ଟାଣ୍ତର ଯେଉଁ ଲୋକେ ସେ ଦୁହିଁଙ୍କୁ ଦୂରରୁ ଲକ୍ଷ୍ୟ କରୁଛନ୍ତି, ସେମାନେ ବୋଧହୁଏ ସମ୍ମିଳିତ କଣ୍ଠରେ ହସି ଉଠିବେ ।

 

ଅବୁଝା, ହୁଣ୍ତା ରତ୍ନାକରକୁ ବୁଝାଇବାକୁ ଚେଷ୍ଟା କଲା ।

 

: ରତ୍ନାକର ! ସବୁ ବିଦାୟ ବେଳାର ରୂପ ଏମିତି ବିଷର୍ଣ୍ଣ । ମଣିଷ ଜୀବନରେ ଏଇ ବିଦାୟ ବେଳା ବାରମ୍ୱାର ଫେରି ଫେରି ଆସେ । ଆଉ ସଂସାରରୁ ଏମିତି ଦିନେ ମଣିଷ ଶେଷ ବିଦାୟ ନେଇ ଚାଲିଯାଏ; ଇଚ୍ଛା କଲେ ମଧ୍ୟ ଏ ବିଦାୟ ବେଳାକୁ କେହି ଏଡ଼ାଇ ପାରେ ନାହିଁ । ତମେ ପୁରୁଷ । ଏଥିପାଇଁ ଅସ୍ଥିର ହେବା ତମ ପକ୍ଷରେ ଶୋଭନୀୟ ନୁହେଁ ।

 

ଡ୍ରାଇଭର ହର୍ଣ୍ଣ ବଜାଉଛି ।

 

ବସ୍‌ ଛାଡ଼ି ଦେବ ।

 

ନିଜର ଅବାଧ୍ୟ ପାଦକୁ ଟାଣି ମୌସୁମୀ ବସ ଆଡ଼କୁ ଯିବା ଆଗରୁ ଏକ ଅଦ୍ଭୁତ କାର୍ଯ୍ୟ କରି ବସିଲା ରତ୍ନାକର । ମୁଣ୍ତରେ ହାତ ଛୁଆଇଁ ନମସ୍କାର କରିବା ବଦଳରେ ସେ ତା’ର ପାଦ ତଳେ ମୁଣ୍ତ ଲଗାଇ ଆଭୂମ ପ୍ରଣତି ଜଣାଇଲା ।

 

ଯେଉଁ କୌତୁହଳୀ ଯାତ୍ରୀମାନେ ବସ୍‌ ଭିତରୁ ମୁଣ୍ତ ଗଳାଇ ସେମାନଙ୍କୁ ଲକ୍ଷ୍ୟ କରୁଥିଲେ, ରତ୍ନାକରର ଭକ୍ତିପୂତ ସାଷ୍ଟାଙ୍ଗ ପ୍ରଣିପାତ ଦେଖି ଲଜ୍ଜାରେ ସେମାନେ ବସ୍‌ ଭିତରକୁ ନିଜ ନିଜର ମୁଣ୍ତ ଫେରସ୍ତ ନେଇଗଲେ ।

 

ଭୁବନେଶ୍ୱର

ଆରମ୍ଭ–ଅଗଷ୍ଟ, ୧୯୬୯

ଶେଷ–ଜୁନ୍‍, ୧୯୭୦

Image